Below header

ରୋଗୀଙ୍କ ଆଶା ଭରସା ଗୋପାଳ, ମେଡିକାଲରେ ଏଇ ବ୍ୟକ୍ତିଙ୍କୁ ଖୋଜି ହୁଅନ୍ତି ସମସ୍ତେ

ମଣିଷ ଭଳି ଜଣେ ମଣିଷ କଟକ ବଡ ମେଡିକାଲରେ ଆମ ନଜରକୁ ଆସିଥିଲେ । ଯାହାଙ୍କୁ ବଡ଼ ମେଡିକାଲକୁ ଆସି ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ପରିବାର ଲୋକେ ଭଗବାନ ମାନନ୍ତି l କଟକ ବଡ ମେଡିକାଲକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ପୀଡିତ ଲୋକ ଆସନ୍ତି ଚିକିତ୍ସା ପାଇଁ l ସେଇମାନଙ୍କ ପାଖେ ପାଖେ ଦେଖିବାକୁ ମିଳେ ଏଇ ମଣିଷଟିକୁ । ତାଙ୍କ କାର୍ଯ୍ୟକଳାପ ଆମକୁ ବିସ୍ମିତ କରିଥିଲା ।

ମେଡିକାଲରେ ଭଲ ଚିକିତ୍ସା ପାଇବା ଏବଂ କର୍ମଚାରୀଙ୍କ ସହଯୋଗ ପାଇବା କଷ୍ଟକର ବିଷୟ । ଆଉ ଯଦି ଜଣେ ଚିହ୍ନାଜଣା ମିଳିଯାଏ ତେବେ ଏସବୁ କାମ ସହଜ ହୋଇଯାଏ । ଯିଏ କଟକ ବଡ଼ ମେଡିକାଲ ଯାଇଥିବେ ସେ ଅନୁଭବ କରିଥିବେ ସେଠାରେ କିଭଳି ପରିସ୍ଥିତି ଥାଏ । ଏଣୁ ଏଭଳି ସ୍ଥାନରେ ଆଜିର ଦିନରେ ଆପଣଙ୍କ ପାଖରେ ଯଦି ସେମିତି ଗୋଟିଏ ମଣିଷ ପହଞ୍ଚି ସାହାଯ୍ୟ କରୁଛି ତେବେ ଆପଣଙ୍କ ପାଇଁ ସେ ଭଗବାନ ସଦୃଶ । ଏଭଳି ଜଣେ ମଣିଷ କଟକ ବଡ ମେଡିକାଲରେ ଆମ ନଜରକୁ ଆସିଥିଲେ । ଯାହାଙ୍କୁ ବଡ଼ ମେଡିକାଲକୁ ଆସି ଚିକିତ୍ସିତ ହେଉଥିବା ରୋଗୀ ଓ ତାଙ୍କ ପରିବାର ଲୋକେ ଭଗବାନ ମାନନ୍ତି l

