ଆଳୁ ୪୫ ତ ପିଆଜ ୮୦, ଗରାଖ ଉଣ୍ଡୁଛି ଶସ୍ତା କେଉଁଠି

ଇଏ ସ୍ୱାଭିବକ କଥା ଯେ କାର୍ତ୍ତିକ ମାସ ଆସିଲେ ପରିବା ଦର ବଢ଼ି ଯାଏ । କାରଣ ଅନେକ ଲୋକ ଆମିଷ ଛାଡ଼ି ଧର୍ମକର୍ମରେ ମାତି ଯାଆନ୍ତି ଏବଂ କେବଳ ଭେଜ୍‌ ହୋଇଯାଆନ୍ତି । ତେବେ ଗତ କିଛି ବର୍ଷ ହେଲା ଏହି ଧର୍ମ ମାସରେ ଏଭଳି ସ୍ଥିତି ଉପୁଜୁଛି ଯେ ପରିବା ବଜାରକୁ ଯିବା ଲାଗି ଲୋକେ ଡରୁଛନ୍ତି । ଆପଣ ଯଦି ଆଜି ରାଜଧାନୀ ଭୁବନେଶ୍ୱର ବଜାର କଥା କହିବେ ତେବେ ଆଳୁ ଦର ରହିଛି କିଲୋ ପିଛା ୪୫ ଟଙ୍କା । ଆଖି ପାଉନି ଆଜ୍ଞା । ୧୦ ଟଙ୍କାରୁ ଯାଇ ୪୫ରେ ପହଞ୍ଚିଛି । ତାହା ପୁଣି ନିତି ଦିନିଆ ଅତ୍ୟାବଶ୍ୟକ ଆଳୁ । ପିଆଜ ୮୦ । ପୋଟଳ ୮୦, ଭେଣ୍ଡି ୬୦, ଫୁଲକୋଭି ଗୋଟାକୁ ୪୫ରୁ ୫୦ ଟଙ୍କା । ଆଉ ବନ୍ଧାକୋବି କିଲୋ ୬୦ ଟଙ୍କା ।

VEG-1

ସନ୍ଧ୍ୟା ବେଳୁ ରାତି ଯାଏ ପରିବା ବଜାରରେ ଗହଳି ଲାଗି ରହୁଛି । ହେଲେ ଆପଣ ଯଦି ଦୂରରୁ ଠିଆ ହୋଇ ଖାଲି ଲୋକଙ୍କ ହାବଭାବ ଦେଖିବେ ତେବେ ଜାଣି ପାରିବେ ଯେ କିଭଳି ଉତ୍କଣ୍ଠା ଓ ଚିନ୍ତାରେ ଅଛନ୍ତି ସାଧାରଣ ଲୋକେ । ସମସ୍ତଙ୍କ ମନରେ ସେଇ ନିରାଶାର ଭାବ । ଖାଲି ଏ ଦୋକାନରୁ ସେ ଦୋକନ ବୁଲି ପରିବା ରେଟ୍‌ ବୁଝୁଛନ୍ତି । ଟିକିଏ କେଉଁଠି କମ୍‌ ରହିଲେ ସେଇଠୁ କିଣି ପକାଉଛନ୍ତି । ଆଉ ଯଦି ରେଟ୍‌ କମ୍‌ ନାହିଁ ତେବେ ଗୋଟିଏ ପରିବା ଧରି ଅଧା ବ୍ୟାଗ୍‌ରେ ଘରକୁ ଫେରୁଛନ୍ତି । କେବଳ ସବୁଜ ପନିପରିବାକୁ ନିରିଖେଇ ଦେଖିବା ହିଁ ସାର ହେଉଛି ।

