ବିଭିନ୍ନ ପ୍ରକାରର ଶାଢି ବୁଣୀ ଏବେ ସ୍ୱାବଲମ୍ବୀ ଏହି ଗାଁର ମହିଳାମାନେ, ଏବେ ମାସକୁ ରୋଜଗାର ୨୦ରୁ ୩୦ ହଜାର

ଗାଁଗାଁରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂସହାୟକ ଗ୍ରୁପ ଗଠନ କରାଯାଉଛି । ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ଏହି ପରିପେକ୍ଷୀରେ ଓଡିଶା ଜିବୀକା ମିଶନ ଜରିଆରେ ରେଢାଖୋଲର କନ୍ଧରା ଗ୍ରାମରେ ବିଭିନ୍ନ ପ୍ରକାରର ଶାଢି ବୁଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗ୍ରାମର ସାତଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟା ।

ରେଢାଖୋଲ(କେନ୍ୟୁଜ) : ମହିଳା ସଶକ୍ତିଙ୍କୁ ଅଗ୍ରାଧିକାର, ଗାଁଗାଁରେ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ସ୍ୱୟଂସହାୟକ ଗ୍ରୁପ ଗଠନ କରାଯାଉଛି । ସେମାନଙ୍କ ପାଇଁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରୁଛନ୍ତି ରାଜ୍ୟ ସରକାର । ଏହି ପରିପେକ୍ଷୀରେ ଓଡିଶା ଜିବୀକା ମିଶନ ଜରିଆରେ ରେଢାଖୋଲର କନ୍ଧରା ଗ୍ରାମରେ ବିଭିନ୍ନ ପ୍ରକାରର ଶାଢି ବୁଣୀ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ଗ୍ରାମର ସାତଟି ସ୍ୱୟଂସହାୟକ ଗୋଷ୍ଠୀର ମହିଳା ସଦସ୍ୟା ।

ରେଢ଼ାଖୋଲ କଦଳୀଗଡ ପଞ୍ଚାୟତ ଅନ୍ତର୍ଗତ କନ୍ଧରା ଗ୍ରାମ ଏକ ବୁଣାକାର ଗାଁ ଭାବେ ସାରା ଓଡ଼ିଶାରେ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିଛି। ଭାରତ ବର୍ଷର ପାରମ୍ପରିକ ବସ୍ତ୍ର ସମ୍ବଲପୁରୀ ଶାଢ଼ୀର କଳାକୃତି ବର୍ତ୍ତମାନ ସାରା ବିଶ୍ୱରେ ଖ୍ୟାତିଲାଭ କରିଛି । ସେହି ଶାଢ଼ୀ ଏବେ କନ୍ଧରା ଗ୍ରାମରେ ସମଲେଶ୍ବରୀ,ଉମାଦେବୀ,ବିନ୍ଧ୍ୟବାସିନୀ ଆଦି ମୋଟ ୯ଟି ସ୍ୱୟଂସହାୟକ ପ୍ରଡୁସର ଗ୍ରୁପ ରହିଛି। ସେଥି ମଧ୍ୟରୁ ୭ଟି ଗୃପର ପ୍ରାୟ ୪୦ ପରିବାର ସମ୍ବଲପୁରୀ ଶାଢ଼ୀ ବୁଣିବା ଓ ତାକୁ ନେଇ ବଜ଼ାରରେ ବିକ୍ରୟ କରି ଅଧିକ ରୋଜଗାର କରି ସ୍ୱାବଲମ୍ବୀ ହୋଇ ନିଜ ନିଜ ପରିବାର ଚଳେଇପାରୁଛନ୍ତି ।

ପୂର୍ବରୁ ନିଜ ଘରେ ବୁଣା ସାଳ ତିଆରି କରି ବ୍ୟବସାୟୀ ପାଖରୁ ସୂତା ଆଣି ସମ୍ବଲପୁରୀ ଡିଜାଇନର ସୁତା ଶାଢ଼ୀ, ସପଟା,ବମକେଇ ପାଟସାଢୀ,ପଷାପାଲି,ବାନ୍ଧକଳା ଆଦି ବିଭିନ୍ନ ପ୍ରକାରର ସମ୍ବଲପୁରୀ ଶାଢ଼ୀ ବୁଣି ମଜୁରୀ ଆକାରରେ ମାସକୁ ୫ ହଜାରୁ ୮ ହଜାର ଟଙ୍କା ରୋଜଗାର କରିପାରୁଥିଲେ । ଏବେ କିନ୍ତୁ ସରକାରଙ୍କ ଓଡିଶା ଜୀବିକା ମିସନ୍ ଯୋଜନା ଜରିଆରେ ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଲେଖାଁଏ ବିନା ସୁଧରେ ଋଣ ଆଣି ସେହି ଟଙ୍କା ଲୁଗାବୁଣାରେ ଖର୍ଚ୍ଚକରି ଅଧିକ ଶାଢ଼ୀ ବୁଣି ନିଜେ ସ୍ୱାବଲମ୍ବୀ ହେବା ସହିତ ସମ୍ବଲପୁର, କଟକ, ଭୁବନେଶ୍ୱର,ରାଉରକେଲା,ବଲାଙ୍ଗୀର ଆଦି ବଡ ବଡ ସହରର ବଜାରରେ ଶାଢ଼ୀ ନେଇ ବିକ୍ରି କରୁଛନ୍ତି । ବଜାରରେ ଏହାର ଚାହିଦା ଅଧିକ ଥିବାରୁ ଲୋକେ ପସନ୍ଦ କରି ଏମାନଙ୍କ ଠାରୁ କିଣି ନେଉଛନ୍ତି । ଏଥିଯୋଗୁଁ ମାସକୁ ପ୍ରାୟ ୨୦ ରୁ ୩୦ ହଜାର ରୋଜଗାର କରିପାରୁଛନ୍ତି ।

