ଦେବସ୍ନାନ ପୂର୍ଣ୍ଣିମା ରାତ୍ରିରେ ସ୍ନାନ ବେଦୀରୁ ଶ୍ରୀମନ୍ଦିର ଭିତର କାଠ ନିକଟସ୍ଥ ଅଣସର ପିଣ୍ଡିକୁ ବିଜେ କରିଥାନ୍ତି ଶ୍ରୀଜୀଉ। ଏହାପରେ ଅଣସର ତାଟି ସାମ୍ନାରେ ପଟି ଦିଅଁ ପୂଜା ପାଇଥାନ୍ତି। ଏହି ପଟି ଠାକୁରଙ୍କ ମଧ୍ୟରେ ବଳଭଦ୍ର ବାଡରେ ବାସୁଦେବ, ସୁଭଦ୍ରାଙ୍କ ବାଡରେ ଭୁବନେଶ୍ବରୀ ଏବଂ ଶ୍ରୀଜଗନ୍ନାଥଙ୍କ ବାଡରେ ନାରାୟଣ ପୂଜା ପାଇଥାନ୍ତି। ପରମ୍ପରା ଅନୁଯାୟୀ ଏହି ପଟି ଦିଅଁ ଦଶାବତାର ଠାକୁର ରୂପେ ପରିଚିତ। ଶାସ୍ତ୍ର ଅନୁଯାୟୀ ବାସୁଦେବଙ୍କ ସାମ୍ନାରେ ଦୋଳଗୋବିନ୍ଦ, ରାମ ଓ ନୃସିଂହ ବିରାଜମାନ କରିଥିବା ବେଳେ ଭୁବନେଶ୍ବରୀଙ୍କ ଭୂଦେବୀ-ଶ୍ରୀଦେବୀ ଏବଂ ନାରାୟଣଙ୍କ ସାମ୍ନାରେ ମଦନମୋହନ ଓ କୃଷ୍ଣ ବିଗ୍ରହ ପଲଙ୍କ ଉପରେ ବିରାଜମାନ ହୋଇଥାନ୍ତି। କୁହାଯାଇଥାଏ ଏହି ସମୟରେ ଠାକୁର ଜ୍ବରରେ ପୀଡିତ ହୋଇଥାନ୍ତି। ଶ୍ରୀମନ୍ଦିରର ବୈଦ୍ୟ ସେବକମାନଙ୍କ ଦ୍ବାରା ଦଶମୂଳ ମୋଦକ ଲାଗି ହେବା ପରେ ମହାପ୍ରଭୁଙ୍କ ଜ୍ବର ଭଲ ହୋଇଥାଏ।
ବାସ୍ତବିକ ଅଣସର ସମୟରେ ପତି ମହାପାତ୍ର ଓ ଦଇତାପତି ସେବକମାନେ ଶ୍ରୀଜୀଉଙ୍କ ଅତ୍ୟନ୍ତ ଗୋପନୀୟ ନୀତି କରିଥାନ୍ତି। ଏହି ସମୟରେ ଅଣସର ପଣା, ଘଣା ଲାଗି, ଖଳି ଲାଗି, ଚକା ଅପସର ଓ ଅନ୍ୟାନ୍ୟ ଗୁପ୍ତ ନୀତିମାନ ଅନୁଷ୍ଠିତ ହୋଇଥାଏ। ଦୀର୍ଘ ପନ୍ଦର ଦିନ ଅନବସରରେ ରହିବା ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବଯୌବନ ଦର୍ଶନ ମିଳିଥାଏ। ଏହି ଦିନ ପ୍ରଭାତରେ ମଙ୍ଗଳ ଆଳତି, ଅବକାଶ ଓ ବେଶ ଇତ୍ୟାଦି ନୀତି ବଢିବା ପରେ ପଟି ଦିଅଁମାନଙ୍କର ବାହୁଡା ବିଜେ ହୋଇଥାଏ। ଏହାପରେ କୋଠ ସୁଆଁସିଆମାନେ ଅଣସର ଗୃହର ତାଟି ଖୋଲି ଠାକୁରଙ୍କ ସମ୍ମୁଖସ୍ଥାନ ଧୋଇବା ପରେ ନବଯୌବନ ଦର୍ଶନ ପାଇଁ ଭକ୍ତମାନଙ୍କୁ ଜଗମୋହନ ଭିତରକୁ ଛଡା ଯାଇଥାଏ।
ଏହି ଦିନ ତିନିଜଣ ଦତ୍ତମହାପାତ୍ର ଆସି ରତ୍ନସିଂହାସନ ନିକଟରେ ତିନିଗୋଟି ରୂପା ବଟାରେ କଳା ତିଆରି କରିଥାନ୍ତି। ତାପରେ ତିନିଜଣ ପୂଜାପଣ୍ଡା ତିନୋଟି କାଠିରେ ନେତ୍ରରେ ଲାଗି କରିଥାନ୍ତି। ଏହାକୁ ନେତ୍ରୋତ୍ସବ କୁହାଯାଏ। ନାନାବିଧି ଓ ପୂଜା ପରେ ପୂଜାପଣ୍ଡା ଷୋଡଶ ଉପଚାରରେ ପୂଜା କରିଥାନ୍ତି। ସକାଳ ଧୂପ ବଢି ଧୋପଖାଳ ହେଲାପରେ ତିନି ଜଣ ପୂଜାପଣ୍ଡା ତିନି ବାଡର ଶ୍ରୀଅଙ୍ଗରୁ ଅନୁମତି ନେଇ ଘଣ୍ଟ, ଛତା ଓ କାହାଳୀ ସହ ଜୟବିଜୟ ଦ୍ବାର ଦେଇ ସାତ ପାହାଚ ବାଟେ ସିଂହଦ୍ବାର ଦେଇ ଶ୍ରୀନଅର ଅର୍ଥାତ ରଥ ଯେଉଁ ପାଖରେ ଥାଏ ସେଠାକୁ ଯାଇ ତିନି ରଥରେ ଆଜ୍ଞାମାଳ ବାନ୍ଧିଥାନ୍ତି। ଏହି ଆଜ୍ଞାମାଳ ପାଇବା ପରେ ତିନି ରଥକୁ ସିଂହଦ୍ବାର ସାମ୍ନାକୁ ଅଣାଯାଇଥାଏ। ଏହି ଦିନ ଠାକୁରଙ୍କ ପହୁଡ ହୁଏନାହିଁ।