ଐତିହାସିକ ଆସିକା ଚିନିକଳର ଅତୀତ ଓ ଭବିଷ୍ୟତ

ଭଞ୍ଜନଗର (କେନ୍ୟୁଜ୍‌) : ଚିନିର ସହର ଆସିକା। ଏଇଠି ପ୍ରତିଷ୍ଠା ହୋଇଥିଲା ଏସିଆ ମହାଦେଶର ସର୍ବପ୍ରଥମ ଚିନି କଳ । “ଚିନି” ଓ “କଳ” କୁ ନେଇ ସୃଷ୍ଟି ହୋଇଥିଲା ନୂଆ ସମୀକରଣ । ସମଗ୍ର ବିଶ୍ବ ଦେଖିଥିଲା, ଜଣେ ବିଦେଶୀଙ୍କ ସ୍ବପ୍ନର ବାସ୍ତବତାକୁ ଓଡ଼ିଶା ମାଟିରେ।

ମେଜର ଫ୍ରେଡେରିକ୍ ଜେମସ୍ ଭିଭିଆନ୍ ମିନଚିନ୍। ଜର୍ମାନ୍ ବଂଶୋଦ୍ଭବ। ଇଂଲଣ୍ଡରେ ଶିକ୍ଷାଲାଭ ପରେ ୧୮ ବର୍ଷ ବୟସରେ ବ୍ରିଟିଶ ସେନାବାହିନୀରେ ନିଯୁକ୍ତି ପାଇ ଭାରତ ଫେରିଥିଲେ। ପରବର୍ତ୍ତୀ ସମୟରେ ଚାକିରି ଅପେକ୍ଷା ସେ ଶିଳ୍ପ ଓ କୃଷିଭିତ୍ତିକ ବ୍ୟବସାୟ ପ୍ରତି ଆଗ୍ରହ ପ୍ରକାଶ କରିଥିଲେ। ଆଉ ବାଛିଥିଲେ ଗଞ୍ଜାମ ଜିଲ୍ଲାର ଆସିକା ଅଞ୍ଚଳକୁ । ଏଠାରେ ସେତେବେଳେ ବହୁଳ ଭାବେ ଆଖୁ ଚାଷ ହେଉଥିଲା । ତେଣୁ ଇଷ୍ଟଇଣ୍ଡିଆ କମ୍ପାନୀ ସହଯୋଗରେ ୧୮୫୨ ମସିହାରେ ଆସିକା ଠାରେ ଚିନିଶିଳ୍ପ ପ୍ରତିଷ୍ଠା ହେଲା । ୧୮୭୨ ମସିହାରେ ଚିନିକଳକୁ ନିଜେ କିଣି ନେଇଥିଲେ ମେଜର ମିନଚିନ୍। ନିଜର ଦକ୍ଷ ପରିଚାଳନା ଓ ଆଧୁନିକ ଜ୍ଞାନ- କୈାଶଳ ବ୍ୟବହାର କରି ଖୁବ୍‌ ଭଲ ଭାବେ ଚଳାଇଲେ ଏହି ଚିନିକଳ। ସମଗ୍ର ଏସିଆ ମହାଦେଶର ପ୍ରଥମ ଚିନିକଳର ମାନ୍ୟତା ପାଇଲା ଆସିକା ଚିନିଶିଳ୍ପ । ଏପରିକି ୧୮୭୮ ମସିହାରେ ପ୍ୟାରିସ ଠାରେ ଅନୁଷ୍ଠିତ ଅନ୍ତର୍ଜାତୀୟ “ଚିନି” ପ୍ରଦର୍ଶନୀରେ ଆସିକା ଚିନିକଳର ଉତ୍ପାଦିତ ଚିନି ପ୍ରଥମ ସ୍ଥାନ ଅଧିକାର କରିଥିଲା। ତେଣୁ ଏସିଆ ମହାଦେଶରେ ଚିନିଶିଳ୍ପର ଜନକ ପାଲଟିଗଲେ ମେଜର ମିନଚିନ୍ । ସେହିଦିନଠାରୁ ତାଙ୍କର ପରିଚୟ ବଦଳିଗଲା । ପ୍ରତି ଓଡ଼ିଆଙ୍କ ପାଇଁ ସେ ହୋଇଗଲେ “ମିନଚିନ୍ ସାହେବ୍” ।

