ଆଖିରେ ଅସରାଏ ସ୍ବପ୍ନ କିନ୍ତୁ  ସାଥ ଦେଉନାହିଁ ଭାଗ୍ୟ, ସୁନିତା ଖୋଜୁଛି ସାହାଯ୍ୟର ହାତ

ପ୍ରତି ବାପାମାଆ ନିଜ ପିଲାମାନଙ୍କର ସୁନ୍ଦର ଭବିଷ୍ୟତ ଗଢିବାର ସ୍ୱପ୍ନ ଦେଖିଥାନ୍ତି । କିନ୍ତୁ ଅନେକଙ୍କର ଏହି ସ୍ୱପ୍ନ ପୂରା ହେବା ଆଗରୁ ହିଁ ଅଧୁରା ରହିଯାଏ । ଆଖି ସାମ୍ନାରେ ନିଜ ଝିଅର କଷ୍ଟ ଦେଖି ବାପା ମାଆଙ୍କର ନିଦ ହଜିଯାଇଛି । ଭିନ୍ନକ୍ଷମ ସତ୍ତ୍ୱେ ଝିଅ ଆଖିରେ ପାଠ ପଢି ଆଗକୁ ବଢିବାର ଅନେକ ସ୍ୱପ୍ନ । କିନ୍ତୁ ମନରେ ତାକୁ ପୁରା ନ କରିପାରିବାର ଆଶଙ୍କା । ସମସ୍ତେ ନିରୂପାୟ । କହିବ କାହାକୁ ଶୁଣିବ କିଏ । କିଛି ବୁଝିପାରୁନାହାନ୍ତି । ଝିଅର ଚିକିତ୍ସା କରାଇନପାରି ବାପାମାଆ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ଆସନ୍ତା ବର୍ଷ ସୁନିତାଙ୍କର ମ୍ୟାଟ୍ରିକ ପରୀକ୍ଷା । ପରୀକ୍ଷା କେମିତି ଦେବେ, ସେଇ ଚିନ୍ତା ତାଙ୍କ ମୁଣ୍ଡରେ । କାରଣ ସୁନିତାଙ୍କର ଗୋଟିଏ ଆଖିକୁ ଝାପସା ଦେଖାଯାଉଥିବା ବେଳେ ଆର ଆଖିକୁ ବିଲକୁଲ ଦେଖା ଯାଉନି । ପାଠ କେମିତି ପଢିବେ । ଯାଜପୁର ଜିଲ୍ଲା ବରୀ ବ୍ଳକ୍ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ କନ୍ତିଆ ଗାଁର ଲକ୍ଷ୍ମୀଧର ଜେନାଙ୍କ ଦିବ୍ୟାଙ୍ଗ ଝିଅ ସୁନିତା । ସୁନିତା ଜନ୍ମରୁ ଭିନ୍ନକ୍ଷମ । କୁମ୍ଭୁକା ଗାଁର ହିରଣ୍ମୟୀ ନୋଡାଲ ଉଚ୍ଚ ପ୍ରଥମିକ ବିଦ୍ୟାଳୟରେ ସେ ୯ମ ଶ୍ରେଣୀରେ ପଢନ୍ତି । ସୁନିତାଙ୍କର ଡାହାଣ ଆଖିକୁ କିଛି ଦେଖାଯାଇଉ ନାହିଁ । ଆସ୍ତେ ଆସ୍ତେ ବାମ ଆଖିକୁ ବି ଏବେ ଝାପସା ଦିଶିଲାଣି । ଝିଅର ଏପରି ଅବସ୍ଥା ଦେଖି ବାପା ମାଆ ବ୍ୟସ୍ତ ବିବ୍ରତ ହୋଇପଡିଛନ୍ତି ।

ସୁନିତା ଭିନ୍ନକ୍ଷମ ହୋଇ ଜନ୍ମ ହୋଇଛନ୍ତି ସତ, କିନ୍ତୁ ଅନ୍ୟ ପିଲାମାନଙ୍କ ଭଳି ଖେଳିବା, ବୁଲିବା, ପାଠ ପଢିବା ସହ ସେ ସମସ୍ତ କାମ କରିବାକୁ ତାଙ୍କର ବହୁତ ଇଚ୍ଛା । ଆଖିକୁ ଦେଖା ଯାଉନଥିବାରୁ ସେ ଯନ୍ତ୍ରଣା ଭିତରେ ରହି ପାଠ ପଢୁଛନ୍ତି । ଆଉ ଭଲ ପାଠ ପଢି ବଡ ମଣିଷ ହେବାକୁ ସ୍ୱପ୍ନ ଦେଖୁଥିବା ସୁନିତାଙ୍କ ସବୁ ଆଶା ଏବେ ମୌଳି ଯାଇଛି।

