ଜାତିସଂଘର ଚିନ୍ତା ବଢାଇଲା ଭାରତ, ପ୍ରତି ଘରେ ବାର୍ଷକ ୫୦ କେଜି ଖାଦ୍ୟ ନଷ୍ଟ କରୁଛନ୍ତି ଭାରତୀୟ
![food](https://knewsodisha.com/wp-content/uploads/2021/03/food.jpg)
ଭାରତ ନେଇ ଜାତିସଂଘ (ୟୁଏନ)ଙ୍କ ଏକ ରିପୋର୍ଟ ଚିନ୍ତାର କାରଣ ପାଲଟିଛି। ବିଶ୍ୱରେ ବାର୍ଷକ ହେଉଥିବା ଖାଦ୍ୟ ନଷ୍ଟକୁ ନେଇ ୟୁଏନ ଏହି ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ଭାରତ ଭଳି ଦେଶର ପ୍ରତି ଘରେ ଜଣେ ବ୍ୟକ୍ତି ବାର୍ଷିକ ୫୦ କେଜି ଖାଦ୍ୟ ନଷ୍ଟ କରୁଥିବାର ଚାଞ୍ଚଲ୍ୟକର ତଥ୍ୟ ମିଳିଛି। ୨୦୧୯ ମସିହା ଲାଗି ପ୍ରସ୍ତୁତ ରିପୋର୍ଟରେ ସାରା ବିଶ୍ୱରେ ବାର୍ଷିକ ୯୩ କୋଟି ୧୦ଲକ୍ଷ ଟନ ଖାଦ୍ୟ ନଷ୍ଟ ହୋଇଥିବାର ଜାଣିବାକୁ ମିଳିଛି।
ଏହି ତଥ୍ୟ ଅନୁସାରେ ଭାରତର ଘରମାନଙ୍କରେ ପ୍ରତ୍ୟହ ହେଉଥିବା ଅନ୍ନ ନଷ୍ଟର ପରିମାଣ ପ୍ରାୟ ୬କୋଟି ୮୭ ଲକ୍ଷ ଟନ୍ ବୋଲି ରିପୋର୍ଟରେ କୁହାଯାଇଛି। ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନଇପି)ଙ୍କ ସହଯୋଗୀ ସଙ୍ଗଠନ ଡବ୍ଲୁଆରଏପି ଏହି ନଷ୍ଟ ଖାଦ୍ୟାନ୍ନ ସୂଚକାଙ୍କ ରିପୋର୍ଟ-୨୦୨୧ ଜାରି କରିଛନ୍ତି। ଏଥିରେ ୨୦୧୯ ମସିହାରେ ନଷ୍ଟ ହୋଇଥିବା ୯୩କୋଟି ୧୦ ଲକ୍ଷ ଟନ୍ ଖାଦ୍ୟରୁ ୬୧ ପ୍ରତିଶତ ଲୋକେ ଘରେ ନଷ୍ଟ କରିଥିବା ବେଳେ ବିଭିନ୍ନ ଫୁଡ ଏଣ୍ଡ ବିଭରେଜ ସର୍ଭିସେସ୍ ୨୬ ପ୍ରତିଶତ ଓ ୧୩ ପ୍ରତିଶତ ଖୁଚୁରା କ୍ଷେତ୍ରରେ ନଷ୍ଟ ହୋଇଥିବା କହିଛନ୍ତି।
![food 1](https://cdn.knewsodisha.com/wp-content/uploads/2021/03/food-1-300x169.jpg)
ଲୋକେ ନଷ୍ଟ କରିଥିବା ଖାଦ୍ୟଦ୍ରବ୍ୟ ବିଶ୍ୱର ମୋଟ ଖାଦ୍ୟ ଉତ୍ପାଦନର ପ୍ରାୟ ୧୭ ପ୍ରତିଶତ ବୋଲି ଏଜେନ୍ସି କହିଛନ୍ତି। ଏହି ସବୁ ନଷ୍ଟ ଖାଦ୍ୟକୁ ଯଦି ପରିବହନ କରିବାକୁ ପଡିଥାନ୍ତା ତେବେ ୪୦ ଟନ ବୋଝେଇ କ୍ଷମତାର ୨କୋଟି ୩୦ଲକ୍ଷ ଟ୍ରକ୍ ଆବଶ୍ୟକ ପଡିଥାନ୍ତା ଓ ପ୍ରତ୍ୟେକ ଟ୍ରକ୍ ପୁରା ବୋଝେଇ ନେଇଥାନ୍ତେ ବୋଲି କୁହାଯାଇଛି। ସେହିପରି ଘରେ ନଷ୍ଟ ହେଉଥିବା ଖାଦ୍ୟ ନେଇ କରାଯାଇଥିବା ଆକଳନରେ ପ୍ରତିବର୍ଷ ପରିବାରର ପ୍ରତି ବ୍ୟକ୍ତି ପାଖାପାଖି ୫୦ କେଜି ଖାଦ୍ୟ ନଷ୍ଟ କରୁଛନ୍ତି।
ତେବେ ଭାରତୀୟଙ୍କ ଠାରୁ ଆମେରିକୀୟ ଅଧିକ ଖାଦ୍ୟ ନଷ୍ଟ କରୁଥିବା ଏହି ରିପୋର୍ଟରୁ ଜଣାପଡିଛି। ଆମେରିକାରେ ପ୍ରତି ବ୍ୟକ୍ତି ବାର୍ଷିକ ହାରାହାରି ୫୯ କେଜି ଖାଦ୍ୟ ନଷ୍ଟ କରୁଛନ୍ତି। ଅର୍ଥାତ ଆମେରିକା ବାର୍ଷିକ ୧୯,୩୫୯,୯୫୧ ଟନ୍ ଖାଦ୍ୟ ନଷ୍ଟ କରୁଛି। ଏଣୁ ୟୁଏନଇପି କାର୍ଯ୍ୟକାରୀ ନିର୍ଦ୍ଦେଶକ ଇଙ୍ଗର ଏଣ୍ଡରସନ୍ ଯଦି ଆମେ ବିଶ୍ୱକୁ ଜଳବାୟୁ ପରିବର୍ତ୍ତନ, ପ୍ରକୃତି ଓ ଜୈବ ବିବିଧତାର କ୍ଷରଣ ଏବଂ ପ୍ରଦୂଷଣ ତଥା ବିପର୍ଯ୍ୟୟରୁ ସୁରକ୍ଷିତ ରଖିବାକୁ ଆଗ୍ରହୀ ତେବେ ସାରା ବିଶ୍ୱର ବ୍ୟବସାୟ, ସରକାର ଏବଂ ପ୍ରତ୍ୟେକଟି ବ୍ୟକ୍ତି ଖାଦ୍ୟାନ୍ନ ସୁରକ୍ଷାରେ ନିଜର ଭୂମିକା ନିର୍ବାହ କରିବାକୁ ହେବ ବୋଲି କହିଛନ୍ତି।