ଶୀଘ୍ର ସିଙ୍ଗଡ଼ା ଖାଇ ନିଅ, ଏଇଠୁ ତୁମ ଖେଳ ଶେଷ : ପାକିସ୍ତାନୀ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଏମିତି କହିଲେ ଭାରତୀୟ ଅଧିକାରୀ

ଗତକାଲି ପାକିସ୍ତନା ଦୂତାବାସର ଦୁଇ ଜଣ ଅଧିକାରୀଙ୍କୁ ଭାରତ ୨୪ ଘଣ୍ଟା ଭିତରେ ସ୍ୱଦେଶ ଫେରିଯିବାକୁ ନିର୍ଦ୍ଦେଶ ହୋଇଛି । କାରଣ ଏମାନେ ଭାରତରେ ଗୋଇନ୍ଦାଗିରି କରୁଥିଲେ । ସେମାନଙ୍କ ଉପରେ ସନ୍ଦେହ ହେବା ପରେ ଭାରତୀୟ ଅଧିକାରୀ ସେମାନଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଆଉ ସେମାନେ ଏଥିରେ ପଡ଼ିଗଲେ । ଆଇଏସ୍‌ଆଇର ଏହି ଦୁଇ ଅଧିକାରୀ ଭାରତରେ ଭିସା ଅଫିସର ଭାବେ କାମ କରୁଥିଲେ । ଭାରତୀୟ ଗୋଇନ୍ଦା ବିଭାଗ ସେମାନଙ୍କ ସମେତ ତାଙ୍କ ଡ୍ରାଇଭରକୁ ମଧ୍ୟ ଧରିଛନ୍ତି ।
ସବୁଠାରୁ ମଜାର କଥା ହେଉଛି ଜଣେ ଅଭିଯୁକ୍ତ ଆବିଦ ହୁସେନ୍‌ ଦିଲ୍ଲୀ କରୋଲବାଗର ଏକ ରେଷ୍ଟୁରାଣ୍ଟରେ ବସି ସିଙ୍ଗଡ଼ା ଖାଉଥିଲେ । ଏତିକିବେଳେ ଭାରତୀୟ ଗୋଇନ୍ଦା ଅଧିକାରୀ ପହଞ୍ଚିଲେ, କହିଲେ ପ୍ଲେଟ୍‌ରେ ବାକିଥିବା ସିଙ୍ଗଡ଼ା ଖାଇନିଅ । ତୁମ ଖେଳ ଖତମ୍‌ ହୋଇଗଲା । ସୂଚନା ମୁତାବକ ଆବିଦ ଓ ତାହିର ହେଉଛନ୍ତି ପାକିସ୍ତାନୀ ଗୋଇନ୍ଦା ସଂସ୍ଥା ଆଇଏସ୍‌ଆଇର ଏଜେଣ୍ଟ । ଏ ଦୁଇଜଣଙ୍କ ଉପରେ ସନ୍ଦେହ ହେବା ପରେ ଭାରତୀୟ ଅଧିକାରୀ ସେମାନଙ୍କୁ ପାଦେ ପାଦେ ନଜରରେ ରଖିଥିଲେ । ସେମାନେ ଭାରତୀୟ ସେନାର ବିଭିନ୍ନ କାର୍ଯ୍ୟକ୍ରମ ଏବଂ ସେନା ମୁତୟନ ନେଇ ସୂଚନା ହାସଲ କରିଥିଲେ । ସେସବୁ କାଗଜପତ୍ର ସେମାନଙ୍କ ଠାରୁ ଜବତ ହୋଇଛି ।
ତେବେ ଚକ୍‌ମା ଦେବାରେ ଆବିଦ ଓ ତାହିର ବେଶ୍‌ ଧୁରନ୍ଧର । ଆବିଦକୁ ପୋଲିସ୍‌ ଧରିବା ପରେ ସେ କହିଥିଲା କି ସେ ହେଉଛି ଭାରତୀୟ ଏବଂ ଗୀତା କଲୋନୀରେ ରହୁଛି । ତାର ଆଧାର କାର୍ଡ଼ ଦେଖାଇଥିଲା । ଏଥିରେ ତା ନାଁ ଥିଲା ନାସିର ଗୌତମ । ହେଲେ ପରେ ଜଣାପଡ଼ିଲା ସେହି ଆଧାର କାର୍ଡ଼ ହେଉଛି ଜାଲି ।
ଆବିଦ ୨୦୧୮ରେ ଭାରତ ଆସିଥିଲା ଏବଂ ଭିସା ଅଧିକାରୀ ଭାବେ କାମ କରୁଥିଲା । ତା ଘର ପାକିସ୍ତାନର ଶେଖପୁରା ଠାରେ । ଅନ୍ୟପକ୍ଷରେ ତାହିର ୨୦୧୫ରେ ଭାରତ ଆସିଥିଲା । ତାଙ୍କ ଘର ପାକିସ୍ତାନ ଅନ୍ତର୍ଗତ ପଞ୍ଜାବରେ । ସେ ଆବିଦର ସହକାରୀ ଭାବେ କାର୍ଯ୍ୟ କରୁଥିଲା । ସେମାନଙ୍କ ପାଇଁ ଥିବା ଡ୍ରାଇଭର ମଧ୍ୟ ଜଣେ ପାକିସ୍ତାନୀ । ଆବିଦ ଓ ତାହିରଙ୍କୁ ଜେରା ପରେ ସେମାନେ ଭାରତରେ ଗୋଇନ୍ଦାଗିରି କରୁଥିଲେ ଏବଂ ପାକିସ୍ତାନର ଆଇଏସ୍‌ଆଇ ଏଜେଣ୍ଟଙ୍କ ସହିତ ସମ୍ପର୍କ ରଖୁଥିବା କଥା ମାନି ନେଇଛନ୍ତି ।
ଏହା ପୂର୍ବରୁ ୨୦୧୬ରେ ଏଭଳି ଭାବେ ଜଣେ ପାକିସ୍ତାନୀ ଅଧିକାରୀଙ୍କୁ ଗିରଫ କରାଯିବା ପରେ ଦେଶକୁ ପଠାଇ ଦିଆଯାଇଥିଲା । କାରଣ କୂଟନୈତିକ ସମ୍ପର୍କରେ ଏଭଳି ଭାବେ ଗୋଇନ୍ଦାଗିରିର ସ୍ଥାନ ନାହିଁ । ସେହିପରି ଏଭଳି ବିଶ୍ୱାସଘାତକତା କରୁଥିବା ବ୍ୟକ୍ତିଙ୍କୁ କେବଳ ଦେଶରୁ ବହିଷ୍କାର ହିଁ କରାଯାଇ ପାରିବ । ସେହି ଅନୁସାରେ ଆବିଦ ଓ ତାହିରଙ୍କୁ ଭାରତରୁ ବିଦା କରାଯାଇଛି ।

Leave A Reply

Your email address will not be published.