ଜାଣନ୍ତୁ ବାତ୍ୟା ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ କଥା, ବାତ୍ୟା ସୃଷ୍ଟି ହୁଏ କିଭଳି ଓ ଏହାର ଲ୍ୟାଣ୍ଡଫଲ୍‌ ବିଷୟରେ

୧-ମହାବାତ୍ୟା କାହିଁକି ଓ କିଭଳି ହୁଏ ?

ମହାବାତ୍ୟା ସମୁଦ୍ର ଭିତରେ ଉତ୍ପନ୍ନ ହୁଏ । ପ୍ରଖର ଖରା ଯୋଗୁଁ ସମୁଦ୍ର ଜଳ ଉତ୍ତପ୍ତ ହୋଇ ବାଷ୍ପରେ ପରିଣତ ହେବା ପରେ ଆକାଶ ମୁହାଁ ହୋଇଥାଏ । ତେଣୁ ସେହି ଜାଗା ଖାଲି ହୋଇଯାଏ ଆଉ ଶୂନ୍ୟ ସ୍ଥାନ ପୂରଣ କରିବା ପାଇଁ ସେହି ଜାଗାକୁ ମାଡ଼ି ଆସେ ଶୀତଳ ବାୟୁ । ତେବେ ଏହି ଶୀତଳ ବାୟୁର ତୀବ୍ର ବେଗ ଯୋଗୁଁ ସାରା ଅଞ୍ଚଳରେ ବାୟୁ ପ୍ରବାହ ଅସ୍ଥିର ହୋଇପଡ଼େ ଏବଂ ବାୟୁ ଚାପ ଯୋଗୁଁ ବାତ୍ୟା ଉତ୍ପନ୍ନ ହୁଏ ।

cyclone-1

୨-ସମୁଦ୍ରରେ ବାତ୍ୟା କିଭଳି ଗତିଶୀଳ ହୁଏ ?

ସମୁଦ୍ର ଜଳ ବାଷ୍ପୀକରଣ ଯୋଗୁଁ ସେଠାରେ ନିମ୍ନ ଚାପ ସୃଷ୍ଟି ହୁଏ । ଫଳରେ ଆଖପାଖର ଶୀତଳ ବାୟୁ ବିପରୀତ ଦିଗରୁ ଏହି ସ୍ଥାନକୁୁ ଗତି କରନ୍ତି । ସେହି ବାୟୁ ମଧ୍ୟ ବାଷ୍ପ ହୋଇ ଉପରକୁ ଉଠିବା ସହ ମେଘ ତିଆରି କରିଥାଏ । ଏହି ପ୍ରକ୍ରିୟା ଚାଲୁ ରହେ ଯାହା ବାତ୍ୟାର ରୂପ ନିଏ ।

୪-ବାତ୍ୟାର ଆଖି କଣ ?

ବାତ୍ୟା କେନ୍ଦ୍ରୀଭୂତ ହୋଇଥିବା ସ୍ଥାନ ବା ଏହାର ମଧ୍ୟସ୍ଥଳକୁ ‘ଆଖି’ ବୋଲି କୁହାଯାଏ । ଏହି ସ୍ଥାନଟି କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ଖୁବ୍‌ ଶାନ୍ତ ରହିଥାଏ । ମହାବାତ୍ୟାର ଏହି ‘ଆଖି’ର ପରିଧି ବା ଆକାର ୩୦ରୁ ୬୫ କିଲୋମିଟର ବ୍ୟାସାର୍ଦ୍ଧର ହୋଇଥାଏ । ଏହାର ଚାରିପଟେ ଏକ ବଳୟ ଭଳି ରହିଥାଏ । ଏହି ବଳୟ ହିଁ ଭୟଙ୍କର ଝଡ଼ ବାତ୍ୟାକୁ ଧରି ରଖିଥାଏ ।

EYE OF CYCLONE

୫-ଲ୍ୟାଣ୍ଡଫଲ୍‌ କାହାକୁ କୁହାଯାଏ ?

ବାତ୍ୟା ସମୁଦ୍ରରୁ ସ୍ଥଳଭାଗ ଆଡ଼କୁ ଗତି କରେ । ଏହା ସ୍ଥଳଭାଗ ଛୁଇଁବାକୁ ‘ଲ୍ୟାଣ୍ଡଫଲ୍‌’ କୁହାଯାଏ । ପ୍ରାୟତଃ ସମୁଦ୍ର ଭିତରେ ବାତ୍ୟା ସୃଷ୍ଟି ହେବାର ଚତୁର୍ଥ ଦିନ ହିଁ ଏହାର ଲ୍ୟାଣ୍ଡଫଲ୍‌ ହୋଇଥାଏ ।

୬-ଲ୍ୟାଣ୍ଡଫଲ୍‌ ପରେ କିଭଳି ଗତି କରେ ବାତ୍ୟା ?

