ପରିବେଶକୁ ଆବର୍ଜନାମୁକ୍ତ ରଖିବା ପାଇଁ ଯୁବତୀଙ୍କ ଭିନ୍ନ ପ୍ରୟାସ, ଖରାପ ଟାୟାରରୁ ତିଆରି କରୁଛନ୍ତି ଜୋତା-ଚପଲ

ବର୍ତ୍ତମାନର ଯୁବପିଢ଼ି ପରିବେଶର ସୁରକ୍ଷା କରିବାରେ ଲାଗିପଡ଼ିଛନ୍ତି। ପରିବେଶକୁ ଆବର୍ଜନା ଓ ପ୍ଲାଷ୍ଟିକ୍ମୁକ୍ତ ରଖିବାକୁ ବର୍ତ୍ତମାନର ଯୁବକଯୁବତୀ ଆପ୍ରାଣ ଉଦ୍ୟମ ଚଳାଇଛନ୍ତି। କିଏ ନଦୀ ସଫା କରୁଛି, ତ ଆଉ କିଏ ବୃକ୍ଷରୋପଣ। ସେହିପରି ଆଉ କିଛି ଲୋକ ପ୍ଲାଷ୍ଟିକ୍ର ଆବର୍ଜନାକୁ ପରିଷ୍କାର କରିବାକୁ ଚେଷ୍ଟା କରୁଛନ୍ତି। ସେଭଳି ଜଣେ ଉଚ୍ଚ ଚିନ୍ତାଧାରା ସମ୍ପନ୍ନ ଯୁବତୀ ହେଉଛନ୍ତି ପୁନେର ପୂଜା ବଦାମିକର। ପୂଜା ମଧ୍ୟ ପରିବେଶକୁ ଆବର୍ଜନାମୁକ୍ତ ରଖିବା ଦିଗରେ ଲାଗିପଡ଼ିଛନ୍ତି।
ପୁଣେର ଏହି ଉଦ୍ୟୋଗପତି ପୁରୁଣା ଟାୟାରରୁ ଜୋତା ତିଆରି କରିବା ଆରମ୍ଭ କରିଛନ୍ତି। ପୂଜା କହିଛନ୍ତି, ପ୍ରତିବର୍ଷ ପ୍ରାୟ ଏକ ବିଲିୟନ୍ ଅର୍ଥାତ୍ ୧୦୦ କୋଟି ପୁରୁଣା ଖରାପ ଟାୟାର ବାହାରୁଛି। ମୁଁ ଏହା ଉପରେ କାମ ଆରମ୍ଭ କରିଛି। ସ୍ଥାନୀୟ ମୋଚିଙ୍କ ସହାୟତାରେ ଏହି କାମ ଆରମ୍ଭ କରିଛି ଓ ଦୁଇଟି ପ୍ରୋଟୋଟାଇପ୍ ତିଆରି କରିଛି। ଏହା ସାହାଯ୍ୟରେ ସେ ଖରାପ ଟାୟାରରୁ ଜୋତା ତିଆରି କରିବା ଆରମ୍ଭ କରିଛନ୍ତି ବୋଲି କହିଛନ୍ତି ପୂଜା।
ମହାରାଷ୍ଟ୍ରର ପୁଣେରେ ରହୁଥିବା ପୂଜା ଏହି କାମକୁ ପ୍ରାୟ ୨ ବର୍ଷ ହେଲା ଆରମ୍ଭ କରିଛନ୍ତି। ପୂଜାଙ୍କର ଏହି ଫୁଟେଓ୍ଵୟାର ବ୍ରାଣ୍ଡର ନାଁ ରହିଛି ‘ନିମିଟଲ’। ଜୋତା ତିଆରି କରିବା ସହ ସେ ଲୋକଙ୍କୁ ପରିବେଶ ସୁରକ୍ଷା କରିବା ଦିଗରେ ମଧ୍ୟ ସଚେତନ କରୁଛନ୍ତି। ପୂଜାଙ୍କର ଏହି କାମ ଯୋଗୁ କେବଳ ଲୋକଙ୍କୁ ଜୋତା ଚପଲ ମିଳୁନି, ବରଂ ସହରରେ ବଢ଼ୁଥିବା ପ୍ରଦୂଷଣରୁ ମଧ୍ୟ ମୁକ୍ତି ମିଳୁଛି।