ଜଳୁଛି ପ୍ରତିଶୋଧର ବହ୍ନି, ପୁଲୱାମା ଆକ୍ରମଣ ପରେ ପାକିସ୍ତାନ ଉପରେ ହିନ୍ଦୁସ୍ତାନ ଏମିତି କରୁଛି ପ୍ରହାର

ପୁଲୱାମା ଆକ୍ରମଣ ପରେ ପ୍ରତିଶୋଧ ନିଆଁରେ ଜଳୁଛି ସାରା ଦେଶ । ୪୦ଜଣ ବୀର ଯବାନଙ୍କୁ ହରାଇ ଗୁମୁରି କାନ୍ଦୁଛି ଜନ୍ମମାଟି । ସାରା ଦେଶରେ କ୍ଷୋଭ ଓ କ୍ରୋଧର ବାତାବରଣ ରହିଛି। ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ପାଇଁ ହେଉଛି ଦାବି । ଆଉ ପାକିସ୍ତାନକୁ ମୁହଁତୋଡ ଜବାବ୍ ଦେବା ପାଇଁ ସେନାକୁ ସ୍ବାଧୀନତା ଦେଇସାରିଛନ୍ତି ସରକାର । ଅନ୍ୟପଟେ ପାକିସ୍ତାନକୁ ପାନେ ଦେବାକୁ କୁଟନୈତିକ ସ୍ତରରେ ମଧ୍ୟ ମଧ୍ୟ ପ୍ରସ୍ତୁତି ଚାଲିଛି । ଗୋଟିଏ ପରେ ଗୋଟିଏ ପଦକ୍ଷେପ ନେବା ଆରମ୍ଭ କରିସାରିଲାଣି ଭାରତ । ପୁଲୱାମା ଆତଙ୍କୀ ହମଲାକୁ ଏହା ମଧ୍ୟରେ ୮ ଦିନ ହୋଇସାରିଲାଣି । ଏବଂ ଭାରତ ପକ୍ଷରୁ ଏହା ମଧ୍ୟରେ ୮ଟି ଏମିତି ପ୍ରହାର କରାଗଲାଣି ଯାହାକୁ ପାକିସ୍ତାନ କେବେ ବି ଭୁଲି ପାରିବ ନାହିଁ ।

ପାକିସ୍ତାନକୁ ମିଳିବନି ହିନ୍ଦୁସ୍ତାନ ପାଣି :

ପାକିସ୍ତାନକୁ ପାନେ ଦେବାକୁ ବଡ଼ ନିଷ୍ପତ୍ତି ନେଇଛନ୍ତି ଭାରତ ସରକାର । କେନ୍ଦ୍ର ଜଳସମ୍ବଳ ମନ୍ତ୍ରୀ ନିତୀନ ଗଡ଼କରୀ ଏ ସମ୍ପର୍କରେ ଘୋଷଣା କରିଛନ୍ତି । ଭାରତର ତିନି ନଦୀ ରବି, ବେୟସ ଓ ସତଲେଜରୁ ପାକିସ୍ତାନକୁ ପାଣି ଯାଉଛି । ଏହି ତିନି ନଦୀ ଉପରେ ଡ୍ୟାମ୍ କରିବାକୁ ପୂର୍ବରୁ ସ୍ଥିର ହୋଇ ସାରିଛି । ତେଣୁ ଗଡ଼କାରୀ କହିଛନ୍ତି ଭାରତର ତାର ଏହି ନଦୀଗୁଡ଼ିର ପାଣି ସମ୍ପୂର୍ଣ୍ଣ ଭାବେ ବିନିଯୋଗ କରିବ । ଏହି ନଦିର ପାଣି ଜମ୍ମୁ କଶ୍ମୀର, ପଞ୍ଜାବ ଆଦି ରାଜ୍ୟ ପାଇଁ ବ୍ୟବହାର କରାଯିବ ।

ସମସ୍ତଙ୍କଠୁ ଅଲଗା ହେଲା ପାକିସ୍ତାନ :

