ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ଝିଅ, ବିବାହ ପାଇଁ କଲେ ଭାରତ ସୀମା ପାର୍‌

ଭାରତୀୟ ଯୁବକଙ୍କ ପ୍ରେମରେ ପଡ଼ିଲେ ପାକିସ୍ତାନୀ ଝିଅ । ବିବାହ ପାଇଁ ଭାରତ ସୀମା ପାର୍‌ କଲେ ପାକିସ୍ତାନୀ ଯୁବତୀ

ପ୍ରେମ ଅମର । ପ୍ରେମ ସତ୍ୟ । ପ୍ରେମ ମାନେନା ବନ୍ଧ ବାଡ଼ । ପ୍ରେମ ଦେଖେନା ଜାତି ଧର୍ମ । ନିକଟରେ ସୀମା ହାଇଦର ଏହାର ଜ୍ୱଳନ୍ତ ଉଦାହରଣ ହୋଇଥିବା ବେଳେ ପୁଣି ପ୍ରେମ ପାଇଁ ସୀମା ପାର୍‌ କରିଛନ୍ତି ପାକିସ୍ତାନୀ ଯୁବତୀ । ତେବେ ପାକିସ୍ତାନର ବିବାହିତ ସୀମା ନିଜ ପ୍ରେମିକ ପାଇଁ ୪ ପିଲାଙ୍କୁ ସାଙ୍ଗରେ ଧରି ଭାରତ ଆସିଥିବା ବେଳେ । ପୁଣି ଜଣେ ପାକିସ୍ତାନୀ ଯୁବତୀ ତାଙ୍କ ପ୍ରେମିକଙ୍କୁ ବିବାହ କରିବା ପାଇଁ ସୀମା ଅତିକ୍ରମ କରି ଭାରତ ଆସିଛନ୍ତି । ଯୁବତୀ ଜଣକ ହେଉଛନ୍ତି କରାଚୀର ବାସିନ୍ଦା ଜାଭରିୟା ଖାନମ୍‌ ।

କୋଲକାତାର ଯୁବକ ସମୀର ଖାନଙ୍କ ପ୍ରେମରେ ପଡ଼ିଥିଲେ ପାକିସ୍ତାନୀ ଯୁବତୀ ଜାଭରିୟା । ଦୁହେଁ ପରସ୍ପରକୁ ଏତେ ଭଲ ପାଉଥିଲେ ଯେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିବାହ ପାଇଁ ବାଧା ସୃଷ୍ଟି କରିଥିଲା ଭିସା । ଜାଭରିୟାଙ୍କୁ ଭିସା ନ ମିଳିବାରୁ ସେ ଭାରତ ଆସିପାରି ନଥିଲେ । ଏହାକୁ ନେଇ ଦୁଇଜଣଙ୍କ ପରିବାର ଲୋକେ ଚିନ୍ତାରେ ପଡ଼ିଥିଲେ । ଶେଷରେ ତାଙ୍କୁ ଭାରତ ସରକାରଙ୍କ ପକ୍ଷରୁ ଭିସା ମିଳିଥିଲା । ଆଜି ବିବାହ ପାଇଁ ଓ୍ୱାଘା-ଅଟାରୀ ସୀମା ଦେଇ ଭାରତର ଅମୃତସରରେ ପହଞ୍ଚିଛନ୍ତି ଜାଭରିୟା । ଭାରତରେ ରହି ବିବାହ କରିବା ପାଇଁ ଜାଭରିୟାଙ୍କୁ ସରକାର ୪୫ ଦିନର ଭିସା ପ୍ରଦାନ କରିଛନ୍ତି ।

ତେବେ ଜାଭରିୟା ଗଣମାଧ୍ୟମ ସାମ୍ନାରେ ଭାରତ ସରକାରଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି ତାଙ୍କର ଏଠାକୁ ଆସିବା ରାସ୍ତା ତାଙ୍କ ପାଇଁ ବହୁ କଷ୍ଟକର ଥିଲା । ୨/୨ ଥର ଭିସା ଆବେଦନ ବାତିଲ୍‌ ହେବା ପରେ । ତାଙ୍କର ଭାରତ ଆସିବା ସ୍ୱପ୍ନ ସତ ହେବ ବୋଲି ସେ ଭାବି ନଥିଲେ । ତାଙ୍କୁ ପଞ୍ଜାବର ଜଣେ ସାମାଜିକ କର୍ମୀ ଏଥିପାଇଁ ସହାୟତା କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ଭାରତ ସରକାର ବିବାହ ପାଇଁ ସ୍ୱତନ୍ତ୍ର ଭିସା ବ୍ୟବସ୍ଥା କଲେ ଭଲ ହୁଅନ୍ତା ବୋଲି ସେ ମତ ରଖିଛନ୍ତି ।
ତେବେ ଏତେ ବାଧା ବିଘ୍ନ ପରେ ପ୍ରେମ ପାଇଁ ଭାରତ ଆସି ଜାଭରିୟା ପ୍ରମାଣ କରିଦେଇଛନ୍ତି ଯେ ପ୍ରେମ କୌଣସି ବାଧା ବିଘ୍ନକୁ ମାନେ ନାହିଁ । ପ୍ରେମ ଆଗରେ ସବୁ ବାଧା ବିଘ୍ନ ହାର୍‌ ମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.