ଅବସର ପରେ ରାଜ୍ୟପାଳଙ୍କୁ ମିଳେ କେଉଁ ସୁବିଧା ? ଜାଣନ୍ତୁ ରାଜ୍ୟପାଳଙ୍କ ଦରମା କେତେ

ଆମ ଦେଶର ବିଧି ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି ରାଜ୍ୟପାଳମାନେ । ସେମାନଙ୍କର କାର୍ଯ୍ୟକାଳ ୫ ବର୍ଷ ଯାଏ ରହେ । ଜଣେ ରାଜ୍ୟପାଳ ପଦରେ ଥିଲା ବେଳେ ତାଙ୍କୁ ବହୁତ ସମ୍ମାନ ମିଳିଥାଏ । ତେବେ ରାଜ୍ୟପାଳ ଅବସର ନେବା ପରେ ତାଙ୍କୁ କେଉଁ ସୁବିଧା ମିଳେ ?

ଦୀର୍ଘ ପାଞ୍ଚ ବର୍ଷ ଧରି ରାଜ୍ୟପାଳ ଭାବେ କାର୍ଯ୍ୟ କରିବା ପରେ ଓଡ଼ିଶାରୁ ବିଦାୟ ନେଇଛନ୍ତି ପ୍ରଫେସର ଗଣେଶୀ ଲାଲ । ଅନେକ ସ୍ମୃତି ନେଇ ଫେରିଛନ୍ତି । ତାଙ୍କୁ ଓଡ଼ିଶାରୁ ମିଳିଛି ଖୁବ୍ ଶ୍ରଦ୍ଧା ଓ ଭଲ ପାଇବା ଓ ସମ୍ମାନ । ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହୋଇଛନ୍ତି ରଘୁବର ଦାସ । ତେବେ ଏଠି ମନକୁ ଆସୁଛି, ଅବସର ପରେ ରାଜ୍ୟପାଳମାନେ କଣ କରନ୍ତି, କେମିତି ରୁହନ୍ତି ? ତାଙ୍କୁ ସରକାରଙ୍କ ତରଫରୁ କି କି ସୁବିଧା ମିଳେ ? ଆସନ୍ତୁ ଜାଣିବା ଏହି ବିଷୟରେ ।

ଆମ ଦେଶର ବିଧି ବ୍ୟବସ୍ଥା ଅନୁସାରେ ରାଷ୍ଟ୍ରପତିଙ୍କ ଦ୍ୱାରା ନିଯୁକ୍ତ ହୋଇଥାନ୍ତି ରାଜ୍ୟପାଳମାନେ । ସେମାନଙ୍କର କାର୍ଯ୍ୟକାଳ ୫ ବର୍ଷ ଯାଏ ରହେ । ଜଣେ ରାଜ୍ୟପାଳ ପଦରେ ଥିଲା ବେଳେ ତାଙ୍କୁ ବହୁତ ସମ୍ମାନ ମିଳିଥାଏ । ରାଜପ୍ରାସାଦ ଭଳି ଭବନ ସାଙ୍ଗକୁ ମାସକୁ ଦରମା ୩ ଲକ୍ଷ ୫୦ ହଜାର ଟଙ୍କା । ବିଭିନ୍ନ ସଭାସମିତି ପାଇଁ ନିମନ୍ତ୍ରଣ ଏବଂ ରାଜକୀୟ ସମ୍ମାନ ମିଳିଥାଏ । ରାଜ୍ୟପାଳଙ୍କ ସେବା ପାଇଁ ଅନେକ ସେବକ ଏବଂ କର୍ମଚାରୀମାନେ ମଧ୍ୟ ରହିଥାନ୍ତି । ଜାଣି ରଖନ୍ତୁ, ରାଷ୍ଟ୍ରପତିଙ୍କ ପରେ ସବୁଠାରୁ ଅଧିକ ସୁବିଧା ଏବଂ ଦରମା ରାଜ୍ୟପାଳଙ୍କୁ ହିଁ ମିଳିଥାଏ ।