ପାକିସ୍ତାନକୁ କୁଟନୈତିକ ଭାବରେ ଘେରିବାକୁ ପୁରା ପ୍ରସ୍ତୁତ ହୋଇଛନ୍ତି ମୋଦି ସରକାର । ପୁଲୱାମା ଆକ୍ରମଣକୁ ଜଘନ୍ୟ ବୋଲି କହିଛି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ (ଟଘଝଉ) । ଏପରିକି ଏଥର ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦରେ ଚୀନ୍ ମଧ୍ୟ ଦେଇଛି ଭାରତର ସାଥ । ବିଶ୍ବର ୧୫ ଶକ୍ତିଶାଳୀ ଦେଶର ଏହି ମଂଚ କହିଛି ଏହି ଆକ୍ରମଣର ଦୋଷୀକୁ ଦଣ୍ଡ ମିଳିବା ଉଚିତ୍ । ଆମେରିକା, ବ୍ରିଟେନ୍ ଏବଂ ଫ୍ରାନ୍ସ ସହ ଚୀନ୍ ମଧ୍ୟ ଏହି ପ୍ରସ୍ତାବକୁ ସ୍ବୀକାର କରିଛି । ଅର୍ଥାତ୍ ପାକିସ୍ତାନ ପ୍ରତି ଚୀନର ଏଭଳି ପଦକ୍ଷେପ ଭାରତ ପାଇଁ ନିଶ୍ଚିତ ଭାବରେ ଖୁସି ଖବର ।

ନିଷିଦ୍ଧ ହେଲା ଆତଙ୍କବାଦୀ ହାଫିଜ୍ ସଇଦ୍ ର ସଂଗଠନ :

ଗୁରୁବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମରାନ୍ ଖାନ୍ ରାଷ୍ଟ୍ରିୟ ସମିତିର ବୈଠକ କରିଥିଲେ । ଯେଉଁଥିରେ ଜମାତ୍ ଉଦ୍ ଦାବା ଏବଂ ଫଲାହ ଏ ଇନସାନିୟତ୍ ଉପରେ ପ୍ରତିବନ୍ଧ ଲଗାଇବା ପାଇଁ ଆଦେଶ ଦେଇଥିଲେ ଇମରାନ୍ । କାରଣ ମୁମ୍ବାଇ ହମଲାର ମାଷ୍ଟର ମାଇଣ୍ଡ ହାଫିଜ୍ ସଇଦ୍ ଦ୍ବାରା ପରିଚାଳିତ ହେଉଥିଲା ଉଭୟ ସଂଗଠନ । ହାଫିଜ୍ ଉଭୟ ସଂଗଠନ ମାଧ୍ୟମରେ ପ୍ରାୟ ୩୦୦ ଧାର୍ମିକ ଶିକ୍ଷା ସଂସ୍ଥା ଚଳାଉଥିଲା ।

ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷା ପ୍ରତ୍ୟାହୃତ

ଜମ୍ମୁ କାଶ୍ମୀରର ଆଉ ୧୮ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷାକୁ ପ୍ରତ୍ୟାହାର କରିଛନ୍ତି ଜମ୍ମୁ କାଶ୍ମୀର ସରକାର । ଏମାନଙ୍କ ମଧ୍ୟରେ ଅଛନ୍ତି ଏସଏଏସ୍ ଗିଲାନି, ଆଗା ସୟଦ ମୋସଭି, ୟସିନ୍ ମଲ୍ଲିକ, ଆବାସ ଅନସାରୀଙ୍କ ଭଲି ନେତ । ଏହା ବ୍ୟତୀତ ଜମ୍ମୁ କାଶ୍ମୀରରେ ୧୫୫ ଜଣ ରାଜନେତାଙ୍କୁ ଦିଆଯାଉଥିବା ସୁରକ୍ଷାକୁ ବି ପ୍ରତ୍ୟାହାର କରି ନିଆଯାଇଛି। ଏମାନଙ୍କ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ହୋଇଥିଲେ ୧୦୦ଟି ଗାଡ଼ି ଓ ହଜାରେ ସୁରକ୍ଷାବାହିନୀ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପ୍ରଥମେ ଘାଟିର ୪ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷାକୁ ହଟାଇ ଦିଆଯାଇଥିଲା। ଏପର‌୍ୟ୍ୟନ୍ତ ସମସ୍ତ ୨୨ ଜଣ ବିଚ୍ଛିନ୍ନତାବାଦୀ ନେତାଙ୍କଠାରୁ ସୁରକ୍ଷାକୁ ହଟାଇ ଦେଇଛନ୍ତି ସରକାର।

