Below header

ଫୁଲ, ଫଳ, ନୈବେଦ୍ୟ ନୁହେଁ, ଘଣ୍ଟି ବାନ୍ଧିଲେ ମନୋସ୍କାମନା ପୂର୍ଣ୍ଣ କରନ୍ତି ମା’ ଘଣ୍ଟେଶ୍ୱରୀ 

ସମ୍ବଲପୁର : ଓଡିଶାର ବିଭିନ୍ନ ଶକ୍ତିପୀଠ ମାନଙ୍କ ମଧ୍ୟରେ ଅନନ୍ୟ ହେଉଛି ପଶ୍ଚିମ ଓଡିଶା ସମ୍ବଲପୁର ଜିଲ୍ଲାର ମା’ ଘଣ୍ଟେଶ୍ୱରୀଙ୍କ ପୀଠ । ସମ୍ବଲପୁର ଜିଲ୍ଲା ଚିପିଲିମା ନିକଟସ୍ଥ ଧନକଉଡା ବ୍ଲକ ସେହ୍ନାପାଲି ପଂଚାୟତ ଲମ୍ବେଇଡୁଙ୍ଗୁରୀ ପାହାଡ ପାଦଦେଶରେ ଶୋଭା ପାଉଛନ୍ତି ମା’  ଘଣ୍ଟେଶ୍ୱରୀ । ମା’ ଙ୍କୁ ମନ୍ଦିର ପରିସରରେ ଏକ ଘଣ୍ଟି ବାନ୍ଧି ନିଜର ଦୁଃଖ କଷ୍ଟ ଜଣାଇବା ସହ ମାନସିକ କରନ୍ତି ଭକ୍ତ । ଆଜି ଯାଏଁ ମା’ ଙ୍କଠାରେ ମାନସିକ ରଖି ଘଣ୍ଟି ବାନ୍ଧିଲେ କେହି କେବେ ଖାଲି ହାତରେ ଫେରନ୍ତି ବୋଲି ବିଶ୍ୱାସ । ଦଶହରା ଉପଲକ୍ଷେ ଏଠି ମା’ଙ୍କ ନବରାତ୍ର ପାଳିତ ହୋଇଥାଏ ।

sambalpur

କଣ ରହିଛି କିମ୍ବଦନ୍ତୀ ?

ମା’ ଘଣ୍ଟେଶ୍ୱରୀଙ୍କୁ ନେଇ ଅନେକ ଲୋକକଥା ଓ କିମ୍ବଦନ୍ତୀ ରହିଛି । ୧୭୭୦ ମସିହାରେ ମହାନଦୀର ହୀରାକୁଦ ଗଣ୍ଡରେ ମାଛ ଧରୁଥିବା ସମୟରେ ଏକ ଧିବର ମାଙ୍କୁ ପାଇଥିଲେ । ପରେ ସ୍ୱପ୍ନାଦେଶ ପରେ ତାଙ୍କୁ ଲମ୍ବେଇ ଡୁଙ୍ଗୁରୀ ପାହାଡ ପାଦଦେଶରେ ସ୍ଥାପନା କରି ପୂଜା ଆରମ୍ଭ କରିଥିଲେ । ହେଲେ କାଳକ୍ରମେ ମହାନଦୀରେ ଚଳପ୍ରଚଳ କରୁଥିବା ଡଙ୍ଗା ସେ ରାସ୍ତା ଦେଇ ଗଲା ବେଳେ ଘଣ୍ଟି ଶବ୍ଦ ଶୁଣିବାକୁ ମିଳେ । ତେଣୁ ମାଙ୍କଠାରେ ଘଣ୍ଟି ଦେଇ ପୂଜା କରିବା ପରେ ସେ ଶବ୍ଦ ବନ୍ଦ ହେବାକୁ ଲାଗିଲା । ଫଳରେ ଧିରେ ଧିରେ କଥା ପ୍ରଘଟ ହେବା ପରେ ଲୋକଙ୍କ ଭିଡ ଜମିବା ସହ ସମସ୍ତେ ଘଣ୍ଟି ଦେଇ ପୂଜା କରିବାକୁ ଲାଗିଲେ । ଫଳରେ ସେବେଠାରୁ ମା’ ଙ୍କୁ ଘଣ୍ଟେଶ୍ୱରୀ ନାମରେ ନାମିତ କରାଯାଇଥିବା କିମ୍ବଦନ୍ତୀ ରହିଛି ।  ମା’ଙ୍କୁ ଉଦ୍ଧାର କରିଥିବା ସେ ଧିବର ପରିବାର ମା’ ଙ୍କ ନିର୍ଦ୍ଦେଶକ୍ରମେ ଏ ସ୍ଥାନ ଛାଡି ପଳାଇଥିଲେ । ପରେ କାଳକ୍ରମେ ସେ ଧିବର ପରିବାର ଏବେ ଛୋଟ ନାଗପୁର ଅଂଚଳର ରାଜା ଅଛନ୍ତି । ହୀରାକୁଦ ନଦୀବନ୍ଧ ଯୋଜନାର ପାଓ୍ଵାର କେନାଲ ତିଆରି ସମୟରେ ମା’ ଙ୍କ ପୀଠକୁ ସ୍ଥାନାନ୍ତର କରିବା ପାଇଁ ଚେଷ୍ଟା କରାଗଲା । ଯାହା ଦ୍ୱାରା ପାଓ୍ଵାର କେନାଲ ନିର୍ମାଣରେ ବାରମ୍ବାର ବିଭ୍ରାଟ ଦେଖାଦେଖାବାରୁ କାର୍ଯ୍ୟ ହାତକୁ ନେଇଥିବା ସଂସ୍ଥା ବାଧ୍ୟ ହୋଇ ମା’ଙ୍କୁ ସେଠାରେ ରଖିବା ସହ ଏକ ଝୁଲା ସଦୃଶ ସେତୁ ପାଓ୍ଵାର କେନାଲ ଉପରେ ନିର୍ମାଣ କରିଥିବା ଲୋକେ କହନ୍ତି ।

