Below header

ଆଜି ବିଶ୍ୱ ପରିବେଶ ଦିବସ, ପର୍ଯ୍ୟାବରଣ ପାଇଁ ଦିଅନ୍ତୁ କିଛି ମୁହୂର୍ତ୍ତ…

ଵ୍ୟସ୍ତ ବହୁଳ ଜୀବନରେ କିଛି ମୁହୂର୍ତ୍ତକୁ ଖୋଜିବା ଆଉ ନିଜ ପାଇଁ ବଞ୍ଚିବା ବୋଧେ ଆଜିକାଲି ସମସ୍ତଙ୍କ ପାଇଁ ସ୍ବପ୍ନ ପାଲଟି ଯାଇଛି । ସତରେ ସମୟ ବା କାହିଁ କାହା ପାଖରେ, ଧାଁ ଦୌଡ଼ ଭିତରେ ସରିଯାଏ ଜୀବନ । ନିଜ ପାଇଁ କିଛି ଭାବିବା ଏବଂ ନିଜପାଇଁ କିଛି କରିବାର ସ୍ବପ୍ନ କେବଳ ସ୍ୱପ୍ନରେ ହିଁ ରହିଯାଏ । ଏବେ ସମୟ ଆସିଛି ନିଜେ ନିଜ ପାଇଁ କିଛି ସମୟ କାଢ଼ିବା ଏବଂ ଆମକୁ ବଂଚିବାରେ ସାମର୍ଥ୍ୟ ଦେଉଥିବା ପରିବେଶ ପାଇଁ କିଛି ସମୟ ଦେବା । ଆଜି ହେଉଛି ବିଶ୍ୱ ପରିବେଶ ଦିବସ । ପରିବେଶ ସୁସ୍ଥ ରହିଲେ ଆମେ ସୁସ୍ଥ ରହିବା । ଏହି ଉକ୍ତିକୁ ବିଶ୍ଵର ପ୍ରତିଟି ଲୋକଙ୍କ ପାଖରେ ପହଞ୍ଚାଇବାର ଆବଶ୍ୟକତା ରହିଛି । କାରଣ ଆଜିକାଲିର ପରିସ୍ଥିତିରେ ଆମ ପରିବେଶ ଏତେ ମାତ୍ରାରେ ପ୍ରଦୂଷିତ ହୋଇଛି ଯେ ତାହାର କଳ୍ପନା କରାଯାଇ ନ ପାରେ । କିଛି ବର୍ଷ ପୂର୍ବେ ମଣିଷର ପରମାୟୁ ୧୦୦ବର୍ଷରୁ ଉର୍ଦ୍ଧ୍ବ ଥିବାବେଳେ ବର୍ତ୍ତମାନ ତାହା ୬୦ରୁ ୬୫ ବର୍ଷକୁ ଖସିଆସିଛି ।