ପାକିସ୍ତାନରୁ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହର

ଜମ୍ମୁ ଓ କାଶ୍ମୀରରେ ଆତଙ୍କୀ ହମ୍ଲା ପରେ ପାକିସ୍ତାନ ପ୍ରତି ଆଭିମୁଖ୍ୟ କଠୋର କରିଛି ଭାରତ। ଆକ୍ସନ ନେବା ଆରମ୍ଭ ହୋଇଛି। ପାକିସ୍ତାନରୁ ମୋଷ୍ଟ ଫେଭର୍ଡ ନେସନ୍ ମାନ୍ୟତା ପ୍ରତ୍ୟାହର କରାଯାଇଛି। ସେହିପରି ପାକିସ୍ତାନକୁ ଅନ୍ତର୍ଜାତୀୟ ସ୍ତରରେ ଏକ ଘରିକିଆ କରିବାକୁ ନିଷ୍ପତ୍ତି ନେଇଛି ଭାରତ। ଆକ୍ରମଣକାରୀ ଆତଙ୍କୀ ସଂଗଠନ ଓ ଏହା ପଛରେ ଥିବା ଶକ୍ତିକୁ କଡ଼ା ଚେତାବନୀ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଚେତେଇଦେଇ ମୋଦି କହିଛନ୍ତି, ପଡ଼ୋଶୀ ଦେଶ ବହୁତ ବଡ଼ ଭୁଲ୍ କରିଛି। ଏହାର ଭୟଙ୍କର ପରିଣାମ ଭୋଗିବ ପାକିସ୍ତାନ। ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, ପଡ଼ୋଶୀ ଦେଶ ଭାବୁଛି ଏଭଳି ଷଡ଼ଯନ୍ତ୍ର ରଚନା କରି ଭାରତରେ ଅସ୍ଥିରତା ସୃଷ୍ଟି କରିବ। କିନ୍ତୁ ଏମିତି କେବେ ହେବ ନାହିଁ କି ତାର ଲକ୍ଷ ପୂରଣ ହେବ ନାହିଁ। ସେହିପରି ଆତଙ୍କବାଦୀ ସଂଗଠନ ବିରୋଧରେ ମାନବବାଦୀ ଶକ୍ତିଙ୍କୁ ଏକଜୁଟ ହୋଇ ଆଗକୁ ବଢ଼ିବା ପାଇଁ ଆହ୍ଵାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

କ୍ରିକେଟରେ ବି ବୋଲ୍ଡ ହେଲା ପାକିସ୍ତାନ :

ଭାରତ – ପାକିସ୍ତାନ କ୍ରିକେଟ ମ୍ୟାଚର ଅପେକ୍ଷା ପୁରା ଦୁନିଆର କ୍ରିକେଟ୍ ପ୍ରେମୀଙ୍କୁ ରହିଥାଏ । ସବୁ ବଲରେ ଦର୍ଶକଙ୍କ ନିଶ୍ବାସ ପ୍ରଶ୍ବାସ ଅଟକିଯାଏ । କିନ୍ତୁ ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ବିଶ୍ୱକପ କ୍ରିକେଟରେ ପାକିସ୍ତାନ ବିପକ୍ଷ ମ୍ୟାଚ ଭାରତ ନଖେଳୁ ବୋଲି ଦେଶରେ ଦାବି ଜୋର ଧରିଲାଣି । ବହୁ କ୍ରିକେଟର ମତ ରଖୁଥିବା ବେଳେ ବିସିସିଆଇ ଉପରେ ଚାପ ବଢୁଛି । ମିଳିଥିବା ସୂଚନା ଅନୁସାରେ, ପାକିସ୍ତାନ ବିପକ୍ଷ ମ୍ୟାଚ୍ ନୁହେଁ, ପାକିସ୍ତାନକୁ ପୂରା ବିଶ୍ୱକପରେ ବ୍ୟାନ୍ କରିବାକୁ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ-ଆଇସିସି ନିକଟରେ ଦାବି କରିପାରେ ବିସିସିଆଇ। ଏନେଇ ବିସିସିଆଇ ଆଇସିସିକୁ ଚିଠି ଲେଖିପାରେ। ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ପରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ ବୟକଟ ପାଇଁ ହରଭଜନ ସିଂହଙ୍କ ସମେତ ଆଉ କିଛି କ୍ରିକେଟର ଓ ସଂଗଠନ ଦାବି ଉଠାଇ ଆସୁଛନ୍ତି।

