ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି ଏହି ଯାଆଁଳା ଭଉଣୀ

ବାଲୁଗାଁ(କେନ୍ୟୁଜ୍): ଇଏ ଆଶ୍ଚର୍ଯ୍ୟର କଥା ନୁହେଁ ତ ଆଉ କଣ? ଦୁହେଁ ସିନା ପିଲାଟିବେଳୁ ଦେଖିବାକୁ ଏକାପରି ଥିଲେ, ହେଲେ ଆଜି ଦୁହେଁ ସମାନ ମାର୍କ ରଖି ହୋଇଛନ୍ତି ଟପ୍ପର । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସମାନ ମାର୍କ ରଖି ଦୁହେଁ A1 ଗ୍ରେଡ଼ରେ ପାସ ହୋଇ ସମସ୍ତଙ୍କୁ କରିଛନ୍ତି ଚକିତ ।

ଚଳିତ ବର୍ଷ ମାଟ୍ରିକ ପରୀକ୍ଷରର ଫଳାଫଳ ପ୍ରକାଶ ପାଇଥିବା ବେଳେ ଛାତ୍ରଙ୍କୁ ପଛରେ ପକାଇ ଛାତ୍ରୀମାନେ ଆଗରେ ରହିଛନ୍ତି । ଆଉ ସବୁ କ୍ଷେତ୍ରରେ ଛାତ୍ରୀ ମାନେ ଟପ୍ପର ହୋଇଥିବା ଦେଖିବାକୁ ମିଳିଛି ।

ସେହିପରି ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ସରସ୍ଵତୀ ଶିଶୁମନ୍ଦିରରେ ପାସହାର ଶତପ୍ରତିଶତ ହୋଇଥିବା ବେଳେ, ତିନି ଜଣ ଛାତ୍ରୀ ବିଦ୍ୟାଳୟରେ A1 ଗ୍ରେଡ଼ ରେ ଉତୀର୍ଣ୍ଣ ହୋଇଛନ୍ତି । ସେଥିମଧ୍ୟରୁ କରିନା ବିଶ୍ୱାଳ ଓ କରିସ୍ମା ବିଶ୍ୱାଳ ଦୁଇ ଯାଆଁଳା ଭଉଣୀ ସମାନ ମାର୍କ ରଖି ଟପ୍ପର ହୋଇଛନ୍ତି । ଉଭୟ ୫୫୨ ନମ୍ବର ରଖି A1 ଗ୍ରେଡ଼ରେ ପାସ୍ ହୋଇଛନ୍ତି । ଦ୍ୱିତୀୟରେ ନେହା ମିଶ୍ର ୫୪୩ ନମ୍ବର ରଖି A1 ଗ୍ରେଡ଼ରେ ପାସ୍ ହୋଇଥିବା ଜଣାପଡିଛି ।

ଏହି ଦୁଇ ଯାଆଁଳା ଭଉଣୀଙ୍କ ସଫଳତାକୁ ନେଇ ଚାରିଆଡୁ ସେମାନଙ୍କ ପାଖକୁ ପ୍ରଶଂସାର ସୁଅ ଛୁଟିବାରେ ଲାଗିଛି । ବିଦ୍ୟାଳୟର ପରିସରରେ ଦୁଇ ଭଉଣୀଙ୍କୁ ମିଠା ଖୁଆଇ ଓ ପୁଷ୍ପଗୁଚ୍ଛ ଦେଇ ଗୁରୁଜୀ-ଗୁରୁମା, ଛାତ୍ରଛାତ୍ରୀ ଓ ଶୁଭେଛୁମାନେ ଅଭିନନ୍ଦନ ଜଣାଇଛନ୍ତି । ନିଜର ଅଧ୍ୟବସାୟ, ବିଦ୍ୟାଳୟର ଗୁରୁଜୀ-ଗୁରୁମାଙ୍କ ପରିଶ୍ରମ ଏବଂ ବାପା ମା’ଙ୍କ ଆଶୀର୍ବାଦ ଯୋଗୁଁ ଦୁହେଁ ଏହି ସଫଳତା ପାଇ ପାିରିଛନ୍ତି । ପାଠପଢା ବ୍ୟତୀତ ଛାତ୍ରୀ ଦୁଇ ଜଣଙ୍କର ଆଚାର, ବ୍ୟବହାର, ଚାଲିଚଳନୀରେ ନମ୍ରତା ଦେଖିବାକୁ ମିଳିଥାଏ ।

କରିନା ଓ କରିସ୍ମାଙ୍କ ଜନ୍ମସ୍ଥାନ ହେଉଛି ବାଲୁଗାଁ ନିକଟବର୍ତ୍ତୀ ଲମ୍ବୋଦରପୁର ଗ୍ରାମରେ । ବାପା କାର୍ତ୍ତିକ ସାହୁ ଜଣେ ମେକାନିକାଲ ଇଞ୍ଜିନିଅର ହୋଇଥିବା ବେଳେ ମାଆ ଝୁନୁ ସାହୁ ଜଣେ ଗୃହିଣୀ । ଆଉ ବଡ ଭଉଣୀ ଜଣେ ମେଧାବୀ ଛାତ୍ରୀ । କହିବାକୁ ଗଲେ ପରିବାରରେ ଏମାନେ ତିନି ଭଉଣୀ ।

ବାପା ଓ ମା’ଙ୍କ ଠାରୁ ଆରମ୍ଭ କରି ବନ୍ଧୁ ବାନ୍ଧବ,ଗୁରୁଜନ, ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ, ତଥା ଅଂଚଳବାସୀ ସମସ୍ତେ ଏହି ଦୁଇ ଯାଆଁଳା ଭଉଣୀ କରିନା ଓ କରିସ୍ମାକୁ ଶୁଭେଚ୍ଛା ଓ ଆଶିର୍ବାଦ ଦେବା ସହିତ ସେମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଛନ୍ତି ।

 

Leave A Reply

Your email address will not be published.