ଚିତି : ସାପ ଛୋଟ ହେଲେ, ବିଷ ବଡ଼

ଭୁବନେଶ୍ୱର (କେନ୍ୟୁଜ୍‌ ସ୍ପେସାଲ ଡେସ୍କ) : ସାପ ନାଁ ଧରିଲେ ଲୋକଙ୍କର ହୃତ୍‌କମ୍ପ ହୁଏ । ତେବେ ସାପ ବିଷୟରେ ଅଜ୍ଞତା ଏବଂ ଏହାର ଶାରୀରିକ ଗଠନ ହିଁ ଆମକୁ ଭୟଭୀତ କରେ । ଯଦି ସାପ ବିଷୟରେ ଆମେ ଭଲ ଭାବେ ଜାଣିଥିବା ତେବେ ସାପକୁ ଡରିବା ନାହିଁ କିମ୍ବା ସାପ କାମୁଡ଼ିଲେ ପରବର୍ତ୍ତୀ ପନ୍ଥା କଣ ହେବ ସେ କଥା ନେଇ ବିବ୍ରତ ହେବା ନାହିଁ ।

କେଉଁଠି ରୁହନ୍ତି

ଆଜି ଆମେ ଆଲୋଚନା କରିବା ଚିତି ସାପ ବିଷୟରେ । ସହରୀକରଣ ପରେ ସାପ ବଂଶ ଲୋପ ପାଇବାରେ ଲାଗିଛି । ହେଲେ ପରିବେଶ ସନ୍ତୁଳନରେ ସାପର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ସାପ ବଂଶ ଭିତରେ ଗୋଟିଏ ପ୍ରଜାତି ହେଉଛି ଚିତି ସାପ । ଯାହା ଦେଶ ସମେତ ଆମ ରାଜ୍ୟରେ ବହୁଳ ଭାବେ ଦେଖା ଯାଉଥିଲେ । ବିଶେଷ କରି ମାଟି ଘରେ, ବୁବୁଦୁକିଆ ଜଙ୍ଗଲୀ ଓ ସନ୍ତସନ୍ତିଆ ଜାଗାରେ ଏମାନେ ରହିବାକୁ ପସନ୍ଦ କରନ୍ତି । ଯଦି ସର୍ଭେ ରିପୋର୍ଟକୁ ଦେଖା ଯାଏ ତେବେ ଆମ ଦେଶରେ ସର୍ବାଧିକ ସାପ କାମୁଡ଼ା ଚିତି ସାପ ଦ୍ୱାରା ହୋଇଥାଏ ।

CHITI SNAKE-2

ରାତିର ଶିକାରୀ

ଏମାନେ ଦେଖିବାକୁ ଯେତିକି ଛୋଟ, ସେତିକି ବିଷଧର । ଲମ୍ବାରେ ଚିତି ସାପ ଅତି ବେଶିରେ ୩ ଫୁଟ ହୋଇଥାନ୍ତି । ଏମାନଙ୍କ ରଙ୍ଗ ପ୍ରାୟ କଳା ଓ ଏଥିରେ ପଟା ପଟା ଧଳା ଗାର ରହିଥାଏ । ତେବେ ଅନ୍ୟ କେତେକ ରଙ୍ଗର ଚିତି ସାପ ମଧ୍ୟ ରହିଛନ୍ତି । ଚିତି ସାପ ପ୍ରାୟତଃ ରାତିରେ ହିଁ ବାହାରିଥାନ୍ତି । ମୂଷା ଆଦି ଜୀବ ହେଉଛନ୍ତି ଏମାନଙ୍କ ଶିକାର । ଏମାନେ ରାତିରେ ବାହାରୁଥିବାରୁ ଏବଂ ରଙ୍ଗ ଅନ୍ଧାରରେ ମିଶି ଯାଉଥିବାରୁ ଚିତି ସାପ କାମୁଡ଼ିବା ଘଟଣା ଦେଶରେ ସର୍ବାଧିକ ଦେଖାଯାଏ ।

