ମରିଯିବ ପଛେ ପାଣିକୁ ଚାହିଁବ ନାହିଁ ଏହି ପକ୍ଷୀ, ଜାଣନ୍ତୁ ଏହାର ବିଚିତ୍ର ପ୍ରକୃତି

ଆମ ଓଡ଼ିଆରେ ଗୋଟିଏ କଥା ଅଛି ‘ଚାତକ ପରି ଚାହିଁ ରହିବା’ । ଅର୍ଥାତ୍‌ କୌଣସି କଥାରେ ଅତି ଆତୁର ହୋଇ ଅପେକ୍ଷା କରିବା । ତେବେ ଏହା ସହିତ ଚାତକକୁ କାହିଁକି ଯୋଡ଼ା ଯାଇଛି ସେକଥା ହୁଏତ ସମସ୍ତେ ଜାଣି ନଥିବେ । ପ୍ରକୃତରେ ଚାତକ ହେଉଛି ଗୋଟିଏ ପକ୍ଷୀ। ସେ କେବଳ ବର୍ଷା ପାଣି ହିଁ ପିଇଥାଏ । ଦରକାର ପଡ଼ିଲେ ଶୋଷରେ ମରିଯିବ ପଛେ ଅନ୍ୟ କୌଣସି ପାଣି ପିଏ ନାହିଁ । ଏମିତିକି ଜଳାଶୟ ନିକଟରେ ରହୁଥିଲେ ମଧ୍ୟ ଚାତକ ପକ୍ଷୀ ସେ ପାଣି ମଧ୍ୟ ଛୁଏଁ ନାହିଁ । ଆଜି ଆସନ୍ତୁ ଜାଣିବା ଚାତକ ପକ୍ଷୀ ବା ଜାକୋବିନ୍‌ କୁକ୍‌ ଏଭଳି କାହିଁକି କରେ । ଆମ ପୃଥିବୀରେ ପ୍ରାୟ ୫ ହଜାର ପ୍ରଜାତିର ପକ୍ଷୀ ବାସ କରନ୍ତି । ଏମାନଙ୍କ ଭିତରେ କିଛି ପକ୍ଷୀ ଅତ୍ୟନ୍ତ ବିରଳ । ଆଉ ପ୍ରତ୍ୟେକ ପକ୍ଷୀର କିଛି ବିଶେଷ ଗୁଣ ଥାଏ । ତେବେ ଏକଥା ସତ ଯେ ପୃଥିବୀ ପୃଷ୍ଠରେ ଥିବା ପ୍ରତ୍ୟେକ ପ୍ରାଣୀ ଜଳ ବିନା ବଞ୍ଚିବା ଅସମ୍ଭବ । ହେଲେ ଏଇ ଚାତକ ପକ୍ଷୀ ହେଉଛି ସବୁଠାରୁ ନିଆରା ।