ଅନ୍ୟପକ୍ଷରେ ପରିବା ବାଲା କିନ୍ତୁ ନିରାଶ ନୁହନ୍ତି । ସେମାନେ ପୂର୍ବ ଭଳି ଜୋର୍‌ ଜୋର୍‌ ପାଟି କରି ରେଟ୍‌ ଡାକୁଛନ୍ତି । କୋଡ଼ିଏ କୋଡ଼ିଏ କୋଡ଼ିଏ । ଆପଣ ଯଦି ଅତି ଉତ୍ସାହର ସହ ତା ପାଖରେ ପହଞ୍ଚି ପରିବା ବାଛିବା ଆରମ୍ଭ କଲେ ତେବେ ସେ ଆସ୍ତେ କରି କହିବ ଅଢ଼େଇଶହକୁ ୨୦ । ଆପଣଙ୍କ ହାତ ସେଇଠି ଅଟକି ଯିବ । କାରଣ କିଲୋଟିଏ ନେଲେ ୮୦ ଟଙ୍କା ଦେବାକୁ ପଡ଼ିବ । ଆଉ ଯଦି ଆପଣଙ୍କ ପରିବାର ବଡ଼ ତା ହେଲେ ତ କଥା ସରିଲା । ଯେମିତି ହେଉ ସବୁଥିରୁ ୫ କେଜି ଲେଖାଏଁ ନେବାକୁ ହେବ । ତେଣୁ କଖାରୁ ଓ ଆଳୁକୁ ଟିକେ ବେଶି ପ୍ରାଧାନ୍ୟ ମିଳେ ।

VEG-2

କିଛି ପରିବା ଅଛି ଯାହାକୁ ଆପଣ ନେଇ ଗୋଟିଏ ତରକାରୀ କରି ଖାଇ ପାରିବେ । ହେଲେ ଆଉ କିଛି ପରିବାକୁ କେବଳ ସାଇଡ୍‌ ରେସିପି ଭାବେ ଖାଇ ପାରିବେ । ତେଣୁ ଲୋକେ ଏକଥା ବି ଚିନ୍ତା କରି ପରିବା କିଣୁଛନ୍ତି । ଯେମିତିକି ପୋଟଳ କିଲେ ନେଇ ଗଲେ ଖାଲି ତରକାର କିମ୍ବା ଭଜା କରି ଦେଲେ ଖାଇ ହେବ । ହେଲେ ଜହ୍ନି କି କୁନ୍ଦୁରି ନେଲେ ତାକୁ ସାଇଡ୍‌ ରେସିପି କରିହେବ । ସେ ଯାହା ବି ହେଉ ନିଜର ଓ ଘରର ଅନ୍ୟ ସଦସ୍ୟମାନଙ୍କ ମନ ରଖି ପରିବା କିଣିବାକୁ ପଡୁଛି । ନଚେତ ଯାହା ତାହା କିଣି ଘରେ ଗୃହିଣୀଙ୍କ ଉପରେ ନିଜ ଇଚ୍ଛିତ ପରିବା ନଖାଇ ପାରିବାର ରାଗ ଶୁଝାଇ ଦେଉଛନ୍ତି । ‘ଖାଇଲେ ଖାଅ ନଖାଇଲେ ନାହିଁ । ଆଉ ଘରକୁ କିଛି ପରିବ ଆସିବନି’ । ଇଏ ହେଉଛି ଘରକୁ ପରିବା ବ୍ୟାଗ ଧରି ଫେରିଲା ପରେ ବାବୁଆଣୀଙ୍କୁ ବାବୁଙ୍କ ଉତ୍ତର ।