ବାତ୍ୟା ଲ୍ୟାଣ୍ଡଫଲ୍‌ ବା ସ୍ଥଳଭାଗ ଛୁଇଁବା ପରେ ଏହାର ଗତି କମିଯାଏ । କାରଣ ଯେଉଁ ସମୁଦ୍ର ଜଳ ଧାରଣ କରି ଏହା ଗତି କରେ ଲ୍ୟାଣ୍ଡଫଲ୍‌ ପରେ ଆଉ ତାର ଶକ୍ତି ସେତିକି ରହେ ନାହିଁ । ତଥାପି ଏହା ସ୍ଥଳଭାଗରେ ବ୍ୟାପକ କ୍ଷତି ଘଟାଇବାରେ ସମର୍ଥ ହୁଏ । ଏହାର ପ୍ରଭାବରେ ପ୍ରବଳ ବର୍ଷା, ପବନ ଓ ଝଡ଼ବାତ୍ୟା ହୋଇଥାଏ ।

LAND FALL

୭-ବାତ୍ୟା ଦୁର୍ବଳ ହୁଏ କେମିତି ?

ଲ୍ୟାଣ୍ଡଫଲ୍‌ ପରେ ବାତ୍ୟା ଦେହରେ ସମୁଦ୍ରର ଉତ୍ତପ୍ତ ବାୟୁ ଏବଂ ଆର୍ଦ୍ରତା କମିଯାଏ । ଯାହାଫଳରେ ଏହାର ଗତି ହ୍ରାସ ପାଏ ।

୮-ଓଡ଼ିଶା ବାତ୍ୟା ପ୍ରବଣ ରାଜ୍ୟ କାହିଁକି ?

ଭୌଗୋଳିକ ଅବସ୍ଥିତି ହିଁ ଓଡ଼ିଶାକୁ ବାତ୍ୟା ପ୍ରବଣ କରିଛି । ଓଡ଼ିଶା ସହିତ ପଶ୍ଚିମବଙ୍ଗର ଦକ୍ଷିଣ ଭାଗ, ଅନ୍ଧ୍ର ପ୍ରଦେଶର ଉତ୍ତର ଭାଗ, ଏବଂ ବିହାର ରାଜ୍ୟର ପୂର୍ବ ଭାଗ ବାତ୍ୟା ପ୍ରବଣ ଅଟନ୍ତି । ତେବେ ସମ୍ପୂର୍ଣ୍ଣ ଓଡ଼ିଶା କିନ୍ତୁ ବାତ୍ୟା ଜୋନ୍‌ରେ ଆସୁଛି । କାରଣ ଆରବ ସାଗର ତୁଳନାରେ ବଙ୍ଗୋପ ସାଗର ଅଧିକ ଉତ୍ତପ୍ତ । ସେଥିଲାଗି ଏଠାରେ ବେଶି ପରିମାଣରେ ଲଘୁଚାପ ସୃଷ୍ଟି ହୁଏ । ଆଇଏମ୍‌ଡି ଅନୁସାରେ ଦେଶର ୧୨ଟି ଜିଲ୍ଲା ହେଉଛି ଅତ୍ୟଧିକ ବାତ୍ୟା ପ୍ରବଣ । ସେଥି ମଧ୍ୟରେ କେବଳ ଓଡ଼ିଶାର ୪ଟି ଜିଲ୍ଲା ରହିଛି । ସେଗୁଡ଼ିକ ହେଉଛି ବାଲେଶ୍ୱର, ଭଦ୍ରକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ।

CYCLONE PRONE ODISHA

୯-ଓଡ଼ିଶାରେ କେଉଁ ସମୟରେ ଅଧିକ ମହାବାତ୍ୟା ହୁଏ ?

ଅତୀତକୁ ଦେଖିଲେ ବିଶେଷ ଭାବେ ଅକଟୋବର ମାସରେ ଓଡ଼ିଶାରେ ମହାବାତ୍ୟା ସଂଘଟିତ ହୋଇଥିବାର ନଜିର ରହିଛି । ପ୍ରାୟତଃ ମୌସୁମୀ ବାୟୁ ଫେରିବା ବେଳେ ଅକଟୋବର-ନଭେମ୍ବର ମାସରେ ବାତ୍ୟା ଆସିଥାଏ । ତେବେ ଏଥର ମୌସୁମୀ ଆସିବା ପୂର୍ବରୁ ମେ ମାସରେ ବାତ୍ୟା ଆସୁଛି ଏହି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ଫନି ।

୧୦- ଓଡ଼ିଶାରେ ପୂର୍ବରୁ କେତେ ମହାବାତ୍ୟା ହୋଇଛି ?