ଚିନିକଳ ପ୍ରତିଷ୍ଠା ପରେ ଆସିକାର ହୋଇ ରହିଗଲେ ମିନଚିନ୍ ସାହେବ। “ସୁନା” ନାମରେ ଜଣେ ସ୍ଥାନୀୟ ଓଡ଼ିଆ ଝିଅକୁ ବିବାହ କଲେ। ଆଉ ତାପରେ “ମିନଚିନ୍ ସାହେବ” ସହ ଆଉ ଏକ ନାଁ ଯୋଡି ହେଲା “ସୋନା ସାହେବାଣୀ” । ସେମାନେ ଆସିକା ଠାରେ ନିର୍ମାଣ କଲେ ଏକ ନିଜସ୍ବ ବଙ୍ଗଳା । ଯାହାକି ଆଜି ଆସିକାର ହରିହର ହାଇସ୍କୁଲରେ ପରିଣତ ହୋଇଛି। କାରଖାନାରେ ଚିନି ଉତ୍ପାଦନ ସହ ସ୍ପିରିଟ ମଧ୍ୟ ପ୍ରସ୍ତୁତ ହେଲା । ଏଇ ସ୍ପିରିଟ ଆଖୁ ପେଡ଼ା ହେବା ପରେ ତାର ବଳକା ଜିନିଷରୁ ବାହାରିଥାଏ । ଉତ୍ପାଦିତ ସାମଗ୍ରୀକୁ ଗୋପାଳପୁର ବନ୍ଦରରୁ ବିଦେଶକୁ ରପ୍ତାନି କରାଗଲା। ଫଳରେ ଲାଭବାନ ହେଲେ ଆଖୁ ଚାଷୀ ଏବଂ ସ୍ଥାନୀୟ ଅଞ୍ଚଳରେ ଆଖୁ ଚାଷ ବୃଦ୍ଧି ପାଇଲା। ଚିନିକଳରେ ସ୍ଥାନୀୟ ଲୋକେ ନିଯୁକ୍ତି ପାଇଲେ। ଆସିକାରୁ ଗୋପାଳପୁର ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ସାଙ୍ଗକୁ ଋଷିକୂଲ୍ୟା ନଦୀ ଓ ହିଞ୍ଜିଳି ଘୋଡାହାଡ ନଦୀ ଉପରେ ସେତୁ ନିର୍ମାଣ ହେଲା। କୃଷି ଓ ଶିଳ୍ପ ସହ ସ୍ଥାନୀୟ ଅଞ୍ଚଳବାସୀଙ୍କ ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ବିକାଶ ହେଲା । ମିନଚିନ୍ ସାହେବ ଓ ସୋନା ସାହେବାଣୀଙ୍କ ଦ୍ଵାରା ବିଭିନ୍ନ ସେବା, ସହାୟତା ଓ ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠା ହେଲା।

