ପବିତ୍ର ସୁଦଶା ବ୍ରତ ଓଡ଼ିଆ ଗୃହିଣୀଙ୍କ ପ୍ରମୁଖ ପର୍ବ, ଜାଣନ୍ତୁ ଏହି ଦିନର ମାହତ୍ମ୍ୟ

ଓଡ଼ିଆ ଘରର ପ୍ରାଚୀନ ପରମ୍ପରା ତଥା ସଂସ୍କୃତି ତାଙ୍କୁ ଅନ୍ୟ ମାନଙ୍କଠୁ ସ୍ୱତନ୍ତ୍ର ରଖିଥାଏ। ୧୨ ମାସରେ ୧୩ ଓଷ।। ତା’ ସହ ରହିଛି ପରମ୍ପରାକୁ ପାଳନ କରିବାର ଭିନ୍ନ ଭିନ୍ନ ନୀତିକାନ୍ତି। ତେବେ ଆଜି ପବିତ୍ର ସୁଦଶା ବ୍ରତ। ଓଡ଼ିଆ ଗୃହିଣୀଙ୍କ ମୁଖ୍ୟ ପର୍ବ। ମାତା ଲକ୍ଷ୍ମୀଙ୍କୁ ଏହିଦିନ ସମର୍ପଣ କରାଯାଇଛି। ମାଆଙ୍କୁ ସୁମରି ଘରେ ଧନ ବୃଦ୍ଧି ସହ ସୁଖ ସମୃଦ୍ଧିର କାମନା କରନ୍ତି ଗୃହିଣୀ। ମାତାଙ୍କୁ ଖୁସି କରି ଆଶିର୍ବାଦ ପାଇବାକୁ ଥାଏ ସମସ୍ତଙ୍କ ଇଚ୍ଛା।

ଏହି ପବିତ୍ର ଦିନରେ ସମସ୍ତେ ମାତା ଲକ୍ଷ୍ମୀଙ୍କୁ ସ୍ୱମନରେ ପୂଜା କରିବା ଉଚିତ। ଏହା କରିବା ଦ୍ୱାରା ଘରେ ଧନ ଲାଭ ହୋଇଥାଏ। ସନ୍ତାନ ସୁଖ ମିଳିବା ସହ ପରିବାରରେ ସୁଖ ସମୃଦ୍ଧି ହୋଇଥାଏ। ଏହି ଦିନ ବିଷ୍ଣୁ ଭଗବାନଙ୍କୁ ପୂଜା କଲେ ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି। ଉତ୍କଳୀୟ ସଂସ୍କୃତିରେ ଏହାର ବେଶ ଗୁରୁତ୍ୱ ରହିଛି। ଖାସ୍‌ କରି ଏହି ଦିନ ସଧବା ନାରୀ ମାନେ ବ୍ରତ ରଖିଥାନ୍ତି। ରୀତିନୀତି ଅନୁଯାୟୀ ପୂଜା କର୍ମ ସମ୍ପନ୍ନ କରିଥାନ୍ତି। ନାରୀ ମାନେ ଏହାକୁ ଖୁବ ନିଷ୍ଠାର ସହ ପାଳନ କରିଥାନ୍ତି।

ତେବେ ଯେଉଁବର୍ଷ ଶୁକ୍ଳପକ୍ଷ ଦଶମୀ ତିଥି ଗୁରୁବାର ସଂଯୋଗ ହେଉଥିବ ସେହିଦନ କୁ ପବିତ୍ର ସୁଦଶା ବ୍ରତ ରୂପେ ପାଳନ କରାଯାଏ । ଏହିଦିନ ପ୍ରତ୍ୟେକ ଗୃହିଣୀ ବ୍ରତ ଧାରୀ ଓଷା କରିଥାନ୍ତି। ଆଉ ନବ ବିବାହିତା ନାରୀ ନିଜ ନୂଆ ବ୍ରତ ସୁଦଶା ବ୍ରତରୁ ହିଁ ଆରମ୍ଭ କରନ୍ତି। କିନ୍ତୁ ଏହାର ଏକ ନିୟମ ରହିଛି। ଯଦି ଏହି ସଂଯୋଗ ତିଥିରେ ବିବାହ ବ୍ରତ ଆଦି ଶୁଭ କର୍ମ ପଡ଼ୁନଥିବ ତେବେ ନୂଆ କରି ଏହି ବ୍ରତ ଆରମ୍ଭ କରିହେବ ନାହିଁ। ସେହିପରି ପୁରୁଣା ବ୍ରତ ଧାରୀ ଏହାକୁ ପାଳନ କରିପାରିବେ। ଯେହେତୁ ଏଥର କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦଶମୀ ତିଥିରେ କୌଣସି ଶୁଭ କର୍ମର ସଂଯୋଗ ନାହିଁ ତେଣୁ ଏହାକୁ ନୂଆ ମାନେ କରିବେନି। ପୁରୁଣା ବ୍ରତଧାରୀ ଏହାକୁ ପାଳନ କରିଛନ୍ତି। ଏବେ ଜାଣିବା ମାତା ଲକ୍ଷ୍ମୀଙ୍କ ଏହି ପ୍ରିୟ ବ୍ରତର ଗାଥା ସମ୍ପର୍କରେ..

