ନିଆରା ବିବାହ: ଜଣଙ୍କ କାନକୁ ଶୁଭୁନଥିବା ବେଳେ ଆଉ ଜଣେ ଜନ୍ମରୁ ମୁକ, କିନ୍ତୁ ପ୍ରେମ ବୁଝେନି ଅକ୍ଷମତା

ପୁରୋହିତଙ୍କ ମନ୍ତ୍ର ଉଚ୍ଚାରଣ ଆଉ ହୁଳହୁଳି ଓ ଶଙ୍ଖ ଧ୍ୱନି ମଧ୍ୟରେ ବାହା ହେଉଛନ୍ତି ଚିଣ୍ଟୁ ଏବଂ ଭାରତୀ। ବାହାବେଦି, ହୋମ ନିଆଁ, ଶଙ୍ଖ ହୁଳହୁଳିରେ ଉଛୁଳୁଛି ପରିବେଶ। ବର ଓ କନ୍ୟା ପକ୍ଷର ବନ୍ଧୁବାନ୍ଧବ ଉପସ୍ଥିତ ଅଛନ୍ତି। ସମସ୍ତେ ଉତ୍ସାହିତ ଥିବା ବେଳେ ବେଦିରେ ବସିଥିବା ବର ଓ କନ୍ୟାଙ୍କୁ କିନ୍ତୁ ଏସବୁ ଶବ୍ଦ ଶୁଭୁନଥିଲା । ସେମାନଙ୍କୁ କେହି କିଛି କହିପାରୁ ନଥିଲେ। ଯାହାବି କହୁଥିଲେ କେବଳ ଠାରରେ। କାରଣ ଉଭୟ ବରକନ୍ୟା ହେଉଛନ୍ତି, ମୁକ ଓ ବଧିର। ଗଞ୍ଜାମ ଜିଲ୍ଲା ଆସିକା ନିକଟ ଶ୍ୟାମଳାଇ ମନ୍ଦିର କଲ୍ୟାଣ ମଣ୍ଡପରେ ହୋଇଛି ଏହି ନିଆରା ବାହାଘର।

couple

ଜଗନ୍ନାଥ ଓ ବାଗଦେବୀ ଓରଫ ଚିଣ୍ଟୁ ଏବଂ ଭାରତୀ ଉଭୟେ ଜନ୍ମରୁ ମୁକ ଓ ବଧିର। ଜଗନ୍ନାଥଙ୍କ ଘର ଆସିକା ନିକଟସ୍ଥ ଜାହାଡା ଗ୍ରାମରେ ଓ ବାଗଦେବୀ ବ୍ରହ୍ମପୁରର ଝିଅ। ଖୋର୍ଦ୍ଧାର ଏକ ITI ସ୍କୁଲରେ ଏକାଠି ପାଠ ପଢୁଥିଲେ। ପରସ୍ପରକୁ ଭେଟିଲେ ଓ ମନ ଭିତରେ ଆକର୍ଷଣ ସୃଷ୍ଟି ହେଲା। ନିଜ ନିଜ ମନର କଥାକୁ ପରିବାର ଲୋକଙ୍କ ଆଗରେ କହିପାରୁନଥିଲେ। ସାଙ୍ଗସାଥୀ ଓ ସମାଜ ଲୋକଙ୍କ ସହାୟତାରେ ପ୍ରଥମେ ପୁଅ ପକ୍ଷରୁ ଝିଅ ଘରକୁ ପ୍ରସ୍ତାବ ଗଲା। ତା’ପରେ ହେଲା ବିବାହ। ସାରା ଜୀବନ ପାଇଁ ଅତୁଟ ବନ୍ଧନରେ ବାନ୍ଧି ହୋଇ ଦମ୍ପତି ସାଜିଲେ ଏମାନେ। ପରସ୍ପରକୁ ପାଇ ବେଶ୍‌ ଖୁସି ଅଛନ୍ତି ଚିଣ୍ଟୁ ଓ ଭାରତୀ।

ଦାମ୍ପତ୍ୟ ଜୀବନର ଅର୍ଥ ହେଉଛି ଜଣେ ଅନ୍ୟ ଜଣକର ଦୁର୍ବଳତାକୁ ଗ୍ରହଣ କରିବା । ଯେଉଁଠି ଭଲ ପାଇବା ଓ ବିଶ୍ୱାସର ମୂଳଦୁଆରେ ହୋଇଛି ଏହି ବିବାହ, ସେଠି ଶାରୀରିକ ଅକ୍ଷମତାର କିଛି ଗୁରୁତ୍ୱ ନାହିଁ ବୋଲି କହିଛନ୍ତି ଦେଖଣାହାରୀ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.