sugar Factory2

୧୯୦୮ ମସିହାରେ ଗୋପାଳପୁରରେ ରହଣି ସମୟରେ ମିନଚିନ୍ ସାହେବ୍ ଙ୍କ ଦେହାନ୍ତ ହେଲା । ଆସିକା ଚିନିକଳର ଦାୟିତ୍ଵ ନେଲେ ପତ୍ନୀ ସୋନା ସାହେବାଣୀ । କିଛି ବର୍ଷ ଚିନିକଳ ଚାଲିବା ପରେ ବ୍ରହ୍ମପୁରର ପରମାନନ୍ଦ ସାହୁ ନାମକ ଜଣେ ପ୍ରତିଷ୍ଠିତ ବ୍ୟକ୍ତିଙ୍କୁ ଚିନି କଳ ବିକ୍ରି କରାଗଲା । ୧୯୧୬ ମସିହାରେ ସୋନା ସାହେବାଣୀଙ୍କ ଦେହାନ୍ତ ହେଲା । ଚିନିକଳ ପରିସରରେ ମିନଚିନ୍ ସାହେବଙ୍କ କବର ସ୍ଥଳୀ ନିକଟରେ ନିର୍ମାଣ ହେଲା ସୋନା ସାହେବାଣୀଙ୍କ ସମାଧି। ସଂପୃକ୍ତ ସ୍ଥାନରେ ମିନଚିନ୍ ସାହେବଙ୍କ ଆବକ୍ଷ ବ୍ରୋଞ୍ଜ ପ୍ରତିମୂର୍ତ୍ତି ଓ ସୋନା ସାହେବାଣୀଙ୍କ ପରୀ ସଦୃଶ ପ୍ରତିମୂର୍ତ୍ତି ସ୍ଥାପନ ହେଲା । ତେବେ ଚିନିକଳ ବିକ୍ରି ହେବା ପରେ କିଛି ବର୍ଷ ସବୁ ଠିକଠାକ୍ ଚାଲିଲା । ହେଲେ କୌଣସି କାରଣରୁ ଧୀରେ ଧୀରେ ଋଗଣ ଅବସ୍ଥାକୁ ଆସିଗଲା। କ୍ଷତି ସହିବାକୁ ପଡ଼ିଲା ପରିଚାଳକଙ୍କୁ । ଆଉ ୧୯୪୯ ମସିହା ବେଳକୁ ଚିନିକଳଟି ସଂପୂର୍ଣ୍ଣ ବନ୍ଦ ହୋଇଗଲା ।

ପରବର୍ତ୍ତୀ ସମୟରେ ମିନଚିନ୍ ସାହେବଙ୍କ ପରିକଳ୍ପିତ ଚିନିଶିଳ୍ପର ସ୍ବପ୍ନକୁ ନୂଆ ପରିଚୟ ଦେବାପାଇଁ ପ୍ରୟାସ ହେଲା। ସେ ସମୟରେ ଆସିକା ଅଞ୍ଚଳର କିଛି ସମବାୟବିତ୍, ବୁଦ୍ଧିଜୀବୀ ଓ ନେତୃସ୍ଥାନୀୟ ବ୍ୟକ୍ତିଙ୍କ ଉଦ୍ୟମରେ ୧୯୬୦ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବ ଆସିକା ନୂଆଗାଁ ଠାରେ ନୂତନ ଚିନି କାରଖାନା ପ୍ରତିଷ୍ଠା ପାଇଁ ଶୁଭ ଦେଲେ। ୧୯୬୩ ମସିହାରେ ତତ୍କାଳୀନ ଯୋଜନା ବୋର୍ଡ ଅଧ୍ୟକ୍ଷ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ନୂତନ ଚିନିକଳକୁ ଉଦଘାଟନ କରିଥିଲେ। ଏହାର ୧୦ ଦିନ ପରେ ନୂଆଗାଁ ଚିନି କାରଖାନାରୁ ଆରମ୍ଭ ହେଲା ଉତ୍ପାଦନ।