cuckoo
image credit: News NCR

ଶୋଷରେ ଆଉଟୁ ପାଉଟୁ ହେଉଥିବ ସିନା ପୋଖରୀ କି ନଦୀ ପାଣି ପିଇବନି । ଏମିତିକି ଆପଣ ଯଦି ତାଙ୍କୁ କୌଣସି ପାତ୍ରରେ ପାଣି ପିଇବାକୁ ଦେବେ ତଥାପି ସେ ତାକୁ ଛୁଇଁବ ନାହିଁ । ସତରେ ଅତି ବିଚିତ୍ର ଏ ପକ୍ଷୀ । ଈଶ୍ୱର କେଜାଣି କାହିଁକି ତାକୁ ଏମିତି ଗଢ଼ିଛନ୍ତି । ଯଦିବି ଚାତକ ପକ୍ଷୀକୁ କୌଣସି ପୋଖରୀ କିମ୍ବା ଜଳାଶୟରେ ପକାଇ ଦିଆଯାଏ ତେବେ ସେ ସିନା ବୁଡ଼ିଯିବ ହେଲେ କୁହାଯାଏ କି ସେ କେବେବି ତାର ଥଣ୍ଟ ଖୋଲିବ ନାହିଁ । ଥଣ୍ଟକୁ ଚାପି ପାଣି ଯେମିତି ତା ପାଟିରେ ନପଶେ ସେ ଚେଷ୍ଟା କରିବ । ଲାଗିବ ଯେମିତି ଅତ୍ୟନ୍ତ ସ୍ୱାଭିମାନୀ ଏହି ପକ୍ଷୀଟି । କେବଳ ଏସିଆ ଓ ଆଫ୍ରିକୀୟ ଦେଶରେ ଚାତକ ପକ୍ଷୀ ଦେଖିବାକୁ ମିଳେ । ଆମ ଦେଶରେ ବିଶେଷ କରି ଉତ୍ତରାଖଣ୍ଡ ଅଞ୍ଚଳରେ ଚାତକ ପକ୍ଷୀ ବାସ କରନ୍ତି । ଏମାନେ ଅନେକ ସମୟ ଧରି ଆକାଶରେ ହିଁ ରୁହନ୍ତି । ଦେଖାଯାଏ କି ବର୍ଷା ସମୟରେ ବିଭିନ୍ନ ପୋଜ୍‌ ଦେଇ ଏହା ବର୍ଷା ପାଣି ପିଇଥାଏ । ତେବେ କୁହାଯାଏ କି ବର୍ଷା ଦିନେ କେବଳ ସ୍ୱାତୀ ନକ୍ଷତ୍ରରେ ଚାତକ ପାଣି ପିଏ ।

ତେବେ ଏହି ପକ୍ଷୀ ପାଣି ନପିଇ ଅନେକ ଦିନ ରହିପାରେ । ତା ସହିତ ଆଉ ଏକ କଥା ମଧ୍ୟ ଯୋଡ଼ାଯାଏ ଯେ ଚାତକକୁ ଶୋଷ କଲେ ସେ ଈଶ୍ୱରଙ୍କୁ ପ୍ରାର୍ଥନା କରେ ବର୍ଷା କରିବା ପାଇଁ । ଏହି ପକ୍ଷୀ ପ୍ରାୟ ୭୫ ବର୍ଷ ପର୍ଯ୍ୟନ୍ତ ବଞ୍ଚିଥାଏ । ଏମାନେ ଝିଣ୍ଟିକା ଭଳି କୀଟ ପତଙ୍ଗ ଏବଂ କୋଳି ଓ ବିଭିନ୍ନ ଫଳ ଖାଇ ବଞ୍ଚନ୍ତି । ଏମାନଙ୍କ ରଙ୍ଗ କଳା ଓ ଧଳା । ଥଣ୍ଟ ତଳକୁ ଧଳା ରଙ୍ଗ ଓ ଶରୀର ଅନ୍ୟ ଅଂଶ କଳା ରଙ୍ଗର ହୋଇଥାଏ । ଏମାନଙ୍କ ଲାଞ୍ଜ ଟିକେ ଲମ୍ବା । ତେବେ ଏହି ବିଚିତ୍ର ପକ୍ଷୀର ଆଉ ଏକ ଅଭ୍ୟାସ ହେଉଛି ଏହା ଅଣ୍ଡା ଦେଲେ ମଧ୍ୟ ଏଥିରୁ ନିଜେ ଛୁଆ କରେ ନାହିଁ । ନିଜ ଆକାରର ଅନ୍ୟ ପକ୍ଷୀଙ୍କ ବସାରେ ଏହା ଅଣ୍ଡା ଦେଇଥାଏ । ଅନ୍ୟ ପକ୍ଷୀମାନେ ଏହାକୁ ନିଜର ଭାବି ଅଣ୍ଡା ଫୁଟାଇଥାନ୍ତି ।  ସତରେ କେତେ ବିଚିତ୍ର ଏ ଦୁନିଆ ଆଉ ତାର ପ୍ରାଣୀମାନେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.