ମାଟିରୁ ଆକାଶ, ସବୁଠି ସ୍ନେହାଙ୍କ ରାଜ୍ : ଜାଣନ୍ତୁ ଏଇ ଭାରତୀୟ ଯୁବତୀଙ୍କ ସଫଳତାର କାହାଣୀ

ସ୍ନେହା ଶର୍ମା । ବୟସ ୨୮ ବର୍ଷ । ଏହି ଭାରତୀୟ ଯୁବତୀ ଜଣକ ଖୁବ୍ ଦୁଃସାହସୀ । ସ୍ଥଳଭାଗରୁ ଆକାଶ ଯାଏ ସବୁଠି ନିଜର ଦକ୍ଷତା ଦେଖାଇଛନ୍ତି ସ୍ନେହା । ନିକଟରେ ମାଲେସିୟା ଲେଡିଜ୍ କପ୍ ଇଣ୍ଟରନେସନାଲ କାର୍ ରେସ୍ରେ ସେ ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି । ଏକମାତ୍ର ଭାରତୀୟ ଭାବେ ସ୍ନେହା ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ଅନ୍ତର୍ଜାତୀୟ ସ୍ତରରେ ତାଙ୍କର ଏହା ହେଉଛି ପ୍ରଥମ ପଦକ ବିଜୟ । ଆସନ୍ତା ୧୪ ତାରିଖରେ ଏହି ସିରିଜ୍ର ଦ୍ୱିତୀୟ ରାଉଣ୍ଡ ଅନୁଷ୍ଠିତ ହେବ । ସେଥିରେ ମଧ୍ୟ ସେ ଭାଗ ନେବେ ।
ରେସ୍ ବିଜେତା ଓ ଫୁଲ୍ ଟାଇମ୍ ପାଇଲଟ୍
ତେବେ ନେହାଙ୍କ ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସେ କେବଳ କାର୍ ରେସ୍ କରୁ ନାହାନ୍ତି, ତା ସହିତ ଜଣେ ପେସାଦାର ପାଇଲଟ୍ ମଧ୍ୟ । ସ୍ନେହା ମାସରେ ୧୫ ଦିନ ଇଣ୍ଡିଗୋ ଫ୍ଲାଇଟ୍ ଚାଳନା କରନ୍ତି । ସ୍ନେହାଙ୍କ ଘର ମୁମ୍ବାଇରେ । ସେ ୨୦୦୪ରୁ ଗୋ-କାର୍ଟ ରେସ୍ରେ ଭାଗ ନେଇ ଆସୁଛନ୍ତି । ଦଶମ ଶ୍ରେଣୀରେ ପାଠ ପଢ଼ିଲା ବେଳୁ ନିଜ ପକେଟ୍ ମନି ସଞ୍ଚୟ କରି ଗୋ-କାର୍ଟରେ ଟ୍ରେନିଂ ନେଉଥିଲେ । ତେବେ ମଝିରେ ପାଇଲଟ୍ କୋର୍ସ କରିବାକୁ କାଲିଫର୍ଣ୍ଣିଆ ଚାଲିଯିବାରୁ କାର୍ ରେସ୍ ବନ୍ଦ ହୋଇ ଯାଇଥିଲା । ହେଲେ ପାଇଲଟ୍ ଭାବେ ଯୋଗ ଦେବା ପରେ ୧୫ ଦିନ ଆକାଶରେ ଓ ବାକି ପନ୍ଦର ଦିନ କାର୍ ରେସ୍ ପାଇଁ ସମୟ ଦେଉଛନ୍ତି । ୨୦୦୯ରେ ସେ ଜାତୀୟ କୋ-କାର୍ଟିଂ ଚାମ୍ପିଅନ୍ସିପ୍ରେ ରନର୍ ଅପ୍ ହୋଇଥିଲେ । ସେ ୨୦ ବର୍ଷ ବୟସରେ ପାଇଲଟ୍ ହେଲେ ଓ ଇଣ୍ଡିଗୋରେ ଯୋଗ ଦେଲେ । ଠିକ୍ ଗୋଟିଏ ବର୍ଷ ପରେ ସ୍ନେହା ଇଣ୍ଡିଗୋ ଏୟାରବସ୍-୩୨୦, ଯାହା ବିଶ୍ୱର ସବୁଠାରୁ ମହଙ୍ଗା ବିମାନ ତାକୁ ଉଡ଼ାଇଲେ ।
ପରିବାର ବିରୋଧ ସତ୍ତ୍ୱେ….
କାର୍ ରେସିଂ ପାଇଁ ତାଙ୍କୁ ପରିବାରର ସମର୍ଥନ ମିଳି ନଥିଲା । କାରଣ ବିପଜ୍ଜନକ ଖେଳ ଥିବାରୁ ସମସ୍ତେ ବିରୋଧ କରୁଥିଲେ । ସେ ଘରୁ ଲୁଚି କରି ଏଥିରେ ତାଲିମ ନେଉଥିଲେ ଓ ରେସ୍ରେ ବି ଭାଗ ନେଉଥିଲେ । ଯେତେବେଳେ ଘର ଲୋକ ଜାଣିଲେ ସେତେବେଳ ସେ ସେମାନଙ୍କୁ କହିଲେ ‘‘ଆପଣମାନେ ଯାହା ଚାହୁଁଛନ୍ତି ମୁଁ କରୁଛି, ଅର୍ଥାତ୍ ପାଠ ଠିକ୍ରେ ପଢୁଛି । ତେଣୁ ମୋତେ ମୋ ଆଗ୍ରହ ଥିବା କାମ କରିବାକୁ ଦିଅ’’ । ଏହିଭଳି ଭାବେ ସ୍ନେହା ନିଜ ଲକ୍ଷ୍ୟରେ ଆଗେଇ ଗଲେ । ସେ ନିଜର ଆଦର୍ଶ ମାନନ୍ତି ନେଲସନ ମଣ୍ଡେଲା, ଆଇନଷ୍ଟାଇନ୍, ଓର୍ଫା ଓ୍ଵିନଫ୍ରେ, ମାର୍କ ଟ୍ଵାଇନ୍, ଆୟର୍ଟନ ସେନା ପ୍ରମୁଖ ।
ତେଣୁ ସ୍ନେହା ଶର୍ମାଙ୍କ ବାର୍ତ୍ତା ହେଉଛି ଲକ୍ଷ୍ୟ ସ୍ଥିର କରି ତା ଉପରେ ସଠିକ୍ ମାର୍ଗରେ କାମ କଲେ ନିଶ୍ଚୟ ସଫଳତା ମିଳିବ ।