ଛୋଟ ସାପର ବେଶି ବିଷ

ଚିତି ସାପର ବିଷ ଭାରି ଶକ୍ତିଶାଳୀ । କିନ୍ତୁ କାମୁଡ଼ା ସେହି ଅନୁପାତରେ ଖୁବ୍‌ କମ୍‌ ଜଣାପଡ଼େ । ଏମାନେ ଘର ଭିତରେ ରହୁଥିବାରୁ ଅନେକ ସମୟରେ ଶୋଇଥିବା ଅବସ୍ଥାରେ ଲୋକେ ଏହାର ଶିକାର ହୁଅନ୍ତି । ଏମାନଙ୍କ କାମୁଡ଼ା ପିମ୍ପୁଡ଼ି କିମ୍ବା ମଶା କାମୁଡ଼ା ସାଙ୍ଗରେ ସମାନ । ତେଣୁ ନିଦରେ ଶୋଇଥିବା ଲୋକଟିଏ ଜାଣିବା ସମ୍ଭବ ହୁଏ ନାହିଁ । ଚିତି ସାପ କାମୁଡ଼ିଲେ ତୁରନ୍ତ ଚିକିତ୍ସା କରିବା ଦରକାର । ନଚେତ ୪ରୁ ୫ ଘଣ୍ଟା ଭିତରେ ଏହାର ବିଷୟ ଦେହରେ ଚରି ଯାଏ ଏବଂ ଶରୀର ଅକାମୀ ହେବା ସହ ନିଶ୍ୱ୍ଵାସ ପ୍ରଶ୍ୱାସ ନେବା କଷ୍ଟକର ହୋଇପଡ଼େ ।

CHITI-4

ଚିତି ସାପ କାମୁଡ଼ିଲେ

ସର୍ପାଘାତର ଶିକାର ଲୋକଟିକୁ ଭଲ ଭାବେ ଦେଖା ଯାଏ ନାହିଁ କି ସେ କଥା କହି ପାରେ ନାହିଁ । ସାପ କାମୁଡ଼ାର ପ୍ରାୟ ଦୁଇଘଣ୍ଟା ଭିତରେ ମୁହଁର ମାଂସପେଶୀ ଟାଣି ଧରେ । ତଳିପେଟରେ ଯନ୍ତ୍ରଣା ହୁଏ ଓ ସାପ କାମୁଡ଼ିଥିବା ଜାଗାଟି ଫୁଲି ଯାଏ । ଯଦି ଠିକଣା ସମୟରେ ଚିକିତ୍ସା କରାନଯାଏ ତେବେ ୪ରୁ ୮ ଘଣ୍ଟା ଭିତରେ ରୋଗୀର ମୃତ୍ୟୁ ହୁଏ । ଆମ ଦେଶରେ ଚିତି ସାପ କାମୁଡ଼ା ଯୋଗୁଁ ବିନା ଚିକିତ୍ସାରେ ୭୦ରୁ ୮୦ ପ୍ରତିଶତ ଲୋକ ମରୁଛନ୍ତି ।
ଚିତି ସାପର ମଧ୍ୟ ଜାତିଭେଦ ରହିଛି । କିଛି ବିରଳ ପ୍ରଜାତିର ଚିତି ଏବେ ଖୁବ୍‌ କମ୍‌ ଦେଖିବାକୁ ମିଳୁଛି । ଆମ ରାଜ୍ୟରେ ଏହାକୁ କଉଡ଼ିଆ ଚିତ ବୋଲି କୁହାଯାଏ । ରାଜ୍ୟରେ ଥିବା କିଛି ସର୍ପମିତ୍ରମାନେ ଏଭଳି ସାପ ବଂଶକୁ ରକ୍ଷା କରିବା ପାଇଁ ଅନେକ ବର୍ଷ ଧରି ଉଦ୍ୟମ ଜାରି ରଖିଛନ୍ତି । ଏହାର ବିଷରୁ ବିଭିନ୍ନ ପ୍ରକାର ଔଷଧ ମଧ୍ୟ ପ୍ରସ୍ତୁତ କରାଯାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.