କାହିଁକି ଏବେ ଯାଏଁ ଥାନାରେ ଲଗାଯାଇନି ସିସିଟିଭି? କେନ୍ଦ୍ର ସରକାରଙ୍କ ଉପରେ ଭୀଷଣ ଅସନ୍ତୁଷ୍ଟ ହେଲେ ସୁପ୍ରିମ୍‌କୋର୍ଟ

କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ), ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଓ ଜାତୀୟ ତଦନ୍ତ ଏଜେନ୍ସି(ଏନ୍‌ଆଇଏ) ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥାର କାର୍ଯ୍ୟାଳୟରେ ସିସିଟିଭି କ୍ୟାମେରା ଲଗାଇବା ମାମଲାରେ କେନ୍ଦ୍ର ସରକାରଙ୍କ ପଛଘୁଞ୍ଚା ଉପରେ ସୁପ୍ରିମ୍‌କୋର୍ଟ ମଙ୍ଗଳବାର ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହି ମାମଲାକୁ ନାଗରିକ ଅଧିକାର ସହ ଜଡ଼ିତ ବୋଲି କହି ସୁପ୍ରିମ୍‌କୋର୍ଟ କହିଛନ୍ତି, କେନ୍ଦ୍ର ସରକାରଙ୍କ ବାହାନା ଆଦୌ ଗ୍ରହଣୀୟ ନୁହେଁ। ପ୍ରକାଶ ଯେ ସିସିଟିଭି ଲଗାଇବା ମାମଲାକୁ ସ୍ଥଗିତ ରଖିବାକୁ କେନ୍ଦ୍ର ପକ୍ଷରୁ ସୁପ୍ରିମ୍‌କୋର୍ଟରେ ଆବେଦନ କରାଯାଇଥିଲା।

ଜଷ୍ଟିସ୍‌ ଆରଏଫ୍‌ ନରୀମନ୍‌, ଜଷ୍ଟିସ୍‌ ବିଆର ଗବଇ ଓ ଜଷ୍ଟିସ୍‌ ହୃଷିକେଶ ରାହଙ୍କ ଖଣ୍ଡପୀଠରେ କେନ୍ଦ୍ର ତରଫରୁ ଆବେଦନ କରିଥିବା ସାଲାସିଟର ଜେନେରାଲ ତୁଷାର ମେହେତାଙ୍କୁ କହିଥିଲେ, ‘ଆମକୁ ଲାଗୁଛି ଯେ ଆପଣ ପଛଘୁଞ୍ଚା ଦେଉଛନ୍ତି’।

ମଙ୍ଗଳବାର ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଶୁଣାଣି ବେଳେ ମେହେତା ଖଣ୍ଡପୀଠକୁ କହିଥିଲେ ଯେ ନିର୍ଦ୍ଦେଶକୁ ସ୍ଥଗିତ ରଖିବାକୁ ଆବେଦନ କରିବାର ବିଭିନ୍ନ କାରଣ ରହିଛି। ଏହାର ଜବାବରେ ଖଣ୍ଡପୀଠ ତରଫରୁ କୁହାଯାଇଥିଲା ଯେ ଏହି ମାମଲା ନାଗରିକଙ୍କ ଅଧିକାର ସହ ଜଡ଼ିତ। ଆମେ କୌଣସି ବାହାନାକୁ ସ୍ୱୀକାର କରିବୁ ନାହିଁ। ଆମେ ଏହାର ପ୍ରଭାବ ପାଇଁ ବି ଚିନ୍ତିତ ନୁହେଁ।

ସୂଚନାଯୋଗ୍ୟ, ଗତବର୍ଷ ୨ ଡିସେମ୍ବରରେ ସର୍ବୋଚ୍ଚ ନ୍ୟାୟାଳୟ ସିବିଆଇ, ଏନ୍‌ଆଇଏ, ଇଡି, ଏନ୍‌ସିବି, ଡିଆଇଆଇ, ଏସ୍‌ଏଫ୍‌ଆଇଓ ସମେତ ସମସ୍ତ ତଦନ୍ତ ଏଜେନ୍ସିଙ୍କ କାର୍ଯ୍ୟାଳୟରେ ସିସିଟିଭି ଓ ରେକର୍ଡିଂ ଉପକରଣ ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲେ।

You might also like