ଚିନି ଉତ୍ପାଦନ ସହ କାରଖାନା ଭିତରେ ବଟଲିଂ ପ୍ଲାଣ୍ଟ ପ୍ରତିଷ୍ଠା ହେଲା । ଆଖୁରସରୁ ବାହାରୁଥିବା ମଇଳା ଗୁଡ଼ ଯାହାକୁ “ମୋଲାସସ୍” କୁହାଯାଏ, ସେଥିରୁ ସ୍ପିରିଟ ପ୍ରସ୍ତୁତ କରି ସରକାରୀ ଦେଶୀମଦ “Aska-40” ପ୍ରସ୍ତୁତ ହେଲା । ରାଜ୍ୟର କଟକ ସ୍ଥିତ ନିର୍ଗୁଣ୍ଡି, ଖୋର୍ଦ୍ଧା, ଚଣ୍ଡୀଖୋଲ ଓ ବାଲେଶ୍ଵର ଡିପୋକୁ ଯୋଗାଣ ହେଲା । ଚିନିକଳ ଲାଭରେ ଚାଲିଲା। ରାଜସ୍ବ ବଢିଲା । ତା ସହ ନିଯୁକ୍ତି ଆଉ ବିକାଶର ଧାରା ଖୋଲିଲା । ତେବେ ପୁଣି ଧୀରେ ଧୀରେ ସମସ୍ୟା ଆଡ଼କୁ ଗତି କଲା । ଆଖୁପେଡା, ଚିନି ଉତ୍ପାଦନ ଓ ମଦ ପ୍ରସ୍ତୁତିରେ ଗୋଟିଏ ପରେ ଗୋଟିଏ ତ୍ରୁଟି ଦେଖାଦେଲା । ଆଉ କାରଖାନାରେ ବିଭିନ୍ନ ସମୟରେ ଅଚଳାବସ୍ଥା ସୃଷ୍ଟି ହେଲା। କେବେକେବେ ଭିତରେ ଶ୍ରମିକ ଓ ବାହାରେ ବିଭିନ୍ନ ସଂଗଠନର ପ୍ରତିବାଦ ଦେଖିବାକୁ ମିଳିଲା । ନିଯୁକ୍ତି ଓ ଛଟେଇକୁ ନେଇ ଅସନ୍ତୋଷ ଆଉ ଅଭିଯୋଗ ଉଠିଲା । ଠିକଣା ସମୟରେ ପ୍ରାପ୍ୟ ପାଉନଥିବା ନେଇ କାରଖାନାକୁ ଆଖୁ ଯୋଗାଉଥିବା ଚାଷୀମାନେ ଅଭିଯୋଗ ଆଣିଲେ। ଫଳରେ ଉଭୟ ଆଖୁଚାଷ ଓ ଚାଷୀ ପ୍ରଭାବିତ ହେଲେ । ତା ସହିତ ଯୋଡ଼ି ହୋଇଗଲା କାରଖାନାର ଯାନ୍ତ୍ରିକ ତ୍ରୁଟି । ଉତ୍ପାଦନରେ ହ୍ରାସ ଏବଂ ଅନ୍ୟ ସବୁ ସମସ୍ୟା ଭିତରେ ଋଣଭାରରେ ଛନ୍ଦି ହେଲା ଚିନିକଳ।

