ପ୍ଲାଷ୍ଟିକ୍‌ ବ୍ୟାନ୍‌ ଭଲ କଥା, ହେଲେ ବିକଳ୍ପ କିଛି କରାଯାଇଛି କି ?

ପରିବେଶ ପ୍ରଦୂଷଣକୁ ରୋକିବା ଲାଗି ଏବେ କଡ଼ା ପଦକ୍ଷେପ ଓ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ସରକାର । ସେଥିଲାଗି ଗାନ୍ଧୀ ଜୟନ୍ତୀ ଅର୍ଥାତ୍‌ ଅକଟୋବର ୨ ତାରିଖରୁ ରାଜ୍ୟର ସହରାଞ୍ଚଳରେ ପ୍ଲାଷ୍ଟିକର ବ୍ୟବହାରକୁ ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ହେଲେ ସବୁବେଳେ କୁହାଯାଏ ଯେ କୌଣସି ନିୟମ କାନୁନ ଲାଗୁ କରିବା ପୂର୍ବରୁ ତାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ କଣ ପଡ଼ିବ ତାକୁ ମଧ୍ୟ ବିଚାର କରାଯିବା ଉଚିତ । କାରଣ ବହୁଳ ଭାବେ ବ୍ୟବହାର ହେଉଥିବା ପ୍ଲାଷ୍ଟିକ୍‌ ଲୋକଙ୍କ ଜୀବନ ଶୈଳୀ ସହ ଏଭଳି ଯୋଡ଼ି ହୋଇଯାଇଛି ଯେ ଏହାକୁ ଅଲଗା କରିବା ଭାରି କଷ୍ଟକର ।

PLASTIC-1ପ୍ଲାଷ୍ଟିକ୍‌କୁ ନେଇ ସରକାରଙ୍କର କିଭଳି ଦୂରଦୃଷ୍ଟିର ଅଭାବ ରହିଛି ତାର କିଛି ଉଦାହରଣ ଆମେ ଏଠାରେ ଉଲ୍ଲେଖ କରୁଛୁ । ପ୍ରଥମ କଥା ହେଲା, ଜଙ୍ଗଲ ନଷ୍ଟ ହେଉଥିବାରୁ କାଠ ଜାଳିବା ଏବଂ ଏହାର ବ୍ୟବହାର ଉପରେ କଟକଣା ଲାଗିଲା । ତେଣୁ କାଠ ସ୍ଥାନରେ ପ୍ଲାଷ୍ଟିକ୍‌ ବ୍ୟବହାରକୁ ପ୍ରୋତ୍ସାହନ ଦିଆଗଲା । ଏମିତିକି ପ୍ଲାଷ୍ଟିକ୍‌ ଇଞ୍ଜିନିୟରିଂ, ପ୍ଲାଷ୍ଟିକ୍‌ କାରଖାନା ଖୋଲିଲା । ଅତୀତରେ କାଚ ଏବଂ କଗଜ, ଅଖା ଓ କନା ବ୍ୟାଗ୍‌ ଆଦି ବ୍ୟବହାର ହେଉଥିଲା ବେଳେ ସେସବୁ ନିଶ୍ଚିହ୍ନ ହୋଇ ତାର ଜାଗା ନେଲା ପ୍ଲାଷ୍ଟିକ୍‌ । ଆଉ ସେହି ପ୍ଲାଷ୍ଟିକ୍‌ ଏବେ କାଳ ସାଜିଲା । ସେତେବେଳେ ଯଦି ଏ ନେଇ ଉଚିତ ବିଚାର ଆଲୋଚନା ହୋଇଥାନ୍ତା ତେବେ ବୁମେରାଂ ସାଜିଥିବା ପ୍ଲାଷ୍ଟିକ୍‌ ରାକ୍ଷାସ କବଳରେ ପଡ଼ିନଥାନ୍ତା ଏ ମଣିଷ ସମାଜ । ଜନଜୀବନ ସହ ଅଙ୍ଗାଙ୍ଗୀ ଭାବେ ଯୋଡ଼ି ଦେଇ ପ୍ଲାଷ୍ଟିକ୍‌କୁ ଏବେ ବିଦା କରିବାକୁ କଡ଼ା ପଦକ୍ଷେପ ନେଇଛନ୍ତି ସରକାର । ହେଲେ ଯେଉଁସବୁ ପ୍ଲାଷ୍ଟିକ୍‌ ସାମଗ୍ରୀ ବ୍ୟବହାର ହେଉଛି ତାକୁ ବନ୍ଦ କରିବା ପରେ ବିକଳ୍ପ ଭାବେ କଣ କରାଯିବ ସେ ଚିନ୍ତା କରି ନାହାନ୍ତି । ଯଦି ଲୋକେ ବିକଳ୍ପ ପାଇବେ ତେବେ ଆପେ ଆପେ ଗାଁରୁ ସହର ସବୁ କିଛି ପଲିଥିନ୍‌ ମୁକ୍ତ ହୋଇଯିବ ।

