ସାମ୍ନାକୁ ଆସିଲା ଦୁନିଆର ପ୍ରଥମ ଗର୍ଭବତୀ ମମି; ପେଟରୁ ମିଳିଲା ବିନା ହାଡ଼ ଥିବା ଭ୍ରୁଣ!

ଇଜିପ୍ଟରେ ଏକ ମମି ପେଟରୁ ମିଳିଛି ୨୮ ମାସର ଭ୍ରୁଣ, ଯାହାର ରହସ୍ୟ ଏବେ ଉନ୍ମୋଚିତ ହୋଇଛି। ଏହି ଭ୍ରୁଣ ଗତ ୨୦୦୦ ବର୍ଷ ଧରି ମମି ପେଟରେ ସୁରକ୍ଷିତ ରହିଥିଲା। ଏହି ଭ୍ରୁଣ ଠିକ୍ ସେମିତି ହିଁ ଅଛି, ଯେମିତି ଆଚାର ଅନେକ ବର୍ଷ ଧରି ସଂରକ୍ଷିତ ରହିଥାଏ। ଏହାକୁ ଇଜିପ୍ଟର ପ୍ରଥମ ଗର୍ଭବତୀ ମମି ବୋଲି କୁହାଯାଉଛି। ମୃତ୍ୟୁ ସମୟରେ ଏହି ମହିଳାଙ୍କ ବୟସ ପାଖାପାଖି ୩୦ ବର୍ଷ ଥିବ ଏବଂ ତାଙ୍କର ମୃତ୍ୟୁ ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀରେ ହିଁ ହୋଇଥିବ। ମମିକୁ ଅନୁସନ୍ଧାନକାରୀମାନେ ‘ମିଷ୍ଟିରିୟସ୍‌ ଲେଡି’ ନାମ ଦେଇଛନ୍ତି। ଭ୍ରୁଣର ସନ୍ଧାନ କରିବା ପାଇଁ ସିଟି ସ୍କାନ୍ କରାଯାଇଥିଲା, ଯାହାପରେ ଏଭଳି ଆଶ୍ଚର୍ଯ୍ୟ କରି ଦେଲା ଭଳି ତଥ୍ୟ ସାମ୍ନାକୁ ଆସିଛି।

୨୦୨୧ ମସିହାରେ ଆବିଷ୍କାର ପରଠାରୁ ହିଁ ଏହା ବୈଜ୍ଞାନିକମାନଙ୍କ ପାଇଁ ରହସ୍ୟ ହୋଇ ରହିଥିଲା। ଏବେ କୁହାଯାଇଛି ଯେ ମହିଳାଙ୍କ ଶରୀର ବିଘଟିତ ହେବା ପରେ ଏହି ଭ୍ରୁଣକୁ ଅମ୍ଳୀକରଣ ମାଧ୍ୟମରେ ସୁରକ୍ଷିତ ରଖାଯାଇଥିଲା। ୱାରସା ବିଶ୍ୱବିଦ୍ୟାଳୟର ଏକ ଅନୁସନ୍ଧାନକାରୀ ଦଳ ଗତ ବର୍ଷ ଏପ୍ରିଲରେ ସିଟି ଏବଂ ଏକ୍ସ-ରେ ସ୍କାନ ମାଧ୍ୟମରେ ଜନ୍ମ ହୋଇ ନ ଥିବା ଶିଶୁର ଅବଶେଷର ଉପସ୍ଥିତି ବିଷୟରେ ଖୁଲାସା କରିଥିଲେ। ବିଶ୍ୱବିଦ୍ୟାଳୟ ଦଳ ୨୦୧୫ରୁ ଏହି ପ୍ରାଚୀନ ଇଜିପ୍ଟ ମମି ଉପରେ କାର୍ଯ୍ୟ କରି ଆସୁଛି। ଗତ ବର୍ଷ ସ୍କାନରେ ଯେତେବେଳେ ମମି ପେଟ ଭିତରେ ଏକ ଛୋଟ ଗୋଡ଼ ଦେଖା ଯାଇଥିଲା, ସେତେବେଳେ ସେମାନେ ବୁଝି ଯାଇଥିଲେ ଯେ ତାଙ୍କ ହାତରେ କେଉଁ ଜିନିଷ ଲାଗିଛି।

