ଝିଅକୁ ବଡ କରିବା ପାଇଁ ୩୦ ବର୍ଷ ଧରି ପୁରୁଷ ବେଶରେ ବଞ୍ଚିଆସୁଛନ୍ତି ମହିଳା, ବିବାହର ୧୫ ଦିନରେ ଚାଲିଗଲେ ସ୍ୱାମୀ

ମାଆ ସର୍ବଂସହା । ଦେଖିବାକୁ ହୁଏତ ଅଳ୍ପ କେଇଫୁଟର ନରମା ମଣିଷଟିଏ ହେଲେ ତା ଭିତରେ ଏତେ ଶକ୍ତି ଭରି ରହିଛି ଯେ ତାକୁ ସର୍ବଶକ୍ତିମାନ କହିଲେ କିଛଇ ଭୁଲ ହେବ ନାହିଁ । । ପିଲାଙ୍କ ସୁରକ୍ଷା ପାଇଁ ସେ କେତେବେଳେ ଦୁର୍ଗା ତ ପୁଣି କେତେବେଳେ କାଳୀ ରୂପ ଧାରଣ କରିନିଏ। ପିଲାଙ୍କ ଖୁସି ପାଇଁ ସେ ମୁଣ୍ଡାଇ ପାରେ ପର୍ବତ ପରି ସମସ୍ୟା। ମାଆ ଶକ୍ତିର ଆକଳନା କରିବା ଅସମ୍ଭବ। ପୁଅ ଝିଅ ବୁଝନ୍ତୁ କି ନ ବୁଝନ୍ତୁ ତାଙ୍କୁ ମଣିଷ କରିବା ପାଇଁ ବାପା ମାଆ କେତେ ଯେ କଷ୍ଟ କରିଥାନ୍ତି ସେଇଟା କେବଳ ସେମାନଙ୍କୁ ହିଁ ଜଣାଥାଏ। ଗୋଟେ ପିଲାକୁ ଜନ୍ମ ଦେଇ ଛୋଟରୁ ବଡ କରି ସମାଜ ସହ ଖାପ ଖୁଆଇ ମଣିଷ କାରିବାକୁ ବାପା ମାଆ କେତେ କଣ ଦୁଃଖକଷ୍ଟର ସାମ୍ନା କରିଥାନ୍ତି ତାହା ଯିଏ ଅଙ୍ଗେ ନିଭାଇଥାଏ ସେ ହିଁ ଜାଣେ। ଆମେ ଏତେ ସବୁ କହିବାର କାରଣ ହେଉଛନ୍ତି ଜଣେ ମା । ଯାହାଙ୍କ କାହାଣୀ ଆଉ ବାସ୍ତବ ସଂଘର୍ଷ ଏବେ ସମସ୍ତଙ୍କୁ ଚକିତ କରିଛି । କାରଣ ସେ ମହିଳା ଜଣକ କରିଛନ୍ତି କିଛି ଅବିଶ୍ବସନୀୟ କାମ । ତାହା ପୁଣି ନିଜ ପିଲା ପାଇଁ । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପିଲାର ଲାଳନ ପାଳନ ପାଇଁ ସେ ୩୬ ବର୍ଷ ଧରି ଛଦ୍ମ ବେଶରେ ରହିଛନ୍ତି। ମହିଳା ହୋଇ ମଧ୍ୟ ପୁରୁଷ ବେଶ ଧାରଣ କରିଛନ୍ତି ଏହି ମାଆ।

ତାମିଲନାଡୁ ଥୁତୁକୁଡ଼ିର ଏହି ଘଟଣା। କାଟୁନାୟକ୍କାନପଟ୍ଟି ଗାଁର ପେଚିୟାମ୍ମଲ ବିବାହର ୧୫ ଦିନ ପରେ ହୃଦଘାତରେ ସ୍ବାମୀଙ୍କୁ ହରାଇଲେ। ସେତେବେଳେ ତାଙ୍କୁ ମାତ୍ର ୨୦ ବର୍ଷ ବୟସ । ଏହାପରେ ସମ୍ପୂର୍ଣ୍ଣ ଏକା ହୋଇଗଲେ ସେ । ପରେ ଝିଅଟି ଜନ୍ମ ନେଲା । ତାକୁ ବଡ଼ କରିବା ପାଇଁ ସେ ପରଘରେ କାମ କଲେ । ହେଲେ ଜଣେ ମହିଳା