ମଝି ଆକାଶରେ ବନ୍ଦ ହୋଇଯାଇଥିଲା ପ୍ଲେନ୍‌ର ଇଞ୍ଜିନ୍‌, ବୁଦ୍ଧି ଖର୍ଚ୍ଚ କରି ଏମିତି ସୁରକ୍ଷିତ ଲ୍ୟାଣ୍ଡିଂ କରାଇଥିଲେ ରତନ ଟାଟା

ବିଶିଷ୍ଟ ଉଦ୍ୟୋଗପତି ରତନ ଟାଟାଙ୍କୁ କିଏ ବା ନ ଜାଣେ। ଏତେ ଧନୀ ହୋଇଥିଲେ ମଧ୍ୟ ସେ ସାଧାରଣ ଜୀବନଯାପନ କରିଥାନ୍ତି। ଆଜି ବି ସେ ନିଜ ଅଧସ୍ତନରେ କାମ କରୁଥିବା ଲୋକଙ୍କର ସମ୍ମାନ କରିଥାନ୍ତି। ନିକଟରେ ସେ ନିଜ ସଂସ୍ଥାରେ କାମ କରୁଥିବା ଜଣେ କର୍ମଚାରୀଙ୍କ ସ୍ୱାସ୍ଥ୍ୟାବସ୍ଥା ବୁଝିିବାକୁ ତାଙ୍କ ଘରକୁ ଯାଇଥିଲେ, ଯାହାର ଫଟୋ ବେଶ୍‌ ଭାଇରାଲ ହୋଇଥିଲା। ତେବେ ଆଜି ଆମେ ଆପଣଙ୍କୁ ୧୭ ବର୍ଷ ବୟସରେ ରତନ ଟାଟା କରିଥିବା ଏକ ସାହସିକତା ବିଷୟରେ କହିବୁ, ଯାହା ଆପଣ ବୋଧେ ଆଗରୁ କେବେ ଶୁଣିନଥିବେ।

ଜାଣି ଆଶ୍ଚର୍ଯ୍ୟ ହେବେ ଯେ ରତନ ଟାଟା ଖୁବ୍‌ କମ୍‌ ବୟସରେ ଉଡ଼ାଜାହାଜ ଉଡ଼ାଇବା ଶିଖିଯାଇଥିଲେ। ମାତ୍ର ୧୭ ବର୍ଷ ବୟସରେ ହିଁ ସେ ଏକ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡିଂ କରିଥିଲେ। ଘଟଣାଟି ଥିଲା ଏମିତି। ଥରେ ରତନ ଟାଟା ବିମାନ ଉଡ଼ାଉଥିବା ବେଳେ ମଝି ଆକାଶରେ ହିଁ ବିମାନର ଇଞ୍ଜିନ୍‌ କାମ କରିବା ବନ୍ଦ କରିଦେଇଥିଲା। ମାତ୍ର ରତନ ଟାଟା ସେତେବେଳେ ଅଧୈର୍ଯ୍ୟ ନ ହୋଇ ଧୈର୍ଯ୍ୟର ସହ କାମ କରିଥିଲେ ଓ ବୁଦ୍ଧି ଖଟାଇ ବିମାନକୁ ସୁରକ୍ଷିତ ଭାବେ ଲ୍ୟାଣ୍ଡ କରାଇଥିଲେ।

ratan tata
Photo credit: livemint

ସୂଚନାଯୋଗ୍ୟ ଯେ ଦେଶରେ ପ୍ରଥମ ଏୟାରଲାଇନ୍ସର ସ୍ଥାପନା ଜେଆରଡି ଟାଟା ହିଁ କରିଥିଲେ। ଏହି ବିମାନ ସର୍ବପ୍ରଥମେ କରାଚୀରୁ ମୁମ୍ବାଇ ପର୍ଯ୍ୟନ୍ତ ଉଡ଼ିଥିଲା। ୧୯୩୨ ମସିହାରେ ସେ ଟାଟା ଏୟାରଲାଇନ୍ସ ଆରମ୍ଭ କରିଥିଲେ, ପରେ ଏହାର ନାଁ ବଦଳାଇ ଏୟାର ଇଣ୍ଡିଆ ରଖାଯାଇଛି।
ତେବେ କେବଳ ସାଧାରଣ ବିମାନ ନୁହେଁ, ରତନ ଟାଟା ଏଫ୍‌-୧୬ ଭଳି ଫାଇଟର ବିମାନ ମଧ୍ୟ ଉଡ଼ାଇଛନ୍ତି। ସେ ବିମାନକୁ ଖୁବ୍‌ ଭଲ ପାଆନ୍ତି। ସେ ହେଉଛନ୍ତି ଦେଶର ପ୍ରଥମ ଏଭଳି ଉଦ୍ୟୋଗପତି, ଯାହାକୁ ଯୁଦ୍ଧ ବିମାନ ଉଡ଼ାଇବା ସୁଯୋଗ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.