ବାପା ମାଆଙ୍କୁ ଏକା କରି ଚାଲି ଗଲେ ଚବିଶି ବର୍ଷର ଦୁଇ ଯାଆଁଳା ଭାଇ

ବୋଧହୁଏ କରୋନା ଥିବା ଯାଏ ଆମେ ଦେଖି ଚାଲିଥିବା ଅନେକ ଅଭାବନୀୟ ଦୃଶ୍ୟ । ଶୁଣି ଚାଲିଥିବା ହୃଦୟବିଦାରକ କଥା । ଯେତେ ମନକୁ ବୁଝାଇ ଡରିବାନି ଭାବିଲେ ବି ଆମ ଚାରି ପାଖରେ ଘଟୁଥିବା ଘଟଣା ଆମକୁ ଡରାଇ ଚାଲିଛି । ଜୀବନର ବାସ୍ତବତା ହେଉଛି ମୃତ୍ୟୁ । ଏକଥା ଶତପ୍ରତିଶତ ସତ । ହେଲେ ଅକାଳ ମୃତ୍ୟୁକୁ କିଏ ବା କେମିତି ଗ୍ରହଣ କରିବ ? ଅନେକ ଘଟଣା ଭିତରେ ଉତ୍ତର ପ୍ରଦେଶ ମିରଟରେ ଘଟିଛି ଏମିତି ଏକ ଦୁଃଖଦାୟକ ଘଟଣା ଯାହା କେବଳ ପରିବାରକୁ ନୁହେଁ ସାରା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ମିରଟ୍‌ର ଛାବନି ଠାରେ କରୋନାରେ କାଳ ହୋଇଛି ଦୁଇ ଯାଆଁଳା ଭାଇଙ୍କର ।

ଦୁନିଆକୁ ସେମାନେ ଆସିଥିଲେ ଏକା ସାଙ୍ଗରେ ଆଉ ଚାଲିଗଲେ ବି ଏକା ସାଙ୍ଗରେ । ବୟସ ମାତ୍ର ୨୪ ବର୍ଷ । ଏମାନେ ହେଉଛନ୍ତି ଜଣେ ଶିକ୍ଷକ ଗ୍ରେଗୋରୀ ରେମଣ୍ଡ ରାଫେଲଙ୍କ ପୁଅ ଜୋଫ୍ରେଡ୍‌ ଓ ରାଲଫ୍ରେଡ୍‌ । ଦୁହେଁ କରୋନା ପଜିଟିଭ ଚିହ୍ନଟ ହେବା ପରେ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ହେଲେ ସୁସ୍ଥ ହେଲେ ନାହିଁ ସେମାନେ । ସେହି ଚିକିତ୍ସାଧୀନ ଅବସ୍ଥାରେ ଗତ ମେ ୧୩ ତାରିଖ ଦିନ ପ୍ରଥମେ ଜୋଫ୍ରେଡ୍‌ଙ୍କର ଏବଂ ତାର କିଛି ଗଣ୍ଟା ପରେ ମେ ୧୪ ତାରିଖ ଦିନ ରାଲଫ୍ରେଡଙ୍କର ମୃତ୍ୟୁ ହୋଇଗଲା ।