ହୋଇଥିବାରୁ ତାଙ୍କୁ ଶାରୀରିକ ଶୋଷଣର ଶିକାର ହେବାକୁ ପଡ଼ିଲା । ସବୁବେଳେ ଅନ୍ୟମାନଙ୍କର ଖରାପ ନଜରର ଶିକାର ହେଲେ। ଅବଳା ଦୁର୍ବଳା ଭାବି ତାଙ୍କୁ କାର୍ଯ୍ୟକ୍ଷେତ୍ରରେ ହଇରାଣ ହରକତ ବି କରାଯାଉଥିଲା। ଏସବୁ ପରେ ବି ସେ ଦ୍ବିତୀୟ ବିବାହ କଲେ ନାହିଁ । ସ୍ୱାମୀଙ୍କ ସ୍ମୃତି ସ୍ୱରୂପ ନିଜର ଏକମାତ୍ର ସନ୍ତାନକୁ ଲାଳନ ପାଳନ କରିବାର ଦୃଢ଼ ନିଷ୍ପତ୍ତି ନେଲେ ପେଚିୟାମ୍ମଲ । ଆଉ ଭଲ ବୁଦ୍ଧିଟିଏ ବାହାର କରି ନିଜକୁ ପୁରୁଷ ବେଶରେ ସଜାଇଲେ । ନିଜ ନାଁକୁ ବଦଳାଇ ପେଚିୟାମ୍ମଲରୁ ରଖିଲେ ମୁଥୁ। କାରଣ ସେ ଜାଣିଗଲେ କି ଏ ପୁରୁଷ ପ୍ରଧାନ ସମାଜରେ ଏକାକିନୀ ଜଣେ ଗରିବ ମହିଳା ନିଜକୁ ସୁରକ୍ଷିତ ରଖି ବଞ୍ଚିବା ଭାରି କଷ୍ଟକର ।
ମହିଳାରୁ ପୁରୁଷ ହେବା କିଛି ସହଜ କଥା ନଥିଲା । ଉଭୟ ମାନସିକ ଓ ଶାରୀରିକ ଭାବେ ନିଜକୁ ପ୍ରସ୍ତୁତ କଲେ ସେ । ପ୍ରଥମେ ନିଜର ଚୁଟି କାଟି ଛୋଟ କରିଦେଲେ। ଶାଢ଼ି ବଦଳରେ ପୁରୁଷଙ୍କ ପରି ଲୁଙ୍ଗି ଓ ଜାମା ପିନ୍ଧିଲେ। ଗତ ତିନି ଦଶନ୍ଧି ଧରି ମୁଥୁ ବେଶରେ ସେ ଚେନ୍ନାଇ ଓ ଥୁତୁକୁଡ଼ିରେ ବିଭିନ୍ନ ଚା ଦୋକାନ ଓ ହୋଟେଲ ଆଦି ସମେତ ବିଭିନ୍ନ କମ୍ପାନୀ ଏବଂ ଦୋକାନରେ ବି କାମ କଲେ। ତାହା ପୁଣି ପୁରୁଷ ବେଶରେ। ସେଇଥିରେ ପେଟ ପୋଷିଲେ ଆଉ ପିଲାକୁ ବଡ଼ କଲେ । ସେ ନିଜକୁ ଏମିତି ସଜାଇ ରଖିଲେ ଯେ ବିଲକୁଲ ବି ଲାଗୁନଥିଲେ ଜଣେ ମହିଳା ବୋଲି। ଫଳରେ ସେ ଶାରୀରିକ ଶୋଷଣରୁ ବର୍ତ୍ତି ପାରିଲେ । ସହକର୍ମୀମାନେ ତାଙ୍କୁ ମୁଥୁ ମାଷ୍ଟର ବୋଲି ଡାକନ୍ତି। ଭୋଟର ଆଇଡି, ଆଧାର କାର୍ଡ ଏବଂ ପାନ୍ କାର୍ଡରେ ମଧ୍ୟ ସେ ଏହି ନାଁ ରଖିଲେ ‘ମୁଥୁ’।