ପୂର୍ବରୁ ଏଠାକାର ବୁଣାକାର ମାନଙ୍କ ସାମାଜିକ ତଥା ଆର୍ଥିକ ସ୍ଥିତି ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ରହିଥିଲା । ଏବେ କିନ୍ତୁ ରାଜ୍ୟ ସରକାରଙ୍କ ବିଭିନ୍ନ ପ୍ରକାର ଜନହିତକର ଯୋଜନାରେ ସାମିଲ ହୋଇ ଏମାନଙ୍କ ଆର୍ଥିକ ସ୍ଥିତିରେ ବେଶ ସୁଧାର ଆସିଛି । ବିଭିନ୍ନ ଯୋଜନା ମାଧ୍ୟମରେ ପ୍ରତ୍ୟେକ ବୁଣାକାର ପରିବାର ପାଇଁ ତନ୍ତଶାଳା ବା ବାସଗୃହ ନିର୍ମାଣ, ବୁଣାକାର ବିଜୁଳି ଉପଭୋକ୍ତାଙ୍କ ପାଇଁ ଗୋଟିଏ ଇନଭର୍ଟର ଉପକରଣ, ଛାତ ପଙ୍ଖା,ଦୁଇଟି ଟ୍ୟୁବ ଲାଇଟ,ଲୁଗା ବୁଣା ଉପକରଣ, ବୁଣାକାର ସହାୟତା,ବୁଣାକାର ମାନଙ୍କ ପାରମ୍ପରିକ ବୟନ ଦକ୍ଷତାର ମାନବୃଦ୍ଧି ତଥା ବଜାର ଚାହିଦା ମୁତାବକ ବୟନ ବସ୍ତ୍ର ଦିଗରେ ନୈପୁଣ୍ୟ ବୃଦ୍ଧି ପାଇଁ ଉପଯୁକ୍ତ ତାଲିମ ଆଦି ବିଭିନ୍ନ ପ୍ରକାର ବ୍ୟବସ୍ଥା ସରକାରଙ୍କ ପକ୍ଷରୁ ସଫଳ ରୂପାୟନ କରାଯାଇଛି । ଏହା ଦ୍ୱାରା ସମସ୍ତ ବୁଣାକାର ପରିବାର ଶାଢୀ ବୁଣିବାକୁ ହିଁ ନିଜର ମୁଖ୍ୟ ଜୀବିକା ଭାବେ ବାଛିନେଇଛନ୍ତି ।

ଗାଁର ଘରେ ଘରେ ଏହି ସମ୍ବଲପୁରୀ ସାଢୀ ମିଳୁଥିବାରୁ ଶାଢୀ କିଣିବାକୁ ଆଖପାଖ ଅଞ୍ଚଳର ତଥା ଦୁର ଦୁରାନ୍ତରରୁ ମଧ୍ୟ ଲୋକେ କନ୍ଧରା ଗ୍ରାମରେ ଭିଡ ଜମାଉଛନ୍ତି । ଆଗାମୀ ଦିନରେ ଏହା ଏକ ବୁଣାକାର ଗ୍ରାମର ମାନ୍ୟତା ପାଇବାକୁ ଯାଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି । ଗାଁ ହେଉ କି ସହର ହେଉ ସବୁଠି ଏହାର ଚାହିଦା ଦିନକୁଦିନ ବୃଦ୍ଧି ପାଉଛି । ଖାଲି ଯେ ଶାଢୀ କାହିଁକି ବିଭିନ୍ନ ଅନୁଷ୍ଠାନର ଡ୍ରେସ କୋଡ,ଝିଅ ମାନଙ୍କର ସମ୍ବଲପୁରୀ ଡ୍ରେସ,ସମ୍ବଲପୁରୀ କୁର୍ତ୍ତା, ଗାମୁଛା,ଲୁଙ୍ଗି,ଆଦି ସବୁଥିରେ ସମ୍ବଲପୁରୀ କପଡାର ଚାହିଦା ସ୍ଵତନ୍ତ୍ର ସ୍ଥାନ ବଜାୟ ରଖିଛି । ଏଥିଯୋଗୁଁ ସମସ୍ତଙ୍କ ପରିବାରରେ ପୂର୍ବ ଭଳି ଆଉ ଅଭାବ ପରିଲକ୍ଷିତ ହେଉ ନାହିଁ । ଆଗାମୀ ଦିନରେ ଯଦି ସରକାର ଆଉ କିଛି ସାହାଯ୍ୟ ସହଯୋଗ ଯୋଗାଇଦିଅନ୍ତେ ତେବେ ଆଉ ଦୁଇ ପଇସା ଅଧିକ ରୋଜଗାର ହୁଅନ୍ତା ବୋଲି ମହିଳା ବୁଣାକାର ମାନେ କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.