କିଶୋରମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି ସୋସିଆଲ ମିଡିଆ, ବଢୁଛି ଏହି ରୋଗ

ଯେଉଁ କିଶୋରମାନେ ପ୍ରତ୍ୟେକ ଦିନ ୩ ଘଣ୍ଟାରୁ ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରାମର୍ଶଦାତାଙ୍କ ଅନୁସାରେ, ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଦ୍ୱାରା ପିଲାମାନଙ୍କ ମଧ୍ୟରେ ଡିପ୍ରେସନ ଏବଂ ଏନଜାଇଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ ।

(କେନ୍ୟୁଜ ବ୍ୟୁରୋ): ବର୍ତ୍ତମାନ ସମୟରେ ପ୍ରତ୍ୟେକ ମଣିଷ ହାତରେ ନିଶ୍ଚିତ ଭାବେ ଫୋନ ରହିଛି । ସ୍ମାର୍ଟ ଫୋନ ଆମ ଜୀବନର ଏକ ଅବିଚ୍ଛିନ୍ନ ଅଙ୍ଗ ହୋଇଯାଇଛି । ମୋବାଇଲ ବ୍ୟବହାରକାରୀ ମାନେ ସୋସିଆଲ ମିଡିଆରେ ସର୍ବଦା ସମୟ ଦେଉଛନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଉଛି । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁସାରେ ପିଲାମାନଙ୍କ ମଧ୍ୟରେ ଅନେକ ରୋଗ ବଢି ଚାଲିଛି ।

ସୋସିଆଲ ମିଡିଆ କିଶୋର, ବୁଢା ଏବଂ ଯୁବପିଢିଙ୍କ ମାନସିକ ସ୍ୱାସ୍ଥ୍ୟରେ ଖରାପ ପ୍ରଭାବ ପକାଉଛି । ଏଥି ମଧ୍ୟରୁ ପିଲା ମାନଙ୍କ ମାନସିକ ସ୍ୱାସ୍ଥ୍ୟରେ ଏହା ଅଧିକ ପ୍ରଭାବ ପକାଉଛି । ଆମେରିକା ସର୍ଜନ ବିବେକ ମୂର୍ତ୍ତି ଏହାକୁ ନେଇ ଚେତାବନି ଦେବା ସହ ପରାମର୍ଶ ଦେଇଛନ୍ତି । ତାଙ୍କ କହିବା ଅନୁସାରେ ସୋସିଆଲ ମିଡିଆ ପିଲାମାନଙ୍କ ସ୍ୱାସ୍ଥ୍ୟ ପାଇଁ ସୁରକ୍ଷିତ ନୁହେଁ । ଅଭିଭାବକମାନେ କିଛି ଭିନ୍ନ ଉପାୟ ଦ୍ୱାରା ପିଲାମାନଙ୍କର ଏହି ଅଭ୍ୟାସକୁ ବନ୍ଦ କରି ପାରିବେ ।

ସର୍ଜନ ମୂର୍ତ୍ତିଙ୍କ ସୂଚନା ଅନୁସାରେ ଅନେକ ରିପୋର୍ଟରେ କୁହାଯାଇଛି ଯେ, ଆମେରିକାରେ ୯୫ ପ୍ରତିଶତ କିଶୋରମାନେ ସୋସିଆଲ ମିଡିଆ ବ୍ୟବହାର କରୁଛନ୍ତି । ତେବେ ସୋସିଆଲ ମିଡିଆ ସେମାନଙ୍କ ନିଦ ଉପରେ ଗଭୀର ପ୍ରଭାବ ପକାଉଛି । ଏହା ଦ୍ୱାରା ଆତ୍ମବିଶ୍ୱାସ ମଧ୍ୟ କମ ହେଉଛି । ଖାଦ୍ୟ ଖାଇବାରେ ମଧ୍ୟ ପରିବର୍ତ୍ତନ ଦେଖାଯାଉଛି । ଯେଉଁ କିଶୋରମାନେ ପ୍ରତ୍ୟେକ ଦିନ ୩ ଘଣ୍ଟାରୁ ଅଧିକ ସମୟ ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି, ସେମାନଙ୍କ ମାନସିକ ସ୍ୱାସ୍ଥ୍ୟ ଖରାପ ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପରାମର୍ଶଦାତାଙ୍କ ଅନୁସାରେ, ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ଦ୍ୱାରା ପିଲାମାନଙ୍କ ମଧ୍ୟରେ ଡିପ୍ରେସନ ଏବଂ ଏନଜାଇଟି ଭଳି ସମସ୍ୟା ସୃଷ୍ଟି ହୋଇଥାଏ । ଅଭିଭାବକମାନେ ୧୩ରୁ ୧୭ ବର୍ଷର ପିଲାମାନଙ୍କ ଠାରୁ ମୋବାଇଲ ଦୂରେଇ ରଖିବା ଉଚିତ ।

