ଏଠାରେ ପଡିଥିଲା ମାତା ସତୀଙ୍କର ନାଭି, ଜାଣନ୍ତୁ କ’ ଣ ରହିଛି ପୂର୍ଣ୍ଣଗିରି ମନ୍ଦିରର ରହସ୍ୟ

ହିନ୍ଦୁ ଧର୍ମରେ ଶକ୍ତିଙ୍କର ଉପାସନା କରିବା ପାଇଁ ବର୍ଷକରେ ଚାରୋଟି ପର୍ବ ରହିଛି। ସେ ମଧ୍ୟରୁ ଶାରଦୀୟ ନବରାତ୍ରୀ ଅନ୍ୟତମ, ଯାହା ବର୍ତ୍ତମାନ ଆରମ୍ଭ ହୋଇ ସାରିଛି।ଏହି ନବ ଦିବସୀୟ ପର୍ବରେ ଦେବୀ ମା’ଙ୍କର ନଅ ରୂପକୁ ପୂଜା କରାଯାଇଥାଏ।ଶକ୍ତିଙ୍କର ଏହି ପର୍ବରେ ଭକ୍ତମାନେ ମା’ଙ୍କ ଉପାସନା କରିବା ପାଇଁ ଦେବୀ ମା’ଙ୍କ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥାନ୍ତି। ଏହି ନଅ ଦିନରେ ମା’ଙ୍କ ଶକ୍ତି ପୀଠକୁ ଦର୍ଶନ କଲେ ଖୁବ ଶୀଘ୍ର ମନୋକାମନା ପୂର୍ଣ୍ଣ ହୋଇଥାଏ ବୋଲି ମାନ୍ୟତା ରହିଛି। ଆଜି ନବରାତ୍ରୀର ଏହି ର୍ପାବଣୀୟ ଅବସରରେ ଆମେ ଆଜି ଆପଣଙ୍କୁ ଉତ୍ତରାଞ୍ଚଳରେ ସ୍ଥିତ ଦେବୀ ମା’ଙ୍କ ଏମିତି ଏକ ଶକ୍ତି ପୀଠ ବିଷୟରେ ଜଣାଇବୁ ଯାହାକୁ ମହାକାଳୀଙ୍କ ପୀଠ କୁହାଯାଏ। ଏହି ଯାଗାରେ ମାତା ସତୀଙ୍କର ନାଭି ପଡିଥିବାର ମଧ୍ୟ କୁହାଯାଏ।

ଦେବଭୂମି ଉତ୍ତରାଖଣ୍ଡରେ ଅବସ୍ଥିତ ଏହି ଅତ୍ୟନ୍ତ ଚମତ୍କାରୀ ଶକ୍ତି ପୀଠର ନାମ ପୂର୍ଣ୍ଣଗିରି ମନ୍ଦିର। ଏହି ମନ୍ଦିର ବିଷୟରେ କୁହାଯାଏ ଯେ କିଛି ବର୍ଷ ପୂର୍ବେ ଏଠାରେ ସନ୍ଧ୍ୟା ସମୟରେ ଲୋକଙ୍କୁ ରହିବା ପାଇଁ ବାରଣ କରାଯାଉଥିଲା। ସେହିପରି ସନ୍ଧ୍ୟା ସମୟରେ ଏହି ସ୍ଥାନରୁ ଏକ ସୁମଧୁର ସଙ୍ଗୀତ ଆସିଥାଏ ଯାହା କେବଳ ସେଠାରେ ସନ୍ଧ୍ୟାରେ ଉପସ୍ଥିତ ଥିବା କିଛି ସିଦ୍ଧି ଲୋକ ଶୁଣି ପାରୁଥିଲେ। କିନ୍ତୁ ଏହି ସଙ୍ଗୀତ କେଉଁଠାରୁ ଆସୁଛି ତାହା ଆଜି ପର୍ଯ୍ୟନ୍ତ ଗୋପନୀୟ ହୋଇ ରହିଛି। ପୂର୍ବ ପୁରୁଷଙ୍କ କହିବା ଅନୁସାରେ ସନ୍ଧ୍ୟା ସମୟରେ ଏଠାରେ ଦେବୀ ମାଙ୍କ ବାହାନ ବାଘ ଯିବା ଆସିବା କରିଥାଏ, ତେଣୁ ସନ୍ଧ୍ୟା ସମୟରେ ଲୋକଙ୍କୁ ଏଠାକୁ ଯିବାକୁ ମନା କରାଯାଇଥାଏ। ମାନ୍ୟତା ରହିଛି ଯେ ରାତ୍ରି ସମୟରେ ଏଠାରେ କେବଳ ଦେବତାମାନେ ଆସିଥାନ୍ତି।

