ପୂରା ହେଲା ପ୍ରତିଶୋଧ, ଗୋଟି ଗୋଟି କରି ୧୦୦ ଦିନରେ ପୁଲଓ୍ଵାମା ପାପୀଙ୍କୁ ଏମିତି ଶିକାର କଲେ ଭାରତୀୟ ସେନା

ଏଯାଏଁ ମନରୁ ଲିଭିନି ସେହି ୧୪ ଫେବ୍ରୁଆରୀ । ଯେଉଁଦିନ ହୋଇଥିଲା ପୁଲଓ୍ଵାମା ବିସ୍ଫୋରଣ । ଆଉ ଯେଉଁଦିନ ଦେଶ ହରାଇଥିଲା ୪୦ ବୀରପୁତ୍ରଙ୍କୁ । ଘଟଣାର ପରଦିନ ଟୁଇଟ୍‌ କରି ସିଆରପିଏଫ୍‌ ଘୋଷଣା କରିଥିଲା – ଆମେ ଭୁଲିବୁନୁ, କ୍ଷମା କରିବୁନୁ । ହମଲାର ୧୦୦ ଘଣ୍ଟା ମଧ୍ୟରେ ଜୈସର ସ୍ଥାନୀୟ କମାଣ୍ଡରକୁ ନିପାତ କରାଯାଇଥିଲା । ଆଉ ଆଜି ସେହି ଆତଙ୍କବାଦୀର ରକ୍ତରେ ସେନା ନିଜ ପ୍ରତିଶୋଧ ପୂରା  କରିଛି, ଯାହାର ଗାଡି ପୁଲଓ୍ଵାମା ଆକ୍ରମଣରେ ବ୍ୟବହାର କରାଯାଇଥିଲା । ଏନକାଉଣ୍ଟରରେ ନିପାତ ହୋଇଛି ଆକ୍ରମଣର ମୁଖ୍ୟ ସୂତ୍ରଧର ଜୈଶ୍‌ କମାଣ୍ଡର ସଜ୍ଜାଦ ଭଟ୍ଟ ।

ପୁଲଓ୍ଵାମା ଆକ୍ରମଣ ପରେ ଯେଉଁ ବଡ ବଡ ଆତଙ୍କୀକୁ ହତ୍ୟା କରାଯାଇଛି ସେମାନେ ହେଲେ ଆଦିଲ୍‌ ଅହମ୍ମଦ ଡାର, ମୁଦାସିର୍‌ ଖାନ୍‌, କାମରାନ୍‌ ରାସିଦ୍‌ ଗାଜି, ସଜ୍ଜାଦ ଭଟ୍ଟ ।

୧୦୦ ଘଂଟାରେ ମରିଥିଲା କାମରାନ :

୧୪ ଫେବ୍ରୁଆରୀରେ ହୋଇଥିଲା ଆକ୍ରମଣ, ୧୫ ଫେବ୍ରୁଆରୀରେ ପ୍ରତିଶୋଧର ପ୍ରତିଶ୍ରୁତି ଦେଇଥିଲା ସିଆରପିଏଫ୍‌ । ଆଉ ୧୮ ଫେବ୍ରୁଆରୀରେ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈଶର ସ୍ଥାନୀୟ କମାଣ୍ଡର ଗାଜି ରସିଦ୍‌ ଓରଫ୍‌ କାମରାନ କରାଯାଇଥିଲା ଶିକାର । କାମରାନ ହିଁ ପୂରା ପ୍ଲାନିଙ୍ଗ୍‌ କରିଥିଲା ସେଥିପାଇଁ ପ୍ରଥମେ ତାକୁ ନିପାତ କରିଥିଲେ ସେନା ।

୨୭ ଫେବ୍ରୁଆରୀରେ ବାୟୁସେନା କରିଥିଲା ସର୍ଜିକାଲ୍‌ ଷ୍ଟ୍ରାଇକ୍‌ :

