ଆରମ୍ଭ ହେଲା ପଞ୍ଚୁକ, ଜାଣନ୍ତୁ କିପରି ପାଳନ କରାଯାଇ ଥାଏ ଏହି ବ୍ରତ

ଆଜି ଠାରୁ ଆରମ୍ଭ ହେଉଛି ପଞ୍ଚୁକ ବ୍ରତ । କାର୍ତ୍ତିକ ମାସକୁ ଯେତିକି ପୂଣ୍ୟମାସ ବୋଲି ମନେ କରାଯାଇଥାଏ, ପଞ୍ଚୁକକୁ ମହାପୂଣ୍ୟ ବୋଲି କୁହାଯାଇଥାଏ। ଯେଉଁମାନେ କାର୍ତ୍ତିକ ମାସ ସାରା ହବିଷ୍ୟ କରିପାରନ୍ତି ନାହିଁ, ସେମାନେ ଏହି ପାଞ୍ଚଦିନ ହବିଷ୍ୟ ପାଳନ କରନ୍ତି । ପବିତ୍ର ଅଁଳାନବମୀ ଦିନ ତଥା ଶୁକ୍ଳ ପକ୍ଷ ଏକାଦଶୀ ତିଥି ଠାରୁ କାର୍ତ୍ତିକ ମାସର ଅନ୍ୟତମ ମୁଖ୍ୟ ଆକର୍ଷଣ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥାଏ। ଏହା ଧର୍ମ ମାସ ହୋଇଥିବାରୁ ଗାଁରୁ ସହର ପର୍ଯ୍ୟନ୍ତ ଲୋକମାନେ ଏ ମାସଟିକୁ ନିଷ୍ଠା ସହକାରେ ପାଳନ କରନ୍ତି ।

ଏହିପଞ୍ଚକରେ ବକମାନେ ମଧ୍ୟ ଆମିଷ ଭୋଜନରୁ ନିବୃତ୍ତ ରୁହନ୍ତି ବୋଲି କଥିତ ଅଛି । ଏହି ସମୟ ମଧ୍ୟରେ ମହାପ୍ରଭୁ ୫ ଦିନ ଧରି ବିଭିନ୍ନ ବେଶରେ ଭକ୍ତଙ୍କୁ ଦର୍ଶନ ଦେଇ ଥାଆନ୍ତି। ପଞ୍ଚୁକ ବ୍ରତର ଶେଷ ଦିନରେ ମହାପ୍ରଭୁଙ୍କ ରାଜାରାଧି ବେଶ (ସୁନାବେଶ)କୁ ଭକ୍ତମାନେ ଦର୍ଶନ କରିବା ପରଂପରା ରହି ଆସିଛି। ପଞ୍ଚୁକ କେବଳ ଶ୍ରୀକ୍ଷେତ୍ର କିମ୍ବା ଏକାମ୍ରକ୍ଷେତ୍ରରେ ସୀମିତ ରହିନାହିଁ। ଏହି ପର୍ବ ପୂରା ରାଜ୍ୟରେ ପାଳିତ ହୋଇଥାଏ। ରାଜ୍ୟର ମନ୍ଦିର ଗୁଡ଼ିକରେ ପଞ୍ଚୁକ ସମୟରେ ଶ୍ରଦ୍ଧାଳୁମାନଙ୍କର ଭିଡ଼ ରହିଥାଏ। ଶ୍ରୀଲିଙ୍ଗରାଜ ମନ୍ଦିର ଓ ବାସୁଦେବ ମନ୍ଦିରରେ ହବିଷିଆଳିଙ୍କ ପୂଜା ସହ ଅନ୍ୟ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ। ଶ୍ରଦ୍ଧାଳୁମାନେ ଚଉଁରା ମୂଳେ ପୂଜା କରିବା ସହ ହବିଷିଆଳିମାନେ ଦିନ ତମାମ ପୂଜା ପାଠାରେ ସାମିଲ ହୋଇଥାନ୍ତି।

ହବିଷ୍ୟାଳିମାନେ ଭୋରୁ ଉଠି ସ୍ନାନ ଶେଷ କରିବା ପରେ ପ୍ରଥମେ ତୁଳସୀ ଗଛ ମୂଳେ ପୂଜାର୍ଚ୍ଚନା କରନ୍ତି। ପରେ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରନ୍ତି। ସୂର୍ଯ୍ୟଙ୍କୁ ପାଣି ଦେଇ ତୁଳସୀ ପାଣି ପିଅନ୍ତ ଓ ଦେହରେ ଓ ମୁଣ୍ଡରେ ଚିତା ତିଳକ ଲଗାଇ ଭାଗବତ ପାଠ କରିଥାନ୍ତି। ଶ୍ରଦ୍ଧାଳୁମାନେ ଠାକୁର ଦର୍ଶନ ସାରି ତୁଳସୀ ଚଉଁରା ମୂଳେ ମୁରୁଜ ପକାନ୍ତି। ମୁରୁଜରେ ଶ୍ରୀଜଗନ୍ନାଥ, ବଳଭଦ୍ର, ସୁଭଦ୍ରା, ରାଧାକୃଷ୍ଣ, ଗରୁଡ଼ଙ୍କ ଚିତ୍ର ଆଙ୍କିବା ସହିତ ରାଧାକୃଷ୍ଣ ଓ ଶିବ ପାର୍ବତୀଙ୍କ ଫଟୋ ପୂଜା କରନ୍ତି। ସନ୍ଧ୍ୟାରେ ମନ୍ଦିରକୁ ଯାଇ ଦେବଦେବୀଙ୍କୁ ଦର୍ଶନ କରି ସଞ୍ଜ ବଳିତା ଦେଇ ଆଳତି କରନ୍ତି।