ତେବେ ଏ ସମୟରେ ଏଭଳି ପରିବା ଦର ଆକାଶ କି ପାତାଳ ଛୁଆଁ ହେଉଛି କାହିଁକି ? ପ୍ରଥମ କଥା ହେଉଛି ଲୋକ ସଂଖ୍ୟା ଅନୁସାରେ ସେତିକି ପରିବା ନାହିଁ । ଦ୍ୱିତୀୟରେ ଠିକ୍‌ ପରିବା ଚାଷ ସମୟରେ ଅଦିନିଆ ବର୍ଷା ଦାଉ ସାଧୁଛି । ଚାଷ ନଷ୍ଟ ହେଉଛି ଅବା ଫଳ ଫଳି ସାରିଥିଲେ ପୋକ ଲାଗି ଯାଉଛି । ତା ସହିତ ଆମେ ଧୀରେ ଧୀରେ ଚାଷ ଠାରୁ ଦୂରେଇ ଯାଇଥିବା ବେଳେ କିଚେନ୍‌ ଗାର୍ଡନ ବା ବାଡ଼ିରେ ପରିବା ଆଦି ଚାଷ କରିବା କଥା ବି ଭୁଲି ଗଲୁଣି । ଆହୁରି ଅନେକ କାରଣ ବି ରହିଛି ଯାହା ଭୁକ୍ତଭୋଗୀମାନେ ଜାଣି ପାରୁଥିବେ । ସେକଥା କହିବାର ଆବଶ୍ୟକତା ନାହିଁ । ତେଣୁ ଏହି ପରିବା ସଂକଟ ସମୟରେ ଅନ୍ୟ ଖାଦ୍ୟ ଯେମିତି କି ଡାଲି ଜାତୀୟ ଶସ୍ୟ, ସୋୟାବିନ୍‌ ଆଦିକୁ ବ୍ୟବହାର କରି ପାରିବା । ହେଲେ ଆମେ ଓଡ଼ିଆ ପରା ନଅ ତିଅଣ ଛଅ ଭଜା ନହେଲେ ଭାତ ପାଖରେ ବସିବା ନାହିଁ । ତେଣୁ ପାଟି ସୁଆଦ ପାଇଁ ଏବେ ଆମ ଉପରେ ଦାଉ ସାଧୁଛି ପରିବା ଦର । ଯାହାର କିଛି ବିକଳ୍ପ ହିଁ ନାହିଁ । ନନ୍‌ଭେଜ୍‌କୁ ବ୍ରତ କରିଥିବା ଲୋକେ ଏ ସମୟରେ ଟିକେ ଖୁସି ହୁଅନ୍ତି । କାରଣ ସବୁଦିନେ ତାଙ୍କ ଖାଦ୍ୟଟି ଚଢ଼ା ଦରରେ ରହୁଥିବା ବେଳେ କାର୍ତ୍ତିକରେ ପରିବା ଦର ଆମିଷକୁ ଟପିଯାଏ । ସେଥିଲାଗି ଖୁସି ଲାଗେ ଯେ ଯାହା ହେଉ ଆମକୁ ପରିବା ରେଟ୍‌ ଡରାଇ ପାରୁନାହିଁ । ଯେମିତି ଜଣେ ଯୁବ ପିଢ଼ିର ଛାତ୍ର କହିଲେ, ‘ଆରେ ହେ, ପିଆଜ କିଲୋ ୮୦ ଟଙ୍କା । ସେଥିରେ ତ ମୁଁ ବିରିୟାନି ପ୍ଲେଟ୍‌ଟିଏ ଖାଇ ପାରିବି’।

PATATO

ଛାଡ଼ନ୍ତୁ ସେକଥା, ବର୍ତ୍ତମାନର ସ୍ଥିତି ଭବିଷ୍ୟତରେ ବି ରହିବ । କାରଣ ଆମେ ଯାହା ପାଇଁ ଏତେ ହରବର ହେଉଛେ ସମୟ ବିତିଗଲେ ତା କଥା ପୁଣି ଭୁଲି ଯାଉଛେ । ତାର ବିକଳ୍ପ ଏବଂ ସମାଧାନର ବାଟ କେବେ ଖୋଜୁନା । ତେଣୁ ନୂଆ ପରିବା ଆସିବା ଯାଏ ଏମିତି ମନ ଓ ପେଟକୁ ମାରି ରହି ଯାଉଛୁ । ଏ ଲେଖାଟି ଲେଖିବା ବେଳେ ଆଉ ଗୋଟିଏ କଥା ବାହାରୁ ଶୁଣି ଆସିଲି, ଜଣେ ମହରଣା ବା ବଢ଼େଇ କହିଲେ ‘ଆଜ୍ଞା, ଆମେ ଶୁଣିଛୁ କୁଆଡ଼େ ଏ ବର୍ଷ ପିଆଜ କିଲୋ ୩୬୫ ଟଙ୍କା ହେବ ?’ । ହସିବେ ନା କାନ୍ଦିବେ ନା ଏହାକୁ ନେଇ ଆଉ କିଛି ରାସ୍ତା ବାହାର କରିବେ ? ଚିନ୍ତା କରୁଥାନ୍ତୁ ଆର କାର୍ତ୍ତିକ ଯାଏ । ତା ଭିତରେ ଘରର ବଜେଟ୍‌ ବିଗିଡ଼ି ପୁଣି ସଜାଡ଼ି ହେବାକୁ ବସିବଣି ।

ହିମାଂଶୁ ପତି ମିଶ୍ର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.