ଭାରତରେ ଚିହ୍ନଟ ହେଲା ଓମିକ୍ରନ୍‌ ସବ୍‌-ଭାରିଆଣ୍ଟ BQ.1ର ପ୍ରଥମ ମାମଲା; ବୈଜ୍ଞାନିକ ଜାରି କଲେ ଚେତାବନୀ, ଦୀପାବଳିରେ ବଢ଼ିପାରେ କରୋନା

ଗୋଟିଏ ପଟେ ଭାରତରେ ଉତ୍ସବ ଋତୁ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ୟପଟେ କରୋନାର ନୂଆ ଭାରିଆଣ୍ଟର ସବ୍‌-ଭାରିଆଣ୍ଟ ଦେଶରେ ଚିହ୍ନଟ ହୋଇଛି। ମହାରାଷ୍ଟ୍ରର ପୁଣେରେ ଓମିକ୍ରନର ସବ୍‌-ଭାରିଆଣ୍ଟ ଅର୍ଥାତ୍‌ BQ.1ର ପ୍ରଥମ ମାମଲା ମିଳିଛି। BQ.1 ହେଉଛି ଓମିକ୍ରନ BA.5ର ବଂଶଜ, ଯାହାକି, ବର୍ତ୍ତମାନ ଆମେରିକାରେ କୋଭିଡ୍‌ ମାମଲାକୁ ଦ୍ରୁତ ଗତିରେ ବଢ଼ାଉଛି। ଆମେରିକାର ୬୦ ପ୍ରତିଶତ କୋଭିଡ ମାମଲାରେ ଏହା ଦେଖିବାକୁ ମିଳିଛି।

ବୈଜ୍ଞାନିକ ମାନେ କହିଛନ୍ତି ଯେ ଉଭୟ BQ.1 ଏବଂ BF.7ରେ ମ୍ୟୁଟେସନ ହୋଇଥାଏ। BA.5 ଏବଂ ଏହାର ଉପ-ବଂଶ ବର୍ତ୍ତମାନ ଭାରତରେ ୫ ପ୍ରତିଶତରୁ କମ୍‌ କୋଭିଡ୍‌ ମାମଲା ପାଇଁ ଦାୟୀ। ବୈଜ୍ଞାନିକ ମାନେ କହିଛନ୍ତି, ପୁଣେର ନମୁନାରେ BQ.1ର ଚିହ୍ନଟ ଅକ୍ଟୋବରରେ ନିଆଯାଇଥିବା ନମୁନା ଗୁଡ଼ିକ ମଧ୍ୟରୁ ହୋଇଛି। ଦେଶର ଜିନୋମ ସର୍ଭିଲାନ୍ସ ନେଟୱାର୍କ ସହ ଜଡିତ ଜଣେ ବରିଷ୍ଠ ବୈଜ୍ଞାନିକ ନିଶ୍ଚିତ କରିଛନ୍ତି ଯେ ଭାରତରେ BQ.1ର ଏହା ହେଉଛି ପ୍ରଥମ ମାମଲା।

ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (NIV)ର ଜଣେ ବୈଜ୍ଞାନିକ କହିଛନ୍ତି, ‘ଏ ସବୁ ଆଗାମୀ ପିଢ଼ିର ଷ୍ଟ୍ରେନ୍‌ କିମ୍ବା କରୋନାର ଓମିକ୍ରନ୍ ଭାରିଆଣ୍ଟର ସନ୍ତାନ। ଚଳିତ ବର୍ଷ ଜାନୁଆରୀରେ ଓମିକ୍ରନ ଆସିବା ପରେ କରୋନାର କୌଣସି ନୂଆ ଭାରିଆଣ୍ଟକୁ ଏ ପର୍ଯ୍ୟନ୍ତ ଦେଖା ଯାଇ ନ ଥିଲା। ତଥାପି ସବ୍‌-ଭାରିଆଣ୍ଟ ଗୁଡ଼ିକରେ ବି ମାମଲା ବୃଦ୍ଧିର କ୍ଷମତା ରହିଛି। ଏଥିପାଇଁ ସେଗୁଡ଼ିକୁ ଅଣଦେଖା କରାଯିବା ଉଚିତ୍ ନୁହେଁ।

ମିଡିଆ ରିପୋର୍ଟ ଅନୁଯାୟୀ, ଓମିକ୍ରନର ସବ୍-ଭାରିଆଣ୍ଟସ୍ BQ.1 ଏବଂ BF.7କୁ ନେଇ ବିଶେଷଜ୍ଞ ମାନେ ଚେତାବନୀ ଦେଇଛନ୍ତି। ଦୀପାବଳି ପର୍ଯ୍ୟନ୍ତ କରୋନା ମାମଲାରେ ବୃଦ୍ଧି ଦେଖିବାକୁ ମିଳି ପାରେ। ବିଶେଷଜ୍ଞଙ୍କ କହିବା ହେଲା, ଆଗାମୀ କିଛି ଦିନ ବହୁତ ଗୁରୁତ୍ୱପୂର୍ଣ୍ଣ ହେବାକୁ ଯାଉଛି, କାହିଁକି ନା, ଦୀପାବଳି ଯୋଗୁ ବଜାର ଭିଡ଼ ରହିବ ଏବଂ ଭାରିଆଣ୍ଟ ଅଧିକ ବିସ୍ତାର ହେବାର ସମ୍ଭାବନା ଦେଖାଯିବ। ମହାରାଷ୍ଟ୍ରରେ ଏବେ ଏହାକୁ ନେଇ ଆଲର୍ଟ ଜାରି କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.