ପ୍ରଥମେ ପ୍ରଥମେ ଏଭଳି ନିଷ୍ପତ୍ତି ମୁଥୁଙ୍କୁ ନାନା ସମସ୍ୟାରେ ପକାଇଲା। କିନ୍ତୁ ସେ ପଛଘୁଞ୍ଚା ଦେଇ ନଥିଲେ। ଏହି ପରିଚୟ ପାଇଁ ପେଚିୟାମ୍ମଲ ବସ୍‌୍ର ପୁରୁଷ ସିଟ୍‌୍‌ରେ ବସୁଥିଲେ। ପୁରୁଷ ଶୌଚାଳୟ ବ୍ୟବହାର କରୁଥିଲେ। ମହିଳାମାନଙ୍କ ପାଇଁ ସରକାର ରାଜ୍ୟରେ ମାଗଣା ବସ୍ ଯାତ୍ରା ବ୍ୟବସ୍ଥା କରିଥିଲେ । ହେଲେ ନିଜକୁ ପୁରୁଷ ବୋଲି ପରିଚୟ ଦେବା ପାଇଁ ସେ ବସ ଭଡା ଦେଇ ପୁରୁଷଙ୍କ ସିଟ୍‌ରେ ବସି ଯାତ୍ରା କରୁଥିଲେ। ପେଚିୟାମ୍ମଲଙ୍କୁ ଏବେ ୫୭ ବର୍ଷ। ତାଙ୍କ ଏକମାତ୍ର ଝିଅ ସନମୁଗ ସୁନ୍ଦରୀକୁ ବାହା କରି ସାରିଛି। ତାଙ୍କର ଲକ୍ଷ୍ୟ ଓ ଆଶା ପୂରଣ ହୋଇଛି । ଦାୟିତ୍ବ ମଧ୍ୟ ଶେଷ ହୋଇଛି ବୋଲି କୁହନ୍ତି। ଆଉ ଏବେ ଖୋଲିଛନ୍ତି ଏହି ବଡ଼ ରହସ୍ୟ । କିନ୍ତୁ ଏବେ ବି ସେ ନିଜର ମୁଥୁ ନାମକୁ ଆଉ ବଦଳାଇବାକୁ ଚାହୁ ନାହାନ୍ତି। ସେ ମୃତ୍ୟୁ ପର୍ଯ୍ୟନ୍ତ ଏଇ ପରିଚୟରେ ରହିବେ ବୋଲି କହିଛନ୍ତି। ଅବଶ୍ୟ ତାଙ୍କ ଝିଅ ଏବଂ କିଛି ଅତି ନିକଟ ସମ୍ପର୍କୀୟ ହିଁ ତାଙ୍କ ବିଷୟରେ ସତ କଥାଟି ଜାଣିଥିଲେ । ଝିଅ କହିଛି, ମୋ ପାଇଁ ମୋ ମା ସାରା ଜୀବନକୁ ଜାଳି ଦେଲା । ତାକୁ ସରକାର କିଛି ଭତ୍ତା ଦେବା ଉଚିତ ।
ସତରେ ଜୀବନ କେତେ କଷ୍ଟଦାୟକ, ତାଠାରୁ ଆହୁରି କଷ୍ଟଦାୟକ ଜୀବନରେ ବଞ୍ଚିବା ପାଇଁ ପ୍ରତ୍ୟେକ ମୁହୂର୍ତ୍ତ ଅଭିନୟ କରିବା। ଏସବୁ କେବଳ ଜଣେ ମାଆ ହିଁ କରି ପାରେ। କିନ୍ତୁ ଏହି କଷ୍ଟ ଆଉ ତ୍ୟାଗକୁ କଣ ବୁଝୁଛନ୍ତି ଆଜିର ପୁଅଝିଅ? ଆଧୁନିକତା ଏବଂ ସ୍ୱାର୍ଥପରତା ପାଇଁ ଭୁଲି ଯାଉଛନ୍ତି ନିଜ ମାଆ ବାପାଙ୍କୁ। ବୃଦ୍ଧ ଅବସ୍ଥାରେ ସନ୍ତାନ ସାହାରା ହେବେ କଣ ଘରୁ ତଡି ଦେଉଛନ୍ତି। କେଉଁଠି ପୁଅ ନେଇ ମାଆକୁ ରାସ୍ତାରେ ଛାଡି ଦେଇ ଆସୁଛି ତ ଆଉ କେତେବେଳେ ଝିଅ ସମ୍ପତ୍ତି ପାଇଁ ମାଆକୁ ତଳେ ଘୋଷାରି ମାଡ ମାରୁଛି। ଆଉ କେଉଁଠି ପୁଅ ହାତରେ ଯାଉଛି ଜନ୍ମକଲା ମା’ର ଜୀବନ । … ବୁଝି ହେଉନି, କେବେ ସୁଧୁରିବେ ଏମାନେ? କେବେ ବୁଝିବେ ଯେ ଦୁନିଆରେ ସବୁକିଛି ମିଳିବ କିନ୍ତୁ ବାପା ମାଆ ମିଳିବେ ନାହିଁ । ଯାହାଙ୍କୁ ଟଙ୍କାରେ ବି କିଣି ହେବନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.