ପାକିସ୍ତାନରେ ବି ତିଆରି ହେଲା ତାଜମହଲ ! ବହୁତ ଦୁଃଖଦ ଏହି ପ୍ରେମ କାହାଣୀ

ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଆଗ୍ରାର ତାଜମହଲ ଅନ୍ୟତମ। ପ୍ରେମର ସନ୍ତକ ରୂପେ ଏହା ସାରା ବିଶ୍ୱରେ ଖ୍ୟାତି ଅର୍ଜନ କରିଛି। ପତ୍ନୀ ମମ୍‌ତାଜଙ୍କ ସ୍ମୃତି ଉଦ୍ଦେଶ୍ୟରେ ଶାହାଜାହାନ ତିଆରି କରିଥିବା ଏହି ତାଜମହଲ ଶହ ଶହ ବର୍ଷ ଧରି ପ୍ରେମୀଯୁଗଳଙ୍କ ପାଇଁ ବଡ଼ ଉଦାହରଣ ପାଲଟିଛି। ଏହାର କାରୁକାର୍ଯ୍ୟ, ନିର୍ମାଣ ଶୈଳୀ ଏତେ ଉଚ୍ଚକୋଟିର ଯେ ଯିଏ ଦେଖେ ଯିଏ ଆଶ୍ଚର୍ଯ୍ୟ ହୋଇଯାଏ। ଏବେ ପାକିସ୍ତାନରେ ମଧ୍ୟ ଜଣେ ବ୍ୟକ୍ତି ନିଜ ସ୍ତ୍ରୀଙ୍କ ପ୍ରେମରେ ଏମିତି ହିଁ କିଛି କମାଲ କରି ଦେଖାଇଛନ୍ତି। ସିନ୍ଧ ଉମରକୋଟରେ ବ୍ୟକ୍ତି ଜଣକ ସ୍ତ୍ରୀଙ୍କ ସ୍ମୃତିରେ ଏକ ତାଜମହଲ ଗଢ଼ିଛନ୍ତି।

ତାଙ୍କ ନାଁ ଅବଦୁର ରସୁଲ, ଯିଏ ନିଜ ସ୍ତ୍ରୀଙ୍କୁ ଜୀବନଠୁ ବଳି ଭଲ ପାଉଥିଲେ। କିନ୍ତୁ ଦୁଃଖଦ କଥା, ସ୍ତ୍ରୀ ତାଙ୍କୁ ଛାଡ଼ି ସବୁଦିନ ପାଇଁ ଆରପାରିକୁ ଚାଲିଗଲେ। ଆଉ ଏପଟେ ଅବଦୁର ସ୍ତ୍ରୀଙ୍କ ମୃତ୍ୟୁ ପରେ ତିଆରି କଲେ ତାଜମହଲ। ଅବଦୁରଙ୍କ କହିବା ହେଲା, ଆପଣଙ୍କ ପ୍ରେମ ଆପେ ହିଁ ହୃଦୟ ଭିତରକୁ ଚାଲିଆସିଥାଏ। ଆପଣଙ୍କୁ କିଛି କରିବାକୁ ପଡ଼ି ନ ଥାଏ। ଆଉ ଏଥିପାଇଁ ହିଁ ପ୍ରେମର ଚିହ୍ନ ହେଉଛି ତାଜମହଲ। ସେ କୁହନ୍ତି, ତାଙ୍କ ସ୍ତ୍ରୀଙ୍କ ନାମ ମରିୟମ ଥିଲା। ଦୁଇଜଣ ପ୍ରସ୍ତାବିତ ବିବାହ କରିଥିଲେ। ଜଣେ ଜଣଙ୍କର ସମ୍ପର୍କୀୟ ଥିଲେ। ବିବାହ ସମୟରେ ମରିୟମଙ୍କ ବୟସ ମାତ୍ର ୧୮ ବର୍ଷ ଥିବା ବେଳେ ତାଙ୍କ ବୟସ ପାଖାପାଖି ୪୦ ଥିଲା।

