ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦାଦାପୁଅ ଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ବୀଭତ୍ସ ହତ୍ୟା, ଲୁଟପାଟ କରି ଢ଼େର୍‌ ମଦ୍ୟପାନ କଲେ ଦୁର୍ବୃତ୍ତ, ମନଇଚ୍ଛା ଖାଦ୍ୟ ଖାଇ ଚାଲିଗଲେ

ଗ୍ରେଟର ନୋଏଡା: ବିଟା ଟୁ ଥାନା ଅନ୍ତର୍ଗତ ଅଲ୍‌ଫା ଟୁ ସେକ୍ଟରରେ ଜଣେ ବୃଦ୍ଧ ଦମ୍ପତିଙ୍କୁ ଦୁର୍ବୃତ୍ତମାନେ ଘରେ ପଶି ବୀଭତ୍ସ ହତ୍ୟା କରିଛନ୍ତି। ଏହାପରେ ସେମାନେ ନିର୍ଭୟରେ ଘର ଭିତରେ ମନଇଚ୍ଛା ଲୁଟପାଟ କରିଛନ୍ତି। ମୃତ ଦମ୍ପତି ହେଉଛନ୍ତି ନରେନ୍ଦ୍ର ନାଥ(୭୨) ଓ ତାଙ୍କ ସ୍ତ୍ରୀ ସୁମନ ନାଥ(୬୪)। ଏ ନେଇ ଖବର ପାଇବା ପରେ ବରିଷ୍ଠ ପୋଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

ମିଳିଥିବା ସୂଚନା ମୁତାବକ, ବୃଦ୍ଧ ଦମ୍ପତି ଦୁଇଜଣ ସମାଜ ସେବକ ଥିଲେ। ସୁମନ ଲୋକଙ୍କୁ ନିଃଶୁଳ୍କ ଯୋଗ ପ୍ରଶିକ୍ଷଣ ଦେଉଥିବା ବେଳେ ନରେନ୍ଦ୍ର ଅସହାୟ ଲୋକଙ୍କୁ ସବୁବେଳେ ସାହାଯ୍ୟ ସହଯୋଗ କରୁଥିଲେ। ତେବେ ଗୁରୁବାର ରାତିରେ ଘଟଣା ଘଟିଥିବା ବେଳେ ଶୁକ୍ରବାର ସକାଳେ ପାଖରେ ରହୁଥିବା ଦମ୍ପତିଙ୍କ ପୁଅ ଓ ଝିଅ ସେମାନଙ୍କୁ ମୋବାଇଲ୍‌ରେ ବାରମ୍ବାର କଲ୍‌ କରିଥିଲେ। ହେଲେ କେହି ଫୋନ୍‌ ଉଠାଇ ନ ଥିଲେ। ପରେ ସେମାନେ ଯେତେବେଳେ ଦମ୍ପତିଙ୍କ ଘରେ ପହଞ୍ଚିଥିଲେ, ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।

murder51
photo credit: Amar Ujala

ମୃତକଙ୍କ ପୁଅ ରୋହିତ ସୂଚନା ଦେଇଛନ୍ତି କି, ନରେନ୍ଦ୍ର ନାଥ ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥଙ୍କ ଦାଦାପୁଅ ଭାଇ। ପୋଲିସ ସୂଚନା ମୁତାବକ, ଘଟଣା ପରେ ଦମ୍ପତିଙ୍କ ଘରର ସବୁ ଆଲମିରା ଖୋଲାଥିବା ବେଳେ ଜିନିଷପତ୍ର ସବୁ ଛିନ୍‌ଛତର ହୋଇ ପଡ଼ିଥିଲା। ମହିଳାଙ୍କ ମୃତଦେହ ଘର ଭିତରୁ ମିଳିଥିଲା। ହେଲେ ନରେନ୍ଦ୍ରଙ୍କ ମୃତଦେହକୁ ବହୁତ ଖୋଜାଖୋଜି କରାଯାଇଥିଲେ ମଧ୍ୟ ଏହା ମିଳି ନ ଥିଲା। ଦୀର୍ଘ ସମୟ ପରେ ତାଙ୍କ ମୃତଦେହ ବେସ୍‌ମେଣ୍ଟସ୍ଥିତ ଏକ ଷ୍ଟୋର୍‌ରୁ ମିଳିଥିଲା। ନରେନ୍ଦ୍ରଙ୍କ ମୁହଁରେ ଟେପ୍‌ ଲାଗିଥିବା ବେଳେ ଦୁଇହାତ ପଛପଟୁ ବନ୍ଧା ହୋଇଥିଲା। ଏପରି କି, ଶରୀରରେ ଆଘାତ ଚିହ୍ନ ମଧ୍ୟ ଦେଖିବାକୁ ମିଳିଥିଲା। ଏଥିରୁ ଅନୁମାନ କରାଯାଉଛି କି, ତାଙ୍କୁ ପିଟି ପିଟି ହତ୍ୟା କରାଯାଇଛି।

ସେପଟେ ବେସ୍‌ମେଣ୍ଟ ଟେବୁଲରେ ଦାମୀ ମଦ ବୋତଲ ଏବଂ ପାଖାପାଖି ୬ଟି ଗ୍ଲାସ୍‌ ଥୁଆ ହୋଇଥିଲା। ଏହା ବ୍ୟତୀତ ଖାଦ୍ୟପେୟ ଜିନିଷ ମଧ୍ୟ ଟେବୁଲ ଉପରେ ରହିଥିଲା। ପାରିପାର୍ଶ୍ୱିକ ସ୍ଥିତିରୁ ଜଣାପଡ଼ୁଛି, ଦୁର୍ବୃତ୍ତମାନେ ଲୁଟପାଟ ପୂର୍ବରୁ ଏବଂ ପରେ ମଦ୍ୟପାନ କରି ଧୁମ୍‌ ଖାଦ୍ୟ ଖାଇଛନ୍ତି। ଅନ୍ୟପକ୍ଷରେ ସୁମନ ଗୁରୁବାର ରାତି ୧୦ଟା ୫୦ରେ ନିଜ ଝିଅକୁ ଫୋନ୍‌ରେ ମଦ ପାର୍ଟି ହେଉଥିବା ନେଇ ସୂଚନା ଦେଇଥିଲେ। ତେଣୁ ନରେନ୍ଦ୍ରଙ୍କର କୌଣସି ଚିହ୍ନା ପରିଚିତ ଲୋକ ହିଁ ଏଭଳି କାଣ୍ଡ ଭିଆଇଥିବା ଆଶଙ୍କା କରାଯାଉଛି। ତେବେ ଘରେ କୌଣସି ସିସି କ୍ୟାମେରା ଲାଗି ନ ଥିବା ବେଳେ ପାଖ ଘର ଏବଂ ଗଳିରେ ଲାଗିଥିବା ସିସିଟିଭି ଫୁଟେଜ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.