ନିଜ ବାହାଘରକୁ ନିଜେ ବନ୍ଦ କଲେ ସୁପ୍ରଭା, ଜାତୀୟ ସ୍ତରରେ ପାଇଲେ ସମ୍ମାନ

ଫୁଲବାଣୀ/ଦାରିଙ୍ଗବାଡ଼ି (କେନ୍ୟୁଜ୍‌) : ଝିଅ ପରିବାର ଉପରେ ବୋଝ ନୁହେଁ ବରଂ ଦୁହିତା ହିସାବରେ ଦୁଇ କୁଳକୁ ହିତା । ଯୁଗ ଯେତେେ ଆଗେଇଲେ ବି କିଛି ଲୋକଙ୍କ ମାନସିକତା ଏବେବି ବଦଳି ନାହିଁ । ସରକାରଙ୍କ ତରଫରୁ ଅବଶ୍ୟ ବିଭିନ୍ନ ସଚେତନତା କାର୍ଯ୍ୟକ୍ରମ କରାଯାଉଛି । ତେବେ ଏଥିରେ ଦରକାର ହେଉଛି ସାଧାରଣ ଲୋକଙ୍କ ଶତପ୍ରତିଶତ ସହଯୋଗ । ନହେଲେ କାର୍ଯ୍ୟକ୍ରମ ସଫଳ ହେବ କେମିତି ? ତେବେ ଜଣେ ୧୬ ବର୍ଷର ସାହସୀ ଝିଅ ନିଜ ବାହାଘରକୁ ବନ୍ଦ କରି କେବଳ ନିଜ ପାଇଁ ନୁହେଁ ସରକାର ଓ ସବୁ ଝିଅଙ୍କ ପାଇଁ ପ୍ରେରଣା ସାଜିଛନ୍ତି । ଏତେ ଶୀଘ୍ର ବାହା ହେବେନି, ପାଠ ପଢ଼ି ନିଜ ଅଞ୍ଚଳର ବିକାଶ ପାଇଁ କାମ କରିବାକୁ ସ୍ୱପ୍ନ ଦେଖିଥିବା ଏ ଝିଅ ଜଣକ ହେଉଛନ୍ତି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ୍‌ ଜୟଲାମ୍ବା ଗାଁର ସୁପ୍ରଭା ଶୁଭଦର୍ଶିନୀ ।…

ସୁପ୍ରଭାଙ୍କ ବୟସ୧୬ ବର୍ଷ । ଗରିବ ବାପା ମା କନ୍ୟା ବୋଝରୁ ମୁକ୍ତି ପାଇବାକୁ ତାଙ୍କ ବାହାଘର କରିଦେବାକୁ ସ୍ଥିର କଲେ । ସବୁ ଠିକଣା ହେଲା ସିନା ଏଥିରେ ରାଜି ହେଲେନି ସୁପ୍ରଭା । ବିହାଘର ନିଷ୍ପତ୍ତିକୁ ବିରୋଧ କଲେ । କାରଣ ସୁପ୍ରଭାଙ୍କ ମନ ଭିତରେ ଥିଲା ଅନେକ ଉଚ୍ଚ ଆଶା ଓ ଆକାଂକ୍ଷା । ଭଲ ପାଠ ପଢି ଭବିଷ୍ଯତରେ ବଡ଼ ମଣିଷ ହେବେ ଆଉ ନିଜ ଅଞ୍ଚଳର ଉନ୍ନତି କରିବେ । କାରଣ ସେ ଜନ୍ମରୁ ଦେଖି ଆସୁଛନ୍ତି ଏଠାକାର ପରିବେଶ ଓ ପରିସ୍ଥିତି । ଏମିତିକି ଚାକିରି ପାଇଁ ସେ ବାହାର ରାଜ୍ୟକୁ ବି ଯିବେନି ନିଜ ଜିଲ୍ଲାରେ ଚାକିରି କରିବେ ବୋଲି କହିଛନ୍ତି । ଯାହାର ଏଭଳି ବଡ଼ ସ୍ୱପ୍ନ ସେ ବା ବିବାହ କରିବେ କେମିତି ? ଏଇ ଭାବନା ରହିଲା ଝିଅଟିର ମନରେ । ପୁଣି ବିବାହ ବୟସ ବି ହୋଇନି ।