ଦୁଇଜଣଙ୍କ ବୟସରେ ଦୁଇଗୁଣା ଫରକ୍‌ ଥିବା ସତ୍ତ୍ୱେ ସେମାନଙ୍କୁ ଏହା କେବେ ଅନୁଭବ ହୋଇ ନ ଥିଲା। ଦୁଇଜଣ ପରସ୍ପରକୁ ଅତି ଭଲ ପାଉଥିଲେ ଏବଂ ପାଖାପାଖି ୪୦ ବର୍ଷ ଏକାଠି ରହିଥିଲେ। ଏହାରି ଭିତରେ ଅବଦୁର ଦୁଇଥର ଭାରତ ଆସି ତାଜମହଲ ବୁଲିକି ଯାଇଥିଲେ। ତାଙ୍କ କହିବା ଅନୁଯାୟୀ, ଯେବେ ସେ ପାକିସ୍ତାନ ଫେରିଥିଲେ ତ ସେ ଏକ ସ୍ୱପ୍ନ ଦେଖିଥିଲେ ଯେ ତାଙ୍କ କବ୍ରିସ୍ତାନରେ ତାଜମହଲ ତିଆରି ହୋଇଛି। କିନ୍ତୁ ସ୍ତ୍ରୀ ତାଙ୍କୁ ବୁଝାଇ ଦେଇ କହିଥିଲେ,ଏହା ଏକ ସ୍ୱପ୍ନ, ଏମିତି ସ୍ୱପ୍ନ ଅନେକ ସମୟରେ ଆସିଥାଏ। କାହିଁକି ନା, ତୁମେ ନିକଟରେ ହିନ୍ଦୁସ୍ତାନରେ ତାଜମହଲ ଦେଖି ଆସିଛ।

୨୦୧୫ରେ ଅବଦୁରଙ୍କ ଜୀବନରେ ମାଡ଼ି ଆସିଥିଲା କଳା ବାଦଲ। ସ୍ତ୍ରୀ ହଠାତ୍‌ ବେହୋଶ୍‌ ହୋଇପଡ଼ିଥିଲେ। ହସ୍ପିଟାଲ ଯିବା ପରେ ଡାକ୍ତର କହିଥିଲେ ଯେ ତାଙ୍କୁ ଷ୍ଟ୍ରୋକ୍‌ ଆସିଛି। ଏଭଳି ସମୟରେ ସ୍ତ୍ରୀଙ୍କ ପାଖରେ ଅବଦୁର ଦିନରାତି ଛିଡ଼ା ହୋଇ ରହୁଥିଲେ। ତାଙ୍କ ଦେଖାଶୁଣାରେ କୌଣସି ଅଭାବ ରଖି ନ ଥିଲେ। ଦିନେ ସକାଳୁ ଉଠି ଦେଖିଲା ବେଳକୁ ସ୍ତ୍ରୀ ଆଉ ନାହାନ୍ତି। ସବୁଦିନ ପାଇଁ ଏହି ଦୁନିଆ ଛାଡ଼ି ଚାଲିଯାଇଛନ୍ତି। ବାସ୍‌, ସେହିଦିନଠାରୁ ଅବଦୁର ଏକୁଟିଆ ହୋଇଯାଇଥିଲେ। ହୃଦୟରେ ସ୍ତ୍ରୀଙ୍କ ପ୍ରେମକୁ ସମ୍ଭାଳି ତାଙ୍କ ସ୍ମୃତିରେ ତିଆରି କରିଥିଲେ ଏହି ସୁନ୍ଦର ତାଜମହଲ। ଏ ନେଇ ଅବଦୁର କୁହନ୍ତି, ଏହି ତାଜମହଲକୁ ତିଆରି କରିବାରେ ୧୨ରୁ ୧୩ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଯେତେବେଳେ ତାଙ୍କ ପାଖକୁ ପଇସା ଆସୁଥିଲା, ସେହି ସମୟରେ ସେ କାମ କରୁଥିଲେ। ତେବେ ଆଧୁନିକ ଯୁଗର ଶାହଜାହାନ ବୋଲାଉଥିବା ଅବଦୁରଙ୍କ ଏହି ତାଜମହଲ ଦେଖିବା ପାଇଁ ଦୂର ଦୂରାନ୍ତରୁ ଲୋକେ ଏଠାକୁ ଆସିଥାଆନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.