ଟ୍ରାଫିକ୍ ନିୟନ୍ତ୍ରଣ, ଶୃଙ୍ଖଳିତ ଓ ସୁରକ୍ଷିତ ଯାତାୟତ ପାଇଁ ରାସ୍ତାରେ ହମ୍ପ୍ସ ବା ସ୍ପିଡ୍ ବ୍ରେକର୍ର ଆବଶ୍ୟକତା ରହିଛି । ନିୟମ ଅନୁସାରେ ବିପଜ୍ଜନକ ରାସ୍ତାରେ କିମ୍ବା ଜନଗହଳି ଥିବା ଅଞ୍ଚଳରେ । ଯାନବାହନଗୁଡ଼ିକର ଗତି ନିୟନ୍ତ୍ରଣ ପାଇଁ ଏସବୁ ହମ୍ପସ୍ ତିଆରି ହୋଇଥାଏ । ହେଲେ ଏହି ହମ୍ପସ୍ ବା ବମ୍ପସ୍ଗୁଡ଼ିକ ଆମ ପାଇଁ କେତେ କ୍ଷତିକାରକ ସାବ୍ୟସ୍ତ ହେଉଛି ତାକୁ ବୋଧହୁଏ ଆମେ ଭୁଲି ଯାଉଛେ । ଆସନ୍ତୁ ଜାଣିବା ସେ ସବୁ ବିଷୟରେ ।
ରାସ୍ତାରେ ଗାଡ଼ି ଚଳାଇଲା ବେଳେ ହମ୍ପ୍ସ ପାଖରେ ସମସ୍ତେ ଗାଡ଼ି ସ୍ଲୋ କରନ୍ତି । ଏହାକୁ ଡେଇଁବା ପରେ ପୁଣି ଗାଡ଼ି ସ୍ପିଡ୍ କରନ୍ତି । ଏହା ଦ୍ୱାରା ପ୍ରଦୂଷଣ ଦ୍ୱିଗୁଣିତ ହୋଇଥାଏ । ଏକଥା ୧୯୭୦ ମସିହାରେ ଇଂଲଣ୍ଡରେ ପ୍ରମାଣିତ ହୋଇଛି । ତେବେ ଏହାକୁ ଉଠାଇବା ବୋକାମି ହେବ ବୋଲି କୁହାଯାଇଥିଲା ।
ସେ ଦୁଇ ଚକିଆ ଯାନ ହେଉ କି ଚାରି ଚକିଆ ଅବା ବସ୍ ଏବଂ ଟ୍ରକ୍ ଭଳି ବଡ଼ ବଡ଼ ଯାନ, ହମ୍ପସ୍ ବା ବମ୍ପସ୍ରେ ସେମାନେ ଧୀରେ ଧୀରେ ଗାଡ଼ି ଚଳାଇଥାନ୍ତି । ତଥାପି ହମ୍ପସ୍ର ଝଟ୍କା ଗାଡ଼ି ଚାଳକ ଉପରେ ପଡ଼ିଥାଏ । ଅଣ୍ଟା ଓ ପିଠି ଉପରେ ବାରମ୍ବାର ଏହାର ଝଟ୍କା ଲାଗୁଥିବା ଲୋକଙ୍କ ଶରୀରର ଏସବୁ ଜାଗାରେ ସମସ୍ୟା ସୃଷ୍ଟି ହୁଏ । ସ୍ପଣ୍ଡିଲାଇଟ୍ସ ଏବଂ ଅଣ୍ଟା ଓ ପିଠି ବ୍ୟଥା ଭଳି ରୋଗ ଦେଖାଦିଏ ।
ଭାରତରେ ସ୍ପିଡ୍ ବମ୍ପସ୍ ଦୁର୍ଘଟଣା ରୋକିବା ଜାଗାରେ ଅଧିକ ଦୁର୍ଘଟଣା ଘଟାଉଛି ବୋଲି ସର୍ଭେରୁ ଜଣାପଡ଼ିଛି । ବର୍ଷକୁ ପ୍ରାୟ ୧୦ ହଜାର ଲୋକଙ୍କ ମୃତ୍ୟୁ ଏଇ ହମ୍ପ୍ସ ବା ସ୍ପିଡ୍ ବ୍ରେକର୍ ଯୋଗୁଁ ଘଟୁଥିବା ସର୍ଭେରୁ ଜଣାପଡ଼ିଥିଲା । ଏହି ସର୍ଭେ ଅନୁଯାୟୀ ଓଡ଼ିଶାରେ ୨୦୧୪ରେ ୨୯୨ ଜଣ ଏବଂ ୨୦୧୫ରେ ୩୭୭ ଜଣଙ୍କର ମୃତ୍ୟୁ ଘଟିଥିଲା । ସେହିପରି ଦେଶରେ ଯଥାକ୍ରମେ ୧୧୦୦୮ ଓ ୧୧୦୮୪ ଜଣ ପ୍ରାଣ ହରାଇଥିଲେ । ତେଣୁ ଭାରତୀୟ ରାସ୍ତା ପାଇଁ ଏହି ସ୍ପଡ୍ ବ୍ରେକର୍ ଜୀବନ ରକ୍ଷା ଅପେକ୍ଷା ଜୀବନ ନେବାରେ ଅଧିକ ଦାୟୀ ହୋଇଛି । ବିଶେଷ କରି ଉତ୍ତର ଓ ଦକ୍ଷିଣ ଭାରତରେ ଏହି ମୃତ୍ୟୁ ସଂଖ୍ୟା ସବୁଠାରୁ ଅଧିକ ।
ଜାତୀୟ ରାଜପଥ ଉପରେ ହମ୍ପ୍ସ ନରଖିବାକୁ ନିଷ୍ପତ୍ତି ହୋଇଥିଲେ ମଧ୍ୟ ଅନେକ ଜାଗାରେ ଏହା କରାଯାଇଛି । ସେହିପରି ଆମ ରାଜ୍ୟର ସହର ଭିତରେ ହେଉ କି ବାହାରେ ହମ୍ପ୍ସଗୁଡ଼ିକର ଉଚ୍ଚତା କିମ୍ବା ଓସାର ଉପରେ କୌଣସି ନିୟନ୍ତ୍ରଣ ନାହିଁ । ଏମିତିକି କୌଣସି ଜାଗାରେ ଯଦି ସ୍ଥାନୀୟ ଲୋକେ ଜିଦ୍ ଧରିଲେ ତେବେ ଆବଶ୍ୟକ ନଥିଲେ ମଧ୍ୟ ସେଠାରେ ହମ୍ପ୍ସ କରାଯାଉଛି । ପୁରି ଅନେକ ଜାଗାରେ ହମ୍ପ୍ସ ଉପରେ ଧଳା ରଙ୍ଗ ଦିଆଯାଉ ନାହିଁ କିମ୍ବା ନିୟମିତ ଭାବେ ଏହାର ମରାମତି କରାଯାଉ ନାହିଁ । ଯାହାଫଳରେ ଗାଡ଼ି ଚଳାଉଥିବା ଲୋକେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି ।
କେଉଁଠି ଗୋଟିଏ ତ କେଉଁଠି ଦୁଇଟି କିମ୍ବା ତିନିଟି, ଆଉ କେଉଁଠି ୫ରୁ ଅଧିକ ସ୍ପିଡ୍ ବ୍ରେକର୍ କରାଯାଇଛି । ପିଚୁ ରାସ୍ତାରେ କିଛିଟା ରକ୍ଷା ଅଛି ହେଲେ ଢଳେଇ ରାସ୍ତାର ହମ୍ପ୍ସ ଗାଡ଼ି ଓ ଗାଡ଼ି ଚାଳକ ପାଇଁ କ୍ଷତିକାରକ । ସେହିଭଳି ରବର ସ୍ପିଡ୍ ବ୍ରେକର୍ ମଧ୍ୟ ରହିଛି ।
ହେଲେ କଣ କରାଯିବ, ଏହାକୁ ବୋଧହୁଏ ଏକ ଛୋଟ କାରଣ ବୋଲି ଧରି ନିଆଯାଇଛି । ଯେଉଁଥି ପାଇଁ ଏକଥାକୁ ଧ୍ୟାନ ଦିଆଯାଇ ନାହିଁ କିମ୍ବା କଡ଼ାକଡ଼ି ଭାବେ ଆଇନ୍ କାନୁନ କରାଯାଇ ନାହିଁ । କାରଣ ସାଧାରଣ ଲୋକେ ଏହାକୁ ନେଇ ସେତେ ସଚେତନ ନୁହନ୍ତି । ତେବେ ଏହାର ପ୍ରଭାବ ସମସ୍ତଙ୍କ ଉପରେ ପଡୁଛି, ସେକଥା ଭୁଲିଯିବା ଆଦୌ ଉଚିତ ନୁହେଁ ।