Below header

ନିର୍ଭୟା ଗଣଦୁଷ୍କର୍ମର ଦୋଷୀଙ୍କୁ ଫାଶୀ ଦେବା ପାଇଁ ମିଳିଗଲା ଘାତକ, ଜାଣନ୍ତୁ ତାଙ୍କ ବିଷୟରେ

ଶେଷରେ ନିର୍ଭୟାକୁ ମିଳିବାକୁ ଯାଉଛି ନ୍ୟାୟ। ନିର୍ଭୟା ଗଣଦୁଷ୍କର୍ମର ଚାରି ଅଭିଯୁକ୍ତକୁ ଚଳିତମାସ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ମିଳିବ ଫାଶୀ। କୋର୍ଟ ଏନେଇ ରାୟ ଦେଇସାରିଲେଣି। ପୂର୍ବରୁ ଏହି ଅଭିଯୁକ୍ତମାନଙ୍କୁ ଫାଶୀ ଦେବାକୁ ଲୋକ ମିଳୁନଥିବା ବେଳେ ବର୍ତ୍ତମାନ ସେ ସମସ୍ୟା ମଧ୍ୟ ଦୂର ହୋଇଛି। ନିର୍ଭୟା ଗଣଦୁଷ୍କର୍ମର ୪ ଦୋଷୀକୁ ଫାଶୀରେ ଝୁଲାଇବା ପାଇଁ ଜହ୍ଲାଦ ବା ଘାତକ ମିଳିସାରିଛି। ପବନ ଏହି କାମ କରିବେ ବୋଲି ଜଣାଯାଇଛି। ତାଙ୍କ ଚାରିପିଢ଼ି ଏହି କାମ କରିଆସୁଛନ୍ତି। ଆସନ୍ତୁ ଜାଣିବା ପବନଙ୍କ ସମ୍ପର୍କରେ…

ପବନ ଉତ୍ତର ପ୍ରଦେଶର ମିରଠ ଜେଲ୍‌ରେ ଘାତକ ଭାବେ କାମ କରୁଛନ୍ତି। ଏଥିପାଇଁ ତାଙ୍କୁ ମାସିକ ବେତନ ମଧ୍ୟ ମିଳୁଛି। ଅନ୍ୟ ସମୟରେ ସେ ସାଇକେଲରେ ପୋଷାକ ବିକ୍ରି କରିଥାନ୍ତି। ଦୁଇତିନି ବର୍ଷ ପୂର୍ବରୁ ନିଠାରୀ ହତ୍ୟାକାଣ୍ଡର ଦୋଷୀ ସୁରେନ୍ଦ୍ର କୋଲିଙ୍କୁ ଫାଶୀ ଦେବା ପାଇଁ ପବନଙ୍କୁ ଚୟନ କରାଯାଇଥିଲା। କିନ୍ତୁ ପରେ ତାଙ୍କୁ ଫାଶୀ ଦଣ୍ଡରୁ ମୁକ୍ତି ମିଳିଥିଲା।

୫୬ ବର୍ଷୀୟ ପବନ କହିଛନ୍ତି ଯେ ଯଦି କେହି ନ୍ୟାୟପାଳିକା ଦ୍ୱାରା ଦଣ୍ଡିତ ହେଉଛି ତେବେ ସେ ସେମିତି କିଛି ଜଘନ୍ୟ କାଣ୍ଡ ନିଶ୍ଚୟ ଘଟାଇଥିବ। ଏଣୁ ସେ କେବଳ ନିଜ କାମ ବା ପେସାକୁ ସଚ୍ଚୋଟତାର ସହ କରୁଛନ୍ତି। କିଶୋରବସ୍ଥାରୁ ସେ ଜହ୍ଲାଦ କାମ କରୁଥିବା କହିଛନ୍ତି। ପ୍ରଥମେ ସେ ନିଜ ଦାଦା କାଳୁ ଜହ୍ଲାଦଙ୍କୁ ସାହାଯ୍ୟ କରୁଥିଲେ। କାଳୁ ଇନ୍ଦିରା ଗାନ୍ଧିଙ୍କ ହତ୍ୟାକାରୀ ସତବନ୍ତ ସିଂହ ଓ କେହରା ସିଂହଙ୍କୁ ଫାଶୀ ଦେବାରେ ସାହାଯ୍ୟ କରିଥିଲେ। କେବଳ ତାଙ୍କୁ ଫାଶୀ ଦେବା ପାଇଁ କାଳୁକୁ ସ୍ୱତନ୍ତ୍ର ଭାବେ ମିରଠ ଡକାଯାଇଥିଲା।

