କ୍ରିକେଟ୍ ଜଗତରେ ନୂଆ ଉଦାହରଣ ସୃଷ୍ଟି କରିଛନ୍ତି ସମ୍ବଲପୁରର ଝିଅ ରଶ୍ମୀ, ଭାରତୀୟ ଟିମ୍ ପାଇଁ ରଖିଛନ୍ତି ଲକ୍ଷ୍ୟ

ବର୍ତ୍ତମାନ ସମୟରେ କ୍ରିକେଟ ଖେଳ ପ୍ରତି ବିଶେଷ ଭାବେ ଯୁବ ପିଢି ଆକର୍ଷିତ ହେଉଥିବା ବେଳେ ଗ୍ରାମାଞ୍ଚଳରେ ମଧ୍ୟ ଏହାର ବେଶ୍ ଚାହିଦା ବଢିବାରେ ଲାଗିଛି। ମାତ୍ର ମହିଳା କ୍ରିକେଟ ପ୍ରତି ଲୋକଙ୍କ ଦୃଷ୍ଟିଭଙ୍ଗୀ କିଛି ଅଲଗା ରହିଛି। ଏଭଳି ପରିସ୍ଥିତିରେ ଓସିଏ ଦ୍ଵାରା ପରିଚାଳିତ ଓଡ଼ିଶା କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟ ୨୦୨୧ ରେ ଓଡ଼ିଶା ପର୍ପଲ ପକ୍ଷରୁ ଅଲରାଉଣ୍ଡର ଭାବେ ଖେଳିଛନ୍ତି ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଅପହଞ୍ଚ ଇଲାକାର ଝଗଡାତିରିଆ ଗ୍ରାମର ରଶ୍ମୀ ନାୟକ। ଏଣୁ ଅଞ୍ଚଳରେ ଆନନ୍ଦ ଲହରୀ ଖେଳିଯାଇଛି। ଏଥିପାଇଁ ସେ ତାଙ୍କ କୋଚ ହର୍ଷତ ସାହୁ ଏବଂ ଓଡିଶା କ୍ରିକେଟ ଆସୋସିଏସନର ସଦସ୍ଯ ତଥା ସମ୍ବଲପୁର ଏଥେଲେଟିକ ଆସୋସିଏସନ ସାଧାରଣ ସମ୍ପାଦକ ଦୁଲାଲ ଚନ୍ଦ୍ର ପ୍ରଧାନଙ୍କୁ ଧନ୍ଯବାଦ ଜଣାଇଛନ୍ତି ।

rashmi2

ସମ୍ବଲପୁର ଜିଲ୍ଲା ବାମରା ବ୍ଲକ ଝଗଡାତିରିଆ ଗାଁର ସ୍ୱର୍ଗତ ରାଜ କୁମାର ନାୟକଙ୍କ ଏକମାତ୍ର ଝିଅ ରଶ୍ମୀ ନାୟକ। ବାପା ରାଜକୁମାର ଆରପାରିକୁ ଚାଲିଯିବା ପରେ ମା’ ସବ୍ୟାରାଣୀ ନାୟକ ଏବଂ ଭାଇ ଚନ୍ଦନ ନାୟକ ରଶ୍ମୀକୁ କ୍ରିକେଟ ଖେଳିବାକୁ ଉତ୍ସାହିତ କରିଥିଲେ। ରଶ୍ମୀ ପିଲାଦିନରୁ କ୍ରିକେଟ ଖେଳ ପ୍ରତି ଆକୃଷ୍ଟ ଥିଲେ। ସେଥିପାଇଁ ଗାଁର ଯୁବକମାନଙ୍କ ସହିତ କ୍ରିକେଟ ଖେଳୁଥିଲେ। ପରୁଆଭାଡି ହାଇସ୍କୁଲ ଏବଂ କୁଚିଣ୍ଡା ମହାବିଦ୍ୟାଳୟରେ ପାଠ ପଢୁଥିବାବେଳେ ଖେଳ ଜାରି ରଖିଥିଲେ। ତାଙ୍କର କ୍ରିକେଟ ଖେଳ ପ୍ରତି ଆଗ୍ରହ ଦେଖି ସମ୍ବଲପୁରସ୍ଥିତ ଗୋଲଡେନ ଇଗଲ କ୍ରିକେଟ କ୍ଲବ ପକ୍ଷରୁ ତାଙ୍କୁ ଅଫର ଆସିଥିଲା। ୨୦୧୬ରେ କ୍ରିକେଟ କ୍ଲବରେ ଯୋଗ ଦେବା ସହ ପ୍ରଶିକ୍ଷଣ ନେଇ ବିଭିନ୍ନ ସ୍ଥାନରେ ମ୍ୟାଚ୍ ଖେଳି ନିଜର ଦକ୍ଷତା ଦେଖାଇଛନ୍ତି। ୨୦୧୮-୧୯ ମସିହାରେ ସେ ୨୩ ବର୍ଷ ବର୍ଗରେ ବାରବାଟୀ ଷ୍ଟାଡିୟମରେ ପ୍ରଶିକ୍ଷଣ ଶିବିରରେ ଯୋଗଛନ୍ତି। ୨୦୨୦ରେ ୨୩ ବର୍ଷ ବର୍ଗ ନେଟସରେ ଭଲ ପ୍ରଦର୍ଶନ କରି ଓସିଏ ଦ୍ଵାରା ପରିଚାଳିତ ଓଡିଶା କ୍ରିକେଟ ଲିଗ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ମୋଟ ୬ଟି ଦଳ ମଧ୍ୟରୁ ଓଡିଶା ପର୍ପଲ ପକ୍ଷରୁ ଅଲରାଉଣ୍ଡର ଭାବେ ମନୋନୀତ ହୋଇ କ୍ରିକେଟ ଖେଳିଥିଲେ ରଶ୍ମୀ। ଆଗକୁ ଭାରତୀୟ ମହିଳା ଟିମରେ ଖେଳିବାର ଲକ୍ଷ୍ୟ ରଖିଛନ୍ତି ସେ।

ବିଧାୟକ କିଶୋର ଚନ୍ଦ୍ର ନାଏକ ଏକଥା ଜାଣିଲା ପରେ କୁଚିଣ୍ଡା ନଗର ବିଜୁ ଛାତ୍ର ଜନତା ଦଳର ସଭାପତି ଅଭିଳାଷ ଅଗ୍ରୱାଲ ଏବଂ ବାମରା ବ୍ଲକ ବିଜୁ ଛାତ୍ର ଜନତା ଦଳର ଉପସଭାପତି ହର୍ଷ ରଞ୍ଜନ ରାୟ ଝଗଡାତିରିଆ ଗାଁକୁ ଯାଇ ରଶ୍ମୀକୁ ଭେଟି ଅଭିନନ୍ଦନ ଜଣାଇବା ସହିତ ଫୁଲତୋଡା ଦେଇ ସମ୍ମାନିତ କରିଥିଲେ। କିଛି ଅସୁବିଧା ହେଲେ ସମସ୍ତ ସହଯୋଗ କରିବେ ବୋଲି ନଗର ବିଜୁ ଛାତ୍ର ଜନତାଦଳର ସଭାପତି ଅଭିଳାଷ ଅଗ୍ରୱାଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.