world

ଅହେତୁକ ଭାବେ ଜଙ୍ଗଲ ନଷ୍ଟ, ମାତ୍ରାଧିକ କଳକାରଖାନା, ବହୁଳ ପଲିଥିନିର ଉପଯୋଗ, ରାସାୟନିକ ସାମଗ୍ରୀର ବହୁଳ ବ୍ୟବହାର ଆଦି ଯୋଗୁଁ ପୃଥିବୀ ଧୀରେଧୀରେ ଯେମିତି ବିନାଶ ଆଡକୁ ଗତି କରୁଛି । ତେଣୁ ଏହି ଘୋର ସଙ୍କଟରୁ ବେଳହୁଁ ସାବଧାନ ହେବାପାଇଁ ମିଳିତ ଜାତିସଙ୍ଘ ପକ୍ଷରୁ ଜୁନ ୫ ତାରିଖକୁ ବିଶ୍ଵ ପରିବେଶ ଦିବସ ଭାବରେ ପାଳନ କରାଯାଉଛି ଯାହାର ରୂପରେଖ ପ୍ରଥମେ ୧୯୭୨ମସିହାରେ ପ୍ରସ୍ତୁତ କରାଯାଇଥିଲା । ସେହି ଦିନଠାରୁ ଜନସଚେତନତା ସୃଷ୍ଟି କରିବାପାଇଁ ପ୍ରତିବର୍ଷ ବିଶ୍ଵର ଜଣେ ଜଣେ ଦେଶ ନିଜକୁ ଆବାହକ ହିସାବରେ ପରିଗଣିତ କରି ସାରା ବିଶ୍ଵରେ ଏହାର ପ୍ରଚାର କରାଇଥାନ୍ତି । ଚଳିତବର୍ଷ ବିଶ୍ୱ ପରିବେଶ ଦିବସର ଆଭିମୁଖ୍ୟ ହେଉଛି “Celebrate biodiversity” ଅର୍ଥାତ କିଛି ସମୟ ପରିବେଶ ପାଇଁ । ସତରେ ଆମେ ଯାହାପାଇଁ ବଞ୍ଚିଛେ ତା ପାଇଁ କିଛି ସମୟ ଦେବା ଆମ ସମସ୍ତଙ୍କ ନୈତିକ କର୍ତବ୍ୟ  ।

world

ପରିବେଶ କହିଲେ କୌଣସି ସ୍ଥାନର ବେଷ୍ଟିତ ବା ପାରିପାର୍ଶ୍ବିକ ଅବସ୍ଥା କୁ ବୁଝାଏ ।ଏହା ସାଧାରଣତଃ ଆମ ଚତୁପାର୍ଶ୍ୱରେ ଥିବା ସମସ୍ତ ପ୍ରକାରର ପ୍ରାକୃତିକ ଏବଂ କୃତ୍ରିମ ଉପଦାନର ସମଷ୍ଟିକୁ ବି ବୁଝାଇଥାଏ । ଆମ ଚତୁପାର୍ଶ୍ୱରେ ଥିବା  ବୃକ୍ଷଲତା,ପାହାଡ,ପର୍ବତ,ନଦୀ,ଝରଣା,ସମୁଦ୍ର ଇତ୍ୟାଦିକୁ ନେଇ ହିଁ ତ ଆମ ପରିବେଶ ।  ପ୍ରକୃତିଗତ ଉପାଦାନ ଯଥା ପୃଥିବୀ,ଜଳ,ଆଲୋକ ଶକ୍ତି,ଉତ୍ତାପ,ତାପ ଏବଂ କୁହୁଡି ଇତ୍ୟାଦିକୁ ବୁଝାଇଥାଏ । ପରିବେଶର ଏହି ଉପାଦାନ ଗୁଡିକ ସହିତ ଆମେ ସବୁବେଳେ ପ୍ରତ୍ୟେକ୍ଷ ଏବଂ ପରୋକ୍ଷ ଭାବେ ଜଡ଼ିତ । ସଜୀବ ଉପାଦାନ କହିଲେ ପରିବେଶ ମଧ୍ୟରେ ଉତ୍ପାଦନକାରୀ, ସଂରକ୍ଷକ, ସାମାଜିକ ବିଶ୍ଳେଷକ, ପରିବର୍ତ୍ତନ ଇତ୍ୟାଦିକୁ ବୁଝାଏ । ପରିବେଶ ମଣିଷକୁ ସୃଷ୍ଟିକରେ, ଲାଳନପାଳନ କରି ଓ ନିରାପତା ଦିଏ ।