ଘରେ ବିରୋଧ କରିବା ପରେ ପୁଣି ସାହସ ବାନ୍ଧି ନିଜ ଗାଁରେ ଥିବା ଅଙ୍ଗନୱାଡି କର୍ମୀଙ୍କୁ ଦେଖା କଲେ । ତାଙ୍କରି ସହ କଥା ହୋଇ ଚାଇଲ୍ଡ୍‌ ଲାଇନର ସହାୟତା ନମ୍ବର 1098କୁ ଯୋଗାଯୋଗ କରି ସବୁ କଥା ଜଣାଇଥିଲେ । ସୁପ୍ରଭାଙ୍କ ଠାରୁ ଖବର ପାଇ ତୁରନ୍ତ ଫିରିଙ୍ଗିଆ ଚାଇଲ୍ଡ୍‌ ଲାଇନ୍‌, ଆକ୍ସନ୍‌ଏଡ୍‌, ୟୁନିସେଫ୍‌ ଏବଂ ସ୍ଥାନୀୟ ପୋଲିସ୍‌ ତାଙ୍କ ଘରେ ପହଞ୍ଚିଥିଲେ । ଆଉ ପରିବାର ଲୋକଙ୍କୁ ବୁଝାସୁଝା କରି ସୁପ୍ରଭାଙ୍କ ବିବାହ ବନ୍ଦ କରିଥିଲେ ।

ଖାଲି ସେତିକି ନୁହେଁ, ଜିଲ୍ଲା ପ୍ରଶାସନ ସହାୟତରେ ସୁପ୍ରଭାଙ୍କୁ ଆଗକୁ ପଢ଼ିବାର ସୁଯୋଗ ଦିଆଯାଇଛି । ତାଙ୍କ ସହମତିରେ ଦାରିଙ୍ଗବାଡି ସ୍ଥିତ ଆଇଟିଆଇରେ ଇଲେକଟ୍ରିିସିଆନ୍‌ ଟ୍ରେଡ୍‌ରେ ନାମ ଲେଖା ଯାଇଛି । ସୁପ୍ରଭାଙ୍କ ସାହସିକତା ଖବର କେନ୍ଦ୍ର ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଇରାନୀଙ୍କ ପାଖରେ ପହଞ୍ଚି ଥିଲା । ଗତ ୧୧ ତାରଖ ଦିନ ଦିଲ୍ଲୀ ଠାରେ ଆୟୋଜିତ ଆନ୍ତର୍ଜାତିକ କନ୍ୟା ଦିବସ ଅବସରରେ ଯୋଗ ଦେବା ପାଇଁ ସୁପ୍ରଭାଙ୍କୁ ନିମନ୍ତ୍ରଣ କରାଯାଇଥିଲା । ତେଣୁ ସେ ଆକ୍ସନ୍‌ଏଡ୍‌ର ସଂଯୋଜିକା ସଂଧ୍ୟାରାଣୀ ନାୟକଙ୍କ ସହିତ ବିମାନରେ ଦିଲ୍ଲୀ ଯାଇଥିଲେ । ଆଉ ସେଠାରେ ନିଜର କାହାଣୀ କହିଥିଲେ ସମସ୍ତଙ୍କ ଆଗରେ ।

ସୁପ୍ରଭାଙ୍କ ଏଭଳି ସାହସିକ କାମକୁ ସବୁଠି ପ୍ରଶଂସା କରାଯାଉଛି । ଏହା ସହିତ ତାଙ୍କ ପାଇଁ ମାଗଣାରେ ପାଠ ପଢିବାର ସମସ୍ତ ବ୍ଯବସ୍ଥା କରାଯିବ ବୋଲି ଦାରିଙ୍ଗବାଡି ଆଟିଆଇର ଅଧ୍ୟକ୍ଷ ପ୍ରଦୀପ କୁମାର ସାହୁ କହିଛନ୍ତି ।
‘ବାଲ୍ଯ ବିବାହକୁ ନା ସ୍କୁଲ୍‌ ଯିବାକୁ ହଁ‘ା ଇଏ ହେଉଛି ସରକାରଙ୍କ କାର୍ଯ୍ୟକ୍ରମ ଝିଅମାନଙ୍କୁ ଆଗକୁ ବଢ଼ାଇବା ଓ ପଢ଼ାଇବା ପାଇଁ । ଯାହା କରି ଦେଖାଇଛନ୍ତି ଉପାନ୍ତ ଅଞ୍ଚଳର ଏହି ଝିଅ ସୁପ୍ରଭା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.