ବଲିଉଡରେ ପାକିସ୍ତାନୀ କଳାକାରଙ୍କୁ ନୋ ଏଣ୍ଟ୍ରି :

ପାକିସ୍ତାନୀ କଳାକାରଙ୍କୁ ବଲିଉଡକୁ ନୋ ଏଣ୍ଟ୍ରି। ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରିଜ ଦ୍ୱାର ସେମାନଙ୍କ ପାଇଁ ବନ୍ଦ। ପାକିସ୍ତାନ ଅଭିନେତା ଓ ଅଭିନେତ୍ରୀଙ୍କୁ ସମ୍ପୂର୍ଣ୍ଣ ବ୍ୟାନ ଘୋଷଣା କରିଛି ଅଲ୍ ଇଣ୍ଡିଆ ସିନେ ୱାର୍କର୍ସ ଆସୋସିଏସନ। ଏନେଇ ସଂଘ ପକ୍ଷରୁ ଏକ ପ୍ରେସ ବିବୃତ୍ତିରେ ସୂଚନା ଦିଆଯାଇଛି। ପାକ୍ କଳାକାରଙ୍କୁ ନେଇ କାମ କରୁଥିବା ସଂସ୍ଥା କିମ୍ବା ସେମାନଙ୍କୁ ଅନୁଗ୍ରହ ଦେଖାଉଥିବା ବ୍ୟକ୍ତି ବିଶେଷଙ୍କ ଉପରେ ମଧ୍ୟ କଟକଣା ଲଗାଇବାକୁ ଚେତାବନୀ ଦିଆଯାଇଛି। ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ଇଓଉଡଇ ଦୃଢ଼ ନିନ୍ଦା କରିବା ସହ ସହିଦଙ୍କ ପରିବାରକୁ ସମବେଦନା ଜଣାଇଛି ସିନେ ୱାର୍କର୍ସ ଆସୋସିଏସନ୍। ସଂଘ ପକ୍ଷରୁ କୁହାଯାଇଛି ଯେ, ଆମ ପାଇଁ ଦେଶ ପ୍ରଥମ। ଆମେ ଦେଶ ସହ ରହିଛୁ।

ପାକିସ୍ତାନରେ ରିଲିଜ୍ ହେବନି ବଲିଉଡ୍ ଫିଲ୍ମ :

ସେହିପରି ପାକିସ୍ତାନକୁ ଆଉ ଏକ ଝଟକା ଦେଇଛି ବଲିଉଡ୍ । ବର୍ତ୍ତମାନ ଟୋଟାଲ୍ ଧମାଲ୍, ମିଲନ୍ ଟକିଜ୍, ଭାରତ, କେଶରୀ, ମେଣ୍ଟଲ୍ ହୈ କ୍ୟା ଏବଂ ବଦଲା ଏହି ୬ଟି ଫିଲ୍ମ ପାକିସ୍ତାନରେ ରିଲିଜ୍ ହେବନି । ବଲିଉଡର ସମସ୍ତ ଫିଲ୍ମ ପାକିସ୍ତାନରେ ଭଲ ଆୟ କରିଥାଏ । କିନ୍ତୁ ପୁଲୱାମା ଆକ୍ରମଣ ପରେ ଫିଲ୍ମ ରିଲିଜ୍ ଉପରେ ବ୍ୟାନ୍ ଲଗାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.