ପ୍ରସବ ସମୟରେ ହୋଇ ନ ଥିଲା ମହିଳାଙ୍କ ମୃତ୍ୟୁ

ଅନୁସନ୍ଧାନକାରୀମାନେ ଭ୍ରୁଣର ସ୍ଥିତି ଏବଂ ବାର୍ଥ କେନାଲକୁ ଅଧ୍ୟୟନ କରି କହିଥିଲେ ଯେ ଏହି ରହସ୍ୟମୟୀ ମହିଳାଙ୍କର ପ୍ରସବ ସମୟରେ ମୃତ୍ୟୁ ହୋଇ ନ ଥିଲା। ମୃତ୍ୟୁ ସମୟରେ ମହିଳାଙ୍କ ପେଟରେ ଥିବା ଭ୍ରୁଣ ୨୬ରୁ ୩୦ ସପ୍ତାହର ଥିଲା। ଟିମ୍‌ ଆଶା କରିଛି, ଏହା ସମ୍ଭବ ଯେ ଅନ୍ୟ ଗର୍ଭବତୀ ମମିଙ୍କୁ ମଧ୍ୟ ବିଶ୍ୱର ବିଭିନ୍ନ ସଂଗ୍ରହାଳୟରେ ରଖା ଯାଇଥିବ। ଏମିତିରେ ଆମେ ସେ ସବୁକୁ ଯାଞ୍ଚ କରିବା ଆବଶ୍ୟକ। ଏହି ରହସ୍ୟମୟୀ ମହିଳା ଓ ତାଙ୍କର ଜନ୍ମ ହୋଇ ନ ଥିବା ଶିଶୁ ବିଷୟରେ ଅଧ୍ୟୟନ ପୋଲାଣ୍ଡସ୍ଥିତ ୱାରସା ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍ ତଥା ପାଲିଓପାଥୋଲଜିଷ୍ଟ ମାର୍ଜେନା ଓଲାରେକ-ସିଜଲ୍‌କେ ଏବଂ ତାଙ୍କ ସହଯୋଗୀମାନେ କରିଛନ୍ତି।

ଯେତେବେଳେ ମମିର ସିଟି ସ୍କାନ୍ କରାଯାଇଥିଲା, ତ ଜଣା ପଡ଼ିଥିଲା କି, ମୃତ୍ୟୁ ସମୟରେ ମହିଳାଙ୍କ ପେଟରେ ଭ୍ରୁଣ ଥିଲା। ସିଟି ସ୍କାନରେ କୁହାଯାଇଛି ଯେ ଏହି ଭ୍ରୁଣ ଶହ ଶହ ବର୍ଷ ଧରି ମମି ପେଟରେ ବଗ୍‌ ବଡିଜ୍‌ ପରି ସୁରକ୍ଷିତ ରହିଥିଲା। ଯେତେବେଳେ ମଣିଷର ଶବ ପ୍ରାକୃତିକ ରୂପରେ ମମି ହୋଇଯାଏ, ସେତେବେଳେ ଏହାକୁ ବଗ୍ ବଡିଜ୍‌ କୁହାଯାଇଥାଏ। ଅର୍ଥାତ୍‌ ମମି ହେବାରେ ବହୁତ ଅଧିକ ଏସିଡ୍ ଏବଂ ବହୁତ କମ୍ ଅମ୍ଳଜାନର ଭୂମିକା ରହିଥାଏ। ଏହାକୁ ପିଟ୍‌ ବଗ୍ କୁହାଯାଏ। ଜଣେ ବିଶେଷଜ୍ଞ କହିଛନ୍ତି, ଆମ ଅନୁସନ୍ଧାନରୁ ଜଣା ପଡ଼ିଛି ଯେ ଗର୍ଭସ୍ଥ ଶିଶୁର ଅସ୍ଥି ବଞ୍ଚି ପାରି ନାହିଁ। ଏହା ସେତେବେଳେ ହୋଇଥିବ, ଯେତେବେଳେ ଗର୍ଭବତୀ ମହିଳାଙ୍କୁ ମମି କରାଯାଇଥିବ। କିମ୍ବା ମମି ହେବାର କିଛି ଦିନ ପରେ ହାଡ଼ଗୁଡ଼ିକ ଝଡ଼ି ପଡ଼ିଥିବ, ହେଲେ ଆକୃତି ସେମିତି ହିଁ ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.