ଧୂପ କାରଖାନା କରି ୩୦ଜଣ ଯୁବତୀ ଓ ମହିଳାଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଶାନ୍ତିଲତା

କୁହାଯାଏ ମନରେ ଦୃଢ ଇଛାଶକ୍ତି ଥିଲେ ଉପାୟ ଆପେ ଆପେ ଆସେ । ଏହି ଶକ୍ତି ବଳରେ ଆତ୍ମନିର୍ଭରଶୀଳ ହେଉଛନ୍ତି ମହିଳା । ଅନ୍ୟ ଉପରେ ନିର୍ଭର କରିବା ଅପେକ୍ଷା ସ୍ୱାବଲମ୍ବୀ ହେବାର ରାସ୍ତା ବାଛି ନେଉଛନ୍ତି । ଆଜି ଆମେ ଏମିତି ହିଁ ଜଣେ ମହିଳାଙ୍କୁ ଭେଟ କରାଇବୁ। ଯିଏ ଧୂପ କାରଖାନା କରି ନିଜେ ସ୍ୱାବଲମ୍ବୀ ହେବା ସହ ୩୦ଜଣଙ୍କୁ ଆତ୍ମନିର୍ଭରଶୀଳ କରାଇପାରିଛନ୍ତି । ଆଉ ଅନ୍ୟମାନଙ୍କ ପାଇଁ ସାଜିଛନ୍ତି ପ୍ରେରଣାର ଉତ୍ସ।

ଶାନ୍ତିଲତା ଦାସ । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ପାଟପୁର ଗ୍ରାମର ୫୫ବର୍ଷିୟା ମହିଳା । ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀର ସଭାନେତ୍ରୀ । ଦୀର୍ଘ ୮ବର୍ଷ ହେଲା ସେ ଧୂପ ପ୍ରସ୍ତୁତ କରୁଛନ୍ତି । ଘର ନିକଟରେ ଧୂପ କରାଖାନା କରି ୩୦ରୁ ଅଧିକ ମହିଳା ଓ ଯୁବତୀଙ୍କୁ ସ୍ୱାବଲମ୍ବୀ କରିପାରିଛନ୍ତି ଶାନ୍ତିଲତା । ଏହାକୁ ନିକଟସ୍ଥ ବଜାରରେ ବିକ୍ରୀ କରି ନିଜ ଓ ଅନ୍ୟମାନଙ୍କ ପରିବାର ପ୍ରତିପୋଷଣ କରିପାରୁଛନ୍ତି ।

ନିଜେ ସ୍ୱାବଲମ୍ବୀ ହେବା ଲକ୍ଷ୍ୟ ନେଇ ଆରମ୍ଭ କରିଥିବା ଶାନ୍ତିଲତା ଏବେ ୩୦ରୁ ଅଧିକ ମହିଳାଙ୍କୁ ରୋଜଗାରକ୍ଷମ କରାଇପାରିଛନ୍ତି । ଏଠାରେ କାମ କରି ମହିଳାମାନେ ବେଶ୍ ଭଲ ଦୁଇ ପଇସା ରୋଜଗାର ମଧ୍ୟ କରିପାରୁଛନ୍ତି । ସରକାରଙ୍କ ସହଯୋଗ ରହିଥିବାରୁ ପ୍ରସ୍ତୁତ ଧୂପ ସାମଗ୍ରୀର ବ୍ରିକ୍ରୀବଟାର କୈାଣସି ଅସୁବିଧା ନଥିବା କହିଛନ୍ତି ଶାନ୍ତିଲତା । ଜଣେ ସଫଳ ଉଦ୍ୟୋଗୀ ମହିଳା ଭାବେ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି ।

ପ୍ରଥମେ ଶାନ୍ତଲତା ୪/୫ଜଣ ଯୁବତୀ ଓ ମହିଳାଙ୍କୁ ଏକାଠି କରି ନିଜସ୍ୱ ଉଦ୍ୟମରେ ଘର ନିକଟରେ ଧୂପ ତିଆରି କରିବା ଆରମ୍ଭ କରିଥିଲେ । ପରବର୍ତି ସମୟରେ ବ୍ୟାଙ୍କରୁ ଋଣ ଆଣି ବ୍ୟବସାୟକୁ ବଢାଇଥିଲେ । ସେମାନଙ୍କ ପ୍ରସ୍ତୁତ ଧୂପର ଚାହିଦା ବଢିବା ସହ ରୋଜଗାର ମଧ୍ୟ ବଢିଥିଲା । ଏଥିରେ ଆଖପାଖ ଗ୍ରାମର ମହିଳା ଓ ଝିଅମାନେ ଧୂପ ପ୍ରସ୍ତୁତ କରି କାମରେ ନିୟୋଜିତ ହୋଇଥିଲେ । ପରେ ପରେ ଓରମାସ ପକ୍ଷରୁ ତାଙ୍କୁ ୨୦ଟି ଧୂପ ତିଆରି ମେସିନ ପ୍ରଦାନ କରାଯାଇଛି । ତାଙ୍କ ପାଖରେ ଏବେ ୩୦ଜଣ ଧୂପ ପ୍ରସ୍ତୁତକାରୀ ଓ ବ୍ୟବସାୟିକ ସହଯୋଗୀ ରହିଛନ୍ତି । ସେମାନଙ୍କୁ କାମ ଅନୁସାରେ ମଜୁରୀ ଦିଆଯାଉଥିବା ବେଳେ ମାସକୁ ପାଖାପାଖି ୩୦କୁଇଂଟାଲ ଧୂପ ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ଆଗକୁ ମଧ୍ୟ ସେ ଏହି ୟୁନିଟକୁ ବଢାଇବାର ଲକ୍ଷ୍ୟ ରଖିଛନ୍ତି ।

ତେବେ ଏମିତି ଯଦି ଆମ ଓଡିଶାର ମହିଳାମାନେ ଶାନ୍ତିଲତାଙ୍କ ଭଳି ଆତ୍ମନିର୍ଭରଶୀଳ ଏବଂ ସ୍ୱାବଲମ୍ବୀ ହୋଇପାରନ୍ତେ ତାହେଲେ ବୋଧହୁଏ ସବୁ ମହିଳା ରୋଜଗାରକ୍ଷମ ହୋଇପାରନ୍ତେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.