PLASTIC-2ଦୁଇଶହ ମିଲି ଲିଟର ଏବଂ ଏହାଠାରୁ କମ୍‌ ପାଣି ବୋତଲକୁ ବ୍ୟାନ୍‌ କରାଯାଇଛି । ଟିକେ ଚିନ୍ତା କରନ୍ତୁ ତ ପାଣି ନଷ୍ଟ ହେଉଛି ବୋଲି ଛୋଟ ବୋତଲ ବାହାର କରାଗଲା । ଏବେ ତାକୁ ବନ୍ଦ କରାଯାଉଛି । ତେଣୁ ଗୋଦଡ଼ା କୋଡୁଛି ଯେମିତି, ମାଡୁଛି ବି ସେମିତି । ସେ ତେଲ ପ୍ୟାକେଟ୍‌ ହେଉ କି କ୍ଷୀର ପ୍ୟାକେଟ୍‌ ସବୁ କିଛି ପ୍ଲାଷ୍ଟିକ୍‌ରେ ତିଆରି । କାହା ଘରେ ପାଣି ପିଇବା ଲାଗି ଆଇ କାଚ କି ଷ୍ଟିଲ୍‌ ଗ୍ଲାସର ବ୍ୟବହାର ହେଉନାହିଁ । ସମସ୍ତଙ୍କ ଫ୍ରିଜ୍‌ରେ ପ୍ଲାଷ୍ଟିକ୍‌ ପାଣି ବୋତଲ । ତାର ବିକଳ୍ପ କଥା କେବେ କେହି ଚିନ୍ତା କରି ନାହାନ୍ତି ।
ପୂର୍ବରୁ କ୍ଷୀରବାଲା ଆସିଲେ ପଳାରେ ମାପି ଲୋକଙ୍କୁ ନିଜ ଜାଗାରେ କ୍ଷୀର ଦେଉଥିଲା । ତେଲ କିମ୍ବା କ୍ଷୀର ଆଣିବା ଲାଗି ଲୋକେ କାଚ ବୋତଲ ବ୍ୟବହାର କରୁଥିଲେ । ହେଲେ ପ୍ଲାଷ୍ଟିକ୍‌ ଆସିବା ପରେ ଭାଙ୍ଗି ଯାଉଥିବା କାଚ ବୋତଲ ଏବଂ ସାମଗ୍ରୀକୁ ଲୋକେ ନିଜ ଦୈନନ୍ଦନ ଜୀବନରୁ ବିଦା କରିଦେଲେ । ଶସ୍ତା, ସୁନ୍ଦର ଓ ମଜବୁତ ଭାବେ ସବୁ ସାମଗ୍ରୀର ବିକଳ୍ପ ସାଜିଥିବା ପ୍ଲାଷ୍ଟିକ୍‌ ଏବେ ଦୁଃଖ ଦେବାକୁ ଲାଗିଲାଣି । ତେଣୁ ପ୍ଲାଷ୍ଟିକ୍‌ ବ୍ୟାନ୍‌ ହେଲେ ଏଭଳି ତରଳ ଜିନିଷ ସବୁକୁ କେମିତି ପ୍ୟାକେଜିଂ କରାଯିବ ତାର ବ୍ୟବସ୍ଥା ସରକାର କରିଛନ୍ତି କି ?
ବିଭିନ୍ନ ସାମଗ୍ରୀ ନେବା ଆଣିବାରେ ଆଉ କାଗଜ ବ୍ୟବହାର ହେଉନାହିଁ । ଠୁଙ୍ଗା ତ କେବେ ଠାରୁ ନିଶ୍ଚିହ୍ନ ହୋଇଯାଇଥିଲା । ତେବେ ପଲିଥିନ୍‌ ମୁଣା ଉପରେ ବ୍ୟାନ୍‌ ଲାଗିଲା ପରେ କାଁଭାଁ ଦୋକାନୀ ଏବେ ପୁଣି କାଗଜ ଠୁଙ୍ଗା ବ୍ୟବହାର କରୁଛନ୍ତି । ହେଲେ କାଗଜ ପାଇଁ ବ୍ୟବହାର ହେଉଥିବା ଗଛ ବିଶେଷ କରି ବାଉଁଶର ବଂଶ ଧୀରେ ଧୀରେ ଲୋପ ପାଇବାକୁ ବସିଥିଲା ବେଳେ ଏହାକୁ କାଟିବା ଉପରେ ମଧ୍ୟ ଅଙ୍କୁଶ ଲାଗିଛି । ବାଉଁଶ କେବଳ ଗାଁ ଗହଳିରେ ବ୍ୟବହାର ହେଉଥିବା ବେଳେ ସହରାଞ୍ଚଳରେ ଟେଣ୍ଟହାଉସ୍‌ମାନେ ଏହାକୁ କାମରେ ଲଗାଉଛନ୍ତି ।