ମାତା ଲକ୍ଷ୍ମୀଙ୍କର ସବୁଠୁ ପ୍ରିୟ ବ୍ରତ ହେଉଛି ସୁଦଶା ବ୍ରତ। ସେହିପରି ଆପଣ ଜାଣିଛନ୍ତି ମାତା ଲକ୍ଷ୍ମୀଙ୍କର ୭ଟି ବାର ମଧ୍ୟରୁ ଗୁରୁବାର ସବୁଠୁ ପ୍ରିୟ ବାର । କିନ୍ତୁ ଯେଉଁ ମାସର ଶୁକ୍ଳପକ୍ଷ ଦଶମି ତିଥି ଗୁରୁବାର ପଡ଼ିଥାଏ, ସେହିଦିନ ସୁଦଶା ବ୍ରତ ପାଳନ କରାଯାଏ । ଏହାର ବିଶେଷତ୍ୱ ରହିଛି ଯେ, ନବବିବାହିତା ନାରୀ ଏହିଦିନ ନିଜ ପାଇଁ ପ୍ରଥମ ବ୍ରତ କରିଥାନ୍ତି। ପ୍ରଥମେ ଧଳା ବ୍ରତକୁ ହଳଦୀ ପାଣିରେ ବୁଡ଼ାଇ ପରେ ସେଥିରେ ୧୦ଟ ଗଣ୍ଠି ପକାଯାଇଥାଏ। ଏହାର ପ୍ରତ୍ୟେକ ଗଣ୍ଠିରେ ଲକ୍ଷ୍ମୀଙ୍କ ବିଭିନ୍ନ ନାମ ଉଚ୍ଚାରଣ କରାଯାଏ । ତେବେ ଜାଣି ନିଅନ୍ତୁ ୧୦ଟି ଗଣ୍ଠିର ନାମ –

୧. ଲକ୍ଷ୍ମୀ ନାରାୟଣୀ
୨. କମଳଲୋଚନୀ
୩. ପଦ୍ମାସନୀ
୪.ଦୁଃଖ ନାଶିନୀ
୫. ସର୍ବସୁଲକ୍ଷଣୀ
୬. କଷ୍ଟ ନାଶିନୀ
୭. ସୁଖ ଦାୟିନୀ
୮. ଦାରିଦ୍ର୍ୟ ଭଞ୍ଜନୀ
୯.ଧନ ପୁତ୍ର ବାଞ୍ଛିନୀ
୧୦. ଶ୍ରୀ ମହାଲକ୍ଷ୍ମୀ

ତେବେ ସୁଦଶା ଶବ୍ଦ ସହିତ ଦଶଟି ଶବ୍ଦ ଯୋଡ଼ି ହୋଇଅଛି। ତେଣୁ ଏଥିନିମିତ୍ତ ୧୦ ପାଖୁଡା ପଦ୍ମ, ଦଶ ବର୍ଣ୍ଣ ମୁରୁଜ, ଦଶ ମୁଖି ଦୀପ, ଦଶ ମୁଠି ଚାଉଳ, ଦଶ ମେଞ୍ଚା କଦଳୀ, ଦଶ ଗୋଟି ମଣ୍ଡା ଆଦି ପୂଜା କର୍ମରେ ଲାଗି କରାଯାଏ। ସୁମରିତ ଦଶଖିଅ ଧଳାସୂତାର ଏକ ବ୍ରତ ପୂଜା କରାଯିବାର ବିଧି ରହିଛି । ସେହି ବ୍ରତକୁ ପରବର୍ତ୍ତୀ ସୁଦଶା ବ୍ରତ ପର୍ଯ୍ୟନ୍ତ ବାହୁରେ ଧାରଣ କରାଯାଏ । ଏହି ପର୍ବ ଓଡ଼ିଶାର ବିଶେଷତ୍ୱ, ଏହାକୁ କେବଳ ଓଡ଼ିଆ ମହିଳା ମାନେ ପାଳନ କରିଥାନ୍ତି ।ଭାରତର ଅନ୍ୟ ରାଜ୍ୟରେ ବା ଭାରତ ବାହାରେ ଏହା ଦେଖା ଯାଏ ନାହିଁ ।

ଏହାର ପୂର୍ବ ଦିନରୁ ଘର ଧୋଇ ଚିତା ପକାଯାଇଥାଏ । ଏହାଛଡା ଘରେ ଯେପରି କଳହ ବା ବିଶୃଙ୍ଖଳା ଦେଖାଯିବ ନାହିଁ, ସେଥିପ୍ରତି ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ନାରୀ ମାନେ ଏହିଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସମସ୍ତ ନିତ୍ୟ କାମ ସାରି ମାଆଙ୍କ ପୂଜାରେ ଧ୍ୟାନ ଦେଇଥାନ୍ତି। ସବୁଠୁ ବଡ଼ କଥା ହେଉଛି ଏହିଦିନ ଘରକୁ ଅନ୍ଧାର କରିବା ଉଚିତ୍‌ ନୁହେଁ। ତେବେ ଏହିଦିନ ମାଆଙ୍କୁ ଛେନା ଓ ପିଠା ଆଦିର ଭୋଗ କରାଯାଇ ବହି ପଢ଼ି ପୂଜା ସମ୍ପନ୍ନ କରାଯାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.