Below header

ପଣା ସଂକ୍ରାନ୍ତି ଆସିଲେ ମନେପଡେ ଠେକି, ମାଟି ହାଣ୍ଡି କଥା: ହେଲେ ଆଗ ଭଳି ବିକ୍ରୀ ନଥିବାରୁ ଚିନ୍ତାରେ କୁମ୍ଭାର ପରିବାର

ପାଖେଇ ଆସିଲାଣି ପଣା ସଂକ୍ରାନ୍ତି । ଓଡିଆ ପରମ୍ପରା ଓ ସଂସ୍କୃତି ଅନୁସାରେ ସଂକ୍ରାନ୍ତି ଦିନ ଚଉରା ମୂଳରେ ଠେକି ବାନ୍ଧିବାର ରହିଛି ପରମ୍ପରା ।

ବାସୁଦେବପୁର(କେନ୍ୟୁଜ): ପାଖେଇ ଆସିଲାଣି ପଣା ସଂକ୍ରାନ୍ତି । ଓଡିଆ ପରମ୍ପରା ଓ ସଂସ୍କୃତି ଅନୁସାରେ ସଂକ୍ରାନ୍ତି ଦିନ ଠାକୁରାଣୀଙ୍କ ପାଖରେ ଘୋଡା ଚଢାଗଲେ ସବୁ ମାନସିକ ପୂରଣ ହୁଏ ବୋଲି ବିଶ୍ୱାସ ରହିଛି । ଆଉ ଚଉରା ମୂଳରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ବେଲରେ ପଣା ଲାଗି କରିବା ପାଇଁ ବଡାର ଆବଶ୍ୟକ ହେଇଥାଏ । ଏଥିପାଇଁ ମାଟିଘୋଡା ଓ ବଡାର ଚାହିଦା ବେଶ ପରିଲକ୍ଷିତ ରହିଥାଏ ।

ସଂକ୍ରାନ୍ତିର ପ୍ରାୟ ମାସକ ପୂର୍ବରୁ ମାଟି ଘୋଡା ବ୍ୟବସାୟୀମାନେ ଦିନ ରାତି ଏକ କରି ଘୋଡା , ଠେକି , ମାଟି ହାଣ୍ଡି ତିଆରି କରିବାରେ ଲାଗିପଡିଥାନ୍ତି । ଏହାକୁ ବିକ୍ରି କରି ବର୍ଷ ସାରା ପରିବାର ଚଳୁଥିବାରୁ ପରିବାରର ଅନ୍ୟ ସଦସ୍ୟମାନେ ମଧ୍ୟ ସାହାଯ୍ୟ କରିଥାନ୍ତି । ସେହି ଅନୁଯାୟୀ ବ୍ୟବସାୟୀମାନେ ସଂକ୍ରାନ୍ତି ପୂର୍ବରୁ ହଜାର ହଜାର ମାଟି ଘୋଡା, ବଡା ତିଆରି କରିସାରିଛନ୍ତି । ହେଲେ ବିକ୍ରି ହେଉନଥିବାରୁ ହଜାର ହଜାର ଟଙ୍କାର ଘୋଡା ବଡା ପଡିରହିଛି । ବିକ୍ରି ହେଇନପାରିବାରୁ କେମିତି କୁମ୍ଭାର ପରିବାର ମାନେ ପରିବାର ଚଳାଇବେ ତାହା ନେଇ ଚିନ୍ତା ଘାରିଛି ।

ବାସୁଦେବପୁର ବ୍ଲକର ବିଭିନ୍ନ ଅଂଚଳ ସମେତ ବିନାୟକପୁର ଜଣେ ନୁହେଁ କି ଦୁଇଜଣ ନୁହେଁ, ଗାଁରେ ପାଖାପାଖି ୫୦ରୁ ଅଧିକ କୁମ୍ଭାର ପରିବାର ମାଟି ଘୋଡା, ବଡା ସହିତ ମାଟିରେ ତିଆରି ବିଭିନ୍ନ ସଂରଞ୍ଜାମ ବିକ୍ରି କରି ପରିବାର ପ୍ରତିପୋଷଣ କରିଥାନ୍ତି । ସମସ୍ତଙ୍କର ପ୍ରାୟ ସମାନ ଅବସ୍ଥା । ଦୀର୍ଘ ଦିନ ଧରି କୁଳ ବେଉସାକୁ ଆପଣେଇ ଥିବା ପରିବାର ଏବେ କଣ କରିବ ଜାଣିପାରୁ ନାହିଁ ।

mati handi

ମାଟି ତିଆରି ସରଞ୍ଜାମ ପ୍ରସ୍ତୁତ କରିବାକୁ ମାଟି ଓ ବାଲି କିଣିବାକୁ ପଡିଥାଏ । ପରେ ମାଟିରେ ଚକ ସାହାଯ୍ୟରେ ସରଞ୍ଜାମ ପ୍ରସ୍ତୁତ କରି ଜାଳେଣି କାଠରେ ତାକୁ ଜାଳି ପୋଡି ହାଣ୍ଡି ମାଠିଆ, ଘୋଡା, ବଡା ତିଆରି କରିଥାନ୍ତି । ଫଳରେ ଆଧୁନିକତା ଯୁଗରେ ମାଟି ତିଆରି ସରଞ୍ଜାମର ଚାହିଦା ପୂର୍ବ ଭଳି ନାହିଁ । ସେଥିପାଇଁ ଗାଁ ଗାଁରେ ସାପ୍ତାହିକ ହାଟକୁ ବିକ୍ରି ପାଇଁ ଆସିଥିଲେ ସୁଧା ସେଠି ସମାନ ଅବସ୍ଥା । ନା ଗାଁରେ ଗାଁରେ ବୁଲିଲେ ବିକ୍ରି ହେଉଛି ନା ହାଟରେ ବିକ୍ରି ହେଉଛି ।

ଧିରେ ଧିରେ ବିକ୍ରିବଟା ବନ୍ଦ ହେଇଯାଉଥିବାରୁ କୈାଳିକ ବୃତ୍ତିକୁ ଛାଡିବାରେ ଲାଗିଲେଣି କୁମ୍ଭାକାର ପରିବାର । ଅନ୍ୟପଟରେ ସରକାରୀ ସହାୟତା ମଧ୍ୟ ଏମାନଙ୍କୁ ମିଳୁନଥିବା କହିଛନ୍ତି ସେମାନେ । ଆଧୁନିକତା ଯୁଗରେ ମାଟି ତିଆରି ସରଞ୍ଜାମ ଛାଡି ସିଲଭର, ପିତଳ ଓ ତମ୍ୱା ବାସନ ବ୍ୟବହାର ଫଳରେ ବୁଡିବାକୁ ବସିଲାଣି କୂଳ ବେଉସା । କେମିତି ପରିବାର ପ୍ରତିପୋଷଣ କରିବେ ତାହାକୁ ନେଇ ଚିନ୍ତାରେ କୁମ୍ଭାର ପରିବାର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.