କନଷ୍ଟେବଳଙ୍କ ଅଜବ ପ୍ରୟାସ, ମୁହଁରେ ସିପିଆର୍‌ ଦେଇ ବଞ୍ଚାଇଲେ ସାପର ଜୀବନ

ସାପର ଜୀବନ ବଞ୍ଚାଇବାକୁ କନଷ୍ଟେବଳଙ୍କ ଅଜବ ପ୍ରୟାସ। ସାପ ମୁହଁରେ ସିପିଆର ଦେଇ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପୋଲିସ କନଷ୍ଟେବଳ ଅତୁଲ ଶର୍ମା।

ସାପର ଜୀବନ ବଞ୍ଚାଇବାକୁ କନଷ୍ଟେବଳଙ୍କ ଅଜବ ପ୍ରୟାସ। ସାପ ମୁହଁରେ ସିପିଆର ଦେଇ ଚର୍ଚ୍ଚାରେ ମଧ୍ୟ ପ୍ରଦେଶର ପୋଲିସ କନଷ୍ଟେବଳ ଅତୁଲ ଶର୍ମା। ସ୍ଥାନୀୟ ନରମଦାପୁର ଅଞ୍ଚଳରୁ ଅଚେତ ଅବସ୍ଥାରେ ଏକ ସାପକୁ ଉଦ୍ଧାର କରିଥିଲେ ଅତୁଲ। କୀଟନାଶକ ଔଷଧ ଖାଇ ସାପଟି ନିଶ୍ଚଳ ଥିଲା। ବିଭିନ୍ନ ପ୍ରୟାସ ପରେ ସାପଟିର ଚେତା ଫେରି ନ ଥିଲା। ସାପଟିକୁ ବଞ୍ଚାଇବାକୁ ଯାଇ ସାପ ମୁହଁରେ ମୁହଁ ଲଗାଇ ସିପିଆର ଦେଇଥିଲେ କନଷ୍ଟେବଳ।

ପରେ ସାପଟିର ଚେତା ଫେରିଥିଲା। ସିପିଆର ଏକ ଜରୁରୀକାଳୀନ ପ୍ରକ୍ରିୟା, ଯଦ୍ଦ୍ଵାରା କୌଣସି ବ୍ୟକ୍ତିର ଚେତା ଫେରାଇ ହୁଏ। ଏହି ପ୍ରକ୍ରିୟାକୁ ସାପ ମୁହଁରେ ଉପଯୋଗ କରିଥିଲେ କନଷ୍ଟବେଳ। ସାପ ମୁହଁରେ ସିପିଆର ଦେବା ବେଳର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେଉଛି।

୨୦୦୮ରୁ ଏ ପର୍ଯ୍ୟନ୍ତ ପ୍ରାୟ ୫୦୦ ସାପ ଉଦ୍ଧାର କରିସାରିଛନ୍ତି ଅତୁଲ। ଅତୁଲ୍‌ କହିଛନ୍ତି ଯେ ସେ ଡିସ୍‌କଭରୀ ଚ୍ୟାନେଲ୍‌ ଦେଖି ସାପମାନଙ୍କୁ ଉଦ୍ଧାର କରିବା ଶିଖିଛନ୍ତି। ଏକ ସାପକୁ ସେ ନିଜ ଆଖି ଆଗରେ ମରୁଥିବାର ଦେଖିଥିଲେ, ଯାହାପରଠାରୁ ସେ ସାପମାନଙ୍କୁ ରେସ୍‌କ୍ୟୁ କରିବା ଅଭିଯାନ ଆରମ୍ଭ କରି ଦେଇଥିଲେ।

ସେପଟେ ସାପ ମୁହଁରେ ସିପିଆର୍‌ ଦେବାର ଭିଡିଓ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ସାପର ଜୀବନ ରକ୍ଷା କରିଥିବାରୁ ପୋଲିସ କନଷ୍ଟେବଳଙ୍କୁ ପ୍ରଶଂସା କରୁଛନ୍ତି ଲୋକେ। କନଷ୍ଟେବଳଙ୍କର ଏଭଳି ନିଆରା କାରନାମା ଉପରେ ଲୋକେ ନିଜର ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି। କିଛି ଲୋକ ଏହି ଭିଡିଓକୁ ରି-ସେୟାର ମଧ୍ୟ କରୁଛନ୍ତି।

ଭିଡିଓରେ ଦେଖାଯାଉଛି ଯେ କନଷ୍ଟେବଳ ଜଣକ ମୁହଁ ବାଟେ ଅକ୍ସିଜେନ୍‌ ଦେଇ ସାପକୁ ସିପିଆର୍‌ ଦେବାକୁ ଚେଷ୍ଟା କରୁଛନ୍ତି। ୩ରୁ ୪ ଥର ସିପିଆର୍‌ ଦେବା ପରେ ସାପଟି ଚେତା ଫେରିପାଉଛି ଏବଂ ନିଃଶ୍ୱାସ ନେବାକୁ ଲାଗୁଛି। ଏହା ଦେଖି ଅତୁଲ ଶର୍ମା ମଧ୍ୟ ଖୁସି ହୋଇଯାଉଛନ୍ତି।

ଅତୁଲ କହିଛନ୍ତି କି, ତାଙ୍କୁ ଏକ ପାଇପ୍‌ଲାଇନରେ ସାପ ପଶିଥିବାର ଖବର ମିଳିଥିଲା। କିନ୍ତୁ ସାପଟିକୁ ବାହାର କରିବା ପାଇଁ ଲୋକେ ପାଇପ୍‌ଲାଇନ ପାଣିରେ କୀଟନାଶକ ମିଶାଇ ଦେଇଥିଲେ। ଫଳରେ ସାପଟି ବେହୋଶ୍‌ ହୋଇଯାଇଥିଲା। ଯେତେବେଳେ ସେ ସାପକୁ ପାଇପ୍‌ଲାଇନରୁ ବାହାର କରିଥିଲେ, ସେତେବେଳେ ସେ ଅଚେତ ଅବସ୍ଥାରେ ଥିଲା। ଏହାପରେ ସାପକୁ ହାତରେ ଧରି ସେ ମୁହଁ ବାଟେ ଅକ୍ସିଜେନ୍‌ ଦେଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.