ପେଶାରେ ପୋଲିସ ଅଫିସର କିନ୍ତୁ ନିଶା ତାଙ୍କର ସମାଜ ସେବା

(କେନ୍ୟୁଜଓଡିଶା) : ସାଲେପୁର ନିଶ୍ଚିନ୍ତକୋଇଲି ଥାନାରେ କାର୍ଯ୍ୟରତ ମହିଳା ସବଇନ୍ସପେକ୍ଟର ମଧୁସ୍ମିତା ବେହେରା। ଅସାମାଜିକମାନକ ପାଇଁ କେତେବେଳେ ଦବଙ୍ଗ ଅଫିସର ତ ଆଉ କେତେବେଳେ ଦୁଃଖୀ ନିରାଶ୍ରୟଙ୍କ ପାଇଁ ଦେବଦୂତ । ଡିଉଟିରେ ଥିବା ବେଳେ ହେଉ ଅବା ଅନ୍ଯ ସମୟରେ ସାହାଯ୍ୟ କରିବାକୁ ସବୁବେଳେ ଥାନ୍ତି ତତ୍ପର। ସାଲେପୁର କିଶୋରନଗର ନିଶ୍ଚିନ୍ତକୋଇଲି ଓ ମାହାଙ୍ଗା ଅଞ୍ଚଳରେ ବିଭିନ୍ନ ସାମାଜିକ କାମରେ ଦେଖିବାକୁ ମିଳେ ମହିଳା ଥାନା ଅଧିକାରୀ ମଧୁସ୍ମିତାଙ୍କୁ।

ରାସ୍ତାରେ ବୁଲୁଥିବା ମାନସିକ ବିକାରଗ୍ରସ୍ତ ଏବଂ ଦୁଃଖୀରଙ୍କିଙ୍କୁ ନିଜ ସାଙ୍ଗରେ ନେଇ ନିଜ ହାତରେ ଗାଧୋଇ ଦେବା ସହିତ ପିନ୍ଧିବାକୁ ଲୁଗା ବି ଦିଅନ୍ତି। ନିଜ ହାତରୁ ଟଙ୍କା ଖର୍ଚ୍ଚ କରି ବେସାହାର ଲୋକଙ୍କ ଶବ ବ୍ୟବଚ୍ଛେଦ କରିବା ଏବଂ ନିଜେ ଶ୍ମଶାନ ଘାଟକୁ ଯାଇ ଶବ ସତ୍କାର କରନ୍ତି ଏହି ମହିଳା ପୋଲିସ ଅଧିକାରୀ। ପରିବା ଆଦି ଯୋଗାଡ଼ କରି ବୁଲା ଗାଈଗୋରୁମାନଙ୍କୁ ଖାଇବାକୁ ଦେବା ସହିତ ଅନ୍ୟ ପଶୁପକ୍ଷୀମାନଙ୍କ ପେଟ କଥା ବି ଚିନ୍ତା କରନ୍ତି । ଏଭଳି ସେବାରୁ ତାଙ୍କୁ ଖୁବ୍‌ ଆତ୍ମ ତୃପ୍ତି ମିଳେ ବୋଲି କୁହନ୍ତି ମଧୁସ୍ମିତା।

କୁହାଯାଏ କାହାର ଭାଗ୍ୟ ଗଢ଼ିବା ଆମ ହାତର କଥା ନୁହେଁ, ହେଲେ କାହାକୁ ଟିକେ ସେବା ଯୋଗାଇ ଦେବା ଆମ ସାମର୍ଥ୍ୟ ଭିତରେ ।
ପ୍ରଥମେ ସେ ଜଣେ ମଣିଷ ଆଉ ତା ପରେ ଜଣେ ପୋଲିସ୍‌ ଅଧିକାରୀ । ତେଣୁ ମାନବିକତା ହେଉଛି ତାଙ୍କର କର୍ତ୍ତବ୍ୟ ବୋଲି ଧରି ନେଇଛନ୍ତି ଏହି ମହିଳା ଜଣକ । ସେଥିପାଇଁ ତ ଏହି ଅଞ୍ଚଳରେ ତାଙ୍କୁ ମିଳୁଛି ଭୂୟସୀ ପ୍ରଶଂସା ଆଉ ସମ୍ବର୍ଦ୍ଧନା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.