ଆଖିରେ ଆଖିଏ ସ୍ୱପ୍ନ । ପାଠ ପଢି ଆଗକୁ ବଢିବାକୁ । କିନ୍ତୁ ଭାଗ୍ୟ ସାଥ ଦେଉନାହିଁ । ଚିନ୍ତା ଭିତରେ ରହି ମାଟ୍ରିକ ପରୀକ୍ଷା ଦେବାକୁ ମନ ବଳାଉଛନ୍ତି ସୁନିତା । ଯଦି ତାଙ୍କର ଆଖି ଅପରେସନ ହୁଏ ତାହାଲେ ପରୀକ୍ଷା ଦେବା ସହ ଦୁନିଆକୁ ଦେଖି ପାରନ୍ତେ । କିନ୍ତୁ ଏଥିପାଇଁ ଅର୍ଥ ବାଧକ ସାଜିଛି ।

ସୁନିତାଙ୍କ ବାମ ଆଖିକୁ ଅଳ୍ପ ଦେଖାଯାଉଛି । ତେଣୁ ବହିକୁ ପୁରା ଆଖି ପାଖକୁ ନେଇ ସୁନିତା ପାଠ ପଢୁଛନ୍ତି । ଆଗକୁ ବୋର୍ଡ ପରୀକ୍ଷା । କିଛି ଦିନ ହେବ ସୁନିତାଙ୍କର ଡାହାଣ ଆଖିରେ ଯନ୍ତ୍ରଣା ବଢିଯିବାରୁ ବାପାମାଆ ଧାର କରଜ କରି ଡାକ୍ତରଙ୍କୁ ଦେଖାଇଛନ୍ତି । ଡାକ୍ତର ପରାମର୍ଶ ଦେଇଛନ୍ତି ଆଖି ଅପରେସନ କରିବାକୁ ।

ହେଲେ ଟଙ୍କା ଯୋଗାଡ ହୋଇପାରୁନଥିବାରୁ ଆଖି ଅପରେସନ ହୋଇପାରୁନି । ଡାକ୍ତରଙ୍କ କହିବା ଅନୁଯାୟୀ ୬ ମାସ ମଧ୍ୟରେ ସୁନିତାଙ୍କର ଡାହାଣ ଆଖିକୁ ଯଦି ଅପରେସନ କରାନଯାଏ ତେବେ ଆଖିଟି ସମ୍ପୂର୍ଣ୍ଣ ନଷ୍ଟ ହୋଇଯିବ । କିନ୍ତୁ ଅପରେସନ ପାଇଁ ପାଖରେ ଟଙ୍କା ନଥିବାରୁ ଲକ୍ଷ୍ମୀଧର ଓ ତାଙ୍କ ପତ୍ନୀ ମୁଣ୍ଡରେ ହାତ ଦେଇ ବସିଛନ୍ତି ।

୨ ପୁଅ, ଝିଅ ସୁନିତା ଓ ସ୍ତ୍ରୀକୁ ନେଇ ଲକ୍ଷ୍ମୀଧରଙ୍କ ସଂସାର । ଲକ୍ଷ୍ମୀଧର ମୂଲ ପାଇଟି କରି ଯାହା ରୋଜଗାର କରନ୍ତି ସେଥିରେ ତାଙ୍କ ଘରେ ଚୁଲି ଜଳେ । ଝିଅର ଆଗକୁ ଦଶମ ଶ୍ରେଣୀର ପରୀକ୍ଷା । ତେଣୁ ତାର ଆଖିକୁ ଭଲ କରିବା ପାଇଁ ନୟାନ୍ତ ହୋଇ ସାରିଲେଣି ବାପା ଲକ୍ଷ୍ମୀଧର ଓ ମାଆ ଝୁନାରାଣୀ । ଯଦି ଜିଲ୍ଲା ପ୍ରଶାସନ ସୁନିତାଙ୍କ ଅପରେସନ ପାଇଁ ସହଯୋଗର ହାତ ବଢାନ୍ତେ ତେବେ ହୁଏତ, ସବୁଦିନ ପାଇଁ ନିଜ ଆଖିରେ ଦୁନିଆ ଦେଖିବା ସହ ଭବିଷ୍ୟତ ଗଢିପାରନ୍ତେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.