Below header

ପ୍ରସିଦ୍ଧ ସିଂହାପୁର ଯାତ୍ରା ଆରମ୍ଭ, ବର୍ଷକରେ ମାତ୍ର ୩ଦିନ ପାଇଁ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି ନାରାୟଣ ଗୋସାଇଁ

ପବିତ୍ର ମହା ବିଷୁବ ସଂକ୍ରାନ୍ତି ଅବସରରେ ଆରମ୍ଭ ହୋଇଛି ଯାଜପୁର ଜିଲ୍ଲାର ପ୍ରସିଦ୍ଧ ସିଂହାପୁର ଯାତ୍ରା । ପରମ୍ପରା ଅନୁଯାୟୀ ପୁଷ୍କରିଣୀରେ ଜଳାଶାୟୀ ନାରାୟଣ ଗୋସାଇଁ ଆଜି ଠାରୁ କେବଳ ୩ ଦିନ ପାଇଁ ପାଣିରୁ ବାହାରି ଭକ୍ତ ମାନଙ୍କୁ ଦର୍ଶନ ଦେଇଥାନ୍ତି । ନାରାୟଣ ଗୋସାଇଁଙ୍କ ଦର୍ଶନ ତଥା ଯାତ୍ରା ବୁଲିବା ପାଇଁ ଆଜି ସକାଳୁ ଏଠାରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ଭକ୍ତଙ୍କ ଭିଡ ଜମିଛି।

ଆରମ୍ଭ ହେଲା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ସିଂହାପୁର ଯାତ୍ରା । ବର୍ଷକରେ ମାତ୍ର ତିନିଦିନ ପାଇଁ ନାରାୟଣ ଗୋସାଇଁ ପାଣିରୁ ବାହାରି ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି । ଏଭଳି ପରମ୍ପରା ଆଉ କେଉଁଠି ଦେଖିବାକୁ ମିଳିନଥାଏ । ଇତିହାସ କହେ ଷୋଡଶ ଶତାବ୍ଦୀରେ ରାଜା ମୁକୁନ୍ଦ ଦେବଙ୍କ ଶାସନ କାଳରେ କଳା ପାହାଡ ଅନେକ ହିନ୍ଦୁ ଦେବା ଦେବୀ ମନ୍ଦିର ଭାଙ୍ଗି ପକାଇଥିଲା ।
କଳା ପାହାଡ ଆକ୍ରମଣରେ ବର୍ତିଥିଲା ସିଂହାପୁରର ନାରାୟଣ ଗୋସାଇଁଙ୍କ ମନ୍ଦିର । କଳା ପାହାଡ ଆସୁଥିବାର ଖବର ପାଇ ଏଠାକାର ବ୍ରାହ୍ମଣ ମାନେ ନାରାୟଣ ଗୋସାଇଁଙ୍କୁ ନିକଟସ୍ଥ ପୁଷ୍କରିଣୀରେ ଲୁଚାଇ ଦେଇଥିଲେ । ଦ୍ୱାଦଶ ଶତାବ୍ଦୀରେ ନିର୍ମିତ ଏଠାକାର ମନ୍ଦିରକୁ ସଂମ୍ପୁର୍ଣ୍ଣ ଭାଙ୍ଗି ଦେଇ କଳା ପାହାଡ ଚାଲି ଯାଇଥିଲା । କିମ୍ବଦନ୍ତୀ ଅନୁଯାୟୀ ପ୍ରାୟ ୨୦୦ ବର୍ଷ ପୂର୍ବେ ନିକଟସ୍ଥ ଗଡମଧୁପୁରର ରାଜାଙ୍କୁ ସ୍ୱପ୍ନାଦେଶ ହେବା ପରେ ନୂତନ ମନ୍ଦିର ଗଢ଼ାଯାଇ ନାରାୟଣ ଗୋସାଇଁଙ୍କୁ ପୂଜା କରାଯାଇଆସୁଛି । ପୁର୍ବରୁ ଗୋଟିଏ ଦିନ ପାଇଁ ଠାକୁରଙ୍କୁ ଜଳରୁ ଉଦ୍ଧାର କରି ପୂଜା କରାଯାଉଥିଲା । କିନ୍ତୁ ଏବେ ୩ ଦିନକୁ ବୃଦ୍ଧି କରାଯାଇଛି । ଯାହାକୁ ଦେଖିବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି ।

sinhapur

 

ଆଜି ସକାଳୁ ହଜାର ହଜାର ଭକ୍ତଙ୍କ ଗହଣରେ ନାରାୟଣ ଗୋସାଇଁଙ୍କୁ ମଧୁତୀର୍ଥ ପୁଷ୍କରିଣୀରୁ ଉଦ୍ଧାର କରାଯାଇ ନିକଟସ୍ଥ ମନ୍ଦିରରେ ଶୋଡଷ ଉପଚାରରେ ପୂଜା କରାଯାଇଛି । ପୁରୀର ରାଜବଂଶ ପରମ୍ପରା ଭଳି ସକାଳୁ ଗଡମଧୁପୁର ରାଜା ପୋଖରୀ କୂଳରେ ପୁଷ୍ପାଞ୍ଜଳୀ ଦେଇ ନାରାୟଣ ଗୋସାଇଁଙ୍କୁ ପ୍ରଥମେ ଆବାହନ କରିଥିଲେ । ପରେ ପୂଜକ, ବ୍ରାହ୍ମଣ, ଭକ୍ତ ମାନଙ୍କ ଦ୍ୱାରା ପ୍ରଭୁଙ୍କୁ ଠାବ କରାଯାଇ ପୂର୍ବ ତୁଠକୁ ଅଣାଯାଇଥିଲା । ଆଲଟ, ଚାମର ସହ ଭଜନ କୀର୍ତନ, ବାଦ୍ୟ, ଘଂଟ, ହୁଳହୁଳିରେ ସମଗ୍ର ପରିବେଶ ପ୍ରକମ୍ପିତ ହୋଇ ଉଠିଥିଲା । ନାରାୟଣ ଗୋସାଇଁଙ୍କ ଠାରେ ପଇଡ ଜଳ, ପଂଚାମୃତ ଅଭିଷେକ କରାଯାଇଥିଲା । ପରେ ପ୍ରଭୁଙ୍କୁ ଜଳ କେଳି କରି ଉତର ପଟ ପାବଛ ଦେଇ ମନ୍ଦିରକୁ ନିଆଯାଇଥିଲା । ଜଳାଶୟୀ ନାରୟଣଙ୍କ ଚଳନ୍ତି ପ୍ରତିମା ଭାବେ ପୂଜିତ ମଦନ ମୋହନ ଓ ଲକ୍ଷ୍ମୀଙ୍କୁ ଏକ ସୁସଜ୍ଜିତ ବିମାନରେ ଅଣାଯାଇ ଭକ୍ତଙ୍କୁ ଦର୍ଶନ ଦିଆଯାଇଥିଲା ।

ଆଜିଠାରୁ ଏହି ଯାତ୍ରା ୩ଦିନ ଧରି ଚାଲିବ । ହଜାର ହଜାର ଜନସାଧାରଣଙ୍କ ସମାଗମକୁ ଆଖିଆଗରେ ରଖି ସ୍ଥାନୀୟ କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।

ଯାଜପୁରରୁ ଅବିନେଶ୍ୱର ଶତପଥୀ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.