ଆଜିର ଦିନରେ କାହିଁକି ପୂଜା ହୁଏ ଚିତଉ ପିଠା ଜାଣନ୍ତୁ

ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଓଡ଼ିଆଙ୍କ ପାଇଁ ଏ ଦିନଟିର ମହତ୍ୱ ବେଶ୍ ଅଧିକ। କାରଣ ଏହି ଦିନ ଶ୍ରୀମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହମାନଙ୍କ ମଥାରେ ରତ୍ନଚିତା ଲାଗି କରାଯାଇଥାଏ।

ଆଜି ହେଉଛି ପବିତ୍ର ଚିତାଲାଗି ଅମାବାସ୍ୟା। ଆପଶ ଏୟା ବି କହିପାରିବେ ଚିତଉ ଅମାବାସ୍ୟା। ଓଡ଼ିଆଙ୍କ ପାଇଁ ଏ ଦିନଟିର ମହତ୍ୱ ବେଶ୍ ଅଧିକ। କାରଣ ଏହି ଦିନ ଶ୍ରୀମନ୍ଦିରରେ ପୂଜିତ ଶ୍ରୀ ବିଗ୍ରହମାନଙ୍କ ମଥାରେ ରତ୍ନଚିତା ଲାଗି କରାଯାଇଥାଏ। ଦେବସ୍ନାନ ପୂର୍ଣ୍ଣିମା ଦିନ ଠାକୁରମାନଙ୍କ ଶ୍ରୀମୁଖରେ ବର୍ଷ ତମାମ ଲାଗି ରହୁଥିବା ରତ୍ନଚିତା ଓ ରାହୁରେଖା ଅପସାରଣ କରି ନିଆଯାଇଥାଏ। ରଥଯାତ୍ରା ସମୟରେ ଓ ଶ୍ରୀଗୁଣ୍ଡିଚା ମନ୍ଦିରରେ ଠାକୁରମାନଙ୍କ ଶ୍ରୀମୁଖରେ ଏ ଦୁର୍ଲଭ ଅଳଙ୍କାର ଦେଖିବାକୁ ମିଳି ନ ଥାଏ। ପ୍ରତୀକାତ୍ମକ ଭାବେ ଶ୍ରୀ ବିଗ୍ରହମାନଙ୍କ ମଥାରେ କେବଳ ସୋଲଚିତା ଲାଗି କରାଯାଇଥାଏ।

ରଥଯାତ୍ରାରୁ ଫେରିବା ପରେ ଠାକୁରମାନେ ଶ୍ରାବଣ ଶୁକ୍ଳ ଅମାବାସ୍ୟା ତିଥିରେ ପୁଣିଥରେ ଦୁର୍ଲଭ ରତ୍ନଚିତା ଧାରଣ କରିଥାନ୍ତି। ଯାହାକୁ ଚିତାଲାଗି ବା ଚିତ୍ରକ ପର୍ବ ଭାବେ ପାଳନ କରାଯାଇଥାଏ। ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କ ବିଗ୍ରହରେ ସୁବର୍ଣ୍ଣଯୁକ୍ତ ହୀରା, ନୀଳା ଓ ପ୍ରପନ୍ନ(ପନ୍ନା) ଜଡ଼ିତ ଦୁର୍ଲଭ ଧାତବ ଚିତାମାନ ଲାଗି କରାଯାଇଥାଏ। ଏହି ସମୟରେ ମହାପ୍ରଭୁଙ୍କ ପାଖରେ ପାରମ୍ପରିକ ଚିତଉ ପିଠା ପ୍ରସାଦ ଭାବେ ଲାଗି କରାଯାଇଥାଏ।

ଶ୍ରୀ ଜଗନ୍ନାଥଙ୍କ ସହ ଓଡ଼ିଆଙ୍କ ଚଳଣି ଅଙ୍ଗାଙ୍ଗୀ ଭାବେ ଜଡିତ ଥିବାରୁ ଏହି ପର୍ବଟିକୁ କୃଷି ସହ ମଧ୍ୟ ଯୋଡ଼ି ଦିଆଯାଇଛି। ମହାପ୍ରଭୁଙ୍କ ଚିତାର ଆକୃତି ଭଳି ଗୋଲାକାର ଚିତଉ ପିଠାକୁ କୃଷିକ୍ଷେତ୍ରରେ ପ୍ରସାଦ ଭାବେ ଲାଗି କରାଯାଇଥାଏ। କେବଳ ଚାଉଳ ଚୁନାରେ ପ୍ରସ୍ତୁତ ଏହି ପିଠାକୁ “ଗେଣ୍ଡୁଆଶୁଣି”ଙ୍କୁ ସମର୍ପଣ କରାଯାଇଥାଏ।

ଭୂମିରେ ତଥା ପଙ୍କରେ ବିଚରଣ କରୁଥିବା ଗେଣ୍ଡାମାନଙ୍କୁ ଏହି “ଗେଣ୍ଡୁଆଶୁଣି” ନାମରେ ନାମିତ କରାଯାଇଛି। କୃଷି କ୍ଷେତ୍ରରେ ବର୍ଷା ସମୟରେ ଗେଣ୍ଡା, କୋଚିଆଗୁଡିକ ପଙ୍କରେ ବିଚରଣ କରୁଥାନ୍ତି। କୃଷି କ୍ଷେତ୍ରକୁ ଯିବାବେଳେ କାଳେ କାହାକୁ ଏମାନେ କ୍ଷତି ପହଞ୍ଚାଇବେ, ତେଣୁ ମହାପ୍ରଭୁଙ୍କ ଚିତା ସ୍ୱରୂପ ଏହି ପିଠାକୁ ସମର୍ପଣ କରି କୃଷି କାର୍ଯ୍ୟ ସମୟରେ ବାଧା ନ ଦେବାକୁ ସେମାନଙ୍କୁ ପ୍ରାର୍ଥନା କରାଯାଇଥାଏ।

ମହାପ୍ରଭୁଙ୍କ ଚିତା ଓ ଚିତଉ ପିଠାର ଆକୃତି ଦୃଷ୍ଟିରୁ ସମାନତା ରହୁଥିବାରୁ ଏହି ପର୍ବର ମହତ୍ୱ ଉଭୟ କୃଷି ଓ ଧର୍ମ ଦୃଷ୍ଟିକୋଣରୁ ଓଡ଼ିଆଙ୍କ ପାଇଁ ବେଶ୍ ମହତ୍ୱପୂର୍ଣ୍ଣ।
ଭାରତ ଏକ କୃଷିପ୍ରଧାନ ଦେଶ। ଅନେକ ପର୍ବ ଅନେକ ଉତ୍ସବ ଭିତରେ କୃଷିକୁ ହିଁ ଗୁରୁତ୍ୱ ଦେଇ ଭାରତରେ ପାଳନ ହୁଏ ପର୍ବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.