କଟକ ବଡ ମେଡିକାଲକୁ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଅନେକ ପୀଡିତ ଲୋକ ଆସନ୍ତି ଚିକିତ୍ସା ପାଇଁ l ସେଇମାନଙ୍କ ପାଖେ ପାଖେ ଦେଖିବାକୁ ମିଳେ ଏଇ ମଣିଷଟିକୁ । ତାଙ୍କ କାର୍ଯ୍ୟକଳାପ ଆମକୁ ବିସ୍ମିତ କରିଥିଲା l ଯେଉଁ ରୋଗୀମାନେ ମେଡିକାଲକୁ ଆସୁଥିଲେ ସେମାନଙ୍କ ମଧ୍ୟରୁ କେଉଁ ରୋଗୀକୁ ବୋହି ନେଉଥିଲେ l ଆଉ କାହାକୁ ଷ୍ଟ୍ରେଚର ରେ ଟାଣି ଟାଣି ନେଇ ଯାଉଥିଲେ l ପୁଣି କାହାର ରକ୍ତ ଆବଶ୍ୟକ ତ ରକ୍ତ ଭଣ୍ଡାରକୁ ଦଉଡି ଯାଉଥିଲେ l ପୁଣି ହେଲ୍ପ ଗାଡି ପହଁଚିଲେ ସେଥିରେ ଥିବା ରୋଗୀକୁ ନେଇ ତାଙ୍କର ଚିକିତ୍ସା ବନ୍ଦୋବସ୍ତ କରି ଦେଉଥିଲେ l ଆଉ ହୃଦଘାତ ରୋଗୀମାନେ ଠିକ ଭାବରେ ଚିକିତ୍ସା ପାଇଲେକି ନାହିଁ ବୁଲି ବୁଲି ଦେଖୁଥିଲେ l ଏମିତିକି କିଭଳି ଚିକିତ୍ସା ଦିଆଯାଛି ତାକୁ ବି ତଦାରଖ କରୁଛନ୍ତି । କେବଳ ଗୋଟିଏ ଜାଗା ନୁହେଁ ବିଭିନ୍ନ ୱାର୍ଡକୁ ଯାଇ କଥା ହେଉଥିଲେ । ରୋଗୀଙ୍କ ଭଲ ମନ୍ଦ ବୁଝିଥିଲେ ।

ଏସବୁ ଘଟଣା ଦେଖିଲା ପରେ ଆମେ ସେହି ବ୍ୟକ୍ତିଙ୍କ ବିଷୟରେ ଖବର ନେଲୁ । ଏକଥା ବି ଜାଣିବାକୁ ପାଇଲୁ କି ସେ ହସପିଟାଲର କୌଣସି କର୍ମଚାରୀ କି ଅଧିକାରୀ ନୁହନ୍ତି । ତଥାପି ରୋଗୀଙ୍କ ପାଇଁ ତାଙ୍କର ଏତେ ଦରଦ । ପୁଣି ହସପିଟାଲ କର୍ମଚାରୀ ମଧ୍ୟ ତାଙ୍କ କଥା ଶୁଣୁଥିଲେ । ତେବେ କିଏ ଏହି ବ୍ୟକ୍ତି ? କଣ କରନ୍ତି, କୋଉଠି ରୁହନ୍ତି ? ଏସବୁ ଜାଣିବାକୁ ଆମର ଆଗ୍ରହ ହେଲା । ଏମିତି ଲୋକ ବିଷୟରେ ଜାଣିବା ଏତେ ସହଜ କଥା ନଥିଲା । ତଥାପି ତାଙ୍କ ପିଛା ଧରିଲୁ । ଆଉ ପହଞ୍ଚିଲୁ କଟକ ବଡ଼ ମେଡିକାଲ ଫାଣ୍ଡିରେ l ଲକ୍ଷ୍ୟ କଲୁ ବ୍ୟକ୍ତି ଜଣଙ୍କୁ l ଯିଏ ପୋଲିସ ପୋଷାକ ପିନ୍ଧି ଚେୟାର ଉପରେ ବସିଥିଲେ l କଣ ସବୁ ଲେଖା ଲେଖି କରୁଥିଲେ । ମଝିରେ ମଝିରେ ଫୋନ ଆସୁଥାଏ l କେଉଁ ଫୋନରେ ରୋଗୀ ଚିକିତ୍ସା ପାଇଁ ତ ଆଉ କେଉଁ ଫୋନରେ କାହାର କଣ ସମସ୍ୟା ହୋଇଛି ତାର ସାହାଯ୍ୟ ପାଇଁ କଥା ହେଉଥାନ୍ତି l