ଦାର୍ଶନିକଙ୍କ ଠାରୁ ଆରମ୍ଭକରି ବୈଜ୍ଞାନିକଙ୍କ ପର୍ଯ୍ୟନ୍ତ ସମସ୍ତେ ବ୍ୟକ୍ତିର ସୁଖସମୃଦ୍ଧି ପାଇଁ ତାର ପରିବେଶକୁ ଦାୟୀ କରିଥାନ୍ତି ।  ବିବର୍ତନବାଦର ବହୁ ସୋପାନ ଅତିକ୍ରମ କରି ମନୁଷ୍ୟ ଆଜି ସଭ୍ୟ ଓ ଶିକ୍ଷିତ ହୋଇପାରିଛି । ଏହି ସଭ୍ୟ ଓ ଶିକ୍ଷିତ ହେବା ମୂଳରେ ବିଜ୍ଞାନର ଅବଦାନକୁ ସ୍ଵୀକାର କରିବାକୁ ହେବ । ସାଂପ୍ରତିକ କାଳରେ ମନୁଷ୍ୟ ଯେତିକି ସୁଖସ୍ଵାଚ୍ଛନ୍ଦ୍ୟରେ ରହୁଛି ତାଠାରୁ ଅଧିକ ସଙ୍କଟ ଅବସ୍ଥାରେ ବଞ୍ଚୁଛି । ଏହି ସଙ୍କଟ ଗୁଡିକ ମଧ୍ୟରେ ଶିଳ୍ପର ପ୍ରସାର, ଜନସଂଖ୍ୟା ବିସ୍ଫୋରଣ, କୀଟନାଶକ ଔଷଧ ବ୍ୟବହାର , ଅରଣ୍ୟ ସଂପଦ କ୍ଷୟ ଓ ବୈଜ୍ଞାନିକ ପରୀକ୍ଷା ପ୍ରଭୃତି ଅନ୍ତର୍ଭୁକ୍ତ । ଆମ ବାୟୁମଣ୍ଡଳ ଧିରେ ଧିରେ ଏହି ପ୍ରଦୂଷଣ ଯୋଗୁ କ୍ଷତିଗ୍ରସ୍ତ ହେବା ସଙ୍ଗେ ସଙ୍ଗେ ମଣିଷ ଏହି ବାୟୁ ସେବନ କରି ଜୀବନକୁ ସଙ୍କଟମୟ କରୁଛି । ତେଣୁ ପରିବେଶକୁ ପ୍ରଦୂଷଣ ମୁକ୍ତ କରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଜନସଚେତନତା ଲୋଡା ।

