ଦିନେ ମଞ୍ଚରେ କରୁଥିଲେ ଲୋକଙ୍କର ମନୋରଞ୍ଜନ,କିନ୍ତୁ ଆଜି ବଞ୍ଚିବା ପାଇଁ ସଂଘର୍ଷ କରୁଛନ୍ତି ଏହି କଳାକାର ଦମ୍ପତି

ଭଦ୍ରକ (କେନ୍ୟୁଜ) : ଦିନେ ମଞ୍ଚରେ କରୁଥିଲେ ଅଭିନୟ । ଲୋକଙ୍କୁ ହସାଉ ଥିଲେ, କନ୍ଦାଉଥିଲେ । କେତେ କେତେ ଚରିତ୍ରରେ ଅଭିନୟ କରି ପ୍ରଶଂସା ସାଉଣ୍ଟିଛନ୍ତି ଏହି କଳାକାର ଦମ୍ପତି । ଆଉ ଏବେ ବାସ୍ତବ ଜୀବନ କିଭଳି ବିତାଉଛନ୍ତି ଦେଖିଲେ ଆଖିରେ ଲୁହ ରହିବ ନାହିଁ । ୟାକୁ ଘର ବୋଲି ସେମାନେ କୁହନ୍ତି । ହେଲେ ଏଠି ମାଟି କାନ୍ଥ କେବେଠୁ କାନ୍ଥଡ଼ା ପାଲଟି ଗଲାଣି । ଚାଳ ଘରେ ଛପର ଉଡ଼ି ସୂର୍ଯ୍ୟ ଦେଖା ଯାଉଛନ୍ତି । ଅର୍ଥାଭାବ ସାଙ୍ଗକୁ ଶାରୀରିକ ଅସୁସ୍ଥତା ସେମାନଙ୍କ ଦୁର୍ଦ୍ଦଶାକୁ ବଢ଼ାଇ ଦେଇଛି । ଆପଣମାନେ ଦେଖୁଥିବା ଏହି ଦୃଶ୍ୟ ହେଉଛି ଭଦ୍ରକ ବ୍ଲକ୍‌ ଅଧୀନ ଗେଲପୁର ପଞ୍ଚାୟତ ନଳଙ୍ଗ ଗ୍ରାମର । ଏ ଘରେ ରହୁଥିବା ଦମ୍ପତି ହେଉଛନ୍ତି ରାମ ନାରାୟଣ ତ୍ରିପାଠୀ ଓ ବିଜୟା ତ୍ରିପାଠୀ ।

ସ୍କୁଲରେ ପଢ଼ିଲା ବେଳୁ ଉଭୟ ରାମ ନାରାୟଣ ଓ ବିଜୟା ଡ୍ରାମାରେ ଅଭିନୟ କରୁଥିଲେ । ମାତ୍ର ୧୬ ବର୍ଷ ବୟସରେ ଉପନ୍ୟାସ ଲେଖିବା ଆରମ୍ଭ କରିଥିଲେ ରାମନାରାୟଣ । ପରେ ନିଜ ବାପାଙ୍କ ଦ୍ୱାରା ପ୍ରତିଷ୍ଠିତ ଯାତ୍ରା ପାର୍ଟିରେ ପ୍ରଥମେ ଅଭିନୟକଲେ। ପରବର୍ତୀ ସମୟରେ ଯାତ୍ରା ପାର୍ଟିରେ ନିର୍ଦେଶନା ଦେବା ସହିତ ଯାତ୍ରା ନାଟକ ଲେଖିଲେ। ୫୨ ଖଣ୍ଡ ନାଟକ ଲେଖିଛନ୍ତି ରାମ ନାରାୟଣ। ତାଙ୍କ ରଚିତ ନାଟକ ବହୁ ପୁରୁଣା ତଥା ନାମୀ ଦାମୀ ଯାତ୍ରା ପାର୍ଟିରେ ମଞ୍ଚସ୍ଥ ହୋଇ ବେଶ ନାଁ କରିଛି । ରାମ ନାରାୟଣ ଜଣେ ସଫଳ ନିର୍ଦ୍ଦେଶକ ଭାବେ ଯାତ୍ରା ଜଗତରେ ମଧ୍ୟ ଖୁବ୍‌ ଖ୍ୟାତି ଅର୍ଜନ କରିଥିଲେ । ସେହିପରି ପତ୍ନୀ ବିଜୟା ସ୍ୱାମୀଙ୍କ ଲିଖିତ ନାଟକରେ ଅଭିନୟ କରିଥିଲେ । ତେବେ ବାପାଙ୍କ ଯାତ୍ରା ପାର୍ଟିକୁ ବଞ୍ଚାଇ ରଖିବା ପାଇଁ ରାମ ନାରାୟଣଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଲା । ଜମିବାଡ଼ି ବିକିଲେ । ଆଉ ଏବେ ସମ୍ପୂର୍ଣ୍ଣ ନିଃସ୍ୱ ଓ ଅସହାୟ । ଦୁଇ ଝିଅଙ୍କୁ ବହୁ କଷ୍ଟରେ ବାହା ଦେଲା ପରେ ତାଙ୍କ ପାଖରେ ଏବେ କିଛି ନାହିଁ କି କେହି ନାହାନ୍ତି। ଏ ଦୁଃଖକୁ ବଳି ଯାଇଛି ଗୁରୁତର ଅସୁସ୍ଥତା ।

ରାଜ୍ୟ ସରକାରଙ୍କ ଦ୍ୱାରା ମିଳୁଥିବା ୧୨ ଶହ ଟଙ୍କାର କଳାକାର ଭତ୍ତା ହିଁ ସେମାନଙ୍କ ସମ୍ବଳ । ଯେଉଁଠି ଏତିକି ପଇସା ଔଷଧ କିଣା ପାଇଁ ଅଣ୍ଟୁନାହିଁ, ସେଠି ଦଦରା ଘର ସଜାଡ଼ିବେ ବା କେମିତି ? ଅବଶ୍ୟ ଘର ଖଣ୍ଡିଏ ଯୋଗାଇ ଦେବାକୁ ବିଡିଓ ପ୍ରତିଶ୍ରୁତି ଦେଇଛନ୍ତି । ହେଲେ ତା ସହିତ ଏହି ଅସହାୟଙ୍କୁ ଦରକାର ଟିକିଏ ଶ୍ରଦ୍ଧା, ସମ୍ମାନ ଆଉ ସହାୟତା।