ତାଙ୍କ ବିଷୟରେ ଜାଣିବା ପରେ ତାଙ୍କୁ ପଚାରିଲୁ lପ୍ରଥମେ ଭାରି କୁଣ୍ଠାବୋଧ କରିଥିଲେ କିଛି କହିବା ପାଇଁ । ସଫା ସଫା ମନା କରି ଦେଇଥିଲେ, ନା ନା ଭିଡିଓ କିଛି କରନ୍ତୁ ନାହିଁ l ହେଲେ ଆମେ ବୁଝାଇଲୁ, ଆପଣଙ୍କ ଠାରୁ ଅନ୍ୟମାନେ ପ୍ରେରଣା ପାଇବେ । ଆପଣଙ୍କୁ ଜାଣି ବହୁତ ଲୋକ ଖୁସି ହେବେ । ତାପରେ ସେ କହି ଚାଲିଲେ । ଆଜକୁ ଦୀର୍ଘ ବର୍ଷ ହେଲାଣି କଟକ ବଡ଼ ମେଡିକାଲରେ ଲୋକଙ୍କୁ ସେଵା ଯୋଗାଇ ଆସୁଛନ୍ତି l ଏହି କାମରେ ସେ ନିଜ ଖାଇବା ପିଇବା ଭୁଲି ଯାଆନ୍ତି । ସେମିତି ଶୋଇବାର କିଛି ଠିକ ଠିକଣା ନଥାଏ । ଅନେକ ସମୟରେ ଅଧରାତି ହେଉକି କି ପାହାନ୍ତିଆ, ଯେତେବେଳେ ଯିଏ ଡାକିଲା ଚାଲି ଯାଆନ୍ତି ସାହାଯ୍ୟ କରିବାକୁ l ନାଁ ଟି ତାଙ୍କର ଗୋପାଳ ଦାସ, ଘର କଟକ ନିଆଳି ଅଞ୍ଚଳରେ l ଗାଁ ଠାରୁ ସହର ସବୁ ଜାଗାରେ ଚର୍ଚ୍ଚା ଗୋପାଳ ଦାସଙ୍କର l ପେସାରେ ସେ ଜଣେ ପୋଲିସ l ହେଲେ ନିଶା ତାଙ୍କର ରୋଗୀ ସେଵା l ଅସହାୟଙ୍କ ସହାୟତା । ଗୋପାଳ ଦାସ ଘର ପରିବାର କଥା କିଛି ବୁଝନ୍ତିନି l ଯେମିତି ତାଙ୍କ ଘର ହେଉଛି ଏଇ ମେଡିକାଲ ଓ ରୋଗୀ ଏବଂ ତାଙ୍କର ସମ୍ପର୍କୀୟ ହିଁ ତାଙ୍କର ପରିବାର । ତାଙ୍କ କହିବା କଥା ହେଉଛି, ସେ ଯଦି ସମୟ ନଦେବେ ତାଭିତରେ କାଳେ କେଉଁ ରୋଗୀ ଚିକିତ୍ସାରୁ ବଞ୍ଚିତ ହେବ ? ତାହେଲେ ତାଙ୍କୁ ପାପ ଲାଗିବ ବୋଲି ସେ ଭାବି ନିଅନ୍ତି l ଅନେକ ରୋଗୀ ଗୋପାଳ ଦାସଙ୍କ ସାହାଯ୍ୟ ପାଇଁ ମରଣ ମୁହଁରୁ ବଞ୍ଚିକି ଫେରିଛନ୍ତି ନିଜ ଘରକୁ l  ନିଜର ଏଇ ସେବା କାଯ୍ୟର୍ ପାଇଁ ଅନେକ ଜାଗାରେ ପୁରସ୍କୃତ ହୋଇଛନ୍ତି l ରାଜ୍ୟର କୋଣ ଅନୁକୋଣରୁ ଆସୁଥିବା ରୋଗୀ ଏବଂ ତାଙ୍କ ସମ୍ପର୍କୀୟମାନେ ଗୋପାଳଙ୍କ ନିସ୍ୱାର୍ଥପର ସେବା ଓ ସାହାଯ୍ୟ ପାଇଁ ତାଙ୍କୁ ପ୍ରଶଂସା ତ କରନ୍ତି ତା ସହିତ ଆଶୀର୍ବାଦ ଦେଇ ଯାଆନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.