PLASTIC-3
ଏହି ନିଷେଧାଦେଶ ଦ୍ୱାରା ପ୍ଲାଷ୍ଟିକ୍‌ ଶିଳ୍ପ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ । ଅନେକ ଲୋକ ବେକାର ହେବେ । ସେମାନଙ୍କ ପରିବାରରେ ଦେଖାଦେବ ଆର୍ଥିକ ସଂକଟ । ଭବିଷ୍ୟତ ଅନ୍ଧାର ହୋଇଯିବ । କଥାରେ ଅଛି ବୁଝି ବିଚାରି କାମ ନକଲେ ବିପଦ ପଡ଼ଇ ଭଲେ । ଏବେ ଏହି ସ୍ଥିତି ଉପୁଜିଛି । ତେଣୁ ସରକାର ଯେଉଁ ପ୍ଲାଷ୍ଟିକ୍‌ ଉପରେ କଟକଣା ଜାରି କଲେ ତାର କେତେ ବ୍ୟବହାର ହେଉଛି ଓ ଏହାକୁ ବନ୍ଦ କଲେ ତାର କି ପ୍ରଭାବ ପଡ଼ିବ ସେସବୁ କଥା ଚିନ୍ତା କରିବା ଉଚିତ ଥିଲା । ଏହା ସହିତ ବିକଳ୍ପ ବ୍ୟବସ୍ଥା ଆଗରୁ ଆରମ୍ଭ କରି ଲୋକଙ୍କୁ ସଚେତନ କରିଥିଲେ ଆଉ କଡ଼ା କାର୍ଯ୍ୟାନୁଷ୍ଠାନର ଆବଶ୍ୟକତା ପଡ଼ିନଥାନ୍ତା । ଏହା ପୂର୍ବରୁ ସରକାର ପଲିଥିନ୍‌ ବ୍ୟାନ୍‌ କରିଥିଲେ । ହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଏବଂ ନିୟମିତ ଯାଞ୍ଚ ନହେବା ଯୋଗୁଁ ପୁଣି ଲୁଚାଛପାରେ ଚାଲିଲା ବ୍ୟବହାର । କେବଳ ମଲ୍‌ ଆଦି ବଡ଼ ବଡ଼ ବ୍ୟାବସାୟିକ ଅନୁଷ୍ଠାନ ହିଁ ନିୟମକୁ ମାନିଲେ । ନଚେତ ଗଳିକନ୍ଦିରେ ଏବେବି ପଲିଥିନ୍‌ ଚଳୁଛି ।

plastic ban
ଅବଶ୍ୟ ବିଳମ୍ବ ହେଉ ପଛେ ସରକାର ଚେତିଛନ୍ତି । ପଦକ୍ଷେପ ନିଅନ୍ତୁ ଓ କାର୍ଯ୍ୟାନୁଷ୍ଠାନ ବି କରନ୍ତୁ । ହେଲେ ଟ୍ରାଫିକ୍‌ ନିୟମ ଭଳି ତାହା ବୁମେରାଂ ନହେଉ । ଯଦି ଆମେ ପ୍ଲାଷ୍ଟିକ୍‌ ମୁକ୍ତ ହେବାକୁ ଚାହୁଁଛୁ ତେବେ ଏ ଦିଗରେ ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିବାକୁ ହେବ । ଏକାଥରେ ଜମ୍ପ୍‌ ମାରିଲେ ତଳେ ପଡ଼ିବା ସାର ହେବ ।

omfed
ଯଦି ଦେଖିବା ତେବେ ପ୍ଲାଷ୍ଟିକ୍‌ ଭଳି ଚାଷ ଜମିରେ ରାସାୟନିକ ଔଷଧ ବ୍ୟବହାର, ଅତ୍ୟଧିକ ଯାନବାହନ ଚଳାଚଳ ଆଦି ଘଟଣା ମଣିଷ ସମାଜ ପାଇଁ ଅତ୍ୟନ୍ତ କ୍ଷତିକାରକ ହୋଇଛି । ତେଣୁ ଏବେ ରାସାୟନିକ ଜାଗାରେ ପୂର୍ବପରି ପୁଶି ଜୈବିକ ସାର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଉଛି । ଠିକ୍‌ ସେହିଭଳି ପ୍ରଦୂଷଣକୁ ରୋକିବା ଲାଗି ବ୍ୟକ୍ତିଗତ ଯାନବାହନ ବ୍ୟବହାରକୁ ଛାଡ଼ି ବସ୍‌ ଓ ସେୟାର ଅଟୋ ଭଳି ବାହନ ବ୍ୟବହାର କରିବା ଲାଗି ପରାମର୍ଶ ଦିଆଯାଉଛି ।
ହେଲେ ଏବେ ବେଳ ଆସିଛି ଯେ ଏସବୁ ପରାମର୍ଶ ନୁହେଁ ବିଧିବଦ୍ଧ ଭାବେ କାର୍ଯ୍ୟକାରୀ କରାଯିବା ଦରକାର । ନଚେତ ସମୟ ଆସିବ ଯେତେବେଳେ ଏସବୁ ସାମଗ୍ରୀ ଆମ ପର ପଢ଼ି ପାଇଁ ବୃହତ୍‌ ଶତ୍ରୁ ସାଜିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.