ଏକ ରିପୋର୍ଟ ଅନୁସାରେ ୩୦ ପ୍ରତିଶତ ପିଲାମାନଙ୍କ ମଧ୍ୟରେ ଡିପ୍ରେସନ ଏବଂ ଏନଜାଇଟି ସେମାନଙ୍କ ଚିନ୍ତାଧାରା ଉପରେ ପ୍ରଭାବ ପକାଉଛି । ଏହି ବର୍ଗର ପିଲାମାନେ ସାମାନ୍ୟ ସମସ୍ୟାରେ ବ୍ୟସ୍ତ ହୋଇଥାନ୍ତି । ୩୫ ପ୍ରତିଶତ ଯୁବପିଢି ଘଣ୍ଟା ଘଣ୍ଟା ଧରି ସୋସିଆଲ ମିଡିଆ ବ୍ୟବହାର କରିଥାନ୍ତି । ଯାହା ସେମାନଙ୍କ ସ୍ୱାସ୍ଥ୍ୟକୁ ଖରାପ କରିଥାଏ । ସେପିୟନ ଲ୍ୟାବ ରିସର୍ଚ୍ଚ ଅନୁସାରେ ଅନେକ ପ୍ରକାରର ମାନସିକ ରୋଗର କାରଣ ସ୍ମାର୍ଟ ଫୋନ ହୋଇଥାଏ । ଏହି ରିସର୍ଚ୍ଚରେ ୨୭ ହଜାର ଯୁବପିଢ଼ିଙ୍କୁ ସାମିଲ କରାଯାଇଥିଲା । ସନ୍ଧାନରେ ଜଣା ପଡ଼ିଥିଲା ଯେ,ଯେଉଁମାନେ କମ ବୟସରୁ ହିଁ ସ୍ମାର୍ଟ ଫୋନ ବ୍ୟବହାର କରିଛନ୍ତି ସେମାନଙ୍କ ମଧ୍ୟରେ ମାନସିକ ରୋଗ ଅଧିକ ରହିଛି ।

କିଛି ଯୁବକମାନେ କହିଥିଲେ ଯେ, ସୋସିଆଲ ମିଡିଆ ସେମାନଙ୍କ ଖରାପ ସମୟରେ ସାହାଯ୍ୟ କରିଥାଏ । ଅନ୍ୟପଟେ ସେମାନଙ୍କ ବନ୍ଧୁ ମାନଙ୍କ ସହ ଏହି ସୋସିଆଲ ମିଡିଆ ସେମାନଙ୍କୁ ଯୋଡ଼ି ରଖିଥାଏ । ତେବେ ପରାମର୍ଶଦାତାଙ୍କ କହିବା ଅନୁସାରେ, ସୋସିଆଲ ମିଡିଆ ର ଲାଭ ଏବଂ କ୍ଷତି ସହିତ ଜଡ଼ିତ ନିୟମ ଲାଗୁ କରାଯିବା ଜରୁରୀ । ଏହା ଦ୍ୱାରା ଯୁବପିଢିଙ୍କ ମଧ୍ୟରେ ହେଉଥିବା ସମସ୍ୟାରେ ସାମନ୍ୟ ପରିବର୍ତ୍ତନ ଦେଖାଯିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.