67

ଦଶହରା କେମିତି ପାଳନ ହୁଏ 

ପାର୍ବଣରେ ମା’ ଙ୍କର ନବରାତ୍ର ପାଳନ କରାଯାଇଥାଏ । ଏଥିରେ ମା’ ଘଣ୍ଟେଶ୍ୱରୀଙ୍କର ଏକ ଟ୍ରଷ୍ଟ ବୋର୍ଡ ମଧ୍ୟ ରହିଛି । ନଅ ଦିନ ଧରି ଶକ୍ତି ପୀଠ ଗୁଡିକର ପୂଜା ପଦ୍ଧତି ଅନୁସାରେ ଏଠି ନବରାତ୍ର ପାଳନ ହୁଏ । କିନ୍ତୁ ଚୈତ୍ରପର୍ବ ଏଠିକାର ମୁଖ୍ୟ ପର୍ବବ । ଚୈତ୍ର ମାସରେ ଏଠାରେ ଭକ୍ତଙ୍କର ସମାଗମ ଦେଖିବାକୁ ମିଳେ ।

54

କିପରି ଯିବେ :

ସମ୍ବଲପୁର ସହରରୁ ଦୁଇଟି ରାସ୍ତା ଦେଇ ମା’ ଘଣ୍ଟେଶ୍ୱରୀଙ୍କ ଦର୍ଶନ ପାଇଁ ଯାଇ ହୁଏ । ସମ୍ବଲପୁରଠାରୁ ୫୩ ନମ୍ବର ଜାତୀୟ ରାଜପଥରେ ୨୨ ଯାଇ  ଗୋଶାଳାଠାରେ ଓହ୍ଲାଇଲାପରେ  ବସ୍ ଯୋଗେ ୩ କିମି ଗଲେ ପଡେ ମା’ ଘଣ୍ଟେଶ୍ୱରୀଙ୍କ ପୀଠ । ଅନ୍ୟପଟେ ସମ୍ବଲପୁରରେ ନିର୍ମିତ ମହାନଦୀର ଦ୍ୱିତୀୟ ସେତୁ ରାସ୍ତା ଦେଇ ୧୩ କିମି ଅତିକ୍ରମ କରି ମା’ ଘଣ୍ଟେଶ୍ୱରୀଙ୍କ ପୀଠକୁ ଯାଇ ହୁଏ । ହୀରାକୁଦ ନଦୀବନ୍ଧ ଯୋଜନାରେ ପାଓାର କେନାଲ ନିର୍ମାଣ ଓ ତାସାଙ୍ଗକୁ ଝୁଲା ସଦୃଶ ପୋଲ ନିର୍ମାଣ କରାଯାଇଥିବାରୁ ସେଠାକାର ଦୃଶ୍ୟ ପର୍ଯ୍ୟଟକଙ୍କ ମନକୁ ଆକୃଷ୍ଟ କରେ ।

ସମ୍ବଲପୁରରୁ ଗୁଣମଣି ବିଶ୍ୱାଳ, କେନ୍ୟୁଜ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.