world

ପ୍ରଥମତଃ, ପ୍ରଦୂଷଣ ପ୍ରଭାବକୁ ହ୍ରାସ କରିବା ପାଇଁ ଦୃଢ ଜନମତ ଆବଶ୍ୟକ । ଆବାଳବୃଦ୍ଧ ବନିତା ସୁସ୍ଥ ପରିବେଶ ପାଇଁ ଜନମତ କରିବା ଉଚିତ । ମାନବ ସମାଜକୁ ଆସନ୍ନ ମୃତ୍ୟୁ କବଳରୁ ରକ୍ଷା କରିବା ପାଇଁ ପରିବେଶର ସୁରକ୍ଷା ସର୍ବାଦୌ କରଣୀୟ । ଏଥିପାଇଁ ନାନା ବିଧ ପଦକ୍ଷେପ ଗ୍ରହଣ କରିବା ଉଚିତ୍ । ପ୍ରଥମତଃ, ଦାରିଦ୍ର‌୍ୟ ଓ ଉପୟୁକ୍ତ ଶିକାର ପ୍ରସାରର ଅଭାବ ଏ କ୍ଷେତ୍ରରେ ମୁଖ୍ୟ ପ୍ରତିବନ୍ଧକ ଭାବରେ ରହି ଆସୁଛି । ଦେଶରେ ସାଧାରଣ ଲୋକ ସେମାନଙ୍କର ଗୁଜୁରାଣ ମେଣ୍ଟାଇବା ପାଇଁ ସମକ୍ଷ ହୋଇ ପାରୁନଥିବାବେଳେ, ସାମାଜିକ ସମସ୍ୟା ସଂପର୍କରେ ଚିନ୍ତାକରିବା ସେମାନଙ୍କ ପକ୍ଷରେ ସମ୍ଭବ ହୋଇପାରୁ ନାହିଁ । ମାତ୍ର ପରିବେଶ ପ୍ରଦୂଷଣ ଓ ପରିବେଶର ଅବକ୍ଷୟ ଯୋଗୁଁ ହିଁ ଏହି ଶ୍ରେଣୀର ଜନସାଧାରଣ ସବୁଠାରୁ ବେଶି କ୍ଷତିଗ୍ରସ୍ତ ହେଉଛନ୍ତି । କାରଣ ଆଜି ବି ଆମ ଦେଶରେ ବିଶେଷ କରି ଆମ ରାଜ୍ୟରେ ବହୁଲୋକ ଜୀବିକା ନିର୍ବାହ ପାଇଁ ସେମାନଙ୍କର ପାରିପାର୍ଶ୍ଵିକ ପରିବେଶ ଉପରେ ସଂପୂର୍ଣ୍ଣ ନିର୍ଭର କରିଥାନ୍ତି । ଗତ ପଚାଶବର୍ଷ ଧରି ଆମଦେଶର ପରିବେଶର ସୁରକ୍ଷା ଓ ପରିବେଶର ଅବକ୍ଷୟ ରୋକିବା ପାଇଁ ଯେଉଁସବୁ ସଚେତନା କାର୍ଯ୍ୟକ୍ରମ ଗ୍ରହଣ କରାଯାଇଛି, ସେସବୁ ଏହି ସ୍ତରର ଲୋକମାନଙ୍କ ପାଖରେ ପହଞ୍ଚିପାରି ନାହିଁ ।

ଦ୍ଵିତୀୟତଃ, ଆମ ଦେଶର ଉନ୍ନୟନ ଯୋଜନା ଓ ଶିଳ୍ପାୟନ ମଧ୍ୟ ପରିବେଶକୁ ଦୃଷ୍ଟିରେ ରଖି କରାଯାଉନାହିଁ । ଅର୍ଥାତ୍ କୌଣସି ସ୍ଥାନରେ କୌଣସି ପ୍ରକାରର ଶିଳ୍ପ ପ୍ରତିଷ୍ଠା ହେଲେ କିମ୍ବା ଅନ୍ୟ କୌଣସି ଉନ୍ନୟନମୂଳକ କାର୍ଯ୍ୟ ଆରମ୍ଭ ହେଲେ, ସେ ଅଞ୍ଚଳର ପରିବେଶ ଉପରେ ଏହାର ସମ୍ଭାବ୍ୟ ପ୍ରଭାବକୁ ବିଚାରକୁ ନିଆ ନଯାଇ ସରକାରୀ ସ୍ତରରେ ସେ ସବୁ ଯୋଜନା ମୂଳକ କାର୍ଯ୍ୟକୁ  ମଞ୍ଜୁରୀ ଦିଆଯାଉଛି । ଫଳରେ ଏହାଦ୍ଵାରା ସେ ଅଞ୍ଚଳର ପରିବେଶ ଅତିମାତ୍ରାରେ ପ୍ରଦୂଷିତ ହେଉଛି ଏବଂ ଏହାକୁ ବିରୋଧ କରୁଥିବା ଲୋକମାନେ ପ୍ରକୃତପକ୍ଷେ ଭୁଲ ବଶତଃ ଏ ବାବଦରେ କରାଯାଉଥିବା ତ୍ରୁଟିପୂର୍ଣ୍ଣ ଯୋଜନା ବିରୁଦ୍ଧରେ ଆନ୍ଦୋଳନ ନ କରି ସଂଯୁକ୍ତ ଶିଳ୍ପସଂସ୍ଥା ପ୍ରତିଷ୍ଠା ବା ଉନ୍ନୟନମୂଳକ କାର୍ଯ୍ୟକୁ ବିରୋଧ କରିବା ଏହି ବିଭିନ୍ନ ପ୍ରକାରର ସାମାଜିକ ସମସ୍ୟା ସୃଷ୍ଟି କରୁଛି ।

