Below header

ଏଠି ଜମୁଛି ଭାରି ଭିଡ : ମଟନ ଦହିବରା ୧୩୦ ଟଙ୍କାକୁ , ଚିକେନ୍‌ ଦହିବରା ୭୦

ନନଭେଜ ଦହିବରା । ଖୋର୍ଦ୍ଧା ଜିିଲ୍ଲା ଜଟଣୀ ଫାୟାର ଷ୍ଟେସନ ଛକରେ ଶିବ ନାୟକଙ୍କ ଦୋକାନରେ ମିଳେ ଏହି ନନ୍ ଭେଜ ଦହିବରା ।

ଖୋର୍ଦ୍ଧା(କେନ୍ୟୁଜ୍): ଦହିପାଣିରେ ଭିଜା ଯାଇଥିବା ବରା ସାଙ୍ଗକୁ ଆଳୁଦମ । ଏହା ସହ ପିଆଜ, ସେଓ ଓ ପୁଦିନା ଚଟଣି । ସକାଳ ହେଉ କି ମଧ୍ୟାହ୍ନ ଦହିବରା ସାଙ୍ଗରେ ଆଳୁଦମର ଯୋଡି ସ୍ଵତନ୍ତ୍ର ମହତ୍ତ୍ୱ ରଖେ । ବିଶେଷ କରି ଖରା ଦିନରେ ଦହିବରା ଖାଇବା ପରେ ଦହି ପାଣି ପିଇବାର ମଜା ଯିଏ ଅନୁଭବ କରିଛି ସିଏ ହିଁ କହିପାରିବ ଦହିବରାର ସ୍ଵାଦ କେତେ ସୁଆଦ।

ଦହିବରା ଆଳୁଦମ ଓଡ଼ିଆ ଲୋକଙ୍କ ପ୍ରିୟ ଖାଦ୍ୟ ପାଲଟିଗଲାଣି । ରାଜ୍ୟର ପ୍ରାୟ ସମସ୍ତ ସ୍ଥାନରେ ଏହା ଖାଇବାକୁ ମିଳିଥାଏ । ବିଶେଷକରି ରାସ୍ତା କଡରେ ଏହା ବିକ୍ରି ହେଉଥିବା ଦେଖାଯାଇଥାଏ । କିନ୍ତୁ କେବେ ନନ ଭେଜ ଦହିବରା ଖାଇଛନ୍ତି । ଦହିବରାରେ ଆଳୁଦମ ସ୍ଥାନରେ ଚିକେନ୍‌, ମଟନ,ଇଲିସି ଓ ଚିଙ୍ଗୁଡ଼ି ଦହିବରା କେବେ ଖାଇଛନ୍ତି । ଖୋର୍ଦ୍ଧା ଜିିଲ୍ଲା ଜଟଣୀ ଫାୟାର ଷ୍ଟେସନ ଛକରେ ଶିବ ନାୟକଙ୍କ ଦୋକାନରେ ନନ ଭେଜ ଦହିବରା ମିଳେ । କିଛି ନୂଆ ରୋଷେଇ କରି ଗ୍ରାହକଙ୍କୁ ଚଖେଇବା ପାଇଁ ଏଭଳି ନିଆରା ପ୍ରୟାସ କରିଥିବା କୁହନ୍ତି ଶିବ ନାୟକ ।

non veg dahibara

ଯେପରି ପକେଟକୁ ସୁହାଇଲା ଭଳି ଦରରେ ଲୋକ ଖାଇ ପାରିବେ ସେନେଇ ଦର ମଧ୍ୟ ଧାର୍ଯ୍ୟ କରିଛନ୍ତି । ମଟନ ଦହିବରା ୧୩୦ ଟଙ୍କା, ଚିକେନ୍‌ ଦହିବରା ୭୦ , ଇଲିସି ଦହିବରା ୩୦୦ ଏବଂ ଚିଙ୍ଗୁଡ଼ି ଦହିବରା ୧୨୦ ଟଙ୍କାରୁ ଆରମ୍ଭ ହୋଇଥାଏ । କେବଳ ଦହିବରା ନୁହଁ ତା ସାଙ୍ଗକୁ ଗ୍ରାହକଙ୍କ ରୁଚି ଅନୁଯାୟୀ ଚକୁଳି ମଟନ,ଚିକେନ୍‌ ଓ ମାଛ ମଧ୍ୟ ପରସିଥାନ୍ତି ।

ବିଶେଷ କରି ନିକଟରେ ଥିବା ଇଞ୍ଜିନିୟରିଂ କଲେଜର ଛାତ୍ରଛାତ୍ରୀଙ୍କ ବେଶ ପସନ୍ଦ ପାଲଟିଛି ଶିବ ଭାଇଙ୍କ ନନ ଭେଜ ଦହିବରା । ତାଙ୍କ ଦହିବରାର ନିଆରା ଟେଷ୍ଟ ତାଙ୍କୁ ଏଠାକୁ ଟାଣି ଆଣୁଥିବା କିଛି ଛାତ୍ର କହିଥିବା ବେଳେ ଶିବ ଭାଇଙ୍କ ପ୍ରସ୍ତୁତି ପ୍ରଣାଳୀ ଓ ସ୍ଵାଦ ବେଶ ନିଆରା ବୋଲି କହିଛନ୍ତି ଗ୍ରାହକ । ସେପଟେ ପ୍ରତିଦିନ ଗ୍ରାହକଙ୍କୁ ସୁସ୍ଵାଦୁ ଆଇଁଷ ଦହିବରା ପରସି ଭଲ ଦୁଇ ପଇସା ରୋଜଗାର କରୁଥିବା କହିଛନ୍ତି ଶିବ ନାୟକ ।

ଏହି ବ୍ୟବସାୟ କରି ଶିବ ନିଜ ଘର ଚଲେଇବା ସହିତ ଗ୍ରାହକ ମାନଙ୍କୁ ବେଶ ନିଆରା ଖାଦ୍ୟ ଯୋଗାଉଛନ୍ତି । ଗ୍ରାହକ ମାନେ ମଧ୍ୟ ଏହି ନନଭେଜ୍ ଦହିବରା ଖାଇବା ପାଇଁ କାହିଁ କେତେ ଦୂରରୁ ଆସୁଥିବା ଦେଖିବାକୁ ମିଳିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.