ଆଖିରେ ପଟି ବାନ୍ଧି ସାଇକେଲ ଚଳାଇବାଠୁ ବହି ପଢ଼ିବା ଯାଏଁ ସବୁ କାମକୁ ଅତି ନିର୍ଭୁଲ ଭାବେ କରିପାରୁଛନ୍ତି ମାହାଙ୍ଗାର ମୋହିତ

ମଣିଷ ସାଧନା ବଳରେ ଅସାଧ୍ୟ ସାଧନ କରିଥାଏ। ଆଖିରେ ଦେଖି ମଣିଷ ମଝିରେ ମଝିରେ ଭୁଲ କରିଥାଏ। କିନ୍ତୁ ଆଖି ବନ୍ଦ କରି କିମ୍ବା ଆଖିରେ ପଟି ବାନ୍ଧି ସବୁକିଛି ଠିକ କାମ କରୁଥିବା ପିଲାକୁ ବୋଧେ ଆପଣ କେବେ ଭେଟି ନଥିବେ। ଆଜି ଆସନ୍ତୁ ଜାଣିବା ଏଭଳି ଜଣେ ଛାତ୍ରଙ୍କ ବିଷୟରେ ଯିଏ ଆଖିରେ ପଟି ବାନ୍ଧି କରିପାରୁଛନ୍ତି ସବୁ କାମ। କଟକ ଜିଲ୍ଲା ମାହାଙ୍ଗା ହଳଦିଆ ପଞ୍ଚାୟତ ଝାଡ଼େଶ୍ୱରପୁର ଗ୍ରାମର ୧୦ମ ଶ୍ରେଣୀର ଛାତ୍ର ମୋହିତ କୁମାର ମିଶ୍ର। ଆଖିରେ କଳା ପଟି ବାନ୍ଧି ବହିରେ ଲେଖାଥିବା ସବୁ ପାଠକୁ ନିର୍ଭୁଲ ଭାବେ ପଢ଼ି ପାରୁଛନ୍ତି ସେ। ସାମ୍ନାରେ ଦେଖାଉଥିବା କଲମର ରଙ୍ଗକୁ ବି ସେ ଅତି ସହଜରେ କହି ଦେଉଛନ୍ତି। ସତେ ଯେମିତି ଆଖି ଆଗରେ କିଛି ନାହିଁ। ଆଖିରେ କଳା ପଟି ବାନ୍ଧି ସାଇକେଲ ବି ଚଲାଉଛି ଏହି ୧୦ମ ଶ୍ରେଣୀରେ ପଢ଼ୁଥିବା ପିଲାଟି।

mahanga2

ଆପଣ ଭାବୁଥିବେ ପିଲାଟି ବୋଧେ କିଛି ଚମତ୍କାରୀ ଯାଦୁ ବିଦ୍ୟା ଜାଣିଛି। ଯାହା ଫଳରେ ସେ ଏସବୁ କାମ ଆଖିରେ ପଟି ବାନ୍ଧି କରୁଛି। କିନ୍ତୁ ନା ଏହା କୌଣସି ଯାଦୁ ନୁହେଁ। ଏହା ଏକ ବିଦ୍ୟା ବା ପାଠ। ଯାହାର ନାଁ ହେଉଛି ମିଡ୍‌ ବ୍ରେନ୍‌ ଆକ୍ଟିଭେସନ୍‌। ମୋହିତଙ୍କ ବାପା ମନୋଜ ମିଶ୍ର ଜଣେ ଚାଷୀ। ମୋହିତ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ବେଳେ ୭ ଦିନ ପାଇଁ ମହାରାଷ୍ଟ୍ରର ଗୁରୁ ମହେଶଙ୍କ ଠାରୁ ମିଡ୍‌ ବ୍ରେନ୍‌ ଆକ୍ଟିଭେସନ୍‌ (Midbrain activation) ଟ୍ରେନିଂ ନେଇଥିଲେ। ଏହି ଟ୍ରେନିଂ ନେଇ ସାରିଲା ପରେ ଏହାକୁ ଅଭ୍ୟାସ କରିଥିଲେ। ଏହି ମିଡ୍‌ ବ୍ରେନ୍‌ ଆକ୍ଟିଭେସନ୍‌ ଟ୍ରେନିଂ ପରେ ମୋହିତ ନିଜର ଆଖିରେ କଳା ପଟି ବାନ୍ଧି ତାଙ୍କ ସାମ୍ନାରେ ଯାହା କିଛି ରଖାଯାଉଥିଲା ତାହା ସେ ନିର୍ଭୁଲ ଭାବରେ କହିଛନ୍ତି। ଏପରିକି କେଉଁ କଲମର ରଙ୍ଗ କ’ଣ, ବହିରେ କ’ଣ ସବୁ ଲେଖା ହୋଇଛି, ଏପରିକି ଟିଭିରେ କ’ଣ ସବୁ ପ୍ରସାରଣ ହେଉଛି ତାହା ସବୁ ନିର୍ଭୁଲ ଭାବରେ କହୁଛନ୍ତି।

ସବୁଠାରୁ ବଡ଼ କଥା ହେଲା ପାଠପଢାରେ ଏହି ଟ୍ରେନିଂ ବହୁତ କାମରେ ଆସୁଛି ବୋଲି କହିଛନ୍ତି ମୋହିତ। କାରଣ ଆଗରୁ ମୋହିତଙ୍କର କିଛି ପାଠ ମନେ ରହୁନଥିଲା। ଏହି Midbrain activation କଲା ପରେ ତାଙ୍କର ପଢୁଥିବା ପାଠ ସବୁ ସହଜରେ ମନେ ରହୁଛି ବୋଲି ମୋହିତ କହିଛନ୍ତି।