PURNAGIRI TEMPLE2

ଏହି ପୂର୍ଣ୍ଣଗିରି ମନ୍ଦିର ଅନ୍ନପୂର୍ଣ୍ଣା ଶିଖରରେ ୫୫୦୦ ଫୁଟ ଉଚ୍ଚତାରେ ରହିଛି। ପୁରାଣ ଅନୁସାରେ ଯେତେବେଳେ ପ୍ରଜାପତିଙ୍କ ଝିଅ ତଥା ମହାଦେବଙ୍କ ଅର୍ଦ୍ଧାଙ୍ଗୀନି ମାତା ସତୀଙ୍କର ଜଳନ୍ତା ଶରୀରକୁ ନେଇ ଭଗବାନ ଶିବ ଆକାଶରେ ବିଚରଣ କରିବାକୁ ଲାଗିଥିଲେ।ମହାଦେବଙ୍କ ରାଗକୁ ଶାନ୍ତ କରିବା ପାଇଁ ଭଗବାନ ବିଷ୍ଣୁ ମାତା ସତୀଙ୍କ ଶରୀରର ଅଙ୍ଗକୁ ପୃଥକ ପୃଥକ କରିଦେଇଥିଲେ ଏବଂ ମାତାଙ୍କର ନାଭି ଭାଗ ଏହି ସ୍ଥାନରେ ପଡିଥିଲା ବୋଲି କୁହାଯାଏ।

ନବରାତ୍ରି ବ୍ୟତିତ ସବୁ ସମୟରେ ଏଠାରେ ଲକ୍ଷ ଲକ୍ଷ ଲୋକଙ୍କ ଭିଡ ଲାଗି ରହିଥାଏ।ଭକ୍ତମାନେ ନିଜ ମନସ୍କାମନାକୁ ପୂରଣ କରିବା ପାଇଁ ଏଠାରେ ଲମ୍ବା ସମୟ ପର୍ଯ୍ୟନ୍ତ ଲାଇନରେ ଲାଗି ଅପେକ୍ଷା କରିଥାନ୍ତି। ସେହିପରି ତଳେ ଥିବା କାଳି ନଦୀ ପାଣିର କଳକଳ ଶବ୍ଦ ଛାତିରେ କମ୍ପନ ସୃଷ୍ଟି କରିଥାଏ। ମନ୍ଦିରର ରାସ୍ତା ମଝିରେ ଦୁନ୍ନାସ ନାମକ ଏକ ସ୍ଥାନ ରହିଛି ,କୁହାଯାଏ ଯେ ଏଠାରେ ଦେବରାଜ ଇନ୍ଦ୍ର ତପସ୍ୟା କରିଥିଲେ। ସେହିପରି ଉଚ୍ଚ ଶୀଖରରେ ଗଢା ହୋଇ ରହିଥିବା ତ୍ରୀଶୂଳ ମାତାଙ୍କର ନାଭି ପଡିଥିବା ସ୍ଥାନକୁ ଇଙ୍ଗିତ କରିଥାଏ।

ଚୀନ, ନେପାଳ ଏବଂ ତିବତ୍ତର ସୀମା ଦ୍ୱାରା ଘେରି ହୋଇ ରହିଥିବା ଏହି ଶକ୍ତିପୀଠ ମା ଭଗବତୀଙ୍କର ୧୦୮ଟି ସିଦ୍ଧପୀଠ ମଧ୍ୟରୁ ଅନ୍ୟତମ। ସେହିପରି ପୂର୍ଣ୍ଣଗିରି ବିଶ୍ୱର ୫୧ଟି ଶକ୍ତି ପୀଠ ମଧ୍ୟରୁ ଗୋଟିଏ ବୋଲି କୁହାଯାଏ। ଏଠାରେ ମାଗିଥିବା ସମସ୍ତ ମନସ୍କାମନା ପୂର୍ଣ୍ଣ ହୋଇଥାଏ ଏବଂ ଏହି ସ୍ଥାନ ଛୋଟ ପିଲାଙ୍କୁ ଲଣ୍ଡା କରିବା ପାଇଁ ଶ୍ରେଷ୍ଠ ବୋଲି କୁହାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.