ଆଜି ସୀତା ନବମୀ: ସଧବାମାନେ ଏହି ଉପାୟରେ କରନ୍ତୁ ମା’ ଜାନକୀଙ୍କ ପୂଜା, ସୁରକ୍ଷିତ ରହିବ ଶଙ୍ଖା ସିନ୍ଦୁର

ଆଜି ସୀତା ନବମୀ। ପ୍ରତିବର୍ଷ ବୈଶାଖ ମାସ ଶୁକ୍ଳ ପକ୍ଷ ନବମୀ ତିଥିକୁ ସୀତା ନବମୀ ଭାବେ ପାଳନ କରାଯାଏ। ରାମ ନବମୀର ମାସେ ପରେ ପଡ଼େ ସୀତା ନବମୀ। ବୈଶାଖ ଶୁକ୍ଳ ନବମୀ ତିଥିରେ ସୀତା ପ୍ରକଟ ହୋଇଥିଲେ। ଏଣୁ ଏହି ଦିନକୁ ଜାନକୀ ଜୟନ୍ତୀ ବା ସୀତା ନବମୀ ଭାବେ ପାଳନ କରାଯାଏ। ଚଳିତ ବର୍ଷ ମେ ୧୦ ତାରିଖ, ମଙ୍ଗଳବାର ଅର୍ଥାତ୍‌ ଆଜି ପଡ଼ୁଛି ମା’ ସୀତାଙ୍କ ଜୟନ୍ତୀ। ଆଜି ସୀତା ଜୟନ୍ତୀରେ ଅନେକ ଅଦ୍ଭୁତ ସଂଯୋଗ ପଡ଼ୁଛି। ଏଣୁ ଏ ଅବସରରେ ସୀତାଙ୍କ ସହ ଭଗବାନ୍‌ ରାମଙ୍କ ପୂଜା କରିବା ଅତ୍ୟନ୍ତ ଶୁଭ ଫଳଦାୟୀ ହୋଇଥାଏ।

ରାମ ନବମୀରେ ଶ୍ରୀ ରାମଙ୍କୁ ପୂଜା କଲେ ଯେଉଁ ଭଳି ଫଳ ମିଳେ, ଆଜି ସୀତାଙ୍କୁ ପୂଜା କଲେ ସେଭଳି ଫଳ ମିଳେ ବୋଲି ବିଶ୍ୱାସ ରହିଛି। ଭଗବାନ ଶ୍ରୀ ରାମଙ୍କୁ ବିଷ୍ଣୁଙ୍କ ସ୍ୱରୂପ ବୋଲି କୁହାଯାଉଥିବା ବେଳେ ମା’ ସୀତା ହେଉଛନ୍ତି ମହାଲକ୍ଷ୍ମୀ। ଆଜିର ପବିତ୍ର ଦିନରେ ମା’ ସୀତା ଓ ପ୍ରଭୁ ରାମଚନ୍ଦ୍ରଙ୍କୁ ପୂଜା କଲେ ସାରା ଜୀବନ ଭଗବାନ ଶ୍ରୀ ହରି ଓ ମା’ ଲକ୍ଷ୍ମୀଙ୍କ କୃପା ପ୍ରାପ୍ତ ହୁଏ। ତେବେ ଆସନ୍ତୁ ଜାଣିବା ସୀତା ନବମୀ ତିଥି, ପୂଜା ମୁହୂର୍ତ୍ତ ଓ ପୂଜା ବିଧି…

ସୀତା ନବମୀ ତିଥି:

ଆରମ୍ଭ- ସୋମବାର ସନ୍ଧ୍ୟା ୬.୩୨
ଶେଷ-ମଙ୍ଗଳବାର ସନ୍ଧ୍ୟା ୭.୨୪

ସୀତା ନବମୀ ଶୁଭ ମୁହୂର୍ତ୍ତ:

ମେ ୧୦, ମଙ୍ଗଳବାର ସକାଳ ୧୦.୫୭ ରୁ ଅପରାହ୍ନ ୧.୩୯ ଯାଏଁ।

ସୀତା ନବମୀ ସମୟ:

ଅପରାହ୍ନ ୧୨.୧୮

ଶୁଭ ମୁହୂର୍ତ୍ତ ଅବଧି:

ମୋଟ୍‌ ୨ ଘଣ୍ଟା ୪୨ ମିନିଟ୍‌

ସୀତା ନବମୀର ମହତ୍ତ୍ୱ:

ସୀତା ନବମୀ ଦିନ ମା’ ସୀତାଙ୍କ ଆବିର୍ଭାବ ହୋଇଥିଲା। ଏହି ଦିନ ସଧବା ନାରୀ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା କରି ପରିବାରର ସୁଖ ଶାନ୍ତି ପାଇଁ ବ୍ରତ ରଖିଥାନ୍ତି ଓ ମା’ ସୀତାଙ୍କୁ ପୂଜା କରିଥାନ୍ତି। ପୌରାଣିକ କଥା ଅନୁସାରେ, ଥରେ ମିଥିଳା ରାଜା ଜନକ ନିଜ ଜମିରେ ହଳ କରୁଥିଲେ। ଏହି ସମୟରେ ସେ ମା’ ସୀତାଙ୍କୁ ପାଇଥିଲେ। ସେବେ ଠାରୁ ସୀତା ଜନକ ନନ୍ଦିନୀ ଜାନକୀ ଭାବେ ପରିଚିତ।

ସୀତା ନବମୀ ପୂଜନ ବିଧି:

  • ସୀତା ନବମୀ ଦିନ ବ୍ରହ୍ମ ମୁହୂର୍ତ୍ତରେ ଉଠି ସ୍ନାନାଦି କରି ବ୍ରତ ସଂକଳ୍ପ ନିଅନ୍ତୁ।
  • ଘରେ ଗଙ୍ଗା ଜଳରେ ଭଗବାନ ଶ୍ରୀରାମ ଓ ମା’ ସୀତାଙ୍କ ମୂର୍ତ୍ତିକୁ ସ୍ନାନ କରାନ୍ତୁ।
  • ଏହା ପରେ ଘରର ମନ୍ଦିର କିମ୍ବା ପୂଜା ସ୍ଥଳରେ ମା’ ସୀତା ଓ ଭଗବାନଙ୍କ ଯୁଗଳ ମୂର୍ତ୍ତିକୁ ପୂଜା କରନ୍ତୁ।
  • ଏହା ପରେ ଭୋଗ ଲଗାନ୍ତୁ।
  • ସୀତା ମା’ଙ୍କ ସାମ୍ନାରେ ଦୀପ ଜଳାନ୍ତୁ।
  • ଏବେ ରାମ ସୀତାଙ୍କୁ ଆରତି କରନ୍ତୁ।

Also Read: ସାମ୍ନାକୁ ଆସିଲା ‘ଅବତାର ୨’ର ଧମାକାଦାର ଟିଜର, ସିନ୍‌ ଦେଖିଲେ ହଟିବନି ନଜର; ଦେଖନ୍ତୁ ଟ୍ରେଲର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.