୨୭ ଫେବ୍ରୁଆରୀର ସେହି କାଳରାତିକୁ କେବେ ବି ଭୁଲି ପାରିବନି ପାକସ୍ତାନ । ବାଲାକୋଟରେ ଜୈସ୍‌ ଏ ଅହମ୍ମଦର ଅଡ୍ଡାରେ ପଶି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ କରିଥିଲା ଭାରତୀୟ ବାୟୁସେନା । ୧୨ ଦିନ ଧରି ଜଳୁଥିବା ପ୍ରତିଶୋଧର ନିଆଁକୁ ଆତଙ୍କବାଦୀଙ୍କ ରକ୍ତରେ ଥଣ୍ଡା କରିଥିଲେ ଭାରତୀୟ ବାୟୁସେନା । ୪୦ ବଦଳରେ ୩୦୦ । ପୁଲଓ୍ଵାମା ଆକ୍ରମଣର ପ୍ରତିଶୋଧ ନେଲା ଭାରତ । ଭାରତର ୪୦ ଯବାନଙ୍କ ଜୀବନ ନେଇଥିଲା ପୁଲଓ୍ଵାମା ଆକ୍ରମଣ । ଆଉ ପ୍ରତିବଦଳରେ ପାକିସ୍ତାନରେ ପଶି ୩୦୦ ଆତଙ୍କୀଙ୍କୁ ସଫା କରି ଆସିଲା ଭାରତ । ଏପରିକି ଓ୍ଵିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ପାକିସ୍ତାନର ବିମାନକୁ ପିଛା କରି ପହଂଚି ଯାଇଥିଲେ ପାକ୍‌ ମାଟିରେ ।

ଏହା ସହ ପଢନ୍ତୁ ପୁରା ହେଲା ପୁଲଓ୍ଵାମା ପ୍ରତିଶୋଧ, ସେନାଙ୍କ ଏହି କବିତା ପଢି ଗର୍ବରେ ଚଉଡା ହୋଇଯିବ ଆପଣଙ୍କ ଛାତି

ମାର୍ଚ୍ଚରେ ମାରିଥିଲେ ଜିଲ୍ଲା କମାଣ୍ଡରଙ୍କୁ :

ଜୈଶ୍‌ ଏ ମହମ୍ମଦର ଜିଲ୍ଲା କମାଣ୍ଡର ମୁଦସିର୍‌ ଖାନକୁ ମାର୍ଚ୍ଚରେ ଏନକାଉଣ୍ଟର କରିଥିଲା ଭାରତୀୟ ସେନା । ପୁଲଓ୍ଵାମା ଆକ୍ରମଣରେ ଆତଙ୍କବାଦୀଙ୍କୁ ମୁଦସିର ସାହାଯ୍ୟ କରିବା ସହ ପ୍ଲାନକୁ କରିଥିଲା ଲାଗୁ । ମୁଦସିର ସହ ଅନ୍ୟ ତିନି ଆତଙ୍କବାଦୀଙ୍କୁ ମଧ୍ୟ ମୃତ୍ୟୁ ମୁଖରେ ପହଂଚାଇଥିଲା ସେନା ।

ଯାହାର ଗାଡି ହୋଇଥିଲା ବ୍ୟବହାର ତାକୁ କଲେ ନିପାତ :

ଆଉ ଆଜି ଭାରତୀୟ ସୁରକ୍ଷା ବାହିନୀକୁ ମିଳିଛି ବଡ଼ ସଫଳତା । ପୁଲଓ୍ଵାମା ଆକ୍ରମଣରେ ଯାହାର ଗାଡି ବ୍ୟବହାର ହୋଇଥିଲା ତାର ଶିକାର କରିଛି ସେନା । ସଜ୍ଜାଦ ଭଟ୍ଟର ଗାଡିରେ ହିଁ ୧୪ ଫେବ୍ରୁଆରୀରେ ଯବାନଙ୍କ ଉପରକୁ ଆକ୍ରମଣ କରାଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.