୨୦୧୨ ମସିହା ଜାନୁଆରୀ ୧୨ ତାରିଖ ଶୀତୁଆ ରାତି ସମୟ ପ୍ରାୟ ରାତି ୧୦ଟା । ସମସ୍ତେ ନିଜ ନିଜ ଘରେ ଶୋଇଥିଲେ । ଏଭଳି ନିରବତା ଭିତରେ ଘଟିଥିଲା ଏକ ବିସ୍ଫୋରଣ । ଚିନିକଳ ପରିସରରେ ଥିବା “ମୋଲାସସ୍” ଟାଙ୍କି ଫାଟିଗଲା । କାରଖାନା ପାଚେରୀ ଭାଙ୍ଗି ନିକଟସ୍ଥ ନୂଆଗାଁରେ ପଶିଥିଲା ତରଳ ମୋଲାସସ୍‌। ଆଉ ସୃଷ୍ଟି କଲା ଭୟାନକ ପରିସ୍ଥିତି । ଶୋଇଥିବା ସମୟରେ ୩ ଜଣଙ୍କ ମୃତ୍ୟୁ ହେଲା । ଏହି ଘଟଣାକୁ ନେଇ କାରଖାନା ବାହାରେ ପ୍ରତିବାଦ ସାଙ୍ଗକୁ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣାର ଆଠବର୍ଷ ପରେ ଅର୍ଥାତ୍ ୨୦୨୦ ମାର୍ଚ୍ଚ ମାସରେ ପୁଣି “ମୋଲାସସ୍” ଟାଙ୍କିର ପାଇପ୍‌ରେ ତ୍ରୁଟି ଦେଖା ଦେଲା । କାରଖାନା ପରିସରରେ ଭାସିଲା “ମୋଲାସସ୍” । ସେହିଭଳି ୨୦୧୮ ଫେବୃଆରୀ ମାସରେ ଆଖୁପେଡା ଚାଲିଥିବା ସମୟରେ କାରଖାନା “ବଏଲର” ପାଇପ୍‌ରେ ତ୍ରୁଟି ଯୋଗୁଁ ୩ ଦିନ ଧରି ଆଖୁପେଡା ବନ୍ଦ ରହିଥିଲା । ଶହଶହ ଟନ୍ ଆଖୁ ବାହାରେ ପଡ଼ି ରହିଲା । ଏମିତି ଅନେକ ସମସ୍ୟା ଭିତରେ ସଂଘର୍ଷ କରିଛି ଏହି ସର୍ବପୁରାତନ ଚିନି କାରଖାନା । ସେଦିନର “ମୋଲାସସ୍” ଟାଙ୍କିର ବିସ୍ଫୋରଣ ଘଟଣାକୁ ନେଇ ଏବେବି ଭୟଭୀତ ଅଛନ୍ତି କାରଖାନା ପାଚେରୀକୁ ଲାଗି ଘର କରିଥିବା ବସ୍ତିବାସିନ୍ଦା। ଅନ୍ୟପକ୍ଷରେ କୌଣସି କାରଣରୁ ଛଟେଇ ହୋଇଥିବା ଶ୍ରମିକମାନେ ଏବେ ବି ଜୀବିକା ହରାଇ ଅତି ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅଭିଯୋଗ କରିଛନ୍ତି ।

ଏସବୁ ସତ୍ତ୍ୱେ ତାର ଅସ୍ତିତ୍ୱ ବଜାୟ ରଖି ଚାଲିଛି ଆସିକା ଚିନିକଳ । ଏହାର ଅବସ୍ଥାରେ ସୁଧାର ଆଣିବା ପାଇଁ ପ୍ରୟାସ କରାଯାଉଛି ବୋଲି କାରଖାନା ଅଧିକାରୀ କହିଛନ୍ତି। ବର୍ତ୍ତମାନ କାରଖାନାରେ ୯୪୦ରୁ ଊର୍ଦ୍ଧ୍ୱ ସ୍ଥାୟୀ ଓ ଅସ୍ଥାୟୀ କର୍ମଚାରୀ କାର୍ଯ୍ୟ କରୁଛନ୍ତି । ଚିନିକଳ ଓ ବଟଲିଂ ପ୍ଲାଣ୍ଟ ର (Aska-40) ଆଧୁନିକୀକରଣ ପାଇଁ, ସରକାରୀ ସ୍ତରରେ ଅନୁଦାନ ଯୋଗାଇ ଦିଆଯାଇଛି । ଚିନିକଳର ଉନ୍ନତି ପାଇଁ , ଜାତୀୟ ସମବାୟ ଉନ୍ନୟନ ନିଗମ (NCDC) ପକ୍ଷରୁ ପ୍ରାୟ ୯ କୋଟି ଟଙ୍କାର ଋଣ ଅଣାଯାଇଛି । ଯାହାଫଳରେ ସୁଧ ଓ ଦଣ୍ଡସୁଧ ବାବଦରେ ଏବେ ୨୯ କୋଟି ୯ ଲକ୍ଷ ଟଙ୍କା ଋଣଭାର ରହିଛି କାରଖାନା ମୁଣ୍ଡରେ । ତଥାପି ଆଗାମୀ ଦିନରେ ଏସବୁ ସମସ୍ୟାର ସମାଧାନ କରି କାରଖାନାକୁ ଋଣମୁକ୍ତ କରିବା ପାଇଁ ଉଦ୍ୟମ କରାଯାଉଛି ବୋଲି କହିଛନ୍ତି କାରଖାନାର ସଂପାଦକ।