ଦୁଇ ଯାଆଁଳା ପୁଅଙ୍କ ମୃତ୍ୟୁରେ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି ବାପା ରାଫେଲ ଓ ମା ସୋଜା । ଶେଷଥର ପାଇଁ ରାଲଫ୍ରେଡ୍‌ ଡାକ୍ତରଖାନା ବେଡ୍‌ରୁ ତାଙ୍କ ମା’ଙ୍କୁ ଫୋନ୍‌ କରିଥିଲେ । କହିଥିଲେ ସେ ଟିକେ ସୁସ୍ଥ ହେଉଛନ୍ତି । ଭାଇ ଜୋଫ୍ରେଡ୍‌ ସମ୍ପର୍କରେ ପଚାରିଥିଲେ । ତେବେ ତାଙ୍କୁ ମିଛରେ ସେ ଭଲ ଅଛନ୍ତି ଏକଂ ଦିଲ୍ଲୀର ଏକ ହସପିଟାଲକୁ ତାଙ୍କୁ ପଠା ଯାଉଛି ବୋଲି କୁହାଯାଇଥିଲା । ହେଲେ ରାଲଫ୍ରେଡ୍‌ ଠଉରାଇ ନେଇଥିଲେ । ଆଉ କହିଥିଲେ ମା ତୁମେ ମିଛ କହୁଛ । ଏ ନେଇ ବାପା ରାଫେଲ କହିଛନ୍ତି, ଆମେ ଚାହୁଁଥିଲୁ ଦୁଇ ଯାଆଁଳା ପୁଅ ଯେମିତି ଏକାଠି ଜନ୍ମ ହୋଇଛନ୍ତି ସେମିତି ରୁହନ୍ତୁ । ସୁସ୍ଥ ହେଲେ ଦୁଇଜଣ ଯାକ ଘରକୁ ଫେରନ୍ତୁ, ଜଣେ ନୁହେଁ । ଶେଷରେ ସେଇଆ ହିଁ ହେଲା। ଦୁଇ ଜଣ ଯାକ ଆମକୁ ଛାଡ଼ି ଚାଲିଗଲେ ।
ବାପା ରାଫେଲ ଆହୁରି କହିଛନ୍ତି, ଯେଉଁମାନେ ଜନ୍ମରୁ କେବେ ଅଲଗା ହୋଇ ନାହାନ୍ତି, ଅଲଗା କଥା ଚିନ୍ତା କରି ନାହାନ୍ତି ସେମାନେ ଏମିତି ଅଲଗା କେମିତି ମରିଥାନ୍ତେ ?

ଗତ ଏପ୍ରିଲ ୨୩ ତାରିଖ ଦିନ ଦୁଇ ଭାଇ ସେମାନଙ୍କ ୨୪ତମ ଜନ୍ମ ଦିନ ପାଳନ କରିଥିଲେ । ପାଠ ପଢ଼ାରୁ ଆରମ୍ଭ କରି ଚାକିରି ଏବଂ ଆଗାମୀ ଭବିଷ୍ୟତ ଜୀବନ କେମିତି କଟାଇବେ ସାଥୀ ହୋଇ ସ୍ଥିର କରିଥିଲେ । ଜୋଫ୍ରେଡ୍‌ ଓ ରାଲଫ୍ରେଡ୍‌ । ତେବେ ଏକଥା କାହାକୁ ଜଣା ନଥିଲା ଯେ ଦୁହେଁ ସାଙ୍ଗ ହୋଇ ଦୁନିଆ ଛାଡ଼ି ଦେବେ । ଏକଥା କାନ୍ଦି କାନ୍ଦି କହିଛନ୍ତି ବାପା ରାଫେଲ ।

ଏପ୍ରିଲ ୨୩ ତାରିଖ ଜନ୍ମ ଦିନ ପାଳନ ପରେ ୨୪ ତାରିଖ ଦିନ ଦୁହିଙ୍କ ଦେହ ଖରାପ ହେଲା । ପ୍ରଥମେ ସେମାନଙ୍କୁ ଘରେ ରଖା ଯାଇଥିଲା । ତେବେ ଅକ୍ସିଜେନ୍‌ ସ୍ତର ୯୦ରୁ କମିବା ପରେ ଦୁଇ ଭାଇଙ୍କୁ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ମେ ୧ ତାରିଖ ଦିନ ସେମାନେ ଡାକ୍ତରଖାନାକୁ ଆସିଥିଲେ । ତେବେ ସେଠାରେ ଦୁଇ ସପ୍ତାହ ଯାଏ ସଂଘର୍ଷ କରି ହାରିଗଲେ ଦୁଇ ଭାଇ । ବାପା ମା କୋଳ ଶୂନ୍ୟ କରି ଚାଲିଗଲେଦୁଇ ଭେଣ୍ଡିଆ ପୁଅ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.