ପବନଙ୍କ କହିବାନୁସାରେ ସେ ବାପା ଓ ଦାଦାଙ୍କଠାରୁ ଫାଶୀ ଦେବା ଟେକ୍ନିକ୍‌ ଶିଖିଛନ୍ତି। ରଶିରେ ଗଣ୍ଠି ପକାଇବା ଶୈଳୀ, କେମିତି ଫାଶୀ ଦେବା ବେଳେ ବେକ ଚାରିପଟେ ସହଜରେ ଦଉଡ଼ିକୁ ରଖିବ, ଦଉଡ଼ିକୁ ବାନ୍ଧିବା ଆଦି କାମ ସେ ବିଧିବଦ୍ଧ ଭାବେ ଶିକ୍ଷା କରିଛନ୍ତି। ଫାଶୀ ଦେବା ପୂର୍ବରୁ କିଛିଦିନ ପର୍ଯ୍ୟନ୍ତ ଟ୍ରାଏଲ କରାଯାଏ। ମଣିଷ ଓଜନର ବାଲିବସ୍ତାକୁ ଏହି କାମରେ ବ୍ୟବହାର କରାଯାଏ। ଫାଶୀ ଦେବା ବେଳେ ଦୋଷୀକୁ ଯେଭଳି କମ୍‌ କଷ୍ଟ ହେବ ସେଥିପାଇଁ ଏସବୁ କାମ କରାଯାଏ।

ତେବେ ନିଜ କାମ ପାଇଁ ଗର୍ବିତ ବୋଲି କହିଛନ୍ତି ପବନ। ସେ କହିଛନ୍ତି ଯେ ଲୋକେ ଜହ୍ଲାଦକୁ ଏକ ଗାଳି ଭାବେ ବ୍ୟବହାର କରିଥାନ୍ତି। କିନ୍ତୁ ଏହା ମୋ ପାଇଁ ଗର୍ବର ବିଷୟ। ଯଦି ଜହ୍ଲାଦ ହେବା ଏତେ ସହଜ ହୋଇଥାନ୍ତା ତେବେ ଦେଶରେ ଅନେକ ଜହ୍ଲାଦ ଥାଆନ୍ତେ।

ଏହାସହ ପଢ଼ନ୍ତୁ: ଆପଣ ସାପିୟୋସେକ୍ସୁଆଲ କି? ଏମିତି ନିଜକୁ ପରଖନ୍ତୁ

ପବନଙ୍କ ପରିବାର ୭ ସଦସ୍ୟ ବିଶିଷ୍ଟ। କିନ୍ତୁ ତାଙ୍କ ପୁଅ ଭବିଷ୍ୟତରେ ଏହି କାମ କରିବ ନାହିଁ ବୋଲି ସେ କହିଛନ୍ତି। ତାଙ୍କ ପୁଅ ଏବେ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଜଣାଯାଇଛି। ତେବେ ଜେଲ୍‌ ପକ୍ଷରୁ ପବନଙ୍କୁ ମାସିକ ମାତ୍ର ୩୦୦୦ ଟଙ୍କା ବେତନ ମିଳୁଛି। ଏଣୁ ତାଙ୍କ ଜୀବନଧାରଣର ମାନ ଏତେଟା ଉନ୍ନତ ନୁହେଁ ବୋଲି ସେ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.