ଅପରପକ୍ଷେ, ଚିନିକଳର ବ୍ୟବସ୍ଥାକୁ ବାଟବଣା କରିବା ପାଇଁ କିଛି ନକାରାତ୍ମକ କାର୍ଯ୍ୟକଳାପ ସୃଷ୍ଟି କରାଯାଉଥିବା ନେଇ ଅଭିଯୋଗ ଉଠିଛି । ତେବେ ଚିନିକଳର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଯଥାସାଧ୍ୟ ଉଦ୍ୟମ ହେଉଛି । ଆବଶ୍ୟକ ଆର୍ଥିକ ଅନୁଦାନ ଦିଆଯାଇଛି । ଆସନ୍ତା ଦିନରେ ଚିନିକଳ ପୁଣି ଲାଭରେ ଚାଲିବ, ସମସ୍ତଙ୍କର ପ୍ରିୟଭାଜନ ହେବ ଏବଂ ତାର ପୂର୍ବ ଗୌରବ ଫେରି ପାଇବ ବୋଲି ଆଶା ରଖିଛନ୍ତି ସମସ୍ତେ। ସମଗ୍ର ଏସିଆ ମହାଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆସିକା ଚିନିକଳ ବହୁ ଉତ୍ଥାନ ପତ୍ତନ ଦେଇ ଗତି କରିଛି । ଏହାର ଅତୀତ ଗୌରବ ସହ ବର୍ତ୍ତମାନର ସ୍ଥିତିରେ ସୁଧାର ଆଣି ଏହାକୁ ନୂଆ ରୂପ ଦେବାର ପ୍ରୟାସ ଜାରି ରହିଛି।

କୁହାଯାଏ, ଅତି କଷ୍ଟ କରି କିମ୍ବା ବହୁତ ଝାଳ ବୁହାଇ ପରିଶ୍ରମ କଲେ ଯେ କାମରେ ସଫଳତା ମିଳେ ତା ନୁହେଁ, କାମ ଯଦି ବ୍ୟବସ୍ଥିତ ଢଙ୍ଗରେ ହୁଏ ତେବେ ସହଜରେ ସଫଳତା ମିଳିଥାଏ । ତେଣୁ ଆମେ ଆଶା କରୁଛୁ ଏହି ୧୭୦ ବର୍ଷର ଐତିହାସିକ ଚିନି କଳ ତାର ସୁନାମ ବଜାୟ ରଖି ପାରିବ । ତା ସହିତ ଉତ୍ପାଦନ ଏବଂ ନିଯୁକ୍ତି ଦେବାରେ ବି ଆଗରେ ରହିବ । ଏଥିରେ ଆଖୁ ଚାଷ ଓ ଚାଷୀ ଲାଭବାନ ହେବେ। ଇତିହାସ ସୃଷ୍ଟି କରିଥିବା ଅତୀତର ସ୍ମାରକୀ ଏସିଆ ମହାଦେଶର ଏଇ ପ୍ରଥମ ଚିନିକଳ ଭବିଷ୍ୟତ ଯେମିତି ସୁରକ୍ଷିତ ରହିବ ସେଥିପ୍ରତି ଦୃଷ୍ଟି ଦେବା ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଦାୟିତ୍ୱ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.