ଦମ୍ ବିରିୟାନି, ଯୋଧପୁରୀ ସବ୍‌ଜି, ମଟ୍‌କା କୁଲ୍‌ଫି…ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ସାଂସଦଙ୍କ ଡିନର ପାର୍ଟି

ନରେନ୍ଦ୍ର ମୋଦି ତୃତୀୟ ଥର ପାଇଁ ଦେଶର ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ଆଜି ଜୁନ୍‌ ୯ରେ ମୋଦି ପ୍ରଧାନମନ୍ତ୍ରୀ ପଦର ଶପଥ ଗ୍ରହଣ କରିବେ । ତାଙ୍କ ସହିତ କିଛି କ୍ୟାବିନେଟ୍‌ ମନ୍ତ୍ରୀ ମଧ୍ୟ ଶପଥ ଗ୍ରହଣ କରିବାର କାର୍ଯ୍ୟକ୍ରମ ରହିଛି । ଏହାପୂର୍ବରୁ ଶନିବାର ରାତିରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏ ମେଣ୍ଟର ବୈଠକ ବସିଥିଲା ।

ତେବେ ଆଜି ଶପଥ ଗ୍ରହଣ ସମାରୋହ ପରେ ଜେପି ନଡ୍ଡାଙ୍କ ବାସଭବନରେ ଏନ୍‌ଡିଏର ନେତାମାନେ ପହଞ୍ଚିବେ । ନଡ୍ଡାଙ୍କ ଘରେ ରାତ୍ରି ଭୋଜନର ଆୟୋଜନ କରାଯାଇଛି । ଏଥିରେ ଏନ୍‌ଡିଏର ସମସ୍ତ ସାଂସଦ ଯୋଗଦେବେ । ଶପଥ ଗ୍ରହଣ ସମାରୋହ ପରେ ନଡ୍ଡାଙ୍କ ବାସଭବନରେ ବିଭିନ୍ନ ପ୍ରକାର ବ୍ୟଞ୍ଜନର ବ୍ୟବସ୍ଥା କରାଯାଇଛି ।

ଜେପି ନଡ୍ଡାଙ୍କ ବାସଭବନରେ ଆୟୋଜିତ କରାଯାଇଥିବା ଡିନର ପାର୍ଟିର ମେନୁ ଉପରେ ରହିଛି ସମସ୍ତଙ୍କର ନଜର । ଏହି ତାଲିକାରେ ଜୁସ୍‌, ଶେକ୍‌, ଷ୍ଟଫ୍‌ଡ ଲିଚି, ମଟ୍‌କା କୁଲଫି, ଆମ୍ବ, ରାଇତା ସମେତ ବିଭିନ୍ନ ପ୍ରକାରର ବ୍ୟଞ୍ଜନ ବ୍ୟବସ୍ଥା କରାଯାଇଛି । ଏହାସହିତ ଯୋଧପୁରୀ ସବ୍‌ଜି, ଡାଲି, ଦମ୍ ବିରିୟାନି ସହ ପାଞ୍ଚ ପ୍ରକାରର ରୁଟି ଅନ୍ତର୍ଭୁକ୍ତ ରହିଛି । ଏହା ବ୍ୟତୀତ ପଞ୍ଜାବୀ ଖାଦ୍ୟ କାଉଣ୍ଟରର ମଧ୍ୟ ବ୍ୟବସ୍ଥା ହୋଇଛି । ରାତ୍ରି ଭୋଜନରେ ସାଂସଦମାନଙ୍କୁ ବାଜରା ଖେଚୁଡ଼ି, ପାଞ୍ଚ ପ୍ରକାରର ଜୁସ୍, ଶେକ୍ ଏବଂ ତିନି ପ୍ରକାରର ରାଇତା ଦିଆଯିବ ।

ଏତିକି ନୁହେଁ, ମିଠା ପସନ୍ଦ କରୁଥିବା ବ୍ୟକ୍ତିଙ୍କ ପାଇଁ ମଧ୍ୟ ୮ ପ୍ରକାରର ମିଠା ରଖାଯାଇଛି । ଏଥିରେ ରସମଲାଇ ସହ ୪ ପ୍ରକାରର ଘେଭର୍ ରହିଛି । ଚା’ ଏବଂ କଫିର ବ୍ୟବସ୍ଥା କରାଯାଇଛି ।

କହି ରଖୁଛୁ, ଆଜିଠୁ ଆରମ୍ଭ ହେଉଛି ମୋଦିଙ୍କ ତୃତୀୟ ଇନିଂସ । ହ୍ୟାଟ୍ରିକ୍ ଶପଥ ଗ୍ରହଣ କରିବେ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ସନ୍ଧ୍ୟା ୭.୧୫ରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥ ପାଠ କରାଇବେ ।

Leave A Reply

Your email address will not be published.