ପଞ୍ଚୁକ ଅବସରରେ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ୫ ଦିନ ଧରି ମହାପ୍ରଭୁ ଭକ୍ତଙ୍କୁ ପାଞ୍ଚଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି। ପ୍ରଥମ ଦିନରେ ଶ୍ରୀହରି ଉଞ୍ଚାପନ ଓ ଶ୍ରୀଜିଉଙ୍କ ଲକ୍ଷ୍ମୀ ନାରାୟଣ ବେଶ, ଦ୍ଵିତୀୟ ଦିନରେ ଶ୍ରୀଜିଉ ବାଙ୍କଚୁଳା ବେଶ, ତୃତୀୟ ଦିନରେ ତ୍ରିବିକ୍ରମ ବେଶ, ଚତୁର୍ଥ ଦିନରେ ଲକ୍ଷ୍ମୀନୃସିଂହ ବେଶରେ ଶ୍ରୀଜିଉ ଦର୍ଶନ ଦେବେ। ପଞ୍ଚୁକର ଶେଷ ଦିନରେ ତଥା କାର୍ତ୍ତିକ ପୂର୍ଣ୍ଣିମାରେ ଶ୍ରୀଜିଉ ରାଜାଧିରାଜ ବେଶରେ ଦର୍ଶନ ଦେବେ। ପଞ୍ଚୁକ ପାଞ୍ଚ ଦିନ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଚୂଡ଼ାନ୍ତ ହୋଇଛି। ପଞ୍ଚୁକ ସମୟରେ ମନ୍ଦିର ଗୁଡ଼ିକରେ ଯେଭଳି ଉତ୍ସବମୁଖର ହୋଇଥାଏ, ନାମ ସଂକୀର୍ତନରେ ମଠ ଗୁଡ଼ିକରେ ମଧ୍ୟ ଭକ୍ତିଭାବରେ ତଲ୍ଲୀନ ହେଉଥାଏ। ତେବେ କାର୍ତ୍ତିକ ବ୍ରତକୁ ଯେଉଁମାନେ ମାସ ତମାମ ପାଳନ କରି ନଥାନ୍ତି, ସେମାନେ ପଞ୍ଚୁକ ବ୍ରତ ପାଳିଥାନ୍ତି। ପଞ୍ଚୁକରେ ଦେବଦେବୀ ପୀଠଗୁଡ଼ିକରେ ସ୍ୱତନ୍ତ୍ର ପୂଜା ନୀତି ଆରମ୍ଭ ହୋଇଯାଏ।

ଏହି ପାଞ୍ଚ ଦିନକୁ ଭୀଷ୍ମ ପଞ୍ଚୁକ କୁହାଯିବାର ପୌରାଣିକ ରହସ୍ୟ ହେଉଛି –

ବାଣ ଶଯ୍ୟା ଉପରେ ଶାୟିତ ପିତାମହ ଭୀଷ୍ମ ରାଜଧର୍ମ, ମୋକ୍ଷଧର୍ମ, ଦାନଧର୍ମ ବର୍ଣ୍ଣନା କରିଥିଲେ, ଯାହାକୁ ପାଣ୍ଡବମାନଙ୍କ ସହିତ ଭଗବାନ ଶ୍ରୀକୃଷ୍ଣ ମଧ୍ୟ ଶୁଣିଥିଲେ । ଏଥିରେ ପ୍ରସନ୍ନ ହୋଇ ଶ୍ରୀବାସୁଦେବ କହିଲେ ଆପଣ ଧନ୍ୟ ପିତାମହ । ଆପଣ କାର୍ତ୍ତିକ ଏକାଦଶୀ ଦିନ ଜଳର ଯାଚନା କରିଛନ୍ତି। ଏହାପରେ ପିତାମହ ପାଣି ମାଗିବାରୁ ଅର୍ଜୁନ ବାଣ ସାହାଯ୍ୟରେ ଭୂମି କ୍ଷେପଣ କରି ଜଳ ପ୍ରଦାନ କରିଥିଲେ। ଏଥିସହ ଏହି ୫ ଦିନରେ ଯିଏ ଆପଣଙ୍କୁ ଜଳ ଅର୍ଘ୍ୟ ପ୍ରଦାନ କରିବେ ସେ ଆପଣଙ୍କୁ ତୁପ୍ତ କରିପାରିବେ। ଏହି କାରଣରୁ ସେବେଠାରୁ ପୂର୍ଣ୍ଣିମା ପର୍ଯ୍ୟନ୍ତ ୫ ଦିନ ଭୀଷ୍ମ ପଞ୍ଚୁକ ଭାବେ ମଧ୍ୟ ପାଳନ କରାଯାଇଥାଏ। ଅନେକ ବ୍ୟକ୍ତି ସନ୍ତାନ ପ୍ରାପ୍ତି ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.