ଏହା ବ୍ୟତୀତ ରାଜ୍ୟପାଳଙ୍କୁ ଭ୍ରମଣ ଭତ୍ତା ଠାରୁ ଆରମ୍ଭ କରି ଟେଲିଫୋନ୍ ଭତ୍ତା ଏବଂ ସେମାନଙ୍କ ବାସଗୃହ ସଜାଇବା ପାଇଁ ଅନେକ ପ୍ରକାର ଭତ୍ତା ମିଳିଥାଏ । ହେଲେ ସେମାନଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ଏହି ସବୁ ସୁବିଧା ସେମାନଙ୍କ ପାଇଁ ଜାରି ରହିଥାଏ କି ? ବେତନ ବ୍ୟତୀତ ରାଜ୍ୟପାଳ ଏହି ପଦବିରେ ଥିବା ବେଳେ ଚିକିତ୍ସା ସୁବିଧା, ଆବାସ, ଭ୍ରମଣ, ଫୋନ୍ କଲ ବିଲ୍ ଏବଂ ବିଦ୍ୟୁତ୍ ବିଲ୍ ଭଳି ଅନେକ ବିଶେଷ ସୁବିଧା ପାଇଥାନ୍ତି । ରାଜ୍ୟପାଳ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା କାର୍ଯ୍ୟର ତଦାରଖ କରନ୍ତି। ରାଜ୍ୟରେ ଘଟୁଥିବା ସମସ୍ତ କାର୍ଯ୍ୟକଳାପ ବିଷୟରେ କେନ୍ଦ୍ରକୁ ଅବଗତ କରାଇଥାନ୍ତି ରାଜ୍ୟପାଳ । ୧୯୮୨ ମସିହାର ରାଜ୍ୟପାଳ (ଅନୁମୋଦନ ଭତ୍ତା ଏବଂ ସୁବିଧା) ଅଧିନିୟମ ଅନୁଯାୟୀ, ୫ ବର୍ଷ କାର୍ଯ୍ୟକାଳ ମଧ୍ୟରେ ତାଙ୍କ ସୁବିଧାଗୁଡ଼ିକରେ କୌଣସି ହ୍ରାସ ହୋଇପାରିବ ନାହିଁ । ତେବେ ରାଜ୍ୟପାଳ ଅବସର ନେବା ପରେ ତାଙ୍କୁ କେଉଁ ସୁବିଧା ମିଳେ ?

ଅବସର ନେବା ପରେ ରାଜ୍ୟପାଳଙ୍କୁ କେଉଁ ସୁବିଧା ମିଳେ :
ଆଶ୍ଚର୍ଯ୍ୟର କଥା ହେଉଛି ରାଜ୍ୟପାଳ ଅବସର ନେବା ପରେ ସରକାର ତାଙ୍କୁ କୌଣସି ଆବାସ ଯୋଗାଇ ନଥାନ୍ତି କିମ୍ବା ଅବସର ପରେ ତାଙ୍କୁ କୌଣସି ପେନସନ୍ କିମ୍ବା ଭତ୍ତା ମଧ୍ୟ ଦିଆଯାଏ ନାହିଁ । ସେମାନଙ୍କୁ କେବଳ ଗୋଟିଏ ଭତ୍ତା ମିଳିଥାଏ, ଯାହା ଚିକିତ୍ସା ସହ ଜଡ଼ିତ । ଯେତେବେଳେ ଅବସରପ୍ରାପ୍ତ ରାଜ୍ୟପାଳ ଅସୁସ୍ଥ ହୁଅନ୍ତି ସେତେବେଳେ ସରକାର ସେମାନଙ୍କର ସମସ୍ତ ଖର୍ଚ୍ଚ ବହନ କରନ୍ତି, କିନ୍ତୁ ଏହା ବ୍ୟତୀତ ସେମାନଙ୍କୁ ନିଜର ସବୁ ଖର୍ଚ୍ଚ ନିଜେ ବହନ କରିବାକୁ ପଡ଼ିଥାଏ । ୧୯୮୨ ଅଧିନିୟମ ଅନୁସାରେ ଅବସର ପରେ ରାଜ୍ୟପାଳଙ୍କୁ ପେନସନ୍‌ ଦେବାର କୌଣସି ବ୍ୟବସ୍ଥା ନାହିଁ ।

ଯେପର୍ଯ୍ୟନ୍ତ ଜଣେ ରାଜ୍ୟପାଳ ନିଜ ପଦବିରେ ରହିଥାନ୍ତି ସେତେବେଳ ଯାଏ ତାଙ୍କୁ ବେତନ ଏବଂ ଭତ୍ତା ସେହି ରାଜ୍ୟର ଏକତ୍ରିତ ପାଣ୍ଠିରୁ ଦିଆ ଯାଇଥାଏ । କିନ୍ତୁ ଅବସର ନେବା ପରେ ରାଜ୍ୟ ତାଙ୍କୁ ପାଣ୍ଠିରୁ କିଛି ବି ଦେଇ ନଥାଏ । ଏମିତିକି କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ସେମାନଙ୍କୁ ଭତ୍ତା କିମ୍ବା ପେନସନ୍ ମିଳିନଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.