ପୃଥିବୀର ସବୁଠୁ ମଧୁରତମ ଶଦ୍ଦ ହେଉଛି ମା’ । ତାର ବିକଳ୍ପ ନାହିଁ । ମାର ପଣତକାନି ସନ୍ତାନ ପାଇଁ ସବୁଠୁ ନିରପଦ ସ୍ଥାନ । ମା’ର ଋଣ କେହି ଶୁଖିନି କି ଜୀବନରେ କେବେ ବି ଶୁଝିହେବ ନାହିଁ । ସେ ସ୍ନେହମୟୀ, କରୁଣାମୟୀ ଓ ଦୟାମୟୀ । ସନ୍ତାନର ଦୁଃଖରେ ଦୁଃଖି ଓ ଖୁସିରେ ଖୁସି ହୁଏ ମା । ଆଜି ମାତୃ ଦିବସ ଅବସରରେ ସେହି ମା’ଙ୍କୁ କୋଟି କୋଟି ପ୍ରଣାମ ।
ତୁ ଜୀବନର ରାହା ତୁ ବଞ୍ଚିବାର ସାହା, ତୋ ପଣତ ବିନା ମୋ ଦୁନିଆଁ ଲାଗେ ଖାଁ ଖାଁ । ତତେ କୋଟି କୋଟି ପ୍ରଣାମ ଲୋ ମାଆ। କଥାରେ ଅଛି ମାଆ ନାହିଁ ଯାହାର ସାହା ନାହିଁ ତାହାର। ମାଆ ଏମିତି ଏକ ମଣିଷ ଯାହାବିନା ପରିବାର ଅସମ୍ପୂର୍ଣ୍ଣ। ସେ, ଗୋଟିଏ ସୂତା ହେଲେ ଅନ୍ୟ ସଦସ୍ୟ ସେହି ସୁତାର ଗଣ୍ଠି। ମାଆ, ଯିଏ ଦରକାର ପଡ଼ିଲେ ପିଲାଙ୍କ ପାଇଁ ଦୁନିଆଁ ଆଗରେ ନଇଁ ପରେ ପୁଣି ଆବଶ୍ୟକ ସ୍ଥଳେ ପୁରା ଦୁନିଆଁ କୁ ନୁଆଇଁ ଦେଇ ପାରେ। ଅପୂର୍ବ ଶକ୍ତିର ଅଧିକାରିଣୀ ସେଇ ମା । ଧନୀ ହେଉକି ଗରିବ ସବୁରି ଘରେ ଅମୂଲ୍ୟ ରତ୍ନ ଟିଏ ଏଇ ମାଆ ।
ସଂସାର ଓ ସଂସ୍କୃତି ଦୁଇଟିକୁ ହାତରେ ଧରି ଆଗକୁ ଚାଲେ ଏଇ ମାଆ। ନିଜେ ଅନ୍ଧାରରେ ରହି ସନ୍ତାନ କୁ ଆଲୋକ ଦେଖାଏ ସେ। ଜୀବନର ଦୋ ଛକିରେ ଆସର ଆଲୋକ ସାଜି ବଞ୍ଚିବାର ରାହା ଦେଖାଇଥାଏ ସେ। ଆକଟ ବି କରେ ସ୍ନେହ ବି କରେ ହେଲେ କୌଣସି ପରିସ୍ଥିତିରେ ହାତ ଛାଡିନଥାଏ ଏଇ ମାଆ। ପାଖରେ ଥାଇ ମମତା ଅଜାଡି ଦିଏ, ପାଖରୁ ଦୁରେଇଗଲେ ସନ୍ତାନ ଉପରେ ଆଶୀର୍ବାଦ ବର୍ଷା କରିଚାଲେ ଯିଏ ସେ ଆମ ମାଆ । ଦୁନିଆଁର ସବୁ ଶବ୍ଦ ଯାହା ପାଖରେ ଆଜି ଫିକା ସେ ହେଉଛି ମାଆ ।
କେବେ ତାର ମୃଣ୍ମୟୀ ରୂପ ପୁଣି କେବେ ଧାରଣ କରେ ଚଣ୍ଡୀ ରୂପ।ଭିନ୍ନ ରୂପରେ ହେଲେବି ମମତା ରୂପ ଗୋଟିଏ। ଜେବେବି ସନ୍ତାନ କୁ ନେଇ ପ୍ରଶ୍ନ ଉଠେ କେବଳ ତୋର ପଣତ ହିଁ ନଜର ଆସେ। ଦୁନିଆଁ ରୁ ହାରିଗଲେ ବି ତୋ ଆଗରେ ସବୁବେଳେ ଆକାଶର ତାରା ଭଳି ଚମକୁଥାଏ ତୋ ସନ୍ତାନ। ଏସବୁ ରଙ୍ଗ କେବଳ ତୋ ପ୍ରୀତିର କେବଳ ତୋ ନୀତିର। ତୁ ମୋ ଗୀତା ତୁ ମୋ କୋରାନ, ତତେ କୋଟି କୋଟି ପ୍ରଣାମ। ଲୋ ମାଆ।