ତୃତୀୟତଃ, ଆମର ଶିକ୍ଷା ବ୍ୟବସ୍ଥାରେ ପରିବେଶ ବିଜ୍ଞାନ ସମ୍ବନ୍ଧୀୟ ବିଷୟ ଆଜି ବି ଯଥାଯଥ ଗୁରୁତ୍ଵ ପାଇପାରି ନାହିଁ । ଡାକ୍ତରୀ, ଇଞ୍ଜିନିୟରିଂ ବା ଅନ୍ୟାନ୍ୟ ବୈଷୟିକ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀମାନଙ୍କୁ ପରିବେଶ ବିଷୟରେ ସଚେତନ କରିବା ପାଇଁ ବିହିତ ପଦକ୍ଷେପ ଗ୍ରହଣ କରାଯାଇନାହିଁ ।

Kenya Commemorates World Environment Day | KCIC

ଏହି ପରିସ୍ଥିତିରେ ଆମ ଦେଶରେ ତଥା ରାଜ୍ୟରେ ଜନସାଧାରଣଙ୍କ ମଧ୍ୟରେ ପରିବେଶ ସଚେତନତା ସୃଷ୍ଟି ପାଇଁ ସବୁ ସ୍ତରରେ ଉଦ୍ୟମ ଅତ୍ୟନ୍ତ ଆବଶ୍ୟକତା ରହିଛି । କଳାକାରଖାନାଗୁଡିକୁ ପ୍ରଦୂଷଣମୁକ୍ତ କରିବା ପାଇଁ ଆବଶ୍ୟକୀୟ ପ୍ରଯୁକ୍ତିବିଦ୍ୟାର ପ୍ରଣୟନ ତଥା ସମନ୍ଵିତ ଯୋଜନା ପ୍ରସ୍ତୁତି ଏବଂ ସେଥିପାଇଁ ଆବଶ୍ୟକ ହେଉଥିବା ବ୍ୟୟବରାଦ ଉପାୟୁକ୍ତ ଭାବରେ କରାଯାଇ ନପାରିବାରୁ ପରିବେଶ ପ୍ରଦୂଷଣ ଜନିତ ସମସ୍ୟା ଉତ୍କଟ ହେଉଛି । ଏଭଳି ପରିସ୍ଥିତିରେ ଏବେ ସମୟ ଆସିଛି କିଛି ମୁହୂର୍ତ୍ତ ପରିବେଶ ପାଇଁ ଦେବା । ଆମେ ସମସ୍ତେ ବୁଝିବା ଆବଶ୍ୟକ ଏକ ସୁସ୍ଥ ପରିବେଶ ହିଁ ଏକ ସୁସ୍ଥ ମାନବ ସମାଜ ଗଢିବାରେ ସାହାଯ୍ୟ କରେ । ବର୍ତ୍ତମାନ ଆମେ ଏକ ଜଟିଳ ପରିସ୍ଥିତି ଦେଇ ଗତି କରୁଛେ । ବିଶ୍ୱ ଏବେ କରୋନା ଭୁତାଣୁ କବଳରେ କବଳିତ । ଏହାକୁ ସାରା ବିଶ୍ୱରେ ମହାମାରୀ ଘୋଷଣା କରାଯାଇଛି ।ଏଥିରୁ ବର୍ତ୍ତିବା ପାଇଁ ମନୁଷ୍ୟ ଏବେ ନାନାଦି ଚେଷ୍ଟା ଜାରି ରଖିଛି ।

ସତ୍ୟଜିତ ମହାନ୍ତି (କେ ନ୍ୟୁଜ )

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.