୧୯୭୧ ପରେ ଦୀର୍ଘ ବର୍ଷ ବ୍ୟବଧାନରେ ୧୯୯୯ ଅକଟୋବର ୨୯ ତାରିଖରେ ଘଟିଥିଲା ମହାବାତ୍ୟା । ୨୦୧୩ ଅକ୍ଟୋବର ୧୪ରେ ଆସିଥିଲା ଫାଇଲିନ୍‌ । ୨୦୧୪ ଅକଟୋବର ୧୨ରେ ହୁଡ୍‌ହୁଡ୍‌ ଏବଂ ୨୦୧୮ ଅକଟୋବର ୧୧ରେ ତିତଲି ପ୍ରଭାବିତ କରିଥିଲା ଓଡ଼ିଶାକୁ । ଆଉ କହିବାକୁ ଗଲେ ପ୍ରଥମଥର ମେ ମାସ ଭିତରେ ଆସୁଛି ଫନି ।

୧୧-ବାତ୍ୟାର ନାଁ କିଏ ଦିଏ ଓ କେମିତି ଦିଆଯାଏ ?

WMO

ଡବଲ୍ୟୁଏମ୍‌ଓ ବା ବିଶ୍ୱ ପାଣିପାଗ ବିଜ୍ଞାନ ସଂଗଠନ ବାତ୍ୟାଗୁଡ଼ିକର ନାମକରଣ ପାଇଁ କିଛି ନିୟମ ପ୍ରସ୍ତୁତ କରିଛନ୍ତି । ଏହି ନିୟମ ଅନୁସାରେ ବିଭିନ୍ନ ଦେଶ ପୂର୍ବରୁ କିଛି ନାମ ତାଲିକା କରିଥାନ୍ତି । ଏଥିରୁ ବିଭିନ୍ନ ସମୟରେ ହେଉଥିବା ବାତ୍ୟାର ନାମକରଣ କରାଯାଇଥାଏ । ସେହି ଅନୁଯାୟୀ ଦକ୍ଷିଣ ଏସିଆର ୮ଟି ଦେଶ ଭରତ, ଶ୍ରୀଲଙ୍କା, ବାଂଲାଦେଶ, ମାଳଦ୍ୱୀପ, ମିୟାମାର, ଓମାନ୍‌, ପାକିସ୍ତାନ ଏବଂ ଥାଇଲାଣ୍ଡ ୮ଟି ଲେଖାଏଁ ନାମ ତାଲିକା ପଠାଇଥିଲେ । ଡବଲ୍ୟୁଏମ୍‌ଓର ଅନୁମୋଦନ ପରେ ଏଥିରୁ ପର୍ଯ୍ୟାୟକ୍ରମେ ବାତ୍ୟାର ନାଁ ରଖା ଯାଉଛି । ଯେମିତି କି ଗତ ବାତ୍ୟାର ନାଁ ତିତଲି ରହିଥିଲା । ଯାହାର ନାମକରଣ ପାକିସ୍ତାନ କରିଥିଲା । ଏଥର ଫନି’ର ନାଁ ଦେଇଛି ବାଂଲାଦେଶ । ଯାହାର ଅର୍ଥ ହେଉଛି ଫଣା ଟେକିଥିବା ସାପ ।

୧୨- କଣ ସବୁ ବାତ୍ୟାର ନାଁ ଦିଆଯାଏ ?

ପୂର୍ବରୁ ବାତ୍ୟାଗୁଡ଼ିକର କୌଣସି ନାଁ ଦିଆଯାଉ ନଥିଲା । ପରେ ଏହି ପରମ୍ପରା ଆରମ୍ଭ ହେଲା । ଆଟଲାଣ୍ଟିକ୍‌ ମହାସାଗରରେ ହେଉଥିବା ସାମୁଦ୍ରିକ ଝଡ଼ଗୁଡ଼ିକର ବେଗ ଘଣ୍ଟାକୁ ୩୯ ମାଇଲ ଟପିଲେ ଏହାର ନାମ କରଣ କରାଯାଇଥାଏ । ୧୯୫୩ରେ ଆମେରିକା ପାଣିପାଗ ବିଭାଗ ମହିଳାଙ୍କ ନାମରୁ ବାତ୍ୟାର ନାମ ଦେବା ଆରମ୍ଭ କରିଥିଲେ । ହେଲେ ଏହାକୁ ମହିଳା ସଂଗଠନ ସବୁ ତୀବ୍ର ବିରୋଧ କରିବାରୁ ଏଥିରେ ପୁରୁଷଙ୍କ ନାମ ସାମିଲ କରାଯାଇଥିଲା । ତେବେ ପରେ ୨୦୦୪ରେ ଡବଲ୍ୟୁଏମ୍‌ଓ ଅଧୀନରେ ଦକ୍ଷିଣ ଏସିଆର ୮ଟି ଦେଶ ରାଜି ହୋଇ ୮ଟି ଲେଖାଏଁ ନାମ ତାଲିକା ଦେବା ପରେ ଏବେ ଏହି ଅଞ୍ଚଳରେ ଆସୁଥିବା